Unknown

 

 

 

 

 

 

 

 

 

 

ଅନେକ ଆଶା

ଅନୁବାଦ

ଶ୍ରୀ ବଂଶୀଧର ଦାଶ

 

 

 

 

 

 

 

 

 

ଅନେକ ଆଶା

(ଚାର୍ଲସ୍‌ ଡିକେନ୍‌ସଙ୍କ Great Expectations ବହିର ଓଡ଼ିଆ ଅନୁବାଦ)

ଅନୁବାଦ : ଶ୍ରୀ ବଂଶୀଧର ଦାଶ ବି.ଏ.ଡି. ଇଡ଼ି.

 

 

ବିଶ୍ୱବିଖ୍ୟାତ ସାହିତ୍ୟରଥୀ ଚାର୍ଲସ୍‌ ଡିକେନ୍‌ସ (୧୮୧୨-୧୮୭୦)ଙ୍କର ଅଗାଧ ସାହିତ୍ୟ ଭଣ୍ଡାରରେ ‘ଗ୍ରେଟ୍‌ ଏକ୍‌ସପେକ୍ଟେସନ୍‌ସ’ ଉପନ୍ୟାସର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ନିଜର ଦୁଃଖମୟ କିଶୋର ଜୀବନର ବହୁ ଅଭିଜ୍ଞତା ନେଇ ସେ ଏହି କାହାଣୀ ରଚନା କରିଛନ୍ତି । ଯେଉଁ ଉଦାର ମାନବପ୍ରୀତି ତାଙ୍କ ସାହିତ୍ୟର ମୂଳମନ୍ତ୍ର, ତାହାରି ଆଲୋକରେ ଏହି ଉପନ୍ୟାସର ଛତ୍ରେ ଛତ୍ରେ ଫୁଟିଉଠିଛି ଗୋଟିଏ ଭାଗ୍ୟହୀନ ମନୁଷ୍ୟର ବେଦନାପୂର୍ଣ୍ଣ ଜୀବନର କରୁଣ ଛବି ଏବଂ ସେହି କରୁଣ ଛବି ସହିତ ଓତପ୍ରୋତ ଭାବରେ ଜଡ଼ିତ ହୋଇ ରହିଛି ଗୋଟିଏ କିଶୋର ବାଳକର ଅନେକ ଆଶା ଓ ହତାଶା ।

 

ଡିକେନ୍‌ସଙ୍କ ମୃତ୍ୟୁର ଶହେ ବର୍ଷ ପୂରି ଯାଇଥିବାରୁ ଚଳିତ ବର୍ଷ ପୃଥିବୀର ସବୁ ସାହିତ୍ୟରେ ଡିକେନ୍‌ସ-ସାହିତ୍ୟ ଉତ୍ସବ ପାଳିତ ହେଉଛି । ସେହି ଉତ୍ସବର ଅଂଶସ୍ୱରୂପ ଓଡ଼ିଶାର କିଶୋର ପାଠକପାଠିକାଙ୍କ ହାତରେ ତୋଳିଦେଉଛି ଏହି ‘ଅନେକ ଆଶା’-‘ଗ୍ରେଟ୍‌ ଏକ୍‌ସପେକ୍ଟେସନ୍‌ସ’ର ସରଳ ସଂକ୍ଷିପ୍ତ ଅନୁବାଦ ।

 

ଶ୍ରୀଗଣେଶ ଚତୁର୍ଥୀ

ଅନୁବାଦକ

୧୯୭୦

 

☆☆☆

 

ଅପୂର୍ବ ପରିଚୟ

 

ଆମ ଘରର ସାଜ୍ଞା ପିରିପ୍‌ ଏବଂ ପ୍ରଥମେ ମୋ ନାଁ ଥିଲା ଫିଲିପ୍‌ । କିନ୍ତୁ ପିଲାଦିନେ ଏ ଦୁଇଟାଯାକ ନାମରୁ ମୁଁ କୌଣସିଟା ବି ସ୍ପଷ୍ଟ ଭାବରେ ଉଚ୍ଚାରଣ କରିପାରୁନଥିଲି । କେହି ନାମ ପଚାରିଲେ କହୁଥିଲି, ‘‘ମୋ ନାଁ ପିପ୍‌ ।’’ ତେଣୁ ସେହି ପିଲାଦିନୁ ମୋ ନାମଟା ପିପ୍‌ ହୋଇ ରହିଗଲା ।

 

ବାପାମାଆଙ୍କୁ ଯେ ମୁଁ କେବେ ଦେଖିଥିଲି, ତାହା ମୋର ମନେ ନାହିଁ । ପିଲାଟିଦିନରୁ ସେମାନେ ମୋତେ ଛାଡ଼ିଦେଇ ଇହଧାମରୁ ଚାଲିଯାଇଥିଲେ । ମୁଁ କେବଳ ଶୁଣିଥିଲି ବାପା, ମାଆ ଓ ମୋର ପାଞ୍ଚଟି ବଡ଼ଭାଇଙ୍କୁ ଗୀର୍ଜାର କବରଖାନାରେ କବର ଦିଆଯାଇଛି । ସୁନ୍ଦର କଳା ମଚମଚ ଘାସ ଓ ନାନା ଜାତିର ଗଛରେ ପୂରିରହିଥାଏ କବରଖାନା । ସେଠାରେ ବାପାଙ୍କର ବଡ଼ କବରଟା ଦେଖି ମୁଁ ଭାବେ ବାପା ବୋଧହୁଏ ଜଣେ ମୋଟାରୋଟା ତଗଡ଼ା ଲୋକ ହୋଇଥିବେ । ତାଙ୍କ ମୁଣ୍ଡରେ ବୋଧହୁଏ କଳା କୁଞ୍ଚୁକୁଞ୍ଚିଆ ବାଳ ଥିବ । କିନ୍ତୁ ମାଆଙ୍କ କବର ଉପରେ ତାଙ୍କ ନାମଟି ଛୋଟ ଛୋଟ ଅକ୍ଷରରେ ଲେଖାଯାଇଥାଏ । ତେଣୁ ମୁଁ ଭାବେ ମାଆ ବୋଧହୁଏ ବଡ଼ ଦୁର୍ବଳ ଓ ରୁଗ୍‌ଣ ମଣିଷ ହେବେ । ଭାଇମାନଙ୍କର ଛୋଟ ଛୋଟ କବର ଦେଖି ଭାବେ, ଜନ୍ମ ହେବାବେଳକୁ ବୋଧହୁଏ ସେମାନଙ୍କର ହାତଗୁଡ଼ାକ ଚିପିଚାପି ହୋଇ ପକେଟ ଭିତରେ ପଶି ରହିଥିଲା । କିନ୍ତୁ ବାପା, ମାଆ ଓ ଭାଇମାନେ ଯେ ମରିଯାଇଛନ୍ତି, ସେ ବିଷୟରେ ପ୍ରଥମେ ମୋର ଧାରଣାନଥିଲା ।

 

ସେହି ପିଲାଦିନର କଥା ମନେପଡ଼ି ଯାଉଛି । ଶୀତଦିନଟା–ଡିସେମ୍ୱର ମାସ । ସେହିଦିନ ମୁଁ ପ୍ରଥମେ ବୁଝିପାରିଥାଏ ଯେ ବାପା, ମାଆ, ଓ ଭାଇମାନେ ମରିଯାଇଛନ୍ତି । ସେତିକିବେଳୁ ମନଟା ମଉଳିଗଲା । ଉପରବେଳାକୁ ଆଉ ଧୈର୍ଯ୍ୟ ଧରି ରହିପାରିଲି ନାହିଁ । ଅପାଙ୍କୁ ନ କହି ସିଧା ଚାଲିଗଲି କବରଖାନାକୁ । ବାପାଙ୍କ କବର ପାଖରେ ପହଞ୍ଚୁ ପହଞ୍ଚୁ ମୋର ଆଖିରୁ ଝରିଆସିଲା ଲୁହ । କଇଁ କଇଁ ହୋଇ କାନ୍ଦିଉଠିଲି । ତେଣେ ସୂର୍ଯ୍ୟ ଅସ୍ତ ହେବାକୁ ବସିଲେ-। ଚାରିଆଡ଼ୁ ଅନ୍ଧାର ଘୋଟି ଆସିଲା । ମୁଁ ଆହୁରି ବିକଳରେ କାନ୍ଦିବାକୁ ଲାଗିଲି ।

 

ହଠାତ୍‌ କବରଖାନାର ନିର୍ଜନତା ଭଙ୍ଗ କରି କିଏସେ ଜଣେ କ୍ରୂର ନିଷ୍ଠୁର କଣ୍ଠରେ କହିଉଠିଲା–‘‘ଚୁପ୍‌ କର !’’

 

ମୁଁ ଚମକିପଡ଼ି ଚାହିଁଦେବା ବେଳକୁ ଜଣେ ଲୋକ ଗୋଟାଏ କବର ପଛରୁ ବାହାରି ଏକା ଡିଆଁକେ ଆସି ମୋ ପାଖରେ ଠିଆ ହୋଇ କହିଲା–‘‘ଚୁପ୍‌ କର ବଦମାସ୍‌ ଟୋକା ! ଚୁପ୍‌ କର, ନାହିଁ ତ ତୋ ତୋଟି ଚିପି ମାରିଦେବି ।’’

 

ଲୋକଟା ଦେଖିବାକୁ ବଡ଼ ଭୟଙ୍କର । ଦେହରେ ଚିରା ଲେଙ୍କଡ଼ା ଜାମାପଟା; ମୁଣ୍ଡରେ ଟୋପି ବଦଳରେ ବାନ୍ଧିଥାଏ ଖଣ୍ଡେ ଛିଣ୍ଡା କମ୍ୱଳ । ଗୋଡ଼ରେ ଜୋତା ନାହିଁ । ଗୋଟାଏ ଗୋଡ଼ରେ ବନ୍ଧା ହୋଇଥାଏ ଖଣ୍ଡେ ଲୁହାଶିକୁଳି । ଦେହତମାମ ମାଟିକାଦୁଅ ଲେସିହୋଇ ରହିଥାଏ । ବାଟରେ କେଉଁଠି ଝୁଣ୍ଟି ଗୋଟାଏ ପାଦରୁ ଚେନେ ଉଠିଯାଇଥାଏ ଯେ, ସେ ଚାଲୁଥାଏ ଛୋଟେଇ ଛୋଟେଇ । ଗାଡ଼ିପଥରରେ ରାଞ୍ଚୁଡ଼ି ହୋଇ ଦେହର ବିଭିନ୍ନ ସ୍ଥାନରୁ ରକ୍ତ ଝରିପଡ଼ୁଥାଏ । ଦେହଟା ଥରୁଥାଏ; ତଥାପି ସେ ଛୋଟେଇ ଛୋଟେଇ ମୋ ପାଖକୁ ମାଡ଼ିଆସିଲା ଏବଂ ଏଡ଼େ ଏଡ଼େ ଆଖି ତରାଟି ଉପରେ ହାତ ପକାଇଦେଲା ।

 

ବରଡ଼ାପତ୍ର ପରି ଥରି ଥରି କାତର କଣ୍ଠରେ କହିଲି–‘‘ମାଫ୍‌ କରନ୍ତୁ ଆଜ୍ଞା, ମାଫ କରନ୍ତୁ ! ଚିପନ୍ତୁନି, ଚିପନ୍ତୁନି । ମୋ ତୋଟି ଚିପିଦିଅନ୍ତୁ ନାହିଁ ।’’

 

‘‘ତୋ ନାଆଁ କ’ଣ ଟୋକା ? –କହୁଛୁନା– !’’

 

‘‘ଆଜ୍ଞା ପିପ୍‌, ମୋ ନାଆଁ ପିପ୍‌ ।’’

 

‘‘କ’ଣ କହିଲୁ ? ଆରେ ଭଲକରି କହ ।’’

 

‘‘ଆଜ୍ଞା ମୋ ନାଆଁ ପିପ୍‌ ।’’

 

‘‘ତୋ ଘର କେଉଁଠି ? ଦେଖାଇପାରିବୁ ?’’

 

ଆମ ଘରଟା କବରଖାନାଠାରୁ ପ୍ରାୟ ମାଇଲିଏ ଦୂରରେ । ଗଛଗହଳି ଭିତରେ ଗାଆଁଟା ଝାପ୍‌ସା ଝାପ୍‌ସା ଦେଖାଯାଉଥାଏ । ହାତ ବଢ଼ାଇ ମୁଁ ଆମ ଗାଆଁ ଦେଖାଇଦେଲି ।

 

ଲୋକଟା କିଛି ସମୟ ଯାଏଁ ମୋତେ ନିରେଖି କରି ଚାହିଁରହିଲା । ତାପରେ ହଠାତ୍‌ ମୋତେ ତଳେ ଗଡ଼ାଇଦେଇ ମୋର ଦୁଇ ପକେଟ ଅଣ୍ଡାଳି ପକାଇଲା । ମୋ ପକେଟରେ ଖଣ୍ଡେ ରୁଟି ବ୍ୟତୀତ ଅନ୍ୟ କିଛି ନ ଥାଏ । ସେ ରୁଟିଖଣ୍ଡଟା କାଢ଼ିନେଇ ମୋତେ ଗୋଟାଏ ପଥରଉପରକୁ ଠେଲିଦେଲା ଏବଂ ରୁଟିଟାକୁ ଭୋକିଲା କୁକୁରଙ୍କ ପରି ଗାଉଁ ଗାଉଁ କରି ଖାଇଗଲା-। ଓଠପାଟି ଚାଟୁ ଚାଟୁ କହିଲା–‘‘ଇସ୍‌, ତୋ ଗାଲ ଦିଟା କି ଗୋଲଗୋଲ, ଫୁଲୁକା ଫୁଲୁକା ହୋଇଛିରେ ! ମନହେଉଛି କାମୁଡ଼ି ଖାଇଯାଆନ୍ତି; କିନ୍ତୁ...’’

 

ପ୍ରକୃତରେ ମୋ ଦେହଟା ମାଂସଳ; ବୟସ ତୁଳନାରେ ଗାଲ ଦୁଇଟା ବି ଟିକିଏ ବେଶି ଫୁଲୁକା ଫୁଲୁକା ହୋଇଥାଏ । କିନ୍ତୁ ଲୋକଟା ମୋତେ କାମୁଡ଼ି ଖାଇଯିବ କହୁଛି ଦେଖି, ମୁଁ କାତର ହୋଇ କବରଟାକୁ ଜାବୁଡ଼ି ଧରିଲି ଏବଂ ଅନୁନୟ କରି କହିଲି–‘‘ନାହିଁ ବାବୁ, ନାହିଁ; ତୁମର ଧର୍ମ ହେବ, ମୋତେ ଖାଇଯାଅନି ।’’

 

‘‘ଆଚ୍ଛା, ତୋ ମାଆ ଏଇଠି ଅଛି କିରେ ?’’

 

‘‘ଆଜ୍ଞା, ହଁ !’’

 

ମୋ ପାଟିରୁ ହଁ ଶବ୍ଦଟି ବାହାରିଛି କି ନାହିଁ, ଲୋକଟା ଏକା ଡିଆଁକେ ସେଠାରୁ ଦୌଡ଼ି ପଳାଇଲା; କିନ୍ତୁ ଅଳ୍ପ କେତେ ହାତ ଯିବା ପରେ ଚମକିପଡ଼ି ପୁଣି ପଛକୁ ଚାହିଁଲା । ମୁଁ ସେତେବେଳେ ମାଆଙ୍କ କବର ଦେଖାଇ କହିଲି–‘‘ହେଇଟି, ମୋ ମାଆ ଏଇଠି ଅଛନ୍ତି ।’’

 

କ୍ଷଣକ ଲାଗି ସେ ଆଶ୍ଚର୍ଯ୍ୟ ହୋଇ ଠିଆ ହୋଇଗଲା । ତାପରେ ମୋ ପାଖକୁ ଫେରିଆସି ମାଆଙ୍କ କବରକୁ ଚାହିଁ କହିଲା–‘‘ଓ, ସେ କଥା କହ ! ତା’ହେଲେ, ତୋ ବାପା ?’’

 

‘‘ବାପା ବି ଏଇଠି ଅଛନ୍ତି, ହେଇଟି ।’’ –ମୁଁ ବାପାଙ୍କ କବର ଦେଖାଇଦେଲି ।

 

‘‘ବେଶ୍‌; ଧର ମୁଁ ତତେ ନ ମାରି ଛାଡ଼ିଦେବି, ତୁ ଏବେ ରହିବୁ କାହା ପାଖରେ ?’’

 

‘‘ମୋ ଅପା ଅଛନ୍ତି । ମୁଁ ଅପାଙ୍କ ପାଖରେ ରହୁଛି । ମୋ ଭିଣୋଇ ଜୋ ଗାର୍ଗେରୀ ଆମ ଗାଁର କମାର ।’’

 

‘‘କ’ଣ କହିଲୁ, କମାର ?’’ କହି ଲୋକଟା ତା’ ଗୋଡ଼ରେ ବନ୍ଧାଯାଇଥିବା ଲୁହାଶିକୁଳିଟାକୁ ଚାହିଁଲା । ତା’ ପରେ ହଠାତ୍‌ ଆସି ମୋତେ କବରପଥରଟା ଉପରେ ଚାପିଧରି ଏପରି କଟମଟ କରି ଚାହିଁଲା ଯେ, ମନେହେଲା ତା’ ଆଖିଦୁଇଟା ଆସି ଆଖି ଭିତରେ ପଶିଯିବ । କହିଲା–‘‘କଥା ହେଲା, ମୁଁ ତତେ ବଞ୍ଚିବାକୁ ଦେବି ନା ନାହିଁ ? ....ଆଚ୍ଛା, ରୁହା କ’ଣ ତୁ ଜାଣୁ ?’’

 

‘‘ହଁ ଆଜ୍ଞା, ଜାଣେ ?’’

 

‘‘ଆଉ ...ଖାଇବା ଜିନିଷ ?’’–ଏଥର ସେ ମୋ ଉପରକୁ ଆହୁରି ଝୁଙ୍କିପଡ଼ିଲା ।

 

‘‘ଜାଣେ, ଆଜ୍ଞା, ତା’ ବି ଜାଣେ ।’’

 

‘‘ବେଶ୍, ମତେ ଗୋଟାଏ ରୁହା ଆଣି ଦେଲୁ, ଆଉ କିଛି ଖାଇବା ଜିନିଷ ବି ଆଣିଦେବୁ-। କାଲି ବଡ଼ ଭୋରୁ ମୋର ଏ ଦୁଇଟା ଜିନିଷ ଦରକାର । ନିଶ୍ଚୟ ଆଣିଦେବୁ–ନହେଲେ ଜାଣିଥା ତୋ କଲିଜା ଫାଡ଼ି ଖାଇଯିବି ।’’

 

ଏଥିରେ ମୁଁ ଏତେ ଡରିଗଲି ଯେ, ତାକୁ ଜାବୋଡ଼ି ଧରି ଅନୁନୟ ବିନୟ କରି କହିଲି–‘‘ଆପଣ ମୋ ଉପରେ ଏପରି ମାଡ଼ିପଡ଼ିଲେ, ମୁଁ ଭୟରେ କିଛି ବୁଝିପାରୁ ନାହିଁ । ମତେ ଟିକିଏ ସିଧା ହୋଇ ବସିବା ପାଇଁ ଦିଅନ୍ତୁ । ମୁଁ ଭଲକରି ଶୁଣେ ।’’

 

ମୋ କଥା ଶୁଣି ସେ ମୋତେ ସିଧାହୋଇ ବସିବା ପାଇଁ ଦେଲା; କିନ୍ତୁ ସେମିତି କଟମଟ କରି ଚାହିଁ କହିଲା, ‘‘ହେଇ ସେ ଗହୀରମୁଣ୍ଡରେ ଯେଉଁ ପୁରୁଣା ବାରୁଦଖାନାଟା ଅଛି, ଦେଖୁଛୁ ? ସେହି ପାଖକୁ କାଲି ଭୋରୁ ଭୋରୁ ମୋ ପାଇଁ ଗୋଟାଏ ରୁହା ଆଉ କିଛି ଖାଇବା ଜିନିଷ ଆଣିଦେବୁ । ଆଉ ଶୁଣ, ମତେ ଏଠି ଦେଖିଛୁ ବୋଲି ଯଦି କାହାକୁ କହୁ, ତେବେ ତୋ ଜୀବନ ନେଇଯିବି ଜାଣିଥା ! କ’ଣ କହୁଛୁ.... ?’’

 

କହିଲି, ‘‘କାଲି ସକାଳୁ ନିଶ୍ଚୟ ଗୋଟାଏ ରୁହା ଓ କିଛି ଖାଇବା ଜିନିଷ ଆଣି ଦେବି ।’’

 

‘‘ଦିଅଁଙ୍କ ରାଣ ପକାଇ କହିଲୁ ।’’

 

ମୁଁ ଦିଅଁଙ୍କ ରାଣ ପକାଇଲି ।

 

‘‘ବେଶ୍‌, ଦିଅଁଙ୍କ ରାଣ ପକାଇଛୁ । ଯଦି ଅମାନ୍ୟ କରୁନା ତେବେ ଛାତି ଫାଟିଯିବ । ଆଉ ମୋ କଥା ମନେଅଛି ତ ? ଟିକିଏ ଅବାଧ୍ୟ ହେଲେ, ତୋ ଜୀବନ ଗଲା ବୋଲି ଜାଣ । ମୋ ସାଥିରେ ଗୋଟେ ଦୁଷ୍ଟ ଯବାନ ଅଛି । ତାକୁ ପେଷିଦେବି ଯଦି ନା, ସେ ଆଉ ତୋ ପ୍ରାଣ ରଖିବ ନାହିଁ ।’’

 

‘‘ନିଶ୍ଚୟ ମାନିବି; ଯାଉଛି, ନମସ୍କାର ।’’

 

ମୁଁ ଯିବା ଆଗରୁ ସେ ଛୋଟେଇ ଛୋଟେଇ କବରଖାନାର କଣ୍ଟାଖୁଞ୍ଚସବୁ ପାର ହୋଇ ପଥରପାଚେରୀ ପାଖକୁ ଚାଲିଗଲା । ପାଚିରୀ ଡେଇଁବା ପରେ ଲୋକଟା ମୋ ଆଡ଼କୁ ଟିକିଏ ଚାହିଁଲା ଏବଂ ତାପରେ ସିଧା ଚାଲିଲା ସେ ଭଙ୍ଗା ବାରୁଦଖାନା ଆଡ଼କୁ ।

 

କବରଖାନାର ଅନ୍ଧାର ଭିତରେ ମୋତେ ଆହୁରି ଭୟ ଲାଗିଲା । ମୁଁ ତା’ ଆଡ଼ୁ ମୁହଁ ଫେରାଇ ଆଣି ଏକାରାହାକେ ଦୌଡ଼ିଆସି ଗାଁଭିତରେ ପଶିଗଲି ।

 

ଅପା ମୋଠାରୁ କୋଡ଼ିଏ ବର୍ଷ ବଡ଼ । ସେ ହିଁ ମତେ ବଡ଼ କରିଥିଲେ, ଅପା ଖୁବ୍‌ ସୁସ୍ଥସବଳ ଲୋକ । ମୁହଁଟା କିନ୍ତୁ ସବୁବେଳେ ନାଲି ଗରଗର; ଭାରି କଡ଼ା ମିଞ୍ଜାସର ଲୋକ । ମୋ କଥା କିଏ ପଚାରେ, ଜୋ ଭିଣୋଇଙ୍କ ସହିତ ବି କଥା କଥାକେ କଳି କରି ବସନ୍ତି । ଜୋ ଭିଣୋଇ କିନ୍ତୁ ଭାରି ଭଲ ମଣିଷ; ଚେହେରା ଯେମିତି ସୁନ୍ଦର, ବ୍ୟବହାର ବି ସେମିତି ଶାଳରେ କଟାନ୍ତି ।

 

କବରଖାନାରୁ ଦୌଡ଼ି ଦୌଡ଼ି ଆସି ଘରେ ପହଞ୍ଚିବା ବେଳକୁ, ଭିଣୋଇ ଶାଳ ବନ୍ଦ କରି ରୋଷେଇଘରେ ବସିଥାନ୍ତି । ମୋତେ ଦେଖି ସେ କହିଲେ, ‘‘ଅପା ତୁମକୁ ବହୁତ ଖୋଜୁଥିଲେ । ତୁମ ପାଇଁ ସେ ଦଶ ବାର ଥର ଦାଣ୍ଡକୁ ବାରିକି ହେଲେଣି ।’’

 

‘‘ସତେନା ?’’

 

‘‘କେବଳ ସେତିକି ନୁହେଁ, ସାଙ୍ଗରେ ‘ଚୈତନ ଦାସଙ୍କୁ ବି ଧରିଛନ୍ତି ।’’

 

‘‘ଏଁ !!’’ –ମୁଁ ପ୍ରମାଦ ଗଣିଲି, କାରଣ ଚୈତନ ଦାସ ତ ଅନ୍ୟ କେହି ନୁହେଁ, ଅସଲ ଲହକା ବେତଖଣ୍ଡିଏ !

 

ଅପା ତ ବସିଥିଲେ, ‘କାହିଁ ପିପ୍‌ କୁଆଡ଼େ ଗଲା ? ବୋଲି କହି ଉଠିପଡ଼ିବାବେଳକୁ ହାତ ଯାଇ ଚୈତନ ଦାସ ଉପରେ ପଡ଼ିଗଲା । ‘‘ହେଇଟି ତ ଅପା ଆସିଲେଣି; ପିପ୍‌, ଆସ ଆସ–ଏହି କବାଟ କୋଣରେ ଲୁଚିଯାଅ ।’’

 

ସଙ୍ଗେ ସଙ୍ଗେ ମୁଁ ଯାଇ କବାଟପଛରେ ଲୁଚିଗଲି; କିନ୍ତୁ ଭଲକରି ଲୁଚିବା ପୂର୍ବରୁ ଅପା ମତେ ଟାଣିଆଣିଲେ । ଓଃ, କି ମାଡ଼ ! ସେ କଥା ଆଉ କ’ଣ କହିବି ! ଗୋଟାଏ ଧମକ ଦେଇ ଅପା ପଚାରିଲେ, ‘‘ହଇରେ ଛତରା ଟୋକା, ଏତେବେଳ ଯାଏଁ କୁଆଡ଼େ ଯାଇଥିଲୁ ?’’ ବେତର ଲୋଳାଗୁଡ଼ାକୁ ଆଉଁସୁ ଆଉଁସୁ ମୁଁ କହିଲି, ‘‘ମୁଁ ଆଉ କୋଉଠିକି ଯାଇନାହିଁ; ଟିକିଏ ଗୀର୍ଜା ପଡ଼ିଆକୁ ଯାଇଥିଲି ।’’

 

‘‘ଗୀର୍ଜା ପଡ଼ିଆକୁ ? ସେହି ଗୀର୍ଜା ପଡ଼ିଆରେ କୋଉଦିନୁ ତୋ କବର ତିଆରି ହୋଇସାରନ୍ତାଣି । ଖାଲି ମୁଁ ଅଛି ବୋଲି ବଞ୍ଚିଛୁ ।’’

 

ସେମିତି ରାଗ ଗରଗର ହୋଇ ଅପା ରାତିର ଖିଆପିଆ ବ୍ୟବସ୍ଥା କରିବସିଲେ । ଟେବୁଲ ପଡ଼ିଲା । ଟିକିଏ କ’ଣ ମାଖନ ମାରିଦେଇ ଭିଣୋଇଙ୍କୁ ଓ ମୋତେ ଖଣ୍ଡେ ଖଣ୍ଡେ ରୁଟି ଧରେଇଦେଲେ । ସେତେବେଳକୁ ମୋତେ ଖୁବ୍‌ ଭୋକ । ଖାଇବାକୁ ଯାଉଛି, କବରଖାନାରୁ ସେହି ଭୟଙ୍କର ଲୋକଟା କଥା ମନେପଡ଼ିଗଲା । ରୁଟିଖଣ୍ଡଟା ଖାଇଦେବା ଲାଗି ସାହସ ହେଲା ନାହିଁ; ଏହି ରୁଟି ଖଣ୍ଡକ ଅନ୍ତତଃ ତା’ପାଇଁ ନେଇଯିବାକୁ ପଡ଼ିବ । ରୋଷେଇଘରୁ ଅନ୍ୟ କିଛି ଖାଇବା ଜିନିଷ ଲୁଚାଇ ନେଇଯିବା ଲାଗି ମତେ ସୁବିଧା ମିଳିବ କି ନା କିଏ କହିବ । ଖୁବ୍‌ ସନ୍ତର୍ପଣରେ ରୁଟିଖଣ୍ଡଟା ନେଇ ପକେଟରେ ପୂରାଇଦେଲି ।

 

ଖ୍ରୀଷ୍ଟମାସ୍‌ ଉତ୍ସବ ପାଖେଇ ଆସୁଥାଏ । ପିଠା ତିଆରି କରିବା ବେଳ । ଅପା ଦୁଧ, ମଇଦା ଓ ଅଣ୍ଡା ପ୍ରଭୃତି ପିଠା ତିଆରି ଜିନିଷ ଆଣି ତାକୁ ସବୁ ଚକଟି ଲାଗି ମତେ ଧରେଇଦେଲେ-। ମଇଦା ଚକଟୁଛି, ପକେଟରୁ ରୁଟିଟା ବାହାରିପଡ଼ିଲା । ରକ୍ଷା ହୋଇଛି ଅପା ଦେଖିନାହାନ୍ତି-। କ’ଣ ଗୋଟାଏ କାମର ବାହାନା କରି ଚୁପ୍‍କିନା ମୁଁ ରୁଟିଟା ନେଇ ଶୋଇବାଘରେ ଲୁଚେଇଦେଇ ଆସିଲି । ରାତିରେ କାମଦାମ ଶେଷ ହେବାବେଳକୁ ଟିକିଏ ଡେରି ହୋଇଗଲା । ନିଆଁ ପାଖରେ ବସି ସମସ୍ତେ ହାତ ପାଦ ଶେକୁଛୁ, ହଠାତ୍‌ ଦୂରରେ ଗୁଡ଼ୁମ୍‌ କରି କ’ଣ ଗୋଟାଏ ଫୁଟିଉଠିଲା-। ମୁଁ ଚମକିପଡ଼ି ଜୋ’ଙ୍କୁ ପଚାରିଲି, ଏଇଟା କି ଶବ୍ଦ ହେଲା ଭିଣୋଇ ?

 

ସେ କହିଲେ, ‘‘ହଁ ବନ୍ଧୁକ, ତାହାହେଲେ ଆହୁରି ଜଣେ କଇଦୀ ଖସି ଚାଲିଗଲା । ସେଇଥିପାଇଁ ସତର୍କ କରାଇ ଗୁଳି ଫୁଟାଗଲା । କାଲି ରାତିରେ ବି ଗୋଟାଏ କଇଦୀ ଖସି ଚାଲିଯିବା ପରେ ଏଭଳି ବନ୍ଧୁକ ଫୁଟିଥିଲା ।’’

 

ଟିକିଏ ପରେ ମୁଁ ପୁଣି ପଚାରିଲି, ‘‘ଆଚ୍ଛା ଅପା, ଏ ବନ୍ଧୁକ ଶବ୍ଦ କେଉଁଠୁ ଆସୁଛି ?’’

 

‘‘କଇଦୀ ଜାହାଜରୁ ।

 

‘‘ଏଁ, କଇଦୀ ଜାହାଜ ! କଇଦୀ ଜାହାଜ କ’ଣ ଭିଣୋଇ ?’’

 

ଅପା ଚିଡ଼ିଉଠି କହିଲେ, ‘‘ଦେଖିଲ ଏ ଟୋକାଟାର ଦସ୍ତୁର ଏଇଆ, ଗୋଟାଏ କଥା କହିଲେ ପଚିଶିଟା କଥା ପଚାରିବ । ଆରେ ଜଖମ ଜାହାଜ ତ ସମୁଦ୍ରକୁ ଯାଇପାରିବ ନାହିଁ; ସେହିପରି ଜାହାଜସବୁ କୂଳରେ ରଖି ସେଗୁଡ଼ାକୁ କଇଦୀଖାନା କରାଯାଇଥାଏ । ହେଇ, ସେ ଗହୀର ଆରପାରି ନଈକୂଳରେ ଗୋଟାଏ କଇଦୀ ଜାହାଜ ଲାଗିଛି ।’’

 

‘‘କଇଦୀ ଜାହାଜରେ କାହାକୁ ରଖାଯାଏ ? .....ଆଉ, କାହିଁକି....’’

 

ଅପା ଆଉ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ । ସେ ଚିତ୍କାର କରିଉଠିଲେ, ‘‘ଯେଉଁମାନେ ଖୁଣ୍ କରନ୍ତି, ଚୋରି କରନ୍ତି, ଖରାପ କାମ କରନ୍ତି, ଏବଂ, ଏବଂ ଏବଂ...ଯେଉଁମାନେ ଦିନରାତି ପ୍ରଶ୍ନ ପଚାରନ୍ତି, ସେଇମାନଙ୍କୁ କଇଦୀ ଜାହାଜରେ ବାନ୍ଧି ରଖନ୍ତି । ବୁଝିଲୁ ଏଥର ? ଯାଆ, ଚଞ୍ଚଳ ଶୋଇପଡ଼ ।’’

 

ଅନ୍ଧାରରେ ଦରାଣ୍ଡି ଦରାଣ୍ଡି ଯାଇ ବିଛଣାରେ ପଡ଼ିଗଲି । ଆଖି କଷା ପଡ଼ୁପଡ଼ୁ ଗୋଟାଏ ଖରାପ ସ୍ୱପ୍ନ ଦେଖିଲି । ଓଃ କି ଭୟ ! ସେହି ସ୍ୱପ୍ନ ଭିତରେ ରାତି ପାହିଗଲା ।

 

ଭୋର ହୋଇଛି କି ନାହିଁ, ବିଛଣା ଛାଡ଼ି ତଳଘରକୁ ଓହ୍ଲାଇ ଆସିଲି । କୌଣସିମତେ ଚୁପ୍‌ଚାପ୍‌ ଯାଇ ଖାଇବାଘରେ ପଶିଲି । ଖ୍ରୀଷ୍ଟମାସ ସମୟଟା ହୋଇଥିବାରୁ ଖାଇବାଘରେ ପିଠାପଣାର ଅଭାବ ନ ଥାଏ । କିନ୍ତୁ ଭଲ ମନ୍ଦ ବାଛିବା ଲାଗି ବେଳ କାହିଁ । ଯାହା ପାଇଲି ଧରିଲି-। ଗୋଟାଏ ଛୋଟ ବୋତଲରେ କିଛି ମଦ ମଧ୍ୟ ଧରିଲି; ବଡ଼ ମଦବୋତଲଟାରୁ ଯେତିକି ମଦ କାଢ଼ିନେଲି, ସେତିକି ପାଣି ପୂରାଇଦେଲି, ଅପା ଯେପରି କିଛି ନ ଜାଣନ୍ତି । ପକେଟରେ ଗତ ରାତିର ବଡ଼ ରୁଟି ଖଣ୍ଡକ ଥାଏ । ଏଥର ଜୋ ଭିଣୋଇଙ୍କ ଶାଳରେ ପଶିଲି । ସେଠାରୁ ଖଣ୍ଡେ ରୁହା ନେଇ ଆଉ ଡେରି ନ କରି ପୁରୁଣା ବାରୁଦଖାନା ଆଡ଼େ ଚାଲିଲି । ସେତେବେଳକୁ ଆହୁରି ଟିକିଏ ଟିକିଏ ମାଛି ଅନ୍ଧାର ଥାଏ ।

☆☆☆

 

ଅଭିଶପ୍ତର ଆଶା

 

ବାହାରେ ଖୁବ୍‌ ଥଣ୍ଡା ଓ କୁହୁଡ଼ି ପଡ଼ିଥାଏ । ମନେହେଉଥାଏ ଗୋଡ଼ଟା ବରଫ ପାଲଟିଯିବ । ତେଣେ କୁହୁଡ଼ି ଭିତରେ ବାଟ ଦେଖାଯାଉନଥାଏ । କିନ୍ତୁ ବାରୁଦଖାନା ମୋର ପରିଚିତ ସ୍ଥାନ । ତେଣୁ କୁହୁଡ଼ି ସତ୍ତ୍ୱେ ମୁଁ ସେହି ଆଡ଼କୁ ଆଗେଇ ଚାଲିଲି । ଦୌଡ଼ିଲେ ଅବା ଟିକିଏ ଗରମ ଲାଗିବ ଭାବି ଦୌଡ଼ୁ ଦୌଡ଼ୁ ଦେଖିଲି ଅଳ୍ପ ଦୂରରେ ଜଣେ ଲୋକ ଆଣ୍ଠୁ ମଝିରେ ମୁଣ୍ଡ ରଖି ବସି ଢୁଳଉଛି ।

 

ଲୋକଟା ମୋ ଆଡ଼କୁ ପିଠି କରି ବସିଥାଏ । ଭାବିଲି ଏ ନିଶ୍ଚୟ ଗତକାଲିର ସେ ଲୋକଟା । ଡକାଡ଼କି ନ କରୁଣୁ ଖାଇବା ଜିନିଷତକ ତା’ ଆଗରେ ଥୋଇଦେଲେ ସେ ଖୁବ୍‌ ଖୁସିହେବ ଭାବି ମୁଁ ଚୁପ୍‌ଚାପ୍‌ ଯାଇ ତା’ କାନ୍ଧରେ ଟିକିଏ ହାତ ମାରିଦେଇଛି ତ, ଲୋକଟା ଚମକିପଡ଼ି ଠିଆ ହୋଇଗଲା ।

 

ଏ କ’ଣ !! ଏ ତ ଗତକାଲିର ସେ ଲୋକଟା ନୁହେଁ !!! ଏ ତା’ହେଲେ କିଏସେ-? ଏ ଲୋକଟାର ପୋଷାକପତ୍ର ବି ଠିକ୍‌ ଗତକାଲିର ଲୋକଟାର ପୋଷାକ ପରି । କେବଳ ମୁହଁଟା ଭିନ୍ନ-। ଏ କ’ଣ... ?

 

ଲୋକଟା ଠିଆ ହେଉ ହେଉ ମତେ ଗୋଟାଏ ଧକ୍‌କା ମାରିଦେଇ ଆଖିପିଛୁଳାକେ ସେଠାରୁ ଦୌଡ଼ି ପଳାଇଲା ! ତା’ ଧକ୍‌କାରେ ଅବଶ୍ୟ ମୁଁ ତଳେ ପଡ଼ିଗଲି ନାହିଁ, ତଥାପି କୁହୁଡ଼ିଅନ୍ଧାର ଭିତରେ ଲୋକଟା ଯେ କେଉଁଆଡ଼େ ଚାଲିଗଲା, ମୁଁ ଦେଖିପାରିଲି ନାହିଁ ।

 

ଭୟ ଓ ଉଦ୍‌ବେଗରେ ମୋର ଛାତି ଖାଲି ପଡ଼ିଲା ଉଠିଲା ! ଭାବିଲି, ଏହି ବୋଧହୁଏ ସେ ଦୁଷ୍ଟ ଲୋକଟା ହେବ । କୌଣସିମତେ ବାରୁଦଖାନାରେ ପହଞ୍ଚିଗଲି । ଗତକାଲିର ସେହି ପୁରୁଣା ଲୋକଟି ସେଠାରେ ଲୁଙ୍ଗୁରୁପୁଙ୍ଗୁରୁ ହେଉଥାଏ । ସେ ମୋ ପ୍ରତି କୌଣସି କଠୋର ବ୍ୟବହାର ନ କରି କରୁଣ ଭାବରେ କେବଳ ମୋର ପକେଟକୁ ଚାହିଁ ରହିଲା । ତା’ର ଦେହ ତମାମ ଶୀତରେ ଥରୁଥାଏ, ଭୋକରେ ଆଉଟୁପାଉଟୁ ହେଇଯାଉଥାଏ ବିଚରା । ତା’ ହାତକୁ ରୁହାଟା ବଢ଼ାଇ ଦେଇ ପକେଟରୁ ଖାଇବା ଜିନିଷଗୁଡ଼ାକ ଗୋଟି ଗୋଟି କରି ବାହାରକଲି ।

 

ରୁହାଟାକୁ ତଳେ ଥୋଇଦେଇ ସେ ପଚାରିଲା, ‘‘ସେ ବୋତଲରେ କ’ଣ ଧରିଛ ?’’

 

‘‘ଟିକିଏ ବ୍ରାଣ୍ଡି ।’’

 

‘‘ଭଲ, ଭଲ, ଖୁବ୍‌ ଚାଲାଖ ତୁମେ । ଦିଅ ଆଣ ।’’ କହି ଲୋକଟା ଗେଫା ଗେଫା କରି ରୁଟି, ମାଖନ ଓ କେକ୍‌ଗୁଡ଼ାକ ଖାଇବାକୁ ଲାଗିଲା । କେତେଦିନ ହେଲା ତା’ ପେଟରେ ଆଧାର ପଡ଼ିନଥିଲା କେଜାଣି ! ତା’ ଦେହଟା ଶୀତରେ ଥୁରୁଥୁରୁ ହୋଇ ଥରୁଛି ଦେଖି ପଚାରିଲି–‘‘ତୁମ ଦେହ ଖରାପ ଅଛି କି ?’’

 

‘‘ହଁ, ସେମିତି ଟିକିଏ ଲାଗୁଛି ।’’

 

‘‘ଦେଖ, ଏ ସ୍ଥାନଟା ବଡ଼ ସନ୍ତସନ୍ତିଆ, ଏ ଥଣ୍ଡାରେ ଏପରି ସ୍ଥାନରେ ରହିବା ବଡ଼ କଷ୍ଟ-।’’

 

‘‘ଆଗ ମୁଁ ଦୁଇଟା ଖାଇଦିଏ, ତାପରେ ଦେହପା କଥା ।’’ ଖାଉ ଖାଉ ସେ ଏଣେତେଣେ ଚାହିଁ ତରକି ଉଠୁଥାଏ । ହଠାତ୍‌ କ’ଣ ଗୋଟାଏ ଶବ୍ଦ ଶୁଣିଲା କି କ’ଣ, ସେ ଚଟ୍‌କରି କହିଉଠିଲା–‘‘ସତ କହ, ଅନ୍ୟ କାହାକୁ ସାଙ୍ଗରେ ଡାକି ଆଣି ନାହିଁ ତ ?’’

 

‘‘ନାହିଁ ବାବୁ, ନାହିଁ ।’’

 

‘‘ଠିକ୍‌ କଥା, ମୁଁ ତୁମକୁ ଅବିଶ୍ୱାସ କରିପାରୁ ନାହିଁ । ତୁମ ବୟସର ପିଲା, ମୋ ଭଳି ଗୋଟାଏ ହିନିମାନିଆ ଜୀବକୁ ଧରାଇ ଦେବାଲାଗି ଯେ ଚେଷ୍ଟା କରିବ, ମୁଁ ଏହା ବିଶ୍ୱାସ କରିପାରିବି ନାହିଁ । ମୁଁ ଅବିକା ମରଣମୁହଁରେ ପଡ଼ିଛି, ଖାଇବା ପାଇଁ ଏ ଯେଉଁ ଦୁଇଟା ଆଣିଦେଲନା, ମୋତେ ବଞ୍ଚେଇଦେଲ ତୁମେ !’’

 

ଏହା କହୁ କହୁ ତା’ ଆଖିରୁ କୃତଜ୍ଞତାର ଲୁହ ଝରିଆସିଲା । ନିଜ ଚିରା ଜାମାରେ ଆଖି ପୋଛି ପକାଇଲା ବିଚରା । ମୋର ଆଖିଦୁଇଟି ବି କରୁଣାରେ ପୂର୍ଣ୍ଣ ହୋଇଗଲା । କହିଲି, ‘‘ମୁଁ ତ ଅଳ୍ପ ଦୁଇଟା ଆଣିଦେଇଥିଲି, ସେହିତକରେ ତୁମର ଏତେ ସନ୍ତୋଷ ଦେଖି ମୁଁ ଭାରି ଖୁସିହେଲି ।’’

 

‘‘ଖୁବ୍‌, ଖୁବ୍‌ ସନ୍ତୋଷ ବାପା ! ଧନ୍ୟବାଦ ତୁମକୁ ! ତୁମର ଋଣ...’’ ସେ ଆଉ କିଛି କହିପାରିଲା ନାହିଁ ।

 

ପଚାରିଲି, ‘‘ତୁମେ ତ ସବୁତକ ଖାଇଦେଇଛ, କିଛି ରଖିବ ନାହିଁ ?’’

 

‘‘ରଖିବି ? କାହାପାଇଁ ରଖିବି ?’’

 

‘‘କାହିଁକି, ତୁମର ସେ ଯେଉଁ ଯବାନଟି ?’’

 

ଗୋଟାଏ ବିକୃତ ହସ ହସିଦେଇ ସେ କହିଲା, ‘‘ଓଃ, ଯବାନ ? .....ତା’ର ଖାଇବା ଦରକାର ନାହିଁ ।’’

 

‘‘କିନ୍ତୁ ତାକୁ ଦେଖି ମନେହେଲା, ତାକୁ ବି ଖୁବ୍‌ ଭୋକ ହେଉଛି ।’’

 

ଲୋକଟା ଅତି ବିସ୍ମିତ ହୋଇ କହିଲା, ‘‘ଦେଖି ମନେହେଲା ? ...କେତେବେଳେ ଦେଖିଲ ?’’

 

‘‘ଏହି, ବର୍ତ୍ତମାନ ଦେଖିଲି ।’’

 

‘‘ବର୍ତ୍ତମାନ ? କେଉଁଠି ?’’

 

‘‘ହେଇ ସେଇଠି । ବସି ଢୁଳୋଉଥିଲା । ତା’ ବେଶଭୂଷା ଦେଖି ପ୍ରଥମେ ମୁଁ ମନେକରିଥିଲି ତୁମେ ବସିଛ ।’’

 

ଲୋକଟା ହଠାତ୍‌ ଠିଆ ହୋଇପଡ଼ି ମୋ ହାତଟା କଷିକରି ଚିପି ଧରିଲା ଏବଂ ଏପରି କଟମଟ କରି ମୋ ମୁହଁକୁ ଚାହିଁଲା ଯେ, ମୁଁ ଭାବିଲି, କାଲି ସେ ଯେଉଁ ତୋଟି ଚିପିଦେବା କଥା କହୁଥିଲା ଆଜି ବୋଧହୁଏ କାମରେ ଦେଖାଇଦେବ । ମୁଁ ଭୟରେ ଥରି ଥରି କହିଲି, ‘‘ଠିକ୍‌ ତୁମରି ପୋଷାକ ପରି ପୋଷାକ, ତୁମରି ମୁଣ୍ଡର କନାପରି ଖଣ୍ଡେ କନା, ତୁମ ଗୋଡ଼ର ଶିକୁଳିପରି ତା’ ଗୋଡ଼ରେ ବି ଶିକୁଳି ବନ୍ଧା ହୋଇଛି...କାଲି ରାତିରେ ବନ୍ଧୁକ ଫୁଟିଥିଲା, ତୁମେ ଶୁଣିନା ?’’

 

ମୋ ପ୍ରଶ୍ନର ଉତ୍ତର ନ ଦେଇ ସେ ପଚାରିଲା, ‘‘ଲୋକଟାର ମୁହଁରେ କିଛି ଚିହ୍ନ ଅଛି ?’’

 

‘‘ହଁ, ଗୋଟାଏ ବଡ଼ କଟାଦାଗ ଅଛି । ବାଆଁ ଗାଲରେ ।’’

 

ସଙ୍ଗେ ସଙ୍ଗେ ବାକିଥିବା ଖାଦ୍ୟ ଜିନିଷତକ ପକେଟରେ ପୂରାଇଦେଇ ସେ କହିଉଠିଲା, ‘‘କାହିଁ, କେଉଁଠି ସେ ? କୁଆଡ଼ିକି ଗଲା, ମତେ ଶୀଘ୍ର କହ । ତାକୁ ମୁଁ ଆଜି ମାଟିରେ ନ ମିଶାଇ ଦେଇଛି ତ... ଓଃ, ମୋ ଗୋଡ଼ରେ ଏ ଶିକୁଳିଟା ନ ଥାନ୍ତା କି ! ...ଦେଲ, ଦେଲ, ମୋତେ ସେ ରୁହାଟା ଦେଲ ।’’

 

ସେ ଲୋକଟା ଯେଉଁ ଆଡ଼େ ଚାଲିଗଲା ସେ ଦିଗଟା ଦେଖାଇଦେଇ ମୁଁ ତା’ ହାତକୁ ରୁହାଟା ବଢ଼ାଇଦେଲି । ସେ ସେହି ଦିଗକୁ ଚାହିଁ ରୁହାରେ ଗୋଡ଼ର ଶିକୁଳିଟାକୁ କାଟିବାକୁ ଲାଗିଲା-। ମୁଁ କହିଲି, ‘‘ମୁଁ ତାହାହେଲେ ଯାଉଛି ।’’

 

ନିଜ କାମରେ ସେ ଏତେ ବ୍ୟସ୍ତ ଥାଏ ଯେ, ମୋ କଥା ବୋଧହୁଏ ତା’ କାନରେ ପଡ଼ିଲା ନାହିଁ । ମତେ କେମିତି ଟିକିଏ ଭୟ ଲାଗିଲା । ସେଠାରେ ଆଉ ଅପେକ୍ଷା ନ କରି ଘରମୁହାଁ ହୋଇ ଫେରିଆସିଲି ।

 

ବହୁତ ବାଟ ଫେରିବାପରେ ଟିକିଏ ପଛକୁ ଚାହିଁଲି । କୁହୁଡ଼ିଅନ୍ଧାର ଭିତରେ ସ୍ପଷ୍ଟକରି କିଛି ଦେଖାଗଲା ନାହିଁ । କେବଳ ରୁହା ଘଷିବା ଶବ୍ଦଟା ଦୂରରୁ ଶୁଭୁଥାଏ-ସାଇଁ–ସାଇଁ–ସାଇଁ !

 

ସେଦିନ ବଡ଼ଦିନ ଉତ୍ସବ । ଘରେ ଘରେ କେତେ ପିଠାପଣା । ଆମ ଘରକୁ କେତେଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥାଏ । ଅପା ଘରସଜାସଜିରେ ବ୍ୟସ୍ତ ରହିଲେ । ଭିଣୋଇ ଓ ମୁଁ ଗୀର୍ଜାକୁ ଗଲୁ । ଦିନ ଦେଢ଼ଟା ବେଳକୁ ଗୀର୍ଜାରୁ ଫେରି ଦେଖୁ ତ, ଅପା ସବୁ କାମଦାମ ଶେଷ କରି ଆମ ପାଇଁ ଅପେକ୍ଷା କରିଛନ୍ତି ।

 

ନିମନ୍ତ୍ରିତ ବ୍ୟକ୍ତିମାନଙ୍କ ମଧ୍ୟରେ ମିଷ୍ଟର ଓପଲ୍‌, ମିଷ୍ଟର ଓ ମିସେସ୍‌ ହାବଲ ଏବଂ ପମ୍ୱଲସୁକ୍‌ ମଉସା ହେଲେ ପ୍ରଧାନ । ସମସ୍ତେ ମିଶି ଖୁସିରେ ଖିଆପିଆ କରୁଛୁ, ଏତିକିବେଳେ ଆମ ଘରକୁ କେତେଜଣ ଲୋକ ପଶିଆସିଲେ । ଜୋତା ଖଡ଼ଖାଡ଼ ସାଙ୍ଗକୁ ସେମାନଙ୍କ ଭିତରୁ ଜଣେ କେହି ଗମ୍ଭୀର କଣ୍ଠରେ ଡାକିଲା, ‘‘ଘରେ କିଏ ଅଛ, ଟିକିଏ ଶୀଘ୍ର ଆସିଲ ।’’

 

ଖିଆପିଆ ଛାଡ଼ିଦେଇ ଆମେ ସମସ୍ତେ ବାହାର ଘରକୁ ଚାଲିଆସିଲୁ । ଦେଖୁ ତ କେତେଜଣ ସୈନ୍ୟ ଆସି ଆମ ଦାଣ୍ଡଘରେ ଜମା ହୋଇଛନ୍ତି । ସେମାନଙ୍କର ସର୍ଜେଣ୍ଟ ଦୁଇହଳ ହାତକଡ଼ା ଧରି ଆମ ଆଡ଼କୁ ମାଡ଼ିଆସି କହିଲେ–‘‘କ୍ଷମା କରିବେ । ରାଜକାର୍ଯ୍ୟରେ ଆସିଥିବାରୁ ଆପଣମାନଙ୍କ ଆନନ୍ଦ ଉତ୍ସବରେ ବ୍ୟାଘାତ ନ କରି ରହିପାରୁ ନାହିଁ । ଆପଣମାନେ ବ୍ୟସ୍ତ ହେବା ଦରକାର ନାହିଁ । ମୋର କେବଳ ଏ ଶାଳମାଲିକଙ୍କ ସାଙ୍ଗରେ କାମ ଅଛି ।’’

 

ଅପା ପଚାରିଲେ, ‘‘ତାଙ୍କ ସାଙ୍ଗରେ ଆପଣଙ୍କର କି କାମ ?’’

 

‘‘ଦେଖନ୍ତୁ, ରାଜକାର୍ଯ୍ୟ । ଦୁଇଜଣ କଇଦୀ ଖସି ଚାଲିଯାଇଛନ୍ତି । ସେ ଦୁଇଟାଙ୍କୁ ଧରିବାପାଇଁ ଆମେ ଆସିଛୁ । ଶାଳରେ ଟିକିଏ କାମ ଅଛି ।’’

 

‘‘କ’ଣ କହନ୍ତୁ, କି କାମ ?’’ ଜୋ ପଚାରିଲେ ।

 

‘‘ଏ ହାତକଡ଼ା ହଳକ ଟିକିଏ ଭାଙ୍ଗିଯାଇଛି । ଆପଣଙ୍କୁ ମରାମତି କରିଦେବାକୁ ପଡ଼ିବ-।’’

 

ଜୋ କହିଲେ, ‘‘କରିଦେବି, ତେବେ ଯୋଡ଼ିବାକୁ ପ୍ରାୟ ଘଣ୍ଟାଏ ଲାଗିଯିବ ।’’

 

‘‘ଠିକ୍‌ ଅଛି, ଆପଣ ଅବିକା କାମ ଆରମ୍ଭ କରିଦିଅନ୍ତୁ ।’’

 

ରାଜକାର୍ଯ୍ୟ । ବାଧ୍ୟହୋଇ ଜୋ ଶାଳ ଖୋଲିଲେ । ପ୍ରଥମେ ମୁଁ ଖୁବ୍‌ ଭୟ କରିଥିଲି, କାଳେ ସେମାନେ ମୋତେ ବାନ୍ଧିନେବେ ।

 

କିଛି ସମୟ ପରେ ସର୍ଜେଣ୍ଟ ପଚାରିଲେ, ‘‘ଏ ଗାଁ ସେପଟକୁ ଯେଉଁ ସନ୍ତସନ୍ତିଆ ଗହୀରଟା ଅଛି, ସେ’ଟା କେତେ ବାଟ ହେବ ?’’

 

ନାନୀ କହିଲେ, ‘ଠିକ୍‌ ମାଇଲିଏ ।’’

 

‘‘ତା’ହେଲେ ବେଶ୍‌ ହୋଇଛି । ସୂର୍ଯ୍ୟ ଅସ୍ତ ହୋଇଗଲେ ଆମେ ସେମାନଙ୍କୁ ଘେରାଉ କରିନେବା ।’’

 

‘‘କାହାକୁ ? –କଇଦୀ ନା କ’ଣ ?’’

 

‘‘ହଁ ହଁ, କଇଦୀ; ଜଣେ ନୁହେଁ, ଦୁଇଜଣ । ସେହି ଗହୀରରେ ଲୁଚି ରହିଛନ୍ତି । ଅନ୍ଧାର ନହେଲେ ସେମାନେ ସେ ଭିତରୁ ବାହାରିବେ ନାହିଁ । ଆପଣମାନଙ୍କ ମଧ୍ୟରୁ କେହି ସେମାନଙ୍କୁ ଦେଖିଛନ୍ତି କି ?’’

 

ମୋ ଛଡ଼ା ଅନ୍ୟ ସମସ୍ତେ ମନାକଲେ; ମତେ ବା ପଚାରୁଛି କିଏସେ ?

 

ସର୍ଜେଣ୍ଟ କହିଲେ, ‘‘ଦେଖାଯାଉ, ବାପଧନ ଯିବେ କୁଆଡ଼େ ।’’

 

ହାତକଡ଼ା ମରାମତି ହୋଇଯିବା ପରେ ଠିକ୍‌ ହେଲା ସୈନିକମାନଙ୍କ ସହିତ ଜୋ, ମିଷ୍ଟର ଓପ୍‌ଲ ଓ ମୁଁ ଯିବୁ । ମୋ ଯିବାଟାକୁ ନାନୀ ମୋଟେ ପସନ୍ଦ କରୁନଥିଲେ । କିନ୍ତୁ ଶେଷକୁ ବାଧ୍ୟହୋଇ କହିଲେ, ‘‘ଯାଉ, କିନ୍ତୁ ଯଦି ବନ୍ଧୁକଗୁଳିରେ ତା’ ମୁଣ୍ଡ ଫାଟି ଦଶଫାଳ ହୋଇଯିବନା, ସେତେବେଳେ ମୁଁ ଆଉ ଯୋଡ଼ିପାରିବି ନାହିଁ, ହାଁ ଜାଣିଥାଅ ।’’

 

କେତେଟା ଦିହୁଡ଼ି ନେଇ ଆମ୍ଭେମାନେ ବାହାରିପଡ଼ିଲୁ । ଠିକ୍‌ ହେଲା ଯେ ଦରକାର ପଡ଼ିଲେ ଦିହୁଡ଼ି ଯିବ । ସୈନିକମାନେ ରହିଲେ ଆଗରେ, ଆମେ ତିନିହେଁ ରହିଲୁ ପଛରେ । ସେମାନେ ମନା କରିଦେଇଥାଆନ୍ତି, ‘‘କେହି କିଛି କଥାଭାଷା କରିବ ନାହିଁ ।’’

 

ଚାଲୁ ଚାଲୁ ମୁଁ ଭିଣୋଇଙ୍କୁ ଚୁପ୍‌ ଚୁପ୍‌ କରି କହିଲି, ‘‘ମୁଁ ଭାବୁଛି, ଏମାନେ ତାଙ୍କୁ ଖୋଜି ପାଇବେ ନାହିଁ ।’’

 

ସେ କହିଲେ; ‘‘କାହିଁକି ?’’

 

‘‘ଯଦି ସେମାନେ ଅନ୍ୟ କେଉଁଆଡ଼େ ଚାଲିଯାଇଥିବେ ?’’

 

‘‘ଟଙ୍କାଏ ଲେଖା ବାଦ ରହିଲା, ମୁଁ କହୁଛି ସେମାନେ ଜମା ଖସିଯାଇପାରିବେ ନାହିଁ ।’’

 

ବାଟରେ ଗୀର୍ଜାର କବରଖାନାରେ ସୈନିକମାନେ କିଛି ସମୟ ଖୋଜିଲେ । ମାତ୍ର ସେଠାରେ କାହାକୁ ନ ପାଇ ସେଠାରୁ ବାରୁଦଖାନା ଦିଗରେ ଚାଲିଲେ । ସନ୍ଧ୍ୟାବେଳର ଥଣ୍ଡା ପବନରେ ମୋର ଦେହମୁହଁ ଥଣ୍ଡା ହୋଇଯାଇଛି ଦେଖି ଭିଣୋଇ ମୋତେ କାନ୍ଧରେ ପକାଇ ଚାଲିଲେ । ମୁଣ୍ଡଟେକି ଚାରିଆଡ଼କୁ ଚାହିଁଲେ । କାହିଁ କେଉଁଠି କେହି ହେଲେ ଦେଖାଗଲେ ନାହିଁ । କିନ୍ତୁ ହଠାତ୍‌ ଗୋଟାଏ ଶବ୍ଦ ଆସି କାନରେ ପଡ଼ିଲା । ମନେହେଲା କିଏସେ ଯେପରି ରୁହା ଘଷୁଛି-। ମେତେ ଭାରି ଭୟ ଲାଗିଲା । ତାହେଲେ କ’ଣ... !

 

ପୁରୁଣା ବାରୁଦଖାନା ପାଖରେ ପହଞ୍ଚିବା ବେଳକୁ ଶୁଣାଗଲା ସେଠାରେ କେତେଜଣ ଲୋକ ମାରପିଟ ଲାଗିଛନ୍ତି; କିନ୍ତୁ କୌଣସି ଲୋକ ଦେଖାଗଲା ନାହିଁ । ସମସ୍ତେ ସେଠାରେ ଅଟକିଗଲୁ । ଶବ୍ଦ ଲକ୍ଷ୍ୟ କରି ସୈନ୍ୟମାନେ ସେହି ଦିଗରେ ଦୌଡ଼ିଲେ । ଆମେ ବି ଦୌଡ଼ିଲୁ ।

 

ହଠାତ୍ କାହା ପାଟିରୁ ଆର୍ତ୍ତନାଦ ଆସିଲା–‘‘ମରିଗଲି, ରକ୍ଷା କର, ରକ୍ଷା କର !’’

 

ସୈନ୍ୟମାନେ ପାଟିକରି ଉଠିଲେ, ‘‘ଏହି ବାଟରେ, ଏହି ବାଟରେ ଆସ ।’’

 

ଆମେ ସମସ୍ତେ ଯାଇ ପହଞ୍ଚିବା ବେଳକୁ ସୈନ୍ୟମାନେ ଦୁଇଜଣଯାକ କଇଦୀଙ୍କୁ ବାନ୍ଧିପକାଇଲେଣି । ସେହି ଦୁଇଜଣଙ୍କ ଭିତରେ ବୋଧହୁଏ ମରାମରି ଚାଲିଥିଲା । ମୁଣ୍ଡ ଫାଟି ରକ୍ତ ବୋହୁଥାଏ । ହାଲିଆ ହୋଇ ଦୁହେଁ ଧଇଁସଇଁ ହେଉଥାନ୍ତି ।

 

ମୋର ପରିଚିତ କଇଦୀଟି କହିଉଠିଲା, ‘‘ଆଜ୍ଞା ଶୁଣିଥାନ୍ତୁ, ମୁଁ ଧରିନଥିଲେ, ଏ ବଦମାସ୍‌ ଖସି ପଳାଇଥାନ୍ତା; ମୁଁ ଏକୁ ଧରାଇଦେଲି ।’’

 

ସର୍ଜେଣ୍ଟ କହିଲେ, ‘‘କିନ୍ତୁ ତୁ ସେଥିରୁ କିଛି ଫାଇଦା ପାଇବୁ ନାହିଁ । ତୁ ବି ତ ଜେଲରୁ ଖସି ପଳାଇଆସିଛୁ ।’’

 

କଇଦୀଟା କହିଲା, ‘‘କିଛି ଫାଇଦା ଉଠାଇବାକୁ କହୁନାହିଁ ଆଜ୍ଞା, ମୁଁ ଫାଇଦା ଉଠେଇ କ’ଣ କରିବି ? ମୁଁ ତାକୁ ଧରେଇଦେଇଛି, ସେତିକି ମୋର ଖୁସି ।’’

 

ଅନ୍ୟ କଇଦୀଟାର ମୁଣ୍ଡରେ ଜୋର୍‌ରେ ମାଡ଼ ବସିଥାଏ । ତା’ ପାଟିରୁ କଥା ବାହାରିବାକୁ ବି କଷ୍ଟ ହେଉଥାଏ । ଜଣେ ସୈନ୍ୟଉପରେ ଭରାଦେଇ ସେ ଧୀରେଧୀରେ କହିଲା, ‘‘ବାବୁମାନେ, ଶୁଣିଥାନ୍ତୁ, ସେ ସଇତାନ୍‌ ମତେ ଖୁଣ୍‌ କରିବାକୁ ବସିଥିଲା ।’’

 

ମୋ ପରିଚିତ କଇଦୀ କହିଲା, ‘‘ଖୁଣ୍‌ କରିବାକୁ ବସିଥିଲି, ତଥାପି ଛାଡ଼ିଦେଲି ? ....ଭାରି ଚିକ୍କଣକୁହା ଭଦ୍ରଲୋକ ଆଜ୍ଞା, ଭାରି ଚିକଣକୁହା । ତତେ ବାର ହିନସ୍ତା କରି ମରେଇବି; ଏମିତି ସାଧାସିଧାରେ କାହିଁକି ଖୁଣ୍ କରିବି ? ତତେ ମୁଁ ପୁଣି ମାମୁଁ ଘରକୁ ପଠେଇଦେଇଛି । ମୋର ସେତିକି ଢେର୍‌ ।’’

 

‘‘ବିଶ୍ୱାସ କରନ୍ତୁ ବଡ଼ବାବୁ, ସେ ମତେ ଖୁଣ୍‌ କରିବାକୁ ବସିଥିଲା, ଖୁଣ୍... !’’

 

‘‘ଚୁପ୍‌ ମିଛୁଆ; ପୁଣି ପାଣିରେ ସର ପକେଇବାକୁ ବସିଛି ? ଆଜ୍ଞା, ଆମ ଦୁଇଜଣଙ୍କୁ ଯେତେବଳେ ଏକାଠି ବିଚରଣା କରାଗଲା, ସେତେବଳେ ବି ଏମିତି ମିଛ କହିଥିଲା । ଚିକଣ କହି ମତେ...; ହଇରେ ଜନମମିଛୁଆ..ତା’ ମୁହଁକୁ ଚାହୁଁନାହାନ୍ତି ଆଜ୍ଞା, ମିଛର ବୋଳ ପଡ଼ିଯାଇଛି; ଯଦି ସତ କହୁଛୁ, କାହିଁ ମୋ ମୁହଁକୁ ଚାହିଁ କହିଲୁ ! ... ଦେଖନ୍ତୁ, ଦେଖନ୍ତୁ ଆଜ୍ଞା, ମୁହଁକୁ ଚାହିଁ କହିପାରିବ ନାହିଁ ।’’

 

ସତକୁ ସତ ଆର କଇଦୀଟା ମୋ ଚିହ୍ନା କଇଦୀର ମୁହଁକୁ ଜମା ଚାହିଁପାରିଲା ନାହିଁ । ଖାଲି ଏଣେତେଣେ ଚାହୁଁଥାଏ ଏବଂ ଭୟରେ ଥରୁଥାଏ ଥୁରୁ ଥୁରୁ ହୋଇ ।

 

ସେତେବେଳକୁ ସନ୍ଧ୍ୟା ହୋଇ ଆସିଥାଏ । ସର୍ଜେଣ୍ଟ କହିଲେ, ‘‘ସେସବୁ ବାଜେକଥାରୁ କ’ଣ ମିଳିବ । ଅନ୍ଧାର ହେଲାଣି, ମଶାଲ ଗୁଡ଼ାକ ଲଗାଇଦିଅନ୍ତୁ ।’’

 

ଜଳିଉଠିଲା ମଶାଲ ।

 

ମୋର ପରିଚିତ କଇଦୀଟିର ଆଖି ଆସି ପଡ଼ିଲା ପ୍ରଥମେ ମୋ ଉପରେ । ଆମର ଚାରିଆଖି ମିଳିଗଲା । ମୁଁ ସଙ୍ଗେ ସଙ୍ଗେ ଆଖିଠାରି ତାକୁ ଜଣାଇଦେଲି ଯେ, ମୁଁ ତାକୁ ଧରାଇଦେବା ଲାଗି କିଛି ମସୁଧା କରିନାହିଁ । ସେ କ’ଣ ବୁଝିଲା କେଜାଣି, ମୋ ଉପରୁ ଆଖି ଫେରାଇନେଲା ।

 

କିଛି ସମୟ ପରେ ସୈନ୍ୟମାନେ କଇଦୀ ଦୁଇଜଣଙ୍କୁ ନେଇ ନଦୀକୂଳକୁ ଚାଲିଲେ, କାରଣ ନଦୀରେ କଇଦୀଜାହାଜ ନଙ୍ଗର ପକାଇଥାଏ । ଆମେ ବି ସେମାନଙ୍କ ସହିତ ଚାଲିଲୁ । ନଦୀକୂଳରେ ପହଞ୍ଚିବାକୁ ପ୍ରାୟ ଘଣ୍ଟାଏ ଲାଗିଗଲା । ନଦୀକୂଳରେ ସୈନିକମାନଙ୍କର ଗୋଟିଏ ଛୋଟ କାଠଘରେ କଇଦୀମାନଙ୍କୁ ରଖାଗଲା ଓ ସର୍ଜେଣ୍ଟ ଗୋଟିଏ ରିପୋର୍ଟ ଲେଖିଲେ । ମୋର ପରିଚିତ କଇଦୀଟି ସେ ଘରେ ଥିବା ଗୋଟିଏ ଚୁଲି ପାଖରେ ଠିଆ ହୋଇ ଶେକି ହେଉଥାଏ । ତାକୁ ଦେଖି ମୋର ମନେହେଲା, ସେ ଯେପରି ଅତି ଗଭୀର ଭାବରେ କ’ଣ ସବୁ ଭାବୁଛି ।

 

ହଠାତ୍‌ ସେ ସର୍ଜେଣ୍ଟଙ୍କୁ ଉଦ୍ଦେଶ୍ୟ କରି କହିଲା, ‘‘ଆଜ୍ଞା, ମୋର ଜେଲରୁ ଖସି ପଳାଇବା ସମ୍ପର୍କରେ କେତେଟା କଥା କହିବାର ଅଛି । ମୋ ଦୋଷ ପାଇଁ, ଆଜ୍ଞା, ଅନ୍ୟ କେହି ଯେପରି ହଇରାଣରେ ନ ପଡ଼ନ୍ତି ।’’

 

‘‘ଆହୁରି କି କାଣ୍ଡ କରିଛୁ ନା କ’ଣ ?’’

 

‘‘ଆଜ୍ଞା, ପେଟବିକଳରେ, ଏ ପାଖ ଗାଁର କମାରଘରୁ କିଛି ଖାଇବା ଜିନିଷ ଚୋରାଇ ଆଣିଥିଲି । ଟିକିଏ ବ୍ରାଣ୍ଡି ବି... ।’’

 

‘‘ମିଷ୍ଟର ଜୋ, ସତେ କ’ଣ ଆପଣଙ୍କ ଘରୁ କାଲି କିଛି ଚୋରି ଯାଇଥିଲା ?’’-ସର୍ଜେଣ୍ଟ ପଚାରିଲେ ।

 

ଭିଣୋଇ କହିଲେ, ‘‘ହଁ ସାହେବ । ଆଜି ଖିଆପିଆବେଳେ ମୋ ସ୍ତ୍ରୀ ସେଇ କଥା କହୁଥିଲେ ।’’

 

କଇଦୀ ଜଣକ କହିଉଠିଲା, ‘‘ଓଃ, ଆପଣ ତାହେଲେ ଏ ଗାଁର କମାର ? ନମସ୍କାର ! ସତରେ ଆପଣଙ୍କ ଘରୁ ଚୋରିକରି ମୁଁ ଭାରି ଦୁଃଖିତ । ମୁଁ ଚୋରାଇ ଆଣିଥିବା ସବୁତକ କେକ୍‌ ଖାଇଦେଇଛି । ମୋର ଆଶା, ମୋ ଦୋଷ ପାଇଁ ଅନ୍ୟ କେହି ଦଣ୍ଡ ପାଇବେ ନାହିଁ ।’’

 

ଜୋ କହିଲେ, ‘‘ଆହା ହାଃ, ସେ କଥା କାହିଁକି ଭାବୁଛୁ; ଜଣକ ପେଟ ପୂରିଲା, ଭଲ ହେଲା । ତୁ କି ଦୋଷ ହେତୁ ଜେଲ ଭୋଗୁଛୁ ମୁଁ ଜାଣେନା; କିନ୍ତୁ ତୁ ଯେ ନ ଖାଇ ପିଇ ମରିବୁ ଏକଥା ମୁଁ ଚାହେଁନା । ଯେତେହେଲେ ତ ଆମରି ପରି ମଣିଷ କ’ଣ କହୁଛ ପିପ୍‌ ?’’

 

ମୁଁ କିଛି କହିବା ପୂର୍ବରୁ କଇଦୀଟି ଗୋଟାଏ ଅଦ୍ଭୁତ ଶବ୍ଦ କରି ଆମ ଆଡ଼ୁ ମୁହଁ ଫେରାଇନେଲା । କିଛି ସମୟ ପରେ ତାକୁ ବି କଇଦୀଜାହାଜକୁ ନେଇଗଲେ ଆମେ ଘରକୁ ଫେରିଲୁ ।

 

ସତ କଥାଟା ଭିଣୋଇକୁ କହିଦେବାକୁ ବସିଥିଲି; କିନ୍ତୁ ପରେ ଭାବି ଦେଖିଲି, କହିବା ଠିକ୍‌ ହେବ ନାହିଁ । ତେବେ କଇଦୀଟି କାହିଁକି ଯେ ମିଛରେ ନିଜକୁ ଚୋର ସାବ୍ୟସ୍ତ କରି ମୋ ଚୋରିକଥାଟା ଲୁଚାଇ ରଖିଲା, ତାହା ମୁଁ ବୁଝିପାରିଲି ନାହିଁ । ମୋ ପାଇଁ ତା’ ମନରେ ଏତେ ଦରଦ କାହିଁକି ?

☆☆☆

 

ଅନ୍ଧାରଘରର ଦୀପ

 

ଶାଳରେ କାମ ଶିଖିବା ଲାଗି ମୋର ବୟସ ହୋଇନଥାଏ । ତେଣୁ ଅପା ମତେ ଗୋଟାଏ ଚାହାଳୀକୁ ପଠାଉଥାନ୍ତି ପାଠ ପଢ଼ିବା ଲାଗି । ଜଣେ ବୁଢ଼ୀ ମାଷ୍ଟରାଣୀ ଚାହାଳୀ ଖୋଲିଥାନ୍ତି । ସନ୍ଧ୍ୟା ହେଲେ ଚାହାଳୀ ବସେ । ମାଷ୍ଟରାଣୀ କିନ୍ତୁ ଅଧିକାଂଶ ସମୟ ଢୁଳେଇ ଢୁଳେଇ ବସିଥାନ୍ତି । ଆମେ ଯାହା ପାଠ ପଢ଼ୁଥିବୁ ଅନୁମାନ କରୁଥିବେ । ମାଷ୍ଟରାଣୀଙ୍କର ଗୋଟିଏ ଦୋକାନ ବି ଥାଏ ବିଡ଼ି ବୋଲି ବାପମାଆ–ଛେଉଣ୍ଡ ଝିଅଟିଏ ଦୋକାନ ଚଳାଇବାରେ ବୁଢ଼ୀକୁ ସାହାଯ୍ୟ କରେ । ସେଇ ବିଡ଼ି ସହିତ ମୋର ଦି-ଚାରି ଅକ୍ଷର ପାଠ ପଢ଼ାଇଦିଏ । ଏମିତି ଭାବରେ ଦିନ ଗଡ଼ିଚାଲିଲା ।

 

ପ୍ରାୟ ବର୍ଷକ ପରର କଥା–

 

ସେଦିନ ସକାଳୁ ଅପା ଚାଲିଗଲେ ସହରକୁ । ସାଙ୍ଗରେ ପମ୍ୱଲସୁକ୍‌ ମଉସା ବି ଯାଇଥାନ୍ତି । ମାସିକିଆ ସଉଦାପତ୍ର କରି ସେମାନେ ଫେରିବା ବେଳକୁ ସନ୍ଧ୍ୟା ହୋଇଯାଇଥାଏ । ମଉସାଙ୍କର ଘୋଡ଼ାଗାଡ଼ିରେ ସେମାନେ ଫେରିଲେ । ଗାଡ଼ିରୁ ଓହ୍ଲାଉ ଓହ୍ଲାଉ ଅପା କହିଲେ, ‘‘ଯାହାହେଉ, ଭଗବାନ୍‌ ତାଙ୍କ କଣ୍ଠରେ ବିଜେ କରିଥାଆନ୍ତୁ । ଏଥର ଅନ୍ତତଃ ଟୋକାଟାର ଗୋଟାଏ ଥଇଥାନ ହୋଇଯାଉ ।’’

 

ସେମାନଙ୍କର ଆଲୋଚନା ଶୁଣି ମୁଁ ଓ ଭିଣୋଇ ଟିକିଏ ବିସ୍ମିତ ହୋଇପଡ଼ିଲୁ । ଆମ ମୁହଁକୁ ଚାହିଁ ଅପା କହିଲେ, ‘‘କିହୋ, ଏମିତି କ’ଣ ବଲବଲ କରି ଚାହିଁଛ ?’’

 

ଭିଣୋଇ ପଚାରିଲେ, ‘‘କ’ଣ ଥଇଥାନ ହୋଇଯିବ ?’’

 

‘‘ଥଇଥାନ ନୁହଁ ତ ଆଉ କ’ଣ ? ମିସ୍‌ ହ୍ୟାବିସାମଙ୍କ ଦୟାରୁ ଯଦି କଣିକାଏ ମିଳିଯିବ ନା...’’

 

‘‘ମିସ୍‌ ହ୍ୟାବିସାମ୍‌ ? ....ସହରର ସେଇ ଜମିଦାରଙ୍କ ଝିଅ ?’’

 

‘‘ହଁ ଗୋ ହଁ, ଜମିଦାରଙ୍କ ଝିଅ ନୁହେଁ ତ ଆଉ କିଏ ? ....ଶୁଣ, ସେହି ମାଆଙ୍କର ଇଚ୍ଛା, ଏ ଟୋକା ଯାଇ ତାଙ୍କ କୋଠିରେ ରହି ଟିକିଏ ଖେଳାଖେଳି କରୁ ।’’

 

‘‘ଆହା ! ଏଡ଼େବଡ଼ ଲୋକଙ୍କର ଇଚ୍ଛା ଯେତେବେଳେ ନ ଯିବ କିପରି ? ତେବେ ତାଙ୍କ କାନକୁ ପିପ୍‌ ଖବର ଗଲା କିପରି ?’’

 

ଅପା ଏଥର ତାଙ୍କ ସ୍ୱଭାବସୁଲଭ ରୀତିରେ ବିଷୟଟା ବୁଝାଇଦେଲେ । ପମ୍ୱଲସୁକ୍‌ ମଉସା ହେଲେ ମିସ୍‌ ହ୍ୟାବିସାମଙ୍କର ପ୍ରଜା । ସେ ଯାଇଥିଲେ ତାଙ୍କର ଖଜଣା ପୈଠ କରିବାକୁ । କଥାଭାଷା ହେଉ ହେଉ ମିସ୍‌ ହ୍ୟାବିସାମ୍‌ ତାଙ୍କ କୋଠିରେ ଖେଳାଖେଳି କରିବାଲାଗି ପିଲାଟିଏ ମିଳିବ କି ବୋଲି ପଚାରିଲେ । ଭାଗ୍ୟକୁ ପାମ୍ୱଲସୁକ ମଉସାଙ୍କ ଜିଭଅଗକୁ ମୋ ନାମଟା ବାହାରିଆସିଲା । ଏତେ ବଡ଼ ସୁବିଧାଟାକୁ କାମରେ ଲଗାଇବାକୁ ଡେରି କଲେ ଭଲ ହେବ ନାହିଁ । ବଡ଼ଲୋକର; କେତେବେଳେ କେଉଁ କଥା । ତେଣୁ ସେହିଦିନ ରାତିରେ ମତେ ପାମ୍ୱଲସୁକ ମଉସାଙ୍କ ସହିତ ତାଙ୍କ ଘରକୁ ଯିବାକୁ ପଡ଼ିବ । ତା’ ବାସିଦିନ ସେ ମୋତେ ଜମିଦାର କୋଠିକୁ ନେଇଯିବେ ।

 

ଅପାଙ୍କ ପ୍ରସ୍ତାବ ଆଗରେ ଭିଣୋଇ କେତେ !! ସୁତରାଂ ସେହି ରାତିରେ ମୁଁ ପାମ୍ୱଲସୁକ ମଉସାଙ୍କ ସହିତ ତାଙ୍କ ଘରକୁ ଚାଲିଗଲି । ତା’ ପରଦିନ ମଉସା ମତେ ନେଇ ଚାଲିଲେ ସହରକୁ ଜମିଦାର କୋଠି ଉଦ୍ଦେଶ୍ୟରେ । ବାଟରେ ମିସ୍‌ ହ୍ୟାବିସାମଙ୍କ କଥା କହିଲେ; ସେ କାଳେ ସବୁବେଳେ ଅନ୍ଧାରରେ ରହନ୍ତି ।

 

କେଉଁ କାଳର ପୁରୁଣା କୋଠି । ସବୁଆଡ଼େ ଦୁଆର ଝରକା ବନ୍ଦ । ସଦର ଦରଜାରେ ବି ମସ୍ତବଡ଼ ତାଲା । ଆମେ ଏବେ ଭିତରକୁ ଯାଉଛୁ କିପରି !! ମଉସା ଗୋଟାଏ ଦଉଡ଼ି ଟାଣି କୋଠିରେ ଝୁଲୁଥିବା ଘଣ୍ଟାଟା ବଜାଇଦେଲେ–ଦେଖାକରିବା ଲାଗି ବାହାର ଲୋକ ଆସିଛନ୍ତି ବୋଲି ଜଣାଇଦେବାର ଏହା ଥିଲା ସେ ଯୁଗର ରୀତି । କିଛି ସମୟ ପରେ ଗୋଟିଏ ଛୋଟ ଝରକା ଖୋଲିଗଲା । ଭିତରୁ କେହି ଜଣେ ଝିଅ ପଚାରିଲେ, ‘‘କିଏ ସେ ?’’

 

ମଉସା କହିଲେ, ‘‘ମୁଁ ପାମ୍ୱଲସୁକ୍‌ ...ଇଏ, ପିପ୍‌କୁ ଆଣିଛି ।’’

 

ଝରକା ବନ୍ଦ ହୋଇଗଲା ଏବଂ କିଛି ସମୟ ପରେ ଲେନ୍ଥାଏ ଚାବି ଧରି ଗୋଟିଏ ଝିଅ ଆମ ଆଡ଼କୁ ଚାଲିଆସିଲା । ଭାରି ସୁନ୍ଦରୀ ଝିଅଟିଏ । ପ୍ରାୟ ମୋର ବୟସର ହେବ; ତେବେ ଝିଅ ବୋଲି ଟିକିଏ ବଡ଼ ଦେଖାଯାଇଥାଏ । ତା’ ମୁହଁରେ, ତା’ ଚାଲିରେ କିନ୍ତୁ ଭରି ରହିଥାଏ ଅମାପ ଗର୍ବ ।

 

‘‘ପିପ୍‌କୁ ଆଣିଛି ।’’ ମଉସା କହିଲେ ।

 

‘‘ଠିକ୍‌ ଅଛି । ଆରେ ଟୋକା ।’’

 

‘‘ମୁଁ... ?’’ ମଉସା ପଚାରିଲେ ।

 

‘‘ନା; ସେ ତ ରହିଲା, ତୁମେ ଯାଅ ।’’ କହି ଝିଅଟି ମତେ ଗୋଟାଏ ଜଳାକବାଟ ବାଟେ କୋଠି ଭିତରକୁ ନେଇଗଲା ।

 

ଦିନବେଳେ ବି କୋଠିଭିତରଟା ଅନ୍ଧାର । ଝିଅଟି ଗୋଟାଏ କୋଣରେ ଜଳୁଥିବା ମହମବତୀଟାଏ ଉଠାଇ ଆଣି ଆଗେ ଆଗେ ଚାଲିଲା । ଏଣେତେଣେ ଭଙ୍ଗାରୁଜା କୋଠରୀଗୁଡ଼ାକ ଦେଖି ମୁଁ ବିସ୍ମିତ ହୋଇଗଲି । ଝିଅଟା ଅହଂକାର କରି କହିଲା, ‘‘ଆରେ ଚାହିଁଛୁ କ’ଣ, ଏ କୋଠିର ନାମ ହେଲା ‘ସନ୍ତୋଷ ଭବନ ।’’

 

‘‘ସନ୍ତୋଷ ଭବନ.... ?’’

 

‘‘ହଁ, ହଁ, ସନ୍ତୋଷ...ମାନେ ଯାକୁ ଯେ ପାଇବ, ତା’ର ଆଉ ଅଭାବ ଅସନ୍ତୋଷ ରହିବ ନାହିଁ ।’’

 

ମହମବତୀ ଆଲୁଅ ଧରି ଏପଟ ସେପଟ କରି କେତେଗୁଡ଼ିଏ ସିଡ଼ି ଉଠିବା ପରେ ଆମେ ଆସି ଗୋଟାଏ ବଡ଼ ଦରଜା ପାଖରେ ପହଞ୍ଚିଲୁ । ଝିଅଟି ସେଇଠି ଅଟକିଯାଇ କହିଲା, ‘‘ଯା, ଭିତରକୁ ଯା ।’’ ସେ ଅନ୍ଧାରୁଆ ଭୂତକୋଠି ଭିତରେ ମତେ ଭାରି ଡର ଲାଗିଲା । କିଛି ସମୟ ପରେ ମନ ଟାଣ କରି ଦରଜାର ଶିକୁଳିଟା ହଲାଇ ଟିକିଏ ଖଡ଼ଖାଡ଼ କଲି ।

 

‘‘ଭିତରୁ କିଏସେ କହିଲା, ଆସ ।’’

 

ଭିତରକୁ ଗଲି । ମସ୍ତବଡ଼ ଘର । ଗୁଡ଼ାଏ ମହମବତୀ ଜଳୁଛି । କିନ୍ତୁ ସୂର୍ଯ୍ୟକିରଣର ଦେଖାଦର୍ଶନ ନାହିଁ । ଗୋଟାଏ କୋଣରେ ଡ୍ରେସିଂ ଟେବୁଲ ପାଖରେ ବସିଥାନ୍ତି ଜଣେ ମହିଳା । ବଡ଼ ବିଚିତ୍ର ଲୋକ । ପିନ୍ଧିଥାନ୍ତି କେବଳ ଧଳା କନାର ପୋଷାକ । ମୁଣ୍ଡରେ ବି ଧଳା ଓଢ଼ଣୀ । ଜୋତା ବି ଧଳା । ମୁଣ୍ଡର ବାଳଗୁଡ଼ାକ ବି ଧଳା । ସେଥିରେ ଫୁଲ ଖଞ୍ଜିଥାନ୍ତି ଧଳା । ତାଳୁଠାରୁ ତଳିପାଯାଏ ସବୁ ଧଳା ।

 

ମୋ ଆଡ଼କୁ ନ ଚାହୁଁଣୁ ସେ ପଚାରିଲେ, ‘‘କିଏସେ ?’’

 

‘‘ମୁଁ ପିପ୍‌...ଖେଳିବାକୁ ଆସିଛି ।’’

 

‘‘ଦେଖି, ପାଖକୁ ଆସ୍‌ ।’’ କହି ସେ ମହମବତୀଟାଏ ଧରି ମୋ ଦେହ ମୁହଁ ଦେଖିବାକୁ ଲାଗିଲେ । ‘‘ଦେଖି, ଦେଖି, ମୁହଁଟା... ଆଉ ଟିକିଏ ପାଖକୁ ଆସ..ହୁଁ...ବେଶ୍‌,’’ କହି ସେ ମହମବତୀଟା ରଖିଦେଇ କହିଲେ, ‘‘ଯେଉଁ ସ୍ତ୍ରୀଲୋକ ତୋ ଜନ୍ମହେବା ଦିନଠାରୁ ଆଜିଯାଏ ସୂର୍ଯ୍ୟକିରଣ ଦେଖିନାହିଁ, ତାକୁ ଦେଖିଲେ ତୁ ଭୟ କରିବୁ ?’’

 

ମୁଁ ଡରି ଡରି କହିଲି...‘‘ଏଁ...ନା ତ !’’

 

ନିଜ ହାତ ଦୁଇଟା ନିଜର ଛାତିଉପରେ ରଖି ସେ ପଚାରିଲେ ‘‘ମୁଁ କେଉଁଠି ହାତ ରଖିଛି କହିଲୁ ?’’

 

‘‘ଆପଣଙ୍କ ଛାତି ଉପରେ ।’’

 

ସେ କହିଉଠିଲେ ‘‘ଫଟା..........ଫଟା ଛାତି ଉପରେ । ମୋର ଛାତି, ମୋ ହୃଦୟ ଫାଟିଯାଇଛି । ...ହଁ, ଦେଖ, ମୁଁ ଚାହେଁ ମୋ ଆଗରେ ଜଣେ କେହି ଖେଳୁ; ଦିନରାତି ସବୁବେଳେ ଖେଳୁ । ତୁ ପାରିବୁ ?’’

 

ମୁଁ ଶଙ୍କିତ ହୋଇ କହିଲି, ‘‘କିନ୍ତୁ ଏଇନେ ? ମତେ ସବୁ ନୂଆ ନୂଆ ଲାଗୁଛି...ଆଗରୁ କେବେ ଏଭଳି ଯାଗା.... ଦେଖିନାହିଁ..’’

 

‘‘ସବୁ ପୁରୁଣା, ସବୁ ଘଷରା........ମୋ ଆଖିରେ ସବୁ ପୁରୁଣା; ହଁ ତତେ ନୂଆ ନୂଆ ଲାଗିବ ଯେ କେହି ଦେଖିଲେ ଦୁଃଖ କରିବ; କରୁ । ବୁଝିଲୁ ? ଆଚ୍ଛା, ଏଷ୍ଟେଲାକୁ ଡାକ । ସେହି ଝରକା ପାଖରେ ଠିଆହୋଇ ‘ଏଷ୍ଟେଲା ବୋଲି ପାଟିକରି ଡାକ ।’’

 

ଜବରଦସ୍ତି ଖେଳିବା ଅପେକ୍ଷା ଗୋଟାଏ ଅଚିହ୍ନା ଝିଅକୁ ନାଆଁଧରି ପାଟିକରି ଡାକିବା ଆହୁରି ଅକଡ଼ିଆ କଥା । ତଥାପି ବାଧ୍ୟହୋଇ ତିନି ଚାରିଥର ଡାକିଲି । ଶେଷକୁ ମତେ କୋଠିଭିତରକୁ ଆଣିଥିବା ଝିଅଟି ଆସି ଠିଆହେଲା । ମିସ୍‌ ହ୍ୟାବିସାମ୍‌ କହିଲେ, ‘‘ଏଷ୍ଟେଲା, ଏ ପୁଅଟି ସହିତ ବସି ଟିକିଏ ଖେଳ, ତାସ ଖେଳ ।’’

 

ଝିଅଟା ମୁହଁ ଫୁଲେଇ କହିଲା; ‘‘ଏ ମଫସଲିଆଟା ସହିତ କି ଖେଳ ଖେଳିବି ! ଏଇନେ ହାରିଯିବ ।’’

 

ମିସ୍‌ ହ୍ୟାବିସାମ୍‌ ଥଟ୍ଟା କରି କହିଲେ, ‘‘ତୁ ହରାଅନା, ଚାହିଁଲେ, ତୁ ବି ତା’ ଛାତି ଫଟେଇଦେ । ...କାହିଁ, ମୁଣ୍ଡ ଦେଖା । ଏ ମଥାମଣିଟା ତୋ ମୁଣ୍ଡରେ ନାଇଦିଏ । ...ବେଶ୍‌...ସୁନ୍ଦର ଦେଖାଯାଉନି, ପିପ୍‌ ?’’

 

ବାସ୍ତବିକ ଖୁବ୍‌ ସୁନ୍ଦର ଦେଖାଯାଉଥାଏ ଏଷ୍ଟେଲା ମୁଣ୍ଡକୁ ।

 

ସେହି ମୁହୂର୍ତ୍ତରେ ତାସ ଖେଳ ଆରମ୍ଭ ହୋଇଗଲା । ମୁଁ କହିଲି, ‘‘ମତେ ମାଗଣା ଛଡ଼ା ଆଉ କିଛି ଖେଳ ଆସେ ନାହିଁ ।’’

 

‘‘ବେଶ୍‌ ବେଶ୍...ଖେଳ...ମାଗ ନେଇ ନେଇ ତାକୁ ମାଗତିଆ କରିଦେ ଲୋ ।’’ କହି ମିସ୍‌ ହ୍ୟାବିସାମ୍‌ ଏଷ୍ଟେଲା ମୁଣ୍ଡରେ ମଥାମଣି ସଜାଡ଼ିବାକୁ ଲାଗିଲେ ।

 

ଝିଅଟା ଗର୍ବରେ ମୁହଁ ଫୁଲାଇ ଏପରି ଖୋଜିଲା ଯେ, ମତେ ଚାରି ପାଞ୍ଚ ବାଜିଯାଏ ହରାଇଦେଲା । ମଝିରେ ମଝିରେ ଘୃଣାରେ ନାକଟେକି କହୁଥାଏ, ‘‘ଛିଆ ଛିଆଲୋ, ଏ ଟୋକାଟାର ହାତଗୁଡ଼ାକ କି ଟାଆଁସା, ଜୋତାଗୁଡ଼ାକ କି ଅସନା !’’

 

ମୋ ମନ ଦୁଃଖ ଓ ରାଗରେ ଭରିଗଲା । କିନ୍ତୁ କିଛି ନ କହି ଚୁପ୍‌ ରହିଲି; ତଥାପି ଖେଳରେ ଟିକିଏ ଭୁଲ୍ ହେଲା ତ ସେ କଡ଼ା କଡ଼ା ଦି ପଦ ଶୁଣାଇଦେଲା ।

 

ମିସ୍‌ ହ୍ୟାବିସାମ୍‌ ଟିକିଏ ମଜା କରି କହିଲେ, ‘‘ମାଗ ନେଇ ନେଇ ସେ ତତେ ବୋଝ ଦେବା ଉପରେ କଲାଣି । ସେ ଏତେ କଥା କହୁଛି; ତୁ କାହିଁକି ଚୁପ୍‌ ହୋଇ ରହିଛୁ କିରେ ? ତୁ ବି ଶୁଣେଇଦେଉନୁ । ତୋ ମନକୁ ତା’ ସୁନ୍ଦର ରୂପଟା ପାଉନି ନା କ’ଣ ? ...ଆସିଲୁ, ମୋ କାନରେ କହିଦେବୁ ।’’ ସେ ମତେ ପାଖକୁ ଡାକି ଏଷ୍ଟେଲା ବିଷୟରେ କାନରେ କହିଦେବା ଲାଗି ଧରିବସିଲେ ।

 

ମୁଁ ତାଙ୍କ କାନପାଖରେ ମୁହଁ ରଖି କହିଲି, ‘‘ ସେ ଖୁବ୍‌ ସୁନ୍ଦରୀ ।’’

 

‘‘ଆଉ ?’’

 

‘‘କିନ୍ତୁ ଖୁବ୍‌ ନିଷ୍ଠୁର ।’’

 

‘‘ଆଉ କ’ଣ ?’’

 

‘‘ମୁଁ ଏଥର ଘରକୁ ଯିବି ।’’

 

‘‘ସେ ଏତେ ସୁନ୍ଦରୀ ବୋଲି କହୁଛୁ, ତାକୁ ଦେଖିବାକୁ କ’ଣ ଆଉ ମନ ହେଉନାହିଁ ?’’

 

ମୁଁ କିଛି କହିପାରିଲି ନାହିଁ ।

 

ସେ କହିଲେ, ‘‘ହଉ, ଯିବୁ ତ, ଏତେ ବ୍ୟସ୍ତ କାହିଁକି ? ଆଗେ ଖେଳଟା ଶେଷ କରିଦିଅ-।’’

 

ମୁଁ ବୋଝ ଖାଇସାରିବା ପରେ ଖେଳ ଶେଷ ହେଲା । ମିସ୍‌ ହ୍ୟାବିସାମ୍‌ କହିଲେ, ‘‘ତାହେଲେ, ଆଉ କେବେ ଆସିବୁ ? ଆଚ୍ଛା ଶୁଣ, ମୁଁ କହିଦେଉଛି, ଠିକ୍‌ ଛଅଦିନ ପରେ ଆସିବୁ । ବୁଝିଲୁ ?’’

 

‘‘ଆଜ୍ଞା ।’’

 

‘‘ଏଷ୍ଟେଲା, ପିପ୍‌କୁ କିଛି ଖାଇବାକୁ ଦେ । ଖାଇସାରିଲେ ସେ ଘରକୁ ଯିବ ।’’

 

ଏଷ୍ଟେଲା ସହିତ ମୁଁ ତଳକୁ ଗଲି । ସେ ମୋ ପାଇଁ କିଛି ରୁଟି ଓ ମାଂସ ଆଣି ଦେଲା । ଖାଇବାକୁ ବାଢ଼ିବାବେଳେ ସେ ଆହୁରି ଅଧିକ ନିଷ୍ଠୁର ବ୍ୟବହାର ଦେଖାଇଲା । ମୁଁ କାନ୍ଦ କାନ୍ଦ ହୋଇଗଲି । କିନ୍ତୁ ଯେତେବେଳେ ଦେଖିଲି ଯେ, ସେ ମତେ କନ୍ଦାଇବା ଲାଗି ଜାଣି ଜାଣି ଏଭଳି ବ୍ୟବହାର ଦେଖାଉଛି, ସେତେବେଳେ ମନକୁ ଟାଣ କରି ଝରିଆସୁଥିବା ଲୁହକୁ ଅଟକାଇଦେଲି । ସେ ବଗିଚାଭିତରେ ବୁଲି ବୁଲି ମୁଁ କାନ୍ଦୁଛି କି ନାହିଁ ଛପି ଛପି ଦେଖୁଥାଏ, ମତେ ଭୟଭୀତ କରାଇବାଲାଗି ନାନା ଉପାୟ ବି କରୁଥାଏ । ରୁଟି ମାଂସ ଖାଇ ଟିକିଏ ଆଶ୍ୱସ୍ତ ହେବାପରେ ମୁଁ ବଗିଚାଆଡ଼କୁ ଗଲି । ଏଷ୍ଟେଲା ଆସି ପଚାରିଲା, ‘‘ତୁ କାନ୍ଦୁନୁ କାହିଁକି ?’’

 

‘‘ମୁଁ କାହିଁକି ଚାହେଁନା !’’ ଦୃଢ଼ ଭାବରେ କହିଲି !

 

‘‘ଇସ୍‌–ଚାହେଁନା...ଆଖିରେ ଲୁହ ଜକେଇ ଆସିଥିଲାନା !’’ କହି ସେ ମୋତେ ଫାଟକ ବାହାରେ ନେଇ ଛାଡ଼ିଦେଇ ଆସିଲା । ମନଦୁଃଖରେ ଘରକୁ ଫେରିଲି । ନିଜର ଦୈନ୍ୟ ଅବସ୍ଥାକୁ ଚାହିଁ ମୁଁ ଲଜ୍ଜିତ ବି ହେଲି ।

 

ଛଅଦିନ ପରେ ପୁଣି ମିସ୍‌ ହ୍ୟାବିସାମ୍‌ଙ୍କ କୋଠିକୁ ଗଲି । କୋଠିରେ ସେଦିନ ବହୁ ବନ୍ଧୁବାନ୍ଧବଙ୍କର ସମାରୋହ । ଏଷ୍ଟେଲା ଆସି ମତେ ଉପରକୁ ନେଇଯିବା ବେଳେ ବାଟରେ ପଚାରିଲା, ‘‘ମୁଁ ସୁନ୍ଦର ଦେଖାଯାଉନାହିଁ ?’’

 

କହିଲି, ‘‘ଖୁବ୍‌ ସୁନ୍ଦର ଦେଖାଯାଉଛ ।’’

 

‘‘ମୁଁ କ’ଣ ନିଷ୍ଠୁର ?’’

 

‘‘ନା, ଗତଥର ପରି ନୁହେଁ ।’’

 

ମୋ ଗାଲରେ ଚଟକଣିଟାଏ ବସାଇଦେଇ ସେ କହିଲା, ‘‘ମଫସଲିଆ ଟୋକା, ମତେ ତୁ କ’ଣ କରି ପାଇଛୁ କି ?’’

 

‘‘ମୁଁ କହିବି ନାହିଁ ।’’

 

‘‘ଉପର ତାଲାରେ ଯାଇ କହିଦେବୁ, ନା ?’’

 

‘‘ନା, ତା’ ବି ନୁହେଁ ।’’

 

ଉପର ତାଲାକୁ ଗଲାବେଳେ ବୈଠକଖାନାରେ ମତେ ଦେଖି ଜଣେ ଲୋକ ଟିକିଏ ବିସ୍ମିତ ହେଲା । ମତେ ମିସ୍‌ ହ୍ୟାବିସାମ୍‌ଙ୍କ ଡ୍ରେସିଂ ରୁମ୍‌ ଦୁଆରମୁହଁରେ ଛାଡ଼ିଦେଇ ଏଷ୍ଟେଲା ଚାଲିଗଲା । ମୁଁ ଭିତରକୁ ଯିବାମାତ୍ରେ ମିସ୍‌ ହ୍ୟାବିସାମ୍‌ କହିଲେ, ‘‘ବେଶ୍‌, ତୁ ତା’ହେଲେ ଠିକ୍‌ ସମୟରେ ଚାଲିଆସିଲୁ । କ’ଣ ଆଜି ଖେଳିବାକୁ ରାଜି ତ ?’’

 

କହିଲି, ‘‘ଆଜ୍ଞା..କିନ୍ତୁ ଖେଳିବା..ମାନେ..ଯଦି ଚାହାନ୍ତି... ।’’

 

‘‘ଆଜ୍ଞା ହଁ; ପାରିବି ।’’

 

‘‘ତାହେଲେ, ସେ ଆର ବଖରାରେ ଯାଇ ଅପେକ୍ଷା କର; ମୁଁ ଆସୁଛି ।’’

 

ଅନ୍ୟ ବଖରାକୁ ଯାଇ ଦେଖେ ତ ସେ ଭିତରକୁ ବି ସୂର୍ଯ୍ୟକିରଣ ଆସୁନାହିଁ । ବଖରା ତମାମ ଧୂଳିରେ ଘୋଡ଼େଇ ହୋଇ ରହିଥାଏ; କେତେଦିନରୁ ସେ ଘରେ ଝାଡ଼ୁ ବାଜିନି କେଜାଣି ! ଘରମଝିରେ ପଡ଼ିଥାଏ ଗୋଟାଏ ଲମ୍ୱା ଟେବୁଲ । ଟେବୁଲର ସାଜସଜ୍ଜାରୁ ମନେହେଲା, ଦିନେ ବହୁତ ଲୋକ ଏକାଠି ବସି ଖାଇବାଲାଗି ତାହା ଯେପରି ସଜା ଯାଇଥିଲା । ବ୍ୟବସ୍ଥା ଦେଖି ମୁଁ ଆଚମ୍ୱିତ ହୋଇଗଲି ।

 

ଖଣ୍ଡିଏ ବାଡ଼ିରେ ଭରାଦେଇ ମିସ୍‌ ହ୍ୟାବିସାମ୍‌ ସେଠାକୁ ଚାଲିଆସିଲେ ଏବଂ ମୋ କାନ୍ଧରେ ହାତ ପକାଇ କହିଲେ, ‘‘ସେ ଯେଉଁ ଟେବୁଲଟା ଦେଖୁଛୁ, ମୁଁ ମଲାବେଳେ ସେଇ ଟେବୁଲରେ ଶୋଇ ମରିବି ।’’

 

ମୁଁ ଆହୁରି ବିସ୍ମିତ ହେଲି । ବଖରାର ଗୋଟାଏ ସ୍ଥାନକୁ ବାଡ଼ି ଦେଖାଇ ସେ ପଚାରିଲେ-? ‘‘ସେଇଠି କ’ଣ ରଖାଯାଇଛି କହିଲୁ ? ...ସେଇ, ଯେଉଁଠି ବୁଢ଼ିଆଣୀ ଜାଲ ବାନ୍ଧିଛି...’’

 

‘‘ନା, ଆଜ୍ଞା, ମୁଁ ଚିହ୍ନିପାରୁ ନାହିଁ ।’’

 

‘‘ନାହିଁ ? ....ସେଇଟା ହେଲା ଗୋଟାଏ ମସ୍ତବଡ଼ କେକ୍‌ । ମୋ ବାହାଘର କେକ୍‌ !!’’ କହି ସେ ବଖରାର ଚାରିଆଡ଼େ ଆଖି ବୁଲାଇ ଆଣିଲେ । ମୋ କାନ୍ଧ ଉପରେ ଭରାଦେଇ କହିଲେ, ‘‘ମୋତେ ବଖରା ଭିତରେ ଟିକିଏ ବୁଲେଇଲୁ ।’’

 

ଜାଣିଲି ଏହା ହିଁ ମୋର କାମ । ସେ ମୋ କାନ୍ଧରେ ଭରାଦେଇ ବଖରା ଭିତରେ କିଛି ସମୟ ବୁଲିବା ପରେ କହିଲେ, ‘‘ଏଷ୍ଟେଲାକୁ ଡାକ ।’’

 

ଏଷ୍ଟେଲା ବୈଠକଘରେ ବସିଥିବା ଲୋକଙ୍କୁ ନେଇଆସିଲା । ମିସ୍‌ ହ୍ୟାବିସାମ୍‌ ସେମାନଙ୍କ ସହିତ ପଦେଅଧେ କଥାଭାଷା ହୋଇ ସେମାନଙ୍କୁ ତଳକୁ ବିଦାୟ ଦେଇ କହିଲେ, ‘‘ବୁଝିଲୁ ପିପ୍‌, ଆଜି ମୋର ଜନ୍ମଦିନ । ଆଜିର ଦିନରେ ମୋର ହୃଦୟ ଫଟାଇ ଦିଆଗଲା । ଏହିଭଳି ଗୋଟାଏ ଦିନରେ ଶେଷ ଅଭିଶାପ ଦେଇ ମରିଯାଆନ୍ତିକି...ଏଇଠି, ଏଇ ଟେବୁଲ ଉପରେ.... ! –ଛାଡ଼; ଆରେ, ତୁମେ ଦୁଇଟା ଏତେବେଳଯାଏ ଖେଳିବାକୁ ଆରମ୍ଭ କରିନାହଁ ? ..ଖେଳ, ଖେଳ, ଦୁଇଜଣ ବସି ତାସ ଖେଳ । ମୁଁ ଟିକିଏ ଖେଳ ଦେଖେ ।’’

 

ପୂର୍ବଦିନ ପରି ମାଗଣା ଖେଳ ଚାଲିଲା । ମିସ୍‌ ହ୍ୟାବିସାମ୍‌ ଏଷ୍ଟେଲା ଦେହରେ ମଣିମୁକ୍ତାର ଅଳଙ୍କାର ପିନ୍ଧାଇଦେଇ ସେ କିପରି ସୁନ୍ଦର ଦେଖାଯାଉଛି ବୋଲି ପଚାରି ପଚାରି ମୋ ମନରେ ତା’ ପ୍ରତି ଗୋଟାଏ ଆକର୍ଷଣ ଆଣିଦେଲେ । ପ୍ରକୃତରେ ଖୁବ୍‌ ସୁନ୍ଦରୀ ଦେଖାଯାଉଥାଏ ସେ । କିନ୍ତୁ ଗର୍ବୀଟା; ମତେ ପଦେହେଲେ କଅଁଳ କରି କଥା କହିଲା ନାହିଁ । ମୁଁ ବୋଝ ଖାଇବା ପରେ ଖେଳ ଶେଷ ହେଲା । ମୁଁ ପୁଣି କେଉଁଦିନ କୋଠିକୁ ଆସିବି ତାହା ସ୍ଥିର କରାଗଲା । ତାପରେ ତଳଘରେ ମତେ ଜଳଖିଆ ଖୁଆଇଦେଇ ଏଷ୍ଟେଲା କହିଲା, ‘‘ଟିକିଏ ଚାହିଁଥା, ମୁଁ ଆସୁଛି-।’’

 

ମୁଁ ସେ ପାଖ ବଗିଚାରେ ବୁଲୁଛି, ଦେଖିଲି ଆଉ ଗୋଟାଏ ବଖରାରୁ ମୋ ଭଳିଆ ଗୋଟିଏ ପିଲା ମତେ ଚାହିଁଛି । ଦୁଇଜଣଙ୍କ ଆଖି ମିଶିଯିବା ମାତ୍ରେ ସେ ପିଲାଟା ମୋ ପାଖକୁ ଦୌଡ଼ିଆସି ପଚାରିଲା, ‘‘ଏ ପିଲା, ତତେ ଏଠିକି କିଏସେ ଆଣିଲା ?’’

 

‘‘ମିସ୍‌ ଏଷ୍ଟେଲା ।’’

 

‘‘ଏଠି ବୁଲିବାକୁ କିଏସେ କହିଲା ?’’

 

‘‘ମିସ୍ ଏଷ୍ଟେଲା ।’’

 

‘‘ଏମିତି କଥା ? .....ବେଶ୍, ଆସ ତାହେଲେ ମୋ ସାଙ୍ଗର ଲଢ଼େଇ କରିବୁ ।’’

 

ବିଚିତ୍ର କଥା !! ଚିହ୍ନା ନାହିଁ, ପରିଚୟ ନାହିଁ; ହଠାତ୍‌ ଲଢ଼େଇ !!!

 

‘‘ଠିକ୍‌ ଅଛି; ଆସ ଲଢ଼ିବା,’’ କହି.... ଦେଲି ଗୋଟାଏ ମୁଥ ଯେ, ବାବୁ ଚିତ୍‌ପଟାଙ୍ଗ । ନାକ ଫାଟି ରକ୍ତ ବାହାରିପଡ଼ିଲା । ତଥାପି ବାବୁଙ୍କ ପ୍ରତାପ କମି ନ ଥାଏ । ଠିଆ ହୋଇପଡ଼ି ପୁଣି ମୋ ଉପରକୁ ମାଡ଼ିଆସିଲେ, ଦେଖି ଆଉ ଗୋଟାଏ ମୁଥ ମାରିଲି ଯେ ଅଳ୍ପକେ ଆଖିଟା ନ ଫୁଟୁଣୁ ରହିଗଲା । ବାବୁ ତଳେ ପଡ଼ି ଗାଁ ଗାଁ ହେଲେ ।

 

ଲଢ଼େଇ ଶେଷରେ ପଛକୁ ଫେରି ଚାହିଁ ଦେଖେ ତ ଏଷ୍ଟେଲା ବିମୁଗ୍‌ଧ ହୋଇ ମୋତେ ଏକ ଧ୍ୟାନରେ ଚାହିଁଛି । ଫେରିବାବେଳେ ଏଷ୍ଟେଲାକୁ ମିଠାକଥା ବି ଶୁଣିବାକୁ ମିଳିଲା । ସେଦିନଠାରୁ ମିସ୍‌ ହ୍ୟାବିସାମ୍‌ଙ୍କର ବିରାଟ ଅନ୍ଧାର ଘର ଭିତରେ ଏଷ୍ଟେଲା ମୋ ଆଗରେ ଦେଖାଗଲା ଏକ ଉଜ୍ଜ୍ୱଳ ଦୀପ ଭଳି ।

☆☆☆

 

ଅଦିନ ମେଘ

 

ଧୀରେ ଧୀରେ ମିସ୍‌ ହ୍ୟାବିସାମ୍‍ଙ୍କ ସହିତ ମୋର ପରିଚୟ ଘନିଷ୍ଠତର ହେବାକୁ ଲାଗିଲା । ସେ ବିଚିତ୍ର ଜମିଦାର କୋଠିର ହାବଭାବ ମତେ ଆଉ ଅଡ଼ୁଆ ଅଡ଼ୁଆ ଲାଗିଲା ନାହିଁ । ମିସ୍‌ ହ୍ୟାବିସାମ୍‌ ମତେ ଅନେକ କଥା ପଚାରନ୍ତି । ମୁଁ କେତେଦୂର ଯାଏଁ ପଢ଼ିଛି; କି କି କାମ ଜାଣେ; ବଡ଼ ହେଲେ କ’ଣ କରିବି–ଏମିତି ବିଭିନ୍ନ କଥା । ମୁଁ ବି ଅକପଟ ଭାବରେ ସବୁ କଥାର ଉତ୍ତର ଦିଏ–ମୁଁ ଲେଖାପଢ଼ା ଜାଣେନି । ବଡ଼ ହେଲେ ମୁଁ ଜୋ ଭିଣୋଇଙ୍କ ଶାଳରେ କମାରକାମ ଶିଖିବି । ଏସବୁ କହିବାବେଳେ ମୁଁ ଅନେକଥର ଆଶା କରିଥାଏ ଯେ ମିସ୍‌ ହ୍ୟାବିସାମ୍‌ ବୋଧହୁଏ ମତେ କିଛି ଟଙ୍କାପଇସା ଦେବେ, କିଛି ସାହାଯ୍ୟ କରିବେ । କିନ୍ତୁ ନା–ସେ କୌଣସି ଦିନ ମୋ ହାତରେ ପଇସାଟାଏ ବି ଦେଇନାହାନ୍ତି–ଦେବାର କୌଣସି ଆଶା ବି ଦେଇନାହାନ୍ତି । କେବଳ ଦେଇଛନ୍ତି ଖାଇବାକୁ ଏବଂ ଏଷ୍ଟେଲାର ସୌନ୍ଦର୍ଯ୍ୟ ଦେଖି ବିମୁଗ୍‌ଧ ହେବାକୁ ।

 

ଦିନେ ମୋ କାନ୍ଧରେ ଭରାଦେଇ ସେ ଘରଭିତରେ ବୁଲୁଛନ୍ତି, ହଠାତ୍‌ କହିଲେ, ‘‘ନା ପିପ୍‌, ତୁ ଏଥର ବଡ଼ ହୋଇଗଲୁଣି । ଆସନ୍ତା ଥର ଆସିବାବେଳେ ତୋ ଭିଣୋଇ ଜୋ ଗାର୍ଗେରୀଙ୍କୁ ସାଙ୍ଗରେ ନେଇ ଆସିବୁ ତ ।’’

 

ଭିଣୋଇଙ୍କୁ ନେଇ ସାକ୍ଷାତ୍‌ କରାଇଦେଲି । ମିସ୍‌ ହ୍ୟାବିସାମ୍‌ ତାଙ୍କ ସହିତ ମୋର ଭବିଷ୍ୟତ ବିଷୟରେ କଥାଭାଷା କରିସାରିବା ପରେ କହିଲେ, ‘‘ଦେଖ ଗାର୍ଗେରୀ, ଏ ଥଳିଟିରେ ପଚିଶ ପାଉଣ୍ଡ ଅଛି । ପିପ୍‌ ଭଲ ପିଲାଟିଏ, ସେ ଏଠାରେ ଭଲ କାମ କରିଛି । ତା’ର ପାରିଶ୍ରମିକ ସ୍ୱରୂପ ଏ ଟଙ୍କାଟା ଦେଲି ।’’

 

ଭିଣୋଇ ଟଙ୍କା ଦରକାର କରୁନଥିଲେ । ତଥାପି ବହୁତ ଧନ୍ୟବାଦ ଦେଇ ଟଙ୍କା ଗ୍ରହଣ କଲେ । କୋଠିରୁ ବିଦାୟ ନେଇ ଆସିବାବେଳେ ମୁଁ ପଚାରିଲି, ‘‘ମା’, ମୁଁ ଆଉ କେବେ ଆସିବି ?’’

 

ସେ କହିଲେ, ‘‘ତୋର ଆଉ ଆସିବା ଦରକାର ନାହିଁ । ଏଥର ଭିଣୋଇଙ୍କ ଶାଳରେ କାମ ଶିଖ ।’’

 

ପରେ ପରେ କମାରଶାଳରେ କାମ ଶିଖା ଆରମ୍ଭ ହୋଇଗଲା । ମନେ ପଡ଼ିଯାଉଛି । ସେତେବେଳେ ମୋ ସହିତ ଆର୍ଲିକ ବୋଲି ଜଣେ ଲୋକ ବି କାମ ଶିଖୁଥାଏ । ଜୁଆନ ଚେହେରା ପଚିଶ କି ଛବିଶ ବର୍ଷର ଲୋକଟା; କିନ୍ତୁ ସେ ସବୁବେଳେ ନିଜକୁ ‘ବୁଢ଼ା ଆର୍ଲିକ’ ବୋଲି କହେ । କମାରକାମ ଶିଖିବା ସଙ୍ଗେ ସଙ୍ଗେ କିଛି ଲେଖାପଢ଼ା ମଧ୍ୟ ଶିଖିବାକୁ ଆରମ୍ଭ କଲି । ଦିନେ ଭିଣୋଇଙ୍କ ଠାରୁ ଛୁଟି ନେଇ ମିସ୍‌ ହ୍ୟାବିସାମ୍‌ଙ୍କ କୋଠିକୁ ଯାଇଥାଏ । ମତେ ଦେଖି ମିସ୍‌ ହ୍ୟାବିସାମ୍‌ ପଚାରିଲେ, ‘‘କିଏ, ପିପ୍‌ କିରେ ? ଆଜି କିପରି ଆମ କୋଠିକୁ ଚାଲିଆସିଲୁ ? କ’ଣ କିଛି ଉଦ୍ଦେଶ୍ୟ ଅଛି କି ? ଆଉ କିଛି ଟଙ୍କାପଇସା ଚାହୁଁଛୁ ?’’

 

‘‘ନାହିଁ ମା’, ଆଉ କିଛି ଚାହୁଁନି । କେବଳ ଆପଣ କିପରି ଅଛନ୍ତି ତାହା ଦେଖିବା ଲାଗି ଚାଲିଆସିଲି । ଶୁଣି ଖୁସି ହେବେ ଯେ ମୁଁ ଭଲ କାମଦାମ କରୁଛି; ପଢ଼ାପଢ଼ି ବି କରୁଛି । କେବଳ ଆପଣଙ୍କ ଦୟାରୁ ଏତିକି ହୋଇପାରିଲା । ...କାହିଁ, ଏଷ୍ଟେଲାକୁ ତ ଦେଖୁନାହିଁ ?’’

 

‘‘ଓଃ, ଏଷ୍ଟେଲାକୁ ଦେଖିବାକୁ ମନକରିଛୁ ନା ?’’ ଆରେ ସେ ତ ଆଉ ଏଠି ନାହିଁ; ଆଜିକାଲି ସେ ବିଦେଶ ଯାଇଛି; ସେଠାରେ ପାଠ ପଢ଼ୁଛି । ଆଗଠାରୁ ସେ ଆହୁରି ସୁନ୍ଦରୀ ହୋଇଗଲେଣି; ଯେ ଦେଖୁଛି ସେ ପ୍ରଶଂସା କରୁଛି । ....କ’ଣ, ତାକୁ ଦେଖିବାକୁ ପାଉନୁ ବୋଲି ଦୁଃଖ କରୁଛୁ କି ?’’

 

ମୋ ପାଟିରୁ କଥା ବାହାରିଲା ନାହିଁ ।

 

ସେ କହିଲେ, ‘‘ହଉ; ତୁ ଏଥର ଯା, ମଝିମଝିରେ ଆସୁଥିବୁ । ବିଶେଷତଃ ତୋ ଜନ୍ମଦିନରେ..ବୁଝିଲୁ ।’’

 

ମୁଣ୍ଡ ପୋତି ସେଠାରୁ ଚାଲିଆସିଲେ । ସେଦିନ ଘରକୁ ଫେରି ଦେଖେ ତ କେହି ଦୁର୍ବୃତ୍ତ ମୋ ଅପାଙ୍କ ମୁଣ୍ଡ ଫଟାଇଦେଇଛି । ସେହିଦିନଠାରୁ ଅପା ଶଯ୍ୟାଶାୟୀ ହୋଇପଡ଼ିଲେ । ତାଙ୍କ ଦେଖାଶୁଣା ଓ ଆମର ଖିଆପିଆାରେ ସାହାଯ୍ୟ କରିବା ଲାଗି ମିଷ୍ଟର ଓପ୍‌ଲଙ୍କ ଝିଆରୀ ବିଡ଼ି ଆସି ଆମ ଘରେ ରହିଲା ।

 

ବିଡ଼ି ଖୁବ୍‌ ଭଲ ଲୋକ । ପିଲାଦିନୁ ତା’ର ମୋର ଭଲ ପଡ଼େ; ପ୍ରଥମେ ସେହି ମୋତେ ଲେଖାପଢ଼ା ଶିଖାଇଥିଲା । ବର୍ତ୍ତମାନ ସେ ସବୁପ୍ରକାର ସାହାଯ୍ୟ କରି ଜୋଙ୍କ ପରିବାରରେ ଗୋଟାଏ ନୂତନ ପରିବେଶ ସୃଷ୍ଟି କଲା ।

 

ଦେଖୁ ଦେଖୁ କଟିଗଲା ତିନୋଟି ବର୍ଷ ।

 

ସେଦିନ ଶନିବାର । ରାତିବେଳଟା । ଗାଁର ସରେଇଖାନାରେ ବସି ଆମେ କେତେଜଣ ନିଆଁ ପୋଉଁଛୁ; ମିଷ୍ଟର ଓପଲ ଖବରକାଗଜ ପଢ଼ି ଶୁଣାଉଛନ୍ତି, ଏତିକିବେଳେ ଜଣେ ଅପରିଚିତ ଭଦ୍ରବ୍ୟକ୍ତି ସେଠାକୁ ଆସିଲେ । ମୋ ଆଗ ଚଉକିରେ ହାତ ରଖି ସେ ପଚାରିଲେ, ‘‘ଆଚ୍ଛା, ଆପଣମାନଙ୍କ ଭିତରେ ଜୋ ଗାର୍ଗେରୀ କିଏ ସେ ?’’

 

ଭିଣୋଇ କହିଲେ, ‘‘ମୁଁ ଆଜ୍ଞା, ମୋରି ନାମ ଜୋ ।’’

 

ଭଦ୍ରଲୋକ ପଚାରିଲେ, ‘‘ଆପଣଙ୍କ, କମାରଶାଳରେ ଗୋଟିଏ ପିଲା କାମଦାମ ଶିଖୁଛି, ତା’ର ନାମ ପିପ୍‌ । ସେ କେଉଁଠି ଅଛି ଟିକିଏ ଦେଖାଇଦେବେ କି ?’’

 

ମୁଁ ଠିଆ ହୋଇପଡ଼ି କହିଲି, ‘‘ହେଇଟି ଆଜ୍ଞା, ମୁଁ ପିପ୍‌ ।’’

 

ସେ ମୋତେ ଚିହ୍ନିପାରିଲେ ନାହିଁ; କିନ୍ତୁ ମୁଁ ତାଙ୍କୁ ଚିହ୍ନିପାରିଲି । ମିସ୍‌ ହ୍ୟାବିସାମ୍‌ଙ୍କ କୋଠିରେ ବୈଠକଖାନା ପାଖରେ ମୁଁ ତାଙ୍କୁ ଦେଖିଥିଲି; ମୋ ବିଷୟରେ ସେ ଏଷ୍ଟେଲାକୁ ଥରେ ପଚାରୁଥିଲେ ।

 

ସେ କହିଲେ, ‘‘ଦେଖନ୍ତୁ, ଆପଣ ଦୁଇଜଣଙ୍କ ସହିତ ମୋର ଗୋଟାଏ ଦରକାରୀ କଥା ଅଛି । ଟିକିଏ ସମୟ ଦେବେ । ଆପଣଙ୍କ ଘରକୁ ଚାଲନ୍ତୁ । ସେଠାରେ ବସି ମୁଁ ସବୁ କଥା କହିବି-।’’

 

ଘରକୁ ଫେରି ତିନିଜଣ ଗୋଟାଏ ଟେବୁଲ ପାଖରେ ବସି କଥାଭାଷା ଆରମ୍ଭ କଲୁ । ନିଜ ନୋଟବହିରୁ କ’ଣ ସବୁ ପଢ଼ୁ ପଢ଼ୁ ଭଦ୍ରଲୋକ କହିଲେ, ‘‘ମୁଁ ଲଣ୍ଡନରେ ଜଣେ ଓକିଲ । ମୋ ନାଁ ଜ୍ୟାଗର୍ସ । ଗୋଟାଏ ଅଦ୍‌ଭୁତ କାମ ନେଇ ମୁଁ ଆପଣଙ୍କ ପାଖକୁ ଆସିଛି । ମୋର ନିଜ କାମ ନୁହେଁ । ଅନ୍ୟର କାମ; ତାଙ୍କ ପକ୍ଷରୁ ମୁଁ କରିବି । ମୁଁ ଯାହାଙ୍କ କଥା କହୁଛି, ସେ ପିପ୍‌କୁ ଆପଣଙ୍କ ପାଖରୁ ନେଇ ଅନ୍ୟ ପ୍ରକାରରେ ବଡ଼ କରିବାକୁ ଚାହୁଁଛନ୍ତି । ପିଲାଟାର ମଙ୍ଗଳ ସକାଶେ ଆପଣ ତାକୁ ଛାଡ଼ିବେ କି ? ଏଥିପାଇଁ ଆପଣ କିଛି ଟଙ୍କାପଇସା ଚାହୁଁଛନ୍ତି ଯଦି କହନ୍ତୁ ।’’

 

ଜୋ କହିଲେ, ‘‘ଯଦି ପିପ୍‌ର ମଙ୍ଗଳ ପାଇଁ ସେ ତାକୁ ଚାହାଁନ୍ତି, ତେବେ ମୁଁ ପଇସାଟାଏ ବି ନେବି ନାହିଁ ।’’

 

ମିଷ୍ଟର ଜ୍ୟାଗର୍ସ କହିଲେ, ‘‘ବେଶ୍‌ କଥା । ମୁଁ ଏଥର ଅସଲ କଥାଟା କହେ । ପିପ୍‌ ଅନେକ ଟଙ୍କା ପାଇବ ।’’

 

ଭିଣୋଇ ଓ ମୁଁ ବିସ୍ମୟରେ ପରସ୍ପରକୁ ଚାହିଁବାକୁ ଲାଗିଲୁ ।

 

ମିଃ ଜ୍ୟାଗର୍ସ କହିଚାଲିଲେ, ‘‘ପିପ୍‌ ଅତି ଶୀଘ୍ର ବିରାଟ ସମ୍ପତ୍ତିର ମାଲିକ ହେବ । କିନ୍ତୁ ସେ ସମ୍ପତ୍ତିର ମାଲିକ ଚାହୁଁଛନ୍ତି ଯେ ପିପ୍‌କୁ ଅତି ଶୀଘ୍ର ଏ କମାରଶାଳକୁ ନେଇଯିବେ, ତାକୁ ସୁଶିକ୍ଷିତ ଭଦ୍ରଲୋକ କରି ଗଢ଼ିବେ ।’’

 

କଥାଗୁଡ଼ାକ ଶୁଣୁ ଶୁଣୁ ମୁଁ ଭାବିଲି, ‘‘ମୋର ସ୍ୱପ୍ନ ତା’ହେଲେ ସଫଳ ହେଲା । ମିସ୍‌ ହ୍ୟାବିସାମ ହିଁ ମୋ ପାଇଁ ଏସବୁ କରିବେ; ସେ ହିଁ ଚାହୁଁଛନ୍ତି ଯେ ମୁଁ ସୁଖୀ ହୁଏ, ସମ୍ପଦଶାଳୀ ହୁଏ-।’’

 

ମିଷ୍ଟର ଜ୍ୟାଗର୍ସ ମୋତେ କହିଲେ, ‘‘ଦେଖ ମିଷ୍ଟର ପିପ୍‌, ତୁମକୁ ଗୋଟାଏ କଥା ମନେରଖିବାକୁ ପଡ଼ିବ; ଯେଉଁ ମହାଶୟ ତୁମପାଇଁ ଏତେସବୁ କରିବାକୁ ଚାହୁଁଛନ୍ତି, ସେ ନିଜେ ଇଚ୍ଛା ନ କରିବା ପର୍ଯ୍ୟନ୍ତ ତାଙ୍କ ନାମଟା ସମସ୍ତଙ୍କ ପାଖରେ ଗୋପନ ରଖାଯିବ, ସୁତରାଂ ତାଙ୍କ ନାମ ଜାଣିବା ଲାଗି ତୁମେ ଯେପରି କୌଣସି ପ୍ରକାର ଚେଷ୍ଟା ନ କର । ଏଥିରେ ଯଦି ତୁମର ଆପତ୍ତି ଅଛି, ତେବେ ବର୍ତ୍ତମାନ ତାହା ସ୍ପଷ୍ଟଭାବରେ କହିଦିଅ ।’’

 

କହିଲି, ‘‘ଏପରି ସ୍ଥଳରେ ମୁଁ କୌଣସି ଅସୁବିଧା ସୃଷ୍ଟି କରିବାକୁ ଚାହେଁନା ।’’

 

‘‘ନ କରିବା ଉଚିତ । କିନ୍ତୁ ପ୍ରକୃତ ଭଦ୍ରଲୋକ ହେବାକୁ ହେଲେ ତୁମକୁ ବହୁତ କିଛି ପଢ଼ାପଢ଼ି କରିବାକୁ ପଡ଼ିବ ।’’

 

‘‘ମୁଁ ତ ସେଇଆ ଚାହେଁ ।’’

 

‘ଆନନ୍ଦର ବିଷୟ । ମୁଁ ଜଣେ ଆଦର୍ଶ ଶିକ୍ଷକଙ୍କୁ ଜାଣେ । ତାଙ୍କ ନାମ ହେଲା ମିଷ୍ଟର ମ୍ୟାଥୁ ପକେଟ୍‌ । ଭାବୁଛି ତାଙ୍କରି ଦ୍ୱାରା ତୁମର ବହୁତ ଉପକାର ହେବ ।’’

 

ମନେପଡ଼ିଲା ମିସ୍‌ ହ୍ୟାବିସାମ୍‌ ଥରେ ମ୍ୟାଥୁ ପକେଟଙ୍କ କଥା କହୁଥିଲେ । ମୁଁ ଖୁସିରେ କହିଲି, ‘‘ଠିକ୍‌ ଅଛି ଆଜ୍ଞା, ମୁଁ ତାଙ୍କରି ପାଖରେ ପଢ଼ିବି ।’’

 

‘‘ତୁମେ ତାଙ୍କ ଘରକୁ ଯାଇ ପଢ଼ିବ, ମୁଁ ତାଙ୍କୁ ଏବେଠୁଁ କହିରଖେ । ତାଙ୍କ ସହିତ ସାକ୍ଷାତ କରିବା ପୂର୍ବରୁ ପ୍ରଥମେ ଲଣ୍ଡନରେ ତାଙ୍କ ପୁଅଙ୍କ ସହିତ ଆଳାପ ପରିଚୟଟା ହୋଇଯାଉ-। ମୁଁ ତାଙ୍କ ସହିତ ଦେଖା କରାଇବାର ବ୍ୟବସ୍ଥା କରିଦେବି । ତାହାହେଲେ, ତୁମେ କେଉଁଦିନ ଲଣ୍ଡନ ଆସିବ ?’’

 

ଭିଣୋଇଙ୍କ ମୁହଁକୁ ଚାହିଁଲି । କହିଲି, ‘‘ମୁଁ ? ଚାହିଁଲେ, ଆଜି ବି ଯାଇପାରେ ।’’

 

‘‘ନା, ନା, ଯିବା ଆଗରୁ ତୁମକୁ ପୋଷାକ ପରିଚ୍ଛଦ କିଣିବାକୁ ପଡ଼ିବ । ବେଶଭୂଷା ବଦଳାଇବାକୁ ପଡ଼ିବ । ଯେଉଁଭଳି ଲୋକଙ୍କ ସହିତ ଚଳିବ, ସେଭଳି ବେଶଭୂଷା ହେବା ଦରକାର ତ । ଧରାଯାଉ, ଏସବୁ ପ୍ରାରମ୍ଭିକ ପ୍ରସ୍ତୁତି ଲାଗି ତୁମକୁ ଗୋଟାଏ ସପ୍ତାହ ଲାଗିଯିବ । ସପ୍ତାହକ ପରେ ଆସିବ । ଆରେ, ହଁ ତ, ଏସବୁ ଖର୍ଚ୍ଚ ପାଇଁ ତୁମର ଟଙ୍କା ଦରକାର ପଡ଼ିବ । ହେଇଟି ନିଅ, କୋଡ଼ିଏ ପାଉଣ୍ଡ ରଖ ।’’

 

ମୋ ହାତକୁ ଟଙ୍କାଟା ବଢ଼ାଇଦେଇ ମିଷ୍ଟର ଜ୍ୟାଗର୍ସ ହସି ହସି କହିଲେ, ‘‘ମିଷ୍ଟର ଜୋ, ଆପଣ ଏପରି ବିସ୍ମିତ ହୋଇ ଚାହିଁଛନ୍ତି ଯେ ।’’

 

ଜୋ କହିଲେ, ‘‘ସତରେ ମୁଁ ବିସ୍ମିତ ହୋଇଯାଉଛି ।’’

 

‘‘ମିଷ୍ଟର ଜ୍ୟାଗର୍ସ କହିଲେ, ଆପଣ ତ କିଛି ଚାହୁଁନାହାନ୍ତି । ଆପଣଙ୍କ କ୍ଷତିପୂରଣ ବାବଦରେ ମୁଁ ଯଦି କିଛି ଦିଏ, ତେବେ...’’

 

ଭିଣୋଇ ମୋ କାନ୍ଧରେ ହାତ ରଖିଲେ । ମାଆର ସ୍ପର୍ଶ ସେ ହାତରେ । ଅତି ଆଦରରେ ସେ କହିଲେ, ‘‘ପିପ୍‌ ସମ୍ମାନ ଓ ସମ୍ପଦର ଅଧିକାରୀ ହେବାକୁ ଯାଉଛି, ଏହା ମୋର ପରମ ଆନନ୍ଦର କଥା । ସେ ଯେତେବେଳେ ଏ କମାରଶାଳକୁ ଆସିଥିଲା, ସେତେବେଳକୁ ଏଡ଼ିକି ଟିକିଏ ଛୁଆ । ଏଡ଼ିକିଟିଏରୁ ଏଡ଼ୁଟିଏ କଲି ମୁଁ । ମୁଁ ଥିଲି ତା’ର ଏକମାତ୍ର ବନ୍ଧୁ । ଏତେବଡ଼ ସମ୍ପର୍କଟାକୁ ଯଦି ଟଙ୍କାପଇସାରେ ହିସାବ କରାଯାଏ, ତେବେ...’’

 

କହୁ କହୁ ଭିଣୋଇଙ୍କର କଣ୍ଠ ରୁଦ୍ଧ ହୋଇଆସିଲା । ସେ ଆଉ କିଛି କହିପାରିଲେ ନାହିଁ-। ନୀରବରେ କିଛି ସମୟ ବିତିଗଲା । ଶେଷରେ ମିଷ୍ଟର ଜ୍ୟାଗର୍ସ କହିଲେ, ‘‘ବୁଝିଲ, ମିଷ୍ଟର ପିପ୍‌, ତୁମେ ଆଉ ଡେରି କରନାହିଁ । ଯେତେଶୀଘ୍ର ପାରିବ, ଲଣ୍ଡନ ଚାଲିଆସ । ଆସନ୍ତା ଶନିବାର ସୁଦ୍ଧା ଖଣ୍ଡେ ଗାଡ଼ି କରି ସିଧା ମୋର ଘରକୁ ଆସିଯିବ । ଠିକଣାଟା ଟିପିରଖ ।’’

 

ମିଷ୍ଟର ଜ୍ୟାଗର୍ସ ଚାଲିଗଲେ । ମୋର ଏ ହଠାତ୍‌ ଭାଗ୍ୟ-ପରିବର୍ତ୍ତନ ବିଷୟ ଯେ ଣୁଣିଲା, ସେ ବିସ୍ମିତ ହେଲା । ସୋମବାର ଦିନ ଭଲ ଜାମାପଟା ପିନ୍ଧି ମୁଁ ସହରକୁ ଚାଲିଗଲି ନୂଆ ପୋଷାକପତ୍ର କିଣିବାକୁ ଦରଜୀ ଦୋକାନରେ ଜାମା ମାପ ଦେଲି । ତାପରେ ଗଲି ଜୋତାଦୋକାନ, ତାପରେ ଟୋପିଦୋକାନ । ଦେଖୁ ଦେଖୁ ମଙ୍ଗଳ, ବୁଧ, ଗୁରୁ ଯାଇ ଶୁକ୍ରବାର ଆରମ୍ଭ ହୋଇଗଲା । ସେଦିନ ସକାଳେ ଗଲି ମିସ୍‌ ହ୍ୟାବିସାମ୍‌ଙ୍କ କୋଠିକୁ । ତାଙ୍କ ସହିତ ଦେଖାକରି କହିଲି, ‘ଆପଣଙ୍କ ସହିତ ଗତଥର ଦେଖା କରି ଯିବାପରେ ମୁଁ ଯେପରି ଭାଗ୍ୟବାନ୍‌ ହୋଇଛି, ସେଥିଲାଗି ଆପଣଙ୍କୁ ମୋର କୃତଜ୍ଞତା ଜଣାଉଛି ।’’

 

ସେ କହିଲେ, ‘‘ଓକିଲ ଜ୍ୟାଗର୍ସ ସହିତ ମୋର ସାକ୍ଷାତ ହୋଇଥିଲା । ସେ ମୋତେ ସବୁ କହିଛନ୍ତି । ଆଚ୍ଛା ପିପ୍‌, ତୁମେ ତାହାହେଲେ ଆଗାମୀକାଲି ଲଣ୍ଡନ ଯାଉଛ ?’’

 

‘‘ଆଜ୍ଞା ହଁ ।’’

 

‘‘ତୁମେ ଜଣେ ବଡ଼ଲୋକଙ୍କ ସମ୍ପତ୍ତି ପାଉଛ ?’’

 

‘‘ଆଜ୍ଞା ।’’

 

‘‘ସେ ଯେ କିଏସେ, ତାହା ତୁମେ ଜାଣନା ?’’

 

‘‘ଆଜ୍ଞା, ନା ?’’

 

‘‘ତା’ହେଲେ ମି. ଜ୍ୟାଗର୍ସ ହିଁ ତୁମର ଅଭିଭାବକ ?’’

 

‘‘ହଁ, ମୁଁ କେବଳ ସେତିକି ଜାଣେ ।’’

 

‘‘ବେଶ୍‌ ଭଲ, ଭଲ । ତୁମର ଭବିଷ୍ୟତ ଉଜ୍ଜ୍ୱଳ । ନିଜକୁ ଭଲକରି ଗଢ଼ । ଏ ସୌଭାଗ୍ୟର ଯୋଗ୍ୟ ହେବାକୁ ଚେଷ୍ଟା କର । ଓକିଲବାବୁ ଯାହା କରିବେ, ସେହି ଅନୁଯାୟୀ କାର୍ଯ୍ୟ କରିବ ।’’

 

ଆଦରରେ ସେ ମୋ ଆଡ଼କୁ ତାଙ୍କର ହାତ ବଢ଼ାଇଦେଲେ । ତାଙ୍କର ସ୍ନେହପୂର୍ଣ୍ଣ କରକମଳରେ ଭକ୍ତିର ଚୁମ୍ୱନ ଦେଇ ମୁଁ ଫେରିଆସିଲି ।

 

ଶନିବାର ସକାଳ ।

 

ଭୋରରୁ ଉଠି ବିଡ଼ି ମୋପାଇଁ ଜଳଖିଆ ତିଆରି କରିଦେଲେ । ବ୍ୟସ୍ତତା ଭିତରେ ଭଲକରି ଗଣ୍ଡେ ଖାଇପାରିଲି ନାହିଁ । ଅପା ଶୋଇଥାନ୍ତି ରୋଗଶଯ୍ୟାରେ । ତାଙ୍କଠାରୁ ବିଦାୟ ନେଇ ଆସିଲି । ଜୋ ଭିଣୋଇଙ୍କୁ ପ୍ରଣାମ କରିବାବେଳେ ମୋର ଆଖି ଛଳ ଛଳ ହୋଇଗଲା । ଯିବାର ସମୟ ହେଲା । ଛୋଟ ବ୍ୟାଗ ଖଣ୍ଡିକରେ ସାମାନ୍ୟ ଦୁଇଟି ଦରକାରୀ ଜିନିଷ ରଖିଲି । ବ୍ୟାଗ ଖଣ୍ଡିକ ଧରି ରାସ୍ତାକୁ ଓହ୍ଲାଇଲି । ଅପେକ୍ଷା କରିବାକୁ ସମୟ ନାହିଁ । ଆଗକୁ ଚାଲୁଛି, ଧଡ଼କରି ପଛରୁ କ’ଣ ଗୋଟାଏ ଶବ୍ଦ ହେଲା । ପଛକୁ ଚାହିଁ ଦେଖିଲି ଭିଣୋଇ ଓ ବିଡ଼ି ଗୋଟାଏ ପୁରୁଣା ଛିଣ୍ଡା ଜୋତା ମୋ ପଛରେ ଫୋପାଡ଼ୁଛନ୍ତି । ଆମ ପ୍ରଥା ଅନୁଯାୟୀ ଶୁଭଯାତ୍ରା ପାଇଁ ଏହା ଏକ ସଙ୍କେତ । ସେ ଦୁଇଜଣ ମୋର ଶୁଭକାମନା କରି ହାତ ହଲାଇଲେ । ମୁଁ ଆଗକୁ ମୁହାଁଇଲି ।

 

ପ୍ରଭାତବେଳାର ଶାନ୍ତ ଗ୍ରାମ୍ୟ ପଥ । ଏହି ପଥରେ କେତେ ନ ଖେଳିଛି । କେତେ ମଧୁର ସ୍ମୃତି ଜଡ଼ିତ ନୁହେଁ ଏ ପଥ ସହିତ ! ଏକୁ ଛାଡ଼ି ମୁଁ ଆଜି ଚାଲିଛି ଏକ ନୂତନ ପଥର ଆଶାରେ ! ଆଖିର ଲୁହ ବାରଣ ମାନିଲା ନାହିଁ । ଧାର ଧାର ହୋଇ ବୋହିଆସିଲା ହୃଦୟର ସଞ୍ଚିତ କୋହ । ଅସ୍ଫୁଟ ଭାଷାରେ ମୁହଁରୁ ବାହାରିପଡ଼ିଲା–ବିଦାୟ ବନ୍ଧୁ, ବିଦାୟ !!

 

ଜୋର୍‌ରେ ପାଦ କାଢ଼ି ଆଗକୁ ଚାହିଁଲି, ଲଣ୍ଡନଗାମୀ କୋଚ୍‌ର ବେଳ ହୋଇଯାଉଥାଏ-

 

ଠିକ୍‌ ସମୟରେ ଲଣ୍ଡନରେ ପହଞ୍ଚିଗଲି । ଆଉ ବିଳମ୍ୱ ନ କରି ଚାଲିଲି ମିଷ୍ଟର ଜ୍ୟାଗର୍ସଙ୍କ ଅଫିସକୁ । କିଛି ସମୟ ପରେ ତାଙ୍କ ସହିତ ସାକ୍ଷାତ୍‌ ହେଲା । ଦେଖିଲି ମାଲିମକଦ୍ଦମାର ପକ୍ଷମାନଙ୍କୁ ନେଇ ସେ ଭାରି ବ୍ୟସ୍ତ ଲୋକ । ମୋ ସହିତ ପ୍ରାଥମିକ କଥାଭାଷା ଶେଷ ହେବା ପରେ ସେ ତାଙ୍କ କିରାନି ମିଷ୍ଟର ଓଏମିକ୍‌ଙ୍କୁ ଡକାଇଲେ । ଓଏମିକ୍‌ଙ୍କ ସହିତ ମୋତେ ମୋର ଭାବୀ ଶିକ୍ଷକଙ୍କ ପୁଅ ହାର୍ବଟ୍‌ ପକେଟ୍‌ଙ୍କ ବସାକୁ ପଠାଇଦେଲେ ।

 

ହାର୍ବଟ୍‌ ରହନ୍ତି ଗୋଟିଏ ହୋଟେଲରେ । ସେଇଠି ଯାଇ ପହଞ୍ଚିଲୁ । ଗୋଟାଏ କୋଠାଘର । ବଡ଼ ଅପରିଷ୍କାର ଅପରିଚ୍ଛନ୍ନ ହୋଇ ପଡ଼ିଥାଏ । କୋଠାର ସବା ଉପରତାଲାରେ ପାଖକୁ ପାଖ ଲାଗି ଲାଗି କେତୋଟି ବଖରା । ସେଥିରୁ ଗୋଟିକର ନାମଫଳକରେ ଲେଖାଯାଇଥାଏ–‘ମିଷ୍ଟର ପକେଟ୍‌ ଜୁନିୟର । ତା’ ତଳେ ଝଲୁଥାଏ ଖଣ୍ଡେ ଛୋଟ କାଗଜ । ସେଥିରେ ଲେଖାଥାଏ, ‘‘ଏହିକ୍ଷଣି ଫେରିଆସୁଛି ।’’

 

ମିଷ୍ଟର ଓଏମିକ୍‌ କହିଲେ, ‘‘ହାର୍ବଟ୍‌ ଏଇଠି ରହନ୍ତି ! ଟିକିଏ ଅପେକ୍ଷା କର । ସେ ଆସିଯିବେ । ମୁଁ ତାହାହେଲେ ଚାଲିଲି, ଦେଖା ହେଉଥିବ ଯେ । ଆପଣଙ୍କ ଟଙ୍କାପଇସା ଓ ହିସାବ ସବୁ ମୋ ପାଖରେ ରହିବ ନା !’’ ମତେ ସେଠାରେ ଠିଆ କରାଇଦେଇ ସେ ଚାଲିଗଲେ ।

 

‘ଏହିକ୍ଷଣି’ ବୋଲି ଚାହୁଁ ଚାହୁଁ ଅଧଘଣ୍ଟାଏ ବିତିଗଲା । ଅଧଘଣ୍ଟାକ ପରେ ଦେଖାଗଲା ଠିକ୍‌ ମୋରି ବୟସର ଜଣେ କିଶୋର ସିଡ଼ି ଦେଇ ଧଇଁସଇଁ ହୋଇ ଉପରକୁ ଉଠିଆସୁଛନ୍ତି । ଦୁଇ କାଖତଳେ ଦୁଇଟି କାଗଜପୁଡ଼ିଆ ଏବଂ ହାତରେ ଝୁଡ଼ିଏ ଫଳ । ଉପରକୁ ଉଠିଆସି ମତେ ପଚାରିଲେ, ‘‘କିଏ, ମିଷ୍ଟର ପିପ୍‌ ?’’

 

ମୁଁ ପଚାରିଲି, ‘‘ଆପଣ, ମିଷ୍ଟର ପକେଟ୍‌ ?’’

 

ମୋର କରମର୍ଦ୍ଦନ କରୁ କରୁ ସେ କହିଉଠିଲେ, ‘‘ସତେ ଭାଇ, ଦୁଃଖର ବିଷୟ, ମୋର ଟିକିଏ ଡେରି ହୋଇଗଲା । ଆମପାଇଁ ଦୁଇଟା ଫଳ କିଣିବାକୁ ଯାଇଥିଲି ।’’

 

‘‘ସେ କିଛି ନୁହେଁ, ଚିନ୍ତା କରନ୍ତୁ ନାହିଁ ।’’ କହ ମୁଁ ତାଙ୍କ ହାତରୁ ଫଳଝୁଡ଼ିଟା ଧରିଲି । ସେ ଚାବି ଖୋଲି ମୋତେ ଘରଭିତରକୁ ଡାକିଲେ । ଫଳଝୁଡ଼ିଟା ରଖିଦେଇ ସେ କହିଲେ, ‘‘ଦେଖ ଭାଇ, ବାପାଙ୍କର ଇଚ୍ଛା, ରବିବାରଟା ତୁମେ ଏଠାରେ କଟାଇଗଲେ ଭଲ ହୁଅନ୍ତା; ମୁଁ ତୁମକୁ ଲଣ୍ଡନର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲାଇ ଦେଖାଇଦିଅନ୍ତି ।’’

 

ସେ ପ୍ରସ୍ତାବରେ ମୁଁ ଖୁସିରେ ରାଜି ହୋଇଗଲି ।

 

ସେ କହିଲେ, ‘‘ଆମର ଏଠାଟା ଖୁବ୍‌ ଅପରିଷ୍କାର ହୋଇଛି । ପୁରୁଣା କୋଠା, ନ ହେବ ବା କିପରି । ଭଲ ସ୍ଥାନରେ ଘରଟାଏ ନେଇପାରୁନାହିଁ । ଆମର ତ ସମ୍ପତ୍ତିବାଡ଼ି ବୋଲି ସେପରି କିଛି ନାହିଁ । ତେଣୁ ମୁଁ ବାପାଙ୍କଠାରୁ ଟଙ୍କା ପଇସା ନ ଆଣି ନିଜ ଆୟରେ ଚଳିବାକୁ ଭଲପାଏ ।’’

 

ମୁଁ କୌଣସି ମନ୍ତବ୍ୟ କରିପାରିଲି ନାହିଁ ।

 

ସେ କହିଚାଲିଲେ, ‘‘ଏଇଟା ମୋ ବଖରା, ସେଇଟା ତୁମର । ଯାହାହେଉ ସ୍ଥାନଟା ଶାନ୍ତ, ନିର୍ଜନ । ଦୁଇଜଣ ଆରାମରେ ରହିଯିବା ଆଉ କଳିଗୋଳ ବା ମରାମରି ହେବା ନାହିଁ ।’’ କହୁ କହୁ ତାଙ୍କ ମୁହଁରେ ଗୋଟାଏ ଦୁଷ୍ଟାମିର ହସ ଖେଳିଗଲା ।

 

ମୁଁ ଟିକିଏ ବିସ୍ମିତ ହେଉଛି ଦେଖି ସେ କହିଲେ, ‘‘ମନେ ନାହିଁ ? ...ମିସ୍‌ ହ୍ୟାବିସାମ୍‌ଙ୍କ କୋଠିରେ ତୁମର ମୋର ପ୍ରଥମ ସାକ୍ଷାତ ହୋଇଥିଲା; ସେଇଠି ଆମର ଯେଉଁ ଲଢ଼େଇ ହୋଇଥିଲା ତା’ କ’ଣ ଭୁଲିଗଲଣି ନା ?’’

 

ମୋର ସବୁ ବିଷୟ ମନେପଡ଼ିଗଲା । ମନେପଡ଼ିଗଲା କିପରି ମୁଥ ମାରି ଏ ପିଲାକୁ ତଳେ ଗଡ଼ାଇଦେଇଥିଲି ଏବଂ ମୋର ବିଜୟ ଦେଖି ଏଷ୍ଟେଲା କିପରି ମୁଗ୍‌ଧ ହୋଇଯାଇଥିଲା । ପଚାରିଲି, ‘‘ଓଃ, ତୁମେ ତାହାହେଲେ ସେହି ଭଦ୍ରଲୋକ ?’’

 

‘‘ହଁ, ଭାଇ ମୁଁ ସେହି । ତେଣୁ ଆମ ଭିତରେ କଥାଭାଷାରେ ଏତେ ସଙ୍କୋଚରେ ରଖିବା ଉଚିତ ନୁହେଁ । ...ଭଦ୍ରଲୋକ କରି ଗଢ଼ିବାଲାଗି ମିସ୍‌ ହ୍ୟାବିସାମ୍‌ ମୋତେ ସେଠାକୁ ଡକାଇ ନେଇଥିଲେ । .... କିନ୍ତୁ ... ।’’

 

‘‘ମାନେ ?’’

 

‘‘ମାନେ ବହୁ ଆଶା ଓ ଭରସା ଦେଇ ମିସ୍‌ ହ୍ୟାବିସାମ୍‌ ମତେ ସେଠାକୁ ଡକାଇ ନେଇଥିଲେ । ଖୁବ୍‌ ଆଦର ସ୍ନେହ ବି କରୁଥିଲେ । କିନ୍ତୁ କେଜାଣି କାହିଁକି କିଛିଦିନ ପରେ ମୁଁ ଆଉ ତାଙ୍କୁ ଭଲଲାଗିଲି ନାହିଁ । ବାଧ୍ୟହୋଇ ସେଠାରୁ ଚାଲିଆସିବାକୁ ପଡ଼ିଲା । ଯଦି ସେ ମୋତେ ଭଲପାଇଥାନ୍ତେ, ତେବେ ଏଷ୍ଟେଲାକୁ ବିବାହ କରି ସମ୍ପତ୍ତିବାଡ଼ି ପାଇ ସୁଖରେ ଜୀବନଯାପନ କରିବାର ସୁଯୋଗ ପାଇଥାନ୍ତି ।’’

 

ମୁଁ ଟିକିଏ ଦରଦ ଦେଖାଇ କହିଲି, ‘‘ଆହା ହା, ବଡ଼ ଦୁଃଖର ବିଷୟ ! ସବୁ ଆଶା ମଉଳିଗଲା ।’’

 

ସେ କହିଲେ, ‘‘ନା ମ, ଦୁଃଖ କରିବାର କ’ଣ ଅଛି ? ଯାହା ହେବାର ଥାଏ, ତାହା ହୋଇଯାଏ । ତା’ ଛଡ଼ା, ତୁମେ ଯାହା କହ ... ।’’

 

‘‘କେଉଁ କଥା ?’’

 

ସେ ଏଥର ସ୍ପଷ୍ଟ କରି କହିଲା, ‘‘ତୁମେ ଯାହା କହ ଭାଇ, ଝିଅଟା ଭାରି ଗର୍ବୀ । ମିସ୍‌ ହ୍ୟାବିସାମ୍‌ ହିଁ ତାକୁ ସେପରି କରି ଗଢ଼ିଛନ୍ତି । ବଡ଼ ହେଲେ ସେ ବି ମିସ୍‌ ହ୍ୟାବିସାମ୍‌ଙ୍କ ପରି ଦୁନିଆର ସବୁ ପୁରୁଷଙ୍କୁ ଘୃଣା କରିବ ।’’

 

‘‘ସେ ମିସ୍‌ ହ୍ୟାବିସାମ୍‌ଙ୍କର କ’ଣ ହୁଏ ?’’

 

‘‘କିଛି ନୁହେଁ, କିନ୍ତୁ ମିସ୍‌ ହ୍ୟାବିସାମ୍‌ ତାକୁ ନିଜର ଝିଅପରି ପାଳିଛନ୍ତି ।’’

 

‘‘ଆଚ୍ଛା ହାର୍ବର୍ଟ, ତୁମେ କହିଲ ମିସ୍‌ ହ୍ୟାବିସାମ୍‌ ପୁରୁଷମାନଙ୍କୁ ଘୃଣା କରନ୍ତି; କିନ୍ତୁ କାହିଁକି ?’’

 

‘‘ଓଃ, ତୁମେ ତାହାହେଲେ ସେ କଥା ଜାଣିନ ?’’

 

‘‘ନା ଭାଇ ।’’

 

‘‘ଠିକ୍‌ ଅଛି; ଖିଆପିଆ ଚାଲୁ, ମୁଁ କହିବି ।’’

 

ମିସ ହ୍ୟାବିସାମ୍‌ଙ୍କ ବିଷୟରେ ଜାଣିବା ଲାଗି ମୁଁ ଉତ୍ସୁକ ଥିବା ଦେଖି ଖିଆପିଆ ବେଳେ ହାର୍ବର୍ଟ ଆରମ୍ଭ କଲା–‘‘ପିଲାଦିନୁ ମିସ୍‌ ହ୍ୟାବିସାମ୍‌ଙ୍କ ମାଆ ଇହଧାମ ତ୍ୟାଗ କରିଥିଲେ । ବାପାଙ୍କର ଗେଲବସର ଝିଅ ହୋଇ ବଢ଼ିବାଲାଗି ତାଙ୍କୁ ସବୁ ସୁବିଧା ମିଳିଥିଲା । ସେ ପିଲାଦିନୁ ଯାହା ଜିଦ୍‌ ଧରୁଥିଲେ, ବାପା ତାହା କରାଇଦେଉଥିଲେ । ଖୁବ୍‌ ଧନୀଲୋକ । ଟଙ୍କାପଇସାର ଅଭାବ ନଥିଲା । ତେଣୁ ତାଙ୍କ ବାପାଙ୍କର ଗର୍ବ ବି କମ ନଥିଲା । ଝିଅ ଠିକ୍‌ ବାପାଙ୍କ ପରି ହୋଇଗଲା ।’’

 

ପଚାରିଲି, ‘‘ଆଚ୍ଛା ମିସ୍‌ ହ୍ୟାବିସାମ୍‌ କ’ଣ ତାଙ୍କର ଏକମାତ୍ର ଝିଅ ?’’

 

ହାର୍ବର୍ଟ କହିଲା, ‘‘ନା, ପ୍ରଥମ ସ୍ତ୍ରୀର ଗୋଟିଏ ପୁଅ ବି ଥିଲା । କିନ୍ତୁ ଏ କଥାଟାକୁ ସେ ଦ୍ୱିତୀୟ ସ୍ତ୍ରୀ ପାଖରେ ଗୋପନ ରଖିଥିଲେ । ଦ୍ୱିତୀୟ ସ୍ତ୍ରୀ ଯେତେବେଳେ ମରିଗଲା, ସେତେବେଳେ ମିସ୍‌ ହ୍ୟାବିସାମ୍‌ ଦେଖିଲେ ତାଙ୍କର ଗୋଟିଏ ବଡ଼ଭାଇ ବି ଅଛି । ସେ ଭାଇ ଆସି ଏଥର ତାଙ୍କ ଘରେ ବସବାସ କଲା । କିନ୍ତୁ ବଡ଼ ହେବା ସଙ୍ଗେ ସଙ୍ଗେ ସେ ଭାଇ ଚଗଲା ହେବାକୁ ଆରମ୍ଭ କଲା । କୁସଙ୍ଗ ମଣିଷକୁ କେତେ ତଳକୁ ଟାଣିନିଏ, ତାହା ବୁଝିପାରୁଥିବ । ଶେଷକୁ ଏପରି ହେଲା ଯେ, ସେ ନିଜ ବାପଙ୍କୁ ଛାଡ଼ି କେଉଁଆଡ଼େ ଚାଲିଗଲା । ତଥାପି ପୁଅ ତ; ବାପା ମରିବା ବେଳେ ପୁଅଝିଅ ଉଭୟଙ୍କ ଭିତରେ ସମାନ କରି ସମ୍ପତ୍ତି ଦେଇଯାଇଥିଲେ । ପ୍ରଚୁର ଟଙ୍କା; କିନ୍ତୁ ସେ ପୁଅହାତରେ ଟଙ୍କାତକ ପଡ଼ିବାର ଦିନକେଇଟା ଭିତରେ ସେ ସବୁ ଉଡ଼ାଇଦେଲା । ଶେଷକୁ କରଜ ଓ ଦେଣାଭାରରେ ଲୋକଟା ବୁଡ଼ିଗଲା ଜାଣ ।

 

‘‘ଏ ଘଟଣାର ପରେ ପରେ ହ୍ୟାବିସାମ୍‌ଙ୍କ ପରିବାରରେ ଆଉ ଏକ ଦୁଃଖର ଘଟଣା ଘଟିଗଲା । କ’ଣ ହେଲାନା, ଏ ଭିତରେ କିଏସେ ଜଣେ ଯୁବକ ଆସି ମିସ୍‌ ହ୍ୟାବିସାମ୍‌ଙ୍କ ସହିତ ଭାବ ଜମାଇଲା । ମିସ୍‌ ହ୍ୟାବିସାମ୍‌ ତାଙ୍କୁ ଭଲପାଇବାକୁ ଲାଗିଲେ । କ୍ରମଶଃ ଘନିଷ୍ଠତା ବଢ଼ିଗଲା-। ସେହି ସୁଯୋଗ ନେଇ ଲୋକଟା ମିସ୍‌ ହ୍ୟାବିସାମ୍‌ଙ୍କଠାରୁ ବହୁ ଟଙ୍କାପଇସା ବି ମାରିନେଲା-

 

‘‘ମୋ ବାପା ସେତେବେଳେ ହ୍ୟାବିସାମ୍‌ଙ୍କ କୋଠିରେ କାମ କରୁଥାନ୍ତି । ସେ ଲୋକ ସହିତ ଏପରି ଘନିଷ୍ଠତା ଓ ଏତେ ଟଙ୍କାପଇସା ଦିଆନିଆ ବାପାଙ୍କୁ ଭଲ ଲାଗିଲା ନାହିଁ । ଦିନେ ବାପା ଏସବୁର ପ୍ରତିବାଦ କଲେ । ମିସ୍‌ ହ୍ୟାବିସାମ୍‌ଙ୍କ ପରି ଗର୍ବୀ ଲୋକକୁ ବାପାଙ୍କ କଥା ସୁହାଇଲା ନାହିଁ । ସେ ରାଗିଲେ ଏବଂ ଶେଷକୁ ବାପାଙ୍କୁ କୋଠିରୁ ବିଦାୟ କରିଦେଲେ । ସେହିଦିନଠାରୁ ବାପା ସେଠାକୁ ଯାଆନ୍ତି ନାହିଁ ।

 

‘‘ଘନିଷ୍ଠତା ବଢ଼ୁ ବଢ଼ୁ ସେ ଲୋକଟା ସହିତ ମିସ୍‌ ହ୍ୟାବିସାମ୍‌ଙ୍କର ବିବାହ ପ୍ରସ୍ତାବ ସ୍ଥିର ହୋଇଗଲା । ବିବାହଦିନ ନିଧାର୍ଯ୍ୟ ହୋଇ ଯିବାପରେ ବନ୍ଧୁବାନ୍ଧବ ନିମନ୍ତ୍ରିତ ହୋଇ ଆସିଲେ । ଉତ୍ସବର ଧୁମ୍‌ଧାମ୍‌ରେ ଜମିଦାରଙ୍କ କୋଠି କମ୍ପିଗଲା । ବିବାହଦିନ କଥା । କନ୍ୟା ବେଶବାସ ପିନ୍ଧି ପ୍ରସ୍ତୁତ ହୋଇ ରହିଲେ । ବନ୍ଧୁବାନ୍ଧବ ଅପେକ୍ଷା କରିଛନ୍ତି । ଦେଖୁ ଦେଖୁ ବିବାହବେଳ ଗଡ଼ିଗଲା । ବରର ଦେଖା ନାହିଁ ।’’

 

ମୁଁ ପଚାରିଲି, ‘‘ଆଶ୍ଚର୍ଯ୍ୟ କଥା । କ’ଣ ହେଲା ତା’ହେଲେ ସେ ବରର ?’’

 

‘‘ସେ ବିବାହ କରିବାକୁ ଆଉ ଆସିଲା ନାହିଁ ।’’

 

‘‘କ’ଣ କହୁଛ ! ଏତେବଡ଼ ଧନୀ ମହିଳାଙ୍କୁ ବିବାହ କରିଥିଲେ ସମସ୍ତ ଜମିଦାରୀଟାର ମାଲିକ ହୋଇଥାନ୍ତା, ଆସିଲା ନାହିଁ କାହିଁକି ?’’

 

‘‘ମଜା ରହିଛି ସେଇଠି । ସେ ଗୋଟାଏ ପକ୍‌କା ଜୁଆଚୋର । ଏ ବିବାହପୂର୍ବରୁ ସେ ଅନ୍ୟ ଜଣେ ସ୍ତ୍ରୀକୁ ବିବାହ କରିସାରିଥାଏ । ହ୍ୟାବିସାମ୍‌ଙ୍କ କୋଠିରୁ ଟଙ୍କାପଇସା ମାରିନେବା ଲାଗି ସେ କେବଳ କିଛିଦିନ ଲାଗି ଅଭିନୟ କରୁଥିଲା ।’’

 

‘‘ଓଃ, ସେଇଥିପାଇଁ ତାହାହେଲେ ମିସ୍‌ ହ୍ୟାବିସାମ୍‌ ସେଦିନର ବିବାହ କେକ୍‌ଟି ସାଇତି ରଖିଛନ୍ତି ! …ଆଚ୍ଛା ସେ ଲୋକର ଶେଷରେ କ’ଣ ହେଲା ?’’

 

‘‘କ’ଣ ଆଉ ହବ ! ଯେମିତି ଲୋକର ସେମିତି ଗତି । ଚୋର ଓ ବଦମାସ୍‌ମାନଙ୍କର ଆଉ ଦ୍ୱିତୀୟ ଗତି କ’ଣ ଥାଏ ଯେ ।’’

 

 

‘‘ବର୍ତ୍ତମାନ ବଞ୍ଚିଛି ?’’

 

‘‘ମୁଁ ଭାଇ ଏତେ ଖବର ରଖିନାହିଁ’’, କହି ହାର୍ବର୍ଟ ଉଠିଲା ।

 

କଥାରେ କଥାରେ ହାର୍ବର୍ଟକୁ ପଚାରିଲି, ‘‘ଆଚ୍ଛା, ଭାଇ ଆଜିକାଲି ତୁମେ କି କାମ କରୁଛ-?’’

 

ସେ କହିଲା, ‘‘ଜାହାଜ-ବୀମା କାମ ଶିଖୁଛି । ଏ ଯାଏଁ ବୀମା କରିବା ଆରମ୍ଭ କରିନାହିଁ; କାମ ଶିଖିବା ଲାଗି ପ୍ରତିଦିନ ଅଫିସକୁ ଯାଉଛି ।’’

 

ଦୁଇ ବନ୍ଧୁ ମିଶି ଶନିବାର ସନ୍ଧ୍ୟାଟା ବହୁତ ସ୍ଥାନ ବୁଲି ଦେଖିଲୁ । ରାତିରେ ଲଣ୍ଡନ ଥିଏଟର ଦେଖିଲି । ରବିବାର ଦିନ ସକାଳେ ଲଣ୍ଡନର ବିଖ୍ୟାତ ଓ୍ୱେଷ୍ଟମିନିଷ୍ଟର୍‌ ଗୀର୍ଜାଘର ଦେଖି ଆସିଲି । ଉପରବେଳା ହାର୍ବର୍ଟ ମୋତେ ନେଇ ଲଣ୍ଡନର ବିଭିନ୍ନ ପାର୍କ ଦେଖାଇଆଣିଲା । ଏତେ ବଡ଼ କର୍ମଚଞ୍ଚଳ ନଗରୀର ନାନାବିଧ ଦେଖି ମୁଁ ବିସ୍ମିତ ହୋଇଗଲି । ଓଃ, ଏତେ ଘୋଡ଼ା !! ଏ ଘୋଡ଼ାଗୁଡ଼ାକ ଗୋଡ଼ରେ କେତେ ନାଲ ମରା ହୋଇନଥିବ ! କେତେ କମାର ସେଥିରୁ ପେଟ ପୋଷୁନଥିବେ ! ଆଃ, ଆମ ଜୋ ଭିଣୋଇଙ୍କୁ ଏପରି ନାଲମରା କାମଖଣ୍ଡେ ଏ ଲଣ୍ଡନନଗରୀରେ ମିଳିଯାଆନ୍ତା କି, ତାଙ୍କ ସଂସାରରେ ଆଉ ଅଭାବ ବୋଲି କିଛି ରହନ୍ତା ନାହିଁ ।

 

ରବିବାରଟା ସେପରି କଟିଗଲା । ସେମାବାର ଦିନ ସକାଳେ ହାର୍ବର୍ଟ ଅଫିସକୁ ଗଲା; ମୁଁ ଘରଭିତରେ ଚୁପ୍‌ ହୋଇ ବସିଲି । ଉପରବେଳା ଖଣ୍ଡିଏ ଘୋଡ଼ାଗାଡ଼ି କରି ଦୁଇଜଣ ଚାଲିଲୁ ହାମାରସ୍ମିଥ । ମୋର ଶିକ୍ଷକ ତଥା ହାର୍ବର୍ଟର ବାପା ସେଇଠି ରହନ୍ତି, ତେଣୁ ସେଇଠି ରହି ମତେ ପଢ଼ାଶୁଣା କରିବାକୁ ପଡ଼ିବ । ସେତେବେଳକୁ ମିଷ୍ଟର ପକେଟ୍‌ଙ୍କ ପାଖରେ ଡ୍ରମେଲ ଓ ଷ୍ଟାରଟପ୍‌ ନାମକ ଅନ୍ୟ ଦୁଇଜଣ ଛାତ୍ର ବି ପଢ଼ୁଥିଲେ । ଦିନେ ଦୁଇଦିନ ମଧ୍ୟରେ ମୋର ଶିକ୍ଷକ ମିଷ୍ଟର ମାଥ୍ୟୁ ପକେଟଙ୍କ ସହିତ ବିଭିନ୍ନ ବିଷୟ ନେଇ କଥାଭାଷା ଆରମ୍ଭ ହୋଇଗଲା । ଦେଖିଲି, ମୋର ଭବିଷ୍ୟତ ସମ୍ପର୍କରେ ତାଙ୍କୁ ଅନେକ କଥା ଜଣା । ମିଷ୍ଟର ଜ୍ୟାଗର୍ସ ତାଙ୍କୁ ସବୁ ବିଷୟ ବୁଝାଇ ଦେଇଛନ୍ତି । ମତେ କୌଣସି ବ୍ୟବସାୟ ବାଣିଜ୍ୟବିଦ୍ୟା ଶିକ୍ଷା କରିବାକୁ ପଡ଼ିବ ନାହିଁ । ମତେ ଶିକ୍ଷା କରିବାକୁ ପଡ଼ିବ, ସେହିସବୁ ବିଷୟ ଯାହାଦ୍ୱାରା ମୁଁ ପ୍ରକୃତ ଶିକ୍ଷିତ ହୋଇପାରିବି ।

 

ପଢ଼ାପଢ଼ି ଆରମ୍ଭ ହୋଇଗଲା ।

 

ଦିନେ ମୁଁ ମୋର ଶିକ୍ଷକମହାଶୟଙ୍କୁ କହିଲି, ‘‘ଦେଖନ୍ତୁ, ଲଣ୍ଡନରେ ହାର୍ବର୍ଟ ଯେଉଁ ଘରେ ରହୁଛନ୍ତି, ସେ ପାଖରେ ମୁଁ ଯଦି ଖଣ୍ଡେ ଘରଭଡ଼ା ନିଅନ୍ତି, ତେବେ ମଝି ମଝିରେ ଯାଇ ଲଣ୍ଡନରେ ରହିବାରେ କିଛି ଅସୁବିଧା ହୁଅନ୍ତା ନାହିଁ । ଆପଣ କ’ଣ ମନେକରନ୍ତି ?’’

 

ମିଷ୍ଟର ପକେଟ୍‌ କହିଲେ, ‘‘ମୋର ଏଥିରେ କୌଣସି ଆପତ୍ତି ନାହିଁ, ତଥାପି ମିଷ୍ଟର ଜ୍ୟାଗର୍ସଙ୍କୁ ପ୍ରଥମେ ଜଣାଇ ତା’ ପରେ ଯାହା କରିବାର କର ।’’

 

ଓକିଲବାବୁ ମୋର ପ୍ରସ୍ତାବରେ କୌଣସି ଆପତ୍ତି କଲେ ନାହିଁ । ଫଳରେ ଲଣ୍ଡନରେ ମୋ ନାମରେ ଖଣ୍ଡିଏ ଘରଭଡ଼ା ନିଆଗଲା । ଘରଟିକୁ ଆସବାବପତ୍ର ଦେଇ ସଜାଇବା ଲାଗି ଓକିଲ ବାବୁଙ୍କୁ ମୁଁ କିଛି ଟଙ୍କା ମାଗିଲି । ସେ ପଚାରିଲେ, ‘‘ତୁମର କେତେ ପାଉଣ୍ଡ ହେଲେ ଚଳିଯିବ-?’’

 

‘‘ଚଉକି ଟେବୁଲ ତ କିଣିବା କଥା ।’’

 

‘‘ପଚିଶ ପାଉଣ୍ଡ ହେଲେ ଚଳିବ ?’’

 

‘‘ନା, ଏତେ କ’ଣ ହେବ ।’’

 

‘‘ତା’ହେଲେ ପାଞ୍ଚ ପାଉଣ୍ଡ ହେଲେ ଚଳିଯିବ ?’’

 

ସେ ହଠାତ୍‌ ଏତେ ତଳକୁ ଖସିଆସିଲେ ଦେଖି ମୁଁ ବଡ଼ ଅଡ଼ୁଆରେ ପଡ଼ିଲି । କହିଲି, ‘‘ଆଉ ଟିକିଏ ବେଶି ହେଲେ ଭଲହୁଅନ୍ତା ।’’

 

‘‘ତାହେଲେ ପାଞ୍ଚର ଦୁଇଗୁଣ ? ତିନି ଗୁଣ ? ଚାରି ଗୁଣ ?’’ କହିଲି, ‘‘ନା, କୋଡ଼ିଏ ପାଉଣ୍ଡ ଖଣ୍ଡେ ହେଲେ ଚଳିବ ।’’

 

‘‘ଖଣ୍ଡେଫଣ୍ଡେ ନୁହଁ; ନିର୍ଦ୍ଦିଷ୍ଟ କେତେ କହ ।’’

 

‘‘କୋଡ଼ିଏ ପାଉଣ୍ଡ ।’’

 

ଓକିଲବାବୁ ସଙ୍ଗେ ସଙ୍ଗେ କିରାଣି ଓଏମିକ୍‌କୁ ଆଦେଶ ଦେଇଦେଲେ, ‘‘ୟାଙ୍କୁ କୋଡ଼ିଏ ପାଉଣ୍ଡ ଦେଇଦିଅ ।’’

 

ସେଥର ଟଙ୍କା ଆଣିବା ବେଳେ ଓଏମିକ୍‌ ସହିତ ମୋର ଘନିଷ୍ଠତା ଜମିଗଲା । ତାଙ୍କରିଠାରୁ ଜାଣିବାକୁ ପାଇଲି ଯେ ମିଷ୍ଟର ଜ୍ୟାଗର୍ସ କିଛି ସାଧାରଣ ଓକିଲ ନୁହନ୍ତି । କଚେରୀରେ ହାକିମହୁକୁମା ବି ତାଙ୍କୁ ଭୟ କରନ୍ତି । ସେ ସବୁବେଳେ ସାଂଘାତିକ ମକଦ୍ଦମା ଗୁଡ଼ିକ ହିଁ ଗ୍ରହଣ କରନ୍ତି–ସେଥିରୁ ଅଧିକାଂଶ ଫୌଜଦାରୀ । କେତେ ଖୁଣି ଓ ଡକେଇତଙ୍କୁ ଯେ ସେ ଫାଶୀ ମୁହଁରୁ ଉଦ୍ଧାର କରିଛନ୍ତି ତା’ର କଳନା ନାହିଁ, ଫଳରେ ଗୋଟାଏ ଗୋଟାଏ ଜାନୁଆରଙ୍କୁ ବି ସେ ନିଜ ଆୟତ୍ତରେ ରଖିଛନ୍ତି । ତାଙ୍କ ଘରର ଚାକରାଣୀଟା ବି ସେଥିରୁ ପଟେ ।

 

ଘଟଣାକ୍ରମେ ଓକିଲ ବାବୁଙ୍କ ଚାକରାଣୀଟିକୁ ଦେଖିବାର ସୁଯୋଗ ପାଇଲି । ବାପ୍‌ରେ ବାପ୍‌–ଗୋଟାଏ ମରଦଠାରୁ ବି ତା’ ବଳ ବେଶି । ସୁନ୍ଦର ଚେହେରା; କିନ୍ତୁ ତା’ ଭିତରେ ଭରିହୋଇ ରହିଛି ବାଘୁଣୀର ରୁକ୍ଷତା ।

 

ଦିନ ପରେ ଦିନ ଗଡ଼ିଚାଲିଗଲା । ମୁଁ କ୍ରମଶଃ ଜଣେ ଶିକ୍ଷିତ ଭଦ୍ର ଯୁବକ ରୂପରେ ବିଭିନ୍ନ ସ୍ଥାନରେ ଆଦର ପାଇବାକୁ ଲାଗିଲି । ମୋ ମନରେ ଅଧିକାଂଶ ସମୟରେ ପ୍ରଶ୍ନଉଠେ, ମୋ ପିଛା ଏ ଯେଉଁ ଟଙ୍କା ଖରଚ କରାଯାଉଛି, ଏକୁ ଯୋଗାଉଛି କିଏସେ । ଭାବି ଭାବି ସ୍ଥିର କଲି ମୋର ଶୁଭାକାଙ୍‌କ୍ଷୀ ମିସ୍‌ ହାବିସାମଙ୍କ ବ୍ୟତୀତ ଅନ୍ୟ କେହି ନୁହେଁ । ଭାବୁ ଭାବୁ କୃତଜ୍ଞତାରେ ମୋର ମୁଣ୍ଡ ନଇଁଆସିଲା । ସୁବିଧା ଦେଖି ମିସ୍‌ ହାବିସାମଙ୍କୁ ସାକ୍ଷାତ୍‌ କରିବାଲାଗି ଥରେ ତାଙ୍କ କୋଠିକୁ ଗଲି । ଦେଖିଲି, ସେଠାରେ ଦରଓ୍ୱାନ ରୂପେ କାର୍ଯ୍ୟ କରୁଛି ପୂର୍ବେ ଭିଣୋଇଙ୍କ ଶାଳରେ କାମ କରୁଥିବା ଆର୍ଲିକ୍‌ । ଲୋକଟାକୁ ଦେଖି ମୁଁ ମନେମନେ ବିରକ୍ତ ହେଲି–ସନ୍ତୋଷଭବନ ପରି କୋଠିରେ ରହିବାର ଯୋଗ୍ୟ ନୁହେଁ ଆର୍ଲିକ । ଯାହା ହେଉ, ସେଠାରେ ମିସ୍‌ ହାବିସାମ ମତେ ଖୁବ୍‌ ଆଦର କରି ଏଷ୍ଟେଲା ସହିତ ସେତେବେଳକୁ ବେଶ୍‌ ବଡ଼ ହୋଇଗଲାଣି । କଥାପ୍ରସଙ୍ଗରେ ମିସ୍‌ ହାବିସାମ ମତେ ଏଷ୍ଟେଲାକୁ ଭଲପାଇବାଲାଗି ବି ଇଙ୍ଗିତ ଦେଲେ । ଏକ ନୂତନ ସ୍ୱପ୍ନବିଭୋର ହୋଇ ମୁଁ ସେଠାରୁ ଫେରିଆସି ବନ୍ଧୁ ହାର୍ବର୍ଟକୁ ମନକଥା ଖୋଲି କହିଲି ।

 

ତାପରେ ଓକିଲ ବାବୁଙ୍କୁ ଆର୍ଲିକ ପ୍ରତି ମୋର ଅସନ୍ତୋଷର କାରଣ ଜଣାଇ ତାକୁ ‘ସନ୍ତୋଷଭବନ’ରୁ ବାହାର କରିଦେବାପାଇଁ ଅନୁରୋଧ ଜଣାଇଲି । ମୋ କଥା ଶୁଣିବାର ଅଳ୍ପ ସମୟ ମଧ୍ୟରେ ସେ ଆର୍ଲିକକୁ ସେଠାରୁ ବିଦାୟ କରିଦେବାର ବ୍ୟବସ୍ଥା କରିଦେଲେ ।

 

କିଛିଦିନ ପରର କଥା । ସନ୍ଧ୍ୟା ବେଳଟା । ହାର୍ବର୍ଟ ଓ ମୁଁ ଲଣ୍ଡନରେ ମୋର ବସାରେ ବସିଛୁ, ଏତିକିବେଳେ ମୋ ନାମରେ ଖଣ୍ଡେ ଚିଠି ଆସିଲା । ପଢ଼ି ଜାଣିଲି ମୋର ଭଉଣୀ ଆଉ ଇହଜଗତରେ ନାହାନ୍ତି । ସେ ମରିବାର ଦୁଇଦିନ ହୋଇଗଲାଣି । ସୋମବାରଦିନ ତାଙ୍କୁ କବର ଦିଆଯିବ ।

 

ଅତୀତ କଥା ମନେପଡ଼ିଲା । କେତେ ବର୍ଷ ତଳେ କୌଣସି ଅଜ୍ଞାତ ଆତତାୟୀ ତାଙ୍କ ମୁଣ୍ଡ ଉପରେ ଭୀଷଣ ଆଘାତ କରିଥିଲା । ମୋର ପୂର୍ଣ୍ଣ ବିଶ୍ୱାସ, ସେ ବଦମାସ୍‌ ଆର୍ଲିକ ହିଁ ଏ କାଣ୍ଡ କରିଥିଲା । ମନେହେଲା ଆଜି ଯଦି ତାକୁ ପାଆନ୍ତି, ତେବେ ଠିକଣା ପ୍ରତିଶୋଧ ନିଅନ୍ତି ।

 

ଦିନଟାଏ ଛୁଟି ନେଇ ଗାଆଁରୁ ଯାଇ ଜୋ ଭିଣୋଇ ଓ ବିଡ଼ିସଙ୍ଗେ ଦେଖାକରି ଆସିଲି ।

 

ବିଡ଼ି କହିଲା, ‘‘ମତେ ଏଥର ଏଇଠି ହିଁ ରହିବାକୁ ପଡ଼ିବ ପିପ୍‌ । ଜୋଙ୍କୁ ଏକାଟିଆ ଛାଡ଼ିଦେଇ ମୁଁ ବା ଯାଇପାରୁଛି କୁଆଡ଼େ ?’’

 

କହିଲି, ‘‘ସେ କଥା ସତ । ତୁମେ ଏଠି ରହ, ମୁଁ ବି ମଝିମଝିରେ ଆସୁଥିବି ।’’ କିନ୍ତୁ ଦୁଃଖର ବିଷୟ ମୁଁ ଆଉ ଯାଇପାରିଲି ନାହିଁ ।

☆☆☆

 

Unknown

ଅଲୋଡ଼ା ଅତିଥି

 

ମୁଁ ସେତେବେଳକୁ ତେଇଶି ବର୍ଷର ଯୁବକ ହୋଇଯାଇଥାଏ । ପଢ଼ାଶୁଣା କରି, ଭଦ୍ରସମାଜରେ ବୁଲି ଐଶ୍ୱର୍ଯ୍ୟ ଭିତରେ ଦିନ କଟିଚାଲିଥାଏ । କାହାର ସମ୍ପତ୍ତିରେ ମୁଁ ସେ ଐଶ୍ୱର୍ଯ୍ୟ ଭୋଗ କରୁଥିଲି, ସେ କଥା କିନ୍ତୁ ମୁଁ ନିର୍ଦ୍ଦିଷ୍ଟ ଭାବରେ ଜାଣିନଥାଏ ।

 

ମୋର ଲଣ୍ଡନ ବସାଘରେ ମୁଁ ସେଦିନ ଏକା । ହାର୍ବର୍ଟ ଅଫିସକାମରେ କିଛିଦିନ ଲାଗି ଫ୍ରାନ୍‌ସ ଯାଇଥାଏ ।

ସେଦିନ ସନ୍ଧ୍ୟାବେଳକୁ ବର୍ଷା ଆରମ୍ଭ ହୋଇଗଲା । ପବନ ବହିଲା ସାଇଁ ସାଇଁ । ସବୁ ଚେଷ୍ଟା ସତ୍ତ୍ୱେ ବାହାରର ବତୀଗୁଡ଼ାକ ଲିଭିଗଲା । ଏପରି ଏକ ପାଗରେ ଏକାଟିଆ ହୋଇ ଘରେ ବସି ରହିବା କଷ୍ଟକର । ରାତି ଏଗାରଟା ଯାଏଁ ବସି ବହି ପଢ଼ିଲି । ଶେଷକୁ ବହି ବନ୍ଦ କରି ଉଠିବାକୁ ଯାଉଛି, ଜଣାଗଲା ସିଡ଼ିରେ କାହାର ପାଦଶବ୍ଦ ଶୁଭୁଛି । ଟିକିଏ କାନଡେରି ବସିଲି । ସତେ ତ, କିଏସେ ଜଣେ ଉପରତାଲାକୁ ଆସୁଛି ! ବାହାରେ ବତୀ ନଥିବାରୁ ମୋର ପଢ଼ାଟେବୁଲ୍‌ରୁ ବତୀଟା ନେଇ କବାଟ ଖୋଲି ଠିଆହେଲି । ଆଲୁଅ ଦେଖି କି କ’ଣ, ଉପରକୁ ଆସୁଥିବା ଲୋକଜଣକ ଅଧାବାଟରେ ଅଟକିଗଲା ।

 

ପଚାରିଲି, ‘‘କେହି ଉପରତାଲାକୁ ଆସୁଛ କି ?’’

 

‘‘ହଁ ।’’

 

‘‘କେଉଁଠିକି ?’’

 

‘‘ଉପରତାଲାକୁ ।’’

 

‘‘କାହା ପାଖକୁ ଯିବ ?’’

 

‘‘ମିଷ୍ଟର ପିପ୍‌ଙ୍କ ପାଖକୁ ଯିବାକୁ ଚାହେଁ ।’’

 

‘‘ମୋ ନାଆଁ ତ ମିଷ୍ଟର ପିପ୍‌ । କିନ୍ତୁ, ତମେ ଭୁଲରେ ମୋ ନାଆଁ କହୁ ନାହଁ ତ ?’’

 

‘‘ନା, ମୋଟେ ନୁହେଁ । ଭୁଲ୍ କରିନି ।’’ କହୁ କହୁ ଲୋକଜଣକ ଉପରକୁ ଉଠିଆସିଲା । ଦେହରେ ଗରମ ସୁଟ । ଦେଖୁ ଦେଖୁ ମନେହେବ ଲୋକଟି କୌଣସି ଜାହାଜରୁ ଓହ୍ଲାଇ ଆସିଛି । ମୁଣ୍ଡଉପରଟା ସମ୍ପୂର୍ଣ୍ଣ ଚନ୍ଦା, କେବଳ ପଛ ଓ ଦୁଇ କରରେ ଘଞ୍ଚ ପାଚିଲା ବାଳ । ବୟସ ବୋଧହୁଏ ଷାଠିଏ ଖଣ୍ଡେ ହେବ । ତଥାପି ଖୁବ୍‌ ଟାଣୁଆ ଚେହେରା ।

 

ପାଖକୁ ଆସୁ ଆସୁ ଲୋକଟା ମୋ ଆଡ଼କୁ ଦୁଇହାତ ବଢ଼ାଇଦେଲା ।

 

ପଚାରିଲି, ‘‘ତୁମର କ’ଣ ଦରକାର ?’’

 

‘‘ଦରକାର ? ....ହଁ, ମୁଁ ସେହି କଥା ହିଁ କହିବାକୁ ଚାହେଁ ।’’

 

‘‘ତା’ହେଲେ ଘର ଭିତରକୁ ଆସିବ ?’’

 

‘‘ହଁ ବାବୁ, ମୁଁ:ଘର ଭିତରକୁ ଯିବାକୁ ଚାହେଁ ।’’

 

ଲୋକଟାକୁ ଦେଖି ମତେ କାହିଁକି ଭଲ ଲାଗୁନଥାଏ । ତଥାପି ଭଦ୍ରତା ଖାତିରିରେ ତାକୁ ନେଇ ଘରଭିତରେ ବସାଇଲି । ଆଲୁଅଟା ଟେବୁଲ ଉପରେ ରଖିଦେଇ ପଚାରିଲି, ‘‘ତୁମର ପରିଚୟ ?’’

 

ଲୋକଟା ଅବାକ୍‌ ହୋଇ ମୋତେ ଚାହିଁବାକୁ ଲାଗିଲା । ଧୀରେ ଧୀରେ ନିଜର ଓଭରକୋଟ ଓ ଟୋପି ଖୋଲି ରଖିଲା । ତାପରେ ଆଉ ଥରେ ମୋ ଆଡ଼କୁ ଦୁଇହାତ ବଢ଼ାଇଦେଲା ।

 

ଆଶ୍ଚର୍ଯ୍ୟର କଥା ! ଲୋକଟା ପାଗଳ ନା କ’ଣ ? ଟିକିଏ ବିରକ୍ତ ସ୍ୱରରେ କହିଲି, ‘‘ଅସଲ କଥା ହେଲା, ତୁମେ ଚାହଁ କ’ଣ ?’’

 

ମୋ ଉପରୁ ଦୃଷ୍ଟି ଫେରାଇନେଇ ଲୋକଟା ତଳକୁ ଚାହିଁଲା । ତା’ପରେ ଗମ୍ଭୀର ଭାବରେ କହିଲା, ‘‘ଏତେ ସମୟ ଅପେକ୍ଷା କରି, ଏତେବାଟ ଆସି, ଶେଷରେ ଏଇଆ ହେଲା ! ହାୟରେ କପାଳ !! ....କିନ୍ତୁ ଏଥିରେ ତୁମର କିଛି ଦୋଷ ନାହିଁ; ମୋର ବି କୌଣସି ଦୋଷ ନାହିଁ । କହୁଛି, ସବୁ କଥା କହୁଛି, ଶୁଣ....’’

 

ହଠାତ୍‌ କଥା ବନ୍ଦ କରିଦେଲା । କିଛି ସମୟ ଚୁପ୍‌ ହୋଇ ରହିବା ପରେ ଚାରଆଡ଼କୁ ଆଖି ବୁଲାଇନେଇ ପଚାରିଲା, ‘‘ପାଖଆଖରେ ଆଉ କେହି ନାହିଁ ତ ?’’

 

ମୋର ଏଥିରେ ରାଗ ଆସିଲା । ସିଧା ସିଧା ହୋଇ ପଚାରିଲି, ‘‘କି ବିଚିତ୍ର ଲୋକ ତୁମେ ? ଚିହ୍ନା ନାହିଁ, ପରିଚୟ ନାହିଁ, ଏତେ ରାତିରେ ମୋ କୋଠରୀ ଭିତରକୁ ଆସି ଇଏ କି ପ୍ରକାର ପ୍ରଶ୍ନ ପଚାରୁଛ, ଶୁଣେ ?’’

 

ଲୋକଟି କହିଲା, ‘‘ଦେଖୁଛି, ବୟସ ବଢ଼ିବା ସଙ୍ଗେ ସଙ୍ଗେ ବେଶ୍‌ ସାହସୀ ବି ହୋଇଛ-। ସତ କହୁଛି, ତୁମ ସାହସ ଦେଖି ମତେ ଭାରି ଖୁସି ଲାଗୁଛି । କିନ୍ତୁ; ତା’ ବୋଲି ମୋ ଦେହରେ ଯେପରି ହାତ ନ ଦିଅ । ସେପରି ଯଦି କର, ତେବେ ପରେ ଅନୁତାପ କରିବ ।’’

 

‘‘କ’ଣ କହୁଛ ତୁମେ ?’’ କହୁ କହୁ ହଠାତ୍‌ ମୋର ବୋଧ ହେଲା ଲୋକଟାକୁ ମୁଁ ପୂର୍ବରୁ ଦେଖିଛି । ଆରେ ହଁ ତ ! ଠିକ୍‌ ଏହି ଲୋକ !! ସେହି ମୁହୂର୍ତ୍ତରେ ମୁଁ ଲୋକଟାକୁ ଚିହ୍ନିପକାଇଲି । ବାହାରେ ଚାଲିଥିବା ଝଡ଼ ବତାସ ଯଦି ମଝିର ଏଇ ଅତୀତ ବର୍ଷଗୁଡ଼ାକ କେଉଁଆଡ଼େ ଉଡ଼ାଇ ନିଅନ୍ତା, ଯଦି ଆମ ଦୁଇଜଣଙ୍କୁ ଉଡ଼ାଇନେଇ ସେହି ଗୀର୍ଜାର କବରଖାନାରେ ପକାଇଦିଅନ୍ତା, ଯେଉଁଠି ଆମେ ଦୁହେଁ ପ୍ରଥମେ ମୁହାଁମୁହିଁ ହୋଇ ଠିଆହୋଇଥିଲୁ ତେବେ ତାକୁ ଯେପରି ସ୍ପଷ୍ଟ ଭାବରେ ଚିହ୍ନିପାରନ୍ତି, ଠିକ୍‌ ସେହିଭଳି ସ୍ପଷ୍ଟ ଭାବରେ ଚିହ୍ନିପାରିଲି, ମୋ ଆଗରେ, ମୋ ଚଉକିରେ ବସିଥିବା ସେହି ଲୋକକୁ । ସେ ଅନ୍ୟ କେହି ନୁହେଁ । ସେ ହେଉଛି ମୋର ପୂର୍ବପରିଚିତ କଇଦୀ ଜଣକ !

 

ଚଉକିରୁ ଉଠିପଡ଼ି ସେ ମୋ ଆଡ଼କୁ ଆଗେଇ ଆସିଲା । ପୁଣି ଥରେ ବଢ଼ାଇଦେଲା ତା’ର ହାତ ଦୁଇଟି । କ’ଣ କରିବି କିଛି ସ୍ଥିର କରିବା ପୂର୍ବରୁ ଅନିଚ୍ଛା ସତ୍ତ୍ୱେ ହାତ ଦୁଇଟି ବଢ଼ାଇଦେଲି ତାହାରି ଆଡ଼କୁ ।

 

ଗଭୀର ଆବେଗରେ ସେ ମୋର ହାତ ଦୁଇଟି ଚିପିଧରିଲା ଓ ଦୁଇ କରତଳରେ ଆଙ୍କିଦେଲା ଦୁଇଟି ଉଷ୍ଣ ଚୁମ୍ୱନ । ତାପରେ ହାତ ଦୁଇଟି ନ ଛାଡ଼ି କହିବାକୁ ଲାଗିଲା, ‘‘ଦେଖ ବାପ, ଦିନେ ତୁମେ ବଡ଼ ଭଲ କାମ କରିଥିଲ । ପିପ୍‌, ତୁମର ସେ ଉଦାରତା, ତୁମର ସେ ଦୟାର କଥା ମୁଁ କେବେହେଲେ ଭୁଲିପାରିବି ନାହିଁ ।’’

 

କହୁ କହୁ ସେ ମୋ ଆଡ଼କୁ ଆଗେଇ ଆସିଲା–ସତେ ଯେପରି ମୋତେ ତା’ର ଛାତି ଉପରେ ଜାବୋଡ଼ି ଧରିବ । ତା’ ଛାତିରେ ହାତ ଦେଇ ମୁଁ ତାକୁ ଅଟକାଇଦେଲି । କହିଲି, ‘‘ରହ ଟିକିଏ ଛାଡ଼ି ଠିଆହୁଅ । ପିଲାଦିନେ ମୁଁ ଯେଉଁ ଟିକକ ଉପକାର କରିଥିଲି, ତୁମେ ଯଦି ସେଥିପାଇଁ କୃତଜ୍ଞବୋଧ କରୁଥାଅ, ତେବେ ଜୀବନର ପଥ ବଦଳାଇ ତୁମେ ତା’ର ପରିଚୟ ଦେଇପାରିଛ; ମୁଁ ବିଶ୍ୱାସ କରୁଛି । ଯଦି ମତେ ଧନ୍ୟବାଦ ଦେବାଲାଗି ଆସିଥାଅ, ତେବେ ଶୁଣ, ଧନ୍ୟବାଦର କୌଣସି ଦରକାର ନାହିଁ । ଯାହାହେଉ, ତୁମେ ନିଶ୍ଚୟ ଭଲ ମନ ନେଇ ଆସିଛ; ମୁଁ ତୁମକୁ ଦୂରକୁ ଠେଲି ଦେଇନପାରେ । କିନ୍ତୁ ତୁମର ବୁଝିବା ଉଚିତ ଯେ ....ମୁଁ...’’

 

ମୋର ବାକ୍ୟ ଅଧା ହୋଇ ରହିଗଲା । ଲୋକଟା ଏପରି ଭାବରେ ଏକାଧ୍ୟାନରେ ମତେ ଚାହିଁରହିଥାଏ ଯେ, ତାହା ଦେଖି ମୋର ପାଟିର କଥା ପାଟିରେ ହିଁ ରହିଗଲା ।

 

ବିଷଣ୍ଣ କଣ୍ଠରେ ସେ କହିଲା, ‘‘କ’ଣ କହିଲ ତୁମେ ? ମୋର ବୁଝିବା ଉଚିତ ? ...କ’ଣ ବୁଝିବା ଉଚିତ ?’’

 

କହିଲି ‘‘ବୁଝିବା ଉଚିତ ଯେ, ସେହି ବହୁଦିନ ତଳେ ତୁମ ସହିତ ମୋର ଯେଉଁ ଆକସ୍ମିକ ପରିଚୟ ହୋଇଥିଲା, ଆଜିର ଏ ପରିସ୍ଥିତିରେ ସେ ପରିଚୟକୁ ମୁଁ ନୂତନ କରିପାରିବି ନାହିଁ । ତୁମେ ଅନୁତାପ କରିଛ, ସତ୍‌ପଥକୁ ଆସୁଛ, ଏ କଥା ବିଶ୍ୱାସ କରି ମୁଁ ପ୍ରକୃତରେ ଆନନ୍ଦଲାଭ କରୁଛି ଏବଂ ତୁମକୁ ମୋର ଆନନ୍ଦ ବିଷୟ ଜଣାଇପାରୁଥିବାରୁ ମୁଁ ଆହୁରି ଆନନ୍ଦିତ । ତଥାପି ତୁମ ଜୀବନର ପଥଠାରୁ ମୋ ଜୀବନର ପଥ ଭିନ୍ନ । ...ଆରେ, ତୁମେ ଯେ ପୂରାପୂରି ଓଦା ହୋଇଯାଇଛ । ଖୁବ୍‌ କ୍ଳାନ୍ତଶ୍ରାନ୍ତ ବି ହୋଇପଡ଼ିଛ । ଯିବାପୂର୍ବରୁ କିଛି ଟିକିଏ ପାନୀୟ ପିଇଯିବ କି-?’’

 

ସେହିପରି ସେହି ଅପଲକରେ ଆଖିରେ ମୋ ମୁହଁକୁ ଚାହିଁରହି ସେ କହିଲା, ‘‘ଧନ୍ୟବାଦ, ନିଶ୍ଚୟ ପିଇବି ।’’

 

ତା’ପାଇଁ ଟିକିଏ ଗରମ୍‌ କଫି ତିଆରି କରିଦେଲି । ଗ୍ଳାସଟା ତା’ ହାତକୁ ବଢ଼ାଇଦେବାକୁ ଯାଏ ତ ଦେଖିଲି ତା’ର ଦୁଇଆଖି ଲୁହରେ ଭରିରହିଛି ।

 

ସେ ପର୍ଯ୍ୟନ୍ତ ମୁଁ ଠିଆହୋଇ ରହିଥିଲି–ଉଦ୍ଦେଶ୍ୟ ହେଲା ଲୋକଟା ବୁଝୁ ଯେ, ମୁଁ ଚାହେଁ ସେ ଚାଲିଯାଉ । କିନ୍ତୁ ତା’ ଆଖିରେ ଲୁହ ଦେଖି ମୋ ମନଟା କାହିଁକି ନରମ ହୋଇଗଲା । ମନରେ ଅନୁତାପ ଆସିଲା । ପାଖ ଚଉକିରେ ବସିପଡ଼ି କହିଲି, ‘‘ବିଶ୍ୱାସ କର, ତୁମକୁ କୌଣସି ଖରାପ କଥା କହିବା ମୋର ଉଦ୍ଦେଶ୍ୟ ନୁହେଁ, ଯଦି କହିଦେଇଥାଏ ତେବେ ମତେ କ୍ଷମା କରିବ । ମୁଁ ସେଥିପାଇଁ ଦୁଃଖିତ । ମୁଁ ତୁମର ମଙ୍ଗଳ ଚାହେଁ, ମୁଁ ଚାହେଁ ତୁମେ ସୁଖି ହୁଅ ।’’

 

ଲୋକଟା ଟେବୁଲ ଉପରଦେଇ ମୋ ଆଡ଼କୁ ତା’ର ଡାହାଣ ହାତଟା ବଢ଼ାଇଦେଲା । ମୋ ହାତ ନେଇ ତା’ ହାତ ଉପରେ ରଖିଲି । ସେତେବେଳେ ଯାଇ ସେ ପାନୀୟ ଗ୍ଳାସଟା ନେଇ ପାଟିରେ ଦେଲା । ତା’ ପରେ ଦୁଇ ହାତରେ ଦୁଇ ଆଖି ଓ କପାଳ ଘୋଡ଼ାଇ ରଖି କ’ଣ ଟିକିଏ ଭାବିଲା । ମୁଁ ପଚାରିଲି, ‘‘ତୁମେ ଆଜିକାଲି କ’ଣ କରୁଛ ?’’

 

ସେ କହିଲା, ‘‘ମେଣ୍ଢା ଚରାଉଛି, ବ୍ୟବସାୟ କରୁଛି । ହଜାର ହଜାର ମାଇଲ ଡେଇଁ ସମୁଦ୍ର ଆରପାଖରେ ଅଷ୍ଟ୍ରେଲିଆ ବୋଲି ଗୋଟିଏ ଦେଶ ଅଛି, ଜାଣିଥିବ ?’’

 

‘‘ହଁ, ହଁ !’’

 

‘‘ସେଇଠି, ସମୁଦ୍ରର ଝଡ଼ଝଞ୍ଜା ଡେଇଁ ସୁଦୂର ଅଷ୍ଟ୍ରେଲିଆରେ ମୁଁ ବ୍ୟବସାୟ କରୁଛି ।’’

 

‘‘ଆଶା କରେ, ତୁମେ ଆଜିକାଲି ଭଲକାମରେ ହାତ ଦେଇଛ । ଭଲ କରୁଛ ?’’

 

‘‘ଏତେ ଭଲ କାମ ମୁଁ କରିଛି ଯେ, ଅନ୍ୟମାନେ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ । ମୋ ସାଙ୍ଗରେ ଆହୁରି ବି ଅନେକ ଯାଇଥିଲେ । ସେମାନେ ବି ଭଲକାମ କରିଛନ୍ତି । କିନ୍ତୁ ମୋ ସହିତ କେହି ତାଳ ଦେଇପାରିନାହିଁ । ସେଥିଲାଗି ମୁଁ ଜଣେ ବିଖ୍ୟାତ ଲୋକ ହୋଇପାରିଛି ।’’

 

‘‘ତୁମ କଥା ଶୁଣି ମତେ ବଡ଼ ଖୁସି ଲାଗୁଛି ।’’

 

ଲୋକଟା କହିଲା, ‘‘ଦେଖ ବାପା, ତୁମେ ଯେ ଏହିତକ କଥା କହିବ, ମୁଁ ଏତେଦିନ ଧରି ସେହି ଆଶାହିଁ କରିଆସିଛି । ...ମୋ କଥା ଶୁଣି ତୁମେ ଆଶ୍ଚର୍ଯ୍ୟ ହେଉଛ ନା ? ତା’ ଆଗରୁ ତୁମକୁ ଗୋଟିଏ କଥା ପଚାରେ, ତା’ର ଉତ୍ତର ଦିଅ । ସେହି ବହୁଦିନ ତଳେ ନଈକୂଳର ସେହି ସନ୍ତସନ୍ତିଆ ଗହୀରରେ ତୁମ ସହିତ ମୋର ଯେଉଁ ଦେଖାହୋଇଥିଲା, ତା’ ତ ତୁମର ମନେଅଛି-। ତୁମର ସେତେବେଳକାର ଅବସ୍ଥାଠାରୁ ଆଜି ତୁମେ ବହୁତ ଉଚ୍ଚରେ । ତୁମ ଅବସ୍ଥାର ଏ ଯେଉଁ ଉନ୍ନତି ଘଟିଛି, ଏହା କିପରି ଘଟିଛି କହିପାରିବ କି ?’’

 

ଗୋଟାଏ ଅପରିଚିତ ଲୋକ ସହିତ ଏ ସବୁ ବିଷୟ ନେଇ ଆଲୋଚନା କରିବାକୁ ମୋର ଇଚ୍ଛା ହେଲାନାହିଁ । ମୁଁ କୌଣସି ଉତ୍ତର ନଦେଇ ଚୁପ୍‍ ହୋଇ ରହିଲି ।

 

ଗ୍ଲାସରୁ ପାନୀୟତକ ପିଇଦେଇ ଲୋକଟା ଠିଆ ହୋଇପଡ଼ିଲା । ଧୀରେ ଧୀରେ ଚୁଲିପାଖକୁ ଯାଇ ତା’ର ଓଦା ଜୋତାହଳକ ଗରମ କରୁ କରୁ ମୋ ଆଡ଼କୁ ଅପଲକ ନୟନରେ ଚାହିଁରହିଲା ।

 

ନିଜର ଅନିଚ୍ଛା ସତ୍ତ୍ୱେ ମୁଁ କହିଲି, ‘‘ମୁଁ କିଛି ଗୋଟାଏ ସମ୍ପତ୍ତି ପାଇଛି ।’’

 

‘‘ପଚାରିପାରେ କି କେଉଁ ସମ୍ପତ୍ତି ?’’

 

‘‘ମୁଁ ଜାଣେନା ।’’

 

‘‘ତାହାହେଲେ ସେ ସମ୍ପତ୍ତିଟା କାହାର ସମ୍ପତ୍ତି କହିପାରିବ ?’’

 

‘‘ତା’ ବି ଜାଣେନା ।’’

 

‘‘କିନ୍ତୁ ଆଜିକାଲି ତୁମେ ବାର୍ଷିକ କେତେ ଟଙ୍କା ଖର୍ଚ୍ଚ କରିବାକୁ ପାଉଛ, ତାହା ମୁଁ କହିଦେଇପାରେ । ତୁମ ବାର୍ଷିକ ଖରଚର ପ୍ରଥମ ଅଙ୍କଟା ପାଞ୍ଚ ନୁହଁ ?’’

 

ମୋ ଛାତି ଭିତରଟାକୁ କିଏସେ ଯେପରି ହଠାତ୍‌ ହାତୁଡ଼ିରେ ଛେଚିଦେଲା । ମୁଁ ଗୋଟାଏ ଭୟରେ ଚଉକି ଛାଡ଼ି ଠିଆ ହୋଇପଡ଼ିଲି ।

 

ଲୋକଟା କହିବାକୁ ଲାଗିଲା, ‘‘ତୁମେ ଯେତେଦିନ ପର୍ଯ୍ୟନ୍ତ ନାବାଳକ ଥିଲ, ସେତେଦିନ ପର୍ଯ୍ୟନ୍ତ ତୁମର ଜଣେ ଅଭିଭାବକ ଥିଲେ ନା ? ସେ ବାବୁ ଜଣେ ଓକିଲ । ସେ ଓକିଲବାବୁଙ୍କର ନାମର ପ୍ରଥମ ଅକ୍ଷରଟା କହିବି ? ଜେ, ନୁହେଁ ?’’

 

ପ୍ରକୃତ ଅବସ୍ଥାଟା ମୋ ଆଖିଆଗରେ ବିଦ୍ୟୁତ୍‌ଭଳି ଝଲସିଉଠିଲା । ମୁଁ ତାହାହେଲେ ଏ ସୌଭାଗ୍ୟ ଓ ଏ ସମ୍ପତ୍ତି ମିସ୍‌ ହାବିସାମ୍‌ଙ୍କଠାରୁ ପାଇନାହିଁ ? ପାଇଛି ଏହି ଆଗନ୍ତୁକ ବିଚିତ୍ର ବୃଦ୍ଧଠାରୁ ? ପାଇଛି ଗୋଟିଏ ସାମାନ୍ୟ କଇଦୀହାତରୁ ? ପାଇଛି ଏପରି ଜଣେ ହତଭାଗାଠାରୁ ଯେ ନିଜର ଦୁଷ୍କର୍ମ ଲାଗି ପ୍ରଥମେ କାରାବାସ ଦଣ୍ଡ ପାଇଥିଲା ଏବଂ ଶେଷରେ ନିର୍ବାସିତ ହୋଇଛି ନିଜର ଦେଶରୁ ?

 

ମୁହୂର୍ତ୍ତକ ମଧ୍ୟରେ ହତାଶା ଓ ଅସମ୍ମାନର ଏକ ପ୍ରବଳ ଝଡ଼ ମୋତେ ମାଡ଼ିବସିଲା । ମୁଁ ଶ୍ୱାସରୁଦ୍ଧ ହୋଇଗଲି । ପାଟିରୁ ପଦଟାଏ କଥା ବି ବାହାରିପାରିଲା ନାହିଁ । ଗୋଟାଏ ହାତରେ ଚଉକି ଓ ଆର ହାତରେ ଛାତିଟା ଚିପିଧରି ମୁଁ ନୀରବ ନିଶ୍ଚଳ ସ୍ଥାଣୁ ପରି ଠିଆହୋଇ ରହିଲି !

 

ଏଁ ! ଏ କ’ଣ !! ସତରେ ମୁଁ ଶ୍ୱାସରୁଦ୍ଧ ହୋଇଗଲି ଯେ ! ସମସ୍ତ ଘରଟା ମୋ ଆଖିଆଗରେ ଚକ୍ରପରି ଘୂରିବୁଲୁଛି; ମୁଣ୍ଡ ଠିକ୍‌ ରହୁନାହିଁ !!

 

ଲୋକଟା ବିଜୁଳିବେଗରେ ଦୌଡ଼ିଆସି ମତେ ଧରିପକାଇଲା । ଧୀରେ ଧୀରେ ନେଇ ଶୁଆଇଦେଲା ପାଖରେ ପଡ଼ିଥିବା ସୋଫା ଉପରେ । ତା’ପରେ ମୋ ଆଗରେ ଆଣ୍ଠୁମାଡ଼ି ବସି ଅତି ଆଦର କଣ୍ଠରେ କହିଲା, ‘‘ତୁମେ ଠିକ୍‌ ଧରିପାରିଛ ପିପ୍‌, ମୁଁ...ମୁଁ ହିଁ ତୁମକୁ ମଣିଷ କରି ଗଢ଼ିଛି-। ସେହିଦିନ, ସେହି ଦନୀକୂଳରେ ହିଁ ମୁଁ ପ୍ରତିଜ୍ଞା କରିଥିଲି, ଯାହା କିଛି ଉପାର୍ଜନ କରିବି, ସେସବୁ ତୁମକୁ ଦେବି । ତୁମକୁ ପ୍ରଚୁର ସମ୍ପତ୍ତିର ଅଧିକାରୀ କରି ଗଢ଼ିବି । ତୁମକୁ ସୁଖୀ କରି ରଖିବାଲାଗି ମୋ ଜୀବନରେ ମୁଁ ଅନେକ କଷ୍ଟ ଭୋଗ କରିଛି । ମୁଁ କରିଛି କଠୋର ପରିଶ୍ରମ, ଯାହାଫଳରେ କି ତୁମକୁ କୌଣସି ଦିନ ଖଟି ଖାଇବାକୁ ପଡ଼ିବ ନାହିଁ । ଦେଖ ବାପା, ମୁଁ ଏତେସବୁ କହୁଛି କାହିଁକି ଜାଣ ? ତୁମର କୃତଜ୍ଞତାର କଥା ସ୍ମରଣ କରାଇଦେବାକୁ କହୁନାହିଁ । ଏକଥା ମୁଁ କହୁଛି–ଯାହା ଫଳରେ ତୁମେ ବୁଝିପାରିବ ଯେ ଦିନେ ଜୀବନବିକଳରେ ପ୍ରାଣ ନେଇ ଲୁଚିଛପି ରହିଥିବା ଯେଉଁ ହତଭାଗା ଅସହାୟ ଜୀବନଟାକୁ ତୁମେ ଖାଦ୍ୟ ଦେଇ ବଞ୍ଚାଇଥିଲ, ସେହି ଲୋକଟି ଆଜି ମଣିଷସମାଜରେ ମଣିଷ ପରି ମୁଣ୍ଡ ଟେକି ଠିଆହେବା ଲାଗି ଅନ୍ତତଃ ଜଣେ ମଣିଷ ଗଢ଼ିପାରିଛି–ଏବଂ ସେହି ମଣିଷଟି ହେଉଛ ତୁମେ, ମୋର ଆଦରର ପିପ୍‌ ।’’

 

ଘୃଣା, ଭୟ ଓ ବିତୃଷ୍ଣାର ମୋର ସାରା ଶରୀରଟା ଝାଇଁ ଝାଇଁ କରୁଥିଲା । ଲୋକଟା କିନ୍ତୁ ଆବେଗଭରା କଣ୍ଠରେ ଆହୁରି କହିଚାଲିଲା, ‘‘ଭାବି ଦେଖ ପିପ୍‌, ମୁଁ ତୁମର ପାଳକ ପିତା । ତୁମେ ମୋର ପୁଅ–ପୁଅଠାରୁ ବି ଯଥେଷ୍ଟ ବଡ଼ । ମୁଁ ଟଙ୍କା ଜମାଇଛି, କେବଳ ତୁମେ ଖର୍ଚ୍ଚ କରିବ ବୋଲି । ସୁଦୂର କେଉଁ ଦେଶର ନିର୍ଜନ ପଡ଼ିଆରେ ମାସ ମାସ ଧରି ମେଣ୍ଢା ଚରାଇଛି । କେତେ ଯେ ଦିନ ସେଭଳି କଟିଯାଇଛି; ମଣିଷର ମୁହଁ ଦେଖିବାକୁ ମିଳିନାହିଁ । ମଣିଷମୁହଁର ଆକାର ପ୍ରକାର ମୁଁ ଭୁଲି ହିଁ ଯାଇଥିଲି । କିନ୍ତୁ ସେତେବେଳେ ସବୁ ଦୁଃଖଦୁର୍ବିପାକ ଭିତରେ ଆଖିଆଗରେ ଭାସିଉଠିଛି କେବଳ ଗୋଟିଏ ମୁହଁ–ତୁମରି ମୁହଁ । କେତେଥର ମନେମନେ କହିଉଠିଛି, ‘ଯଦି କେବେ ଟଙ୍କାପଇସା ପାଏ, ତେବେ ମୁଁ ତାକୁ ନିଶ୍ଚୟ ମଣିଷ କରି ଗଢ଼ିବି ।’–ମୋର ସେ ଆଶା ସଫଳ ହୋଇଛି; ତୁମେ ହିଁ ତା’ର ପ୍ରମାଣ ।’’

 

କହୁ କହୁ ମୋ ପକେଟରୁ ଘଣ୍ଟାଟା ବାହାର କରିନେଇ ଏବଂ ଯେଉଁ ଆଙ୍ଗୁଠିରେ ମୁଁ ମୁଦି ପିନ୍ଧିଥିଲି, ସେହି ଆଙ୍ଗୁଠିଟା ଟେକିଧରି ସେ ପୁଣି କହିଚାଲିଲା, ‘‘ଏହି ଦେଖ, କେଡ଼େ ସୁନ୍ଦର ସୁନାଘଡ଼ି, କେତେ ସୁନ୍ଦର ସୁନାମୁଦି । ଏସବୁ ତ କେବଳ ବଡ଼ ଲୋକଙ୍କ ହାତରେ ହିଁ ଦେଖିବାକୁ ମିଳେ । ତୁମର ଏ ପୋଷାକ, ତୁମର ଏ ଆସବାବପତ୍ର, ତୁମର ସବୁ ସୁନ୍ଦର, ଚମତ୍କାର । ଆଉ ଏ ଯେଉଁ ଆଲମାରୀରେ ଭରିହୋଇ ରହିଛି ବହି !! କେତେ ବହି ଏ ନୁହଁ ! ସବୁ ବହି ତୁମେ ପଢ଼ିଛ, ୟାଠାରୁ ବଡ଼ ଆନନ୍ଦର କଥା ଆଉ କ’ଣ ଥାଇପାରେ ! ଦେଖ ବାପା, ତୁମେ ମତେ ଗୋଟି ଗୋଟି କରି ସବୁ ବହି ପଢ଼ି ଶୁଣେଇବ, ଏଁ ?’’

 

ଗଭୀର ଆବେଗରେ ସେ ଆଉ ଥରେ ମୋର ଦୁଇହାତ ଟାଣିନେଇ ଚୁମ୍ୱନ ଦେଲା ।

 

‘‘ନା, ନା, ପିପ୍‌, ତୁମେ କୌଣସି କଥା କହ ନାହିଁ । ଖାଲି ଚୁପ୍‌ ହୋଇ ସବୁ ଶୁଣ । ଦେଖ ବାପା, ଏହି ମଧୁର ଦିନଟି ପାଇଁ ମୁଁ ଯେଉଁ ବ୍ୟାକୁଳ ପ୍ରତୀକ୍ଷାରେ ଦିନ କଟାଇଛି, ତୁମେ ସେପରି କରିନାହଁ । ତଥାପି–ତଥାପି କ’ଣ କେବେହେଲେ ତୁମ ମନରେ ଆସିନାହିଁ ଯେ ମୁଁ ଏସବୁ କରିଛି ?’’

 

ମୋ ମୁହଁରୁ ସିଧା ସିଧା ବାହାରିପଡ଼ିଲା ‘‘ନା, ନା, ନା–ମୁହୂର୍ତ୍ତକ ପାଇଁ ବି ମୁଁ ଏକଥା ଭାବିନାହିଁ ।’’

 

‘‘ଅଥଚ ମୁଁ ହିଁ ଏସବୁ କରିଛି । ଏକା ମୁଁ । ମୁଁ ଏବଂ ମିଷ୍ଟର ଜ୍ୟାଗର୍ସ–ଆମ ଦୁଇଜଣଙ୍କ ଛଡ଼ା ଆଉ କେହି ଏକଥା ଜାଣେନା ।’’

 

‘‘ଆଉ କେହି ଜାଣେନା ?’’

 

‘‘ନା, ଆଉ କିଏସେ ଜାଣିବ କହ ?’’

 

କିଛି ସମୟ ଯାଏଁ ଉଭୟେ ଚୁପ୍‌ ହୋଇ ରହିଲୁ । ମୋର ମନଭିତରେ ବହି ଚାଲିଥାଏ ଚିନ୍ତାର ଝଡ଼ ।

 

ଧୀରେ ଧୀରେ ଲୋକଟା ମୋ କାନ୍ଧଉପରେ ହାତ ରଖିଲା । ମୁଁ ଚମକିପଡ଼ିଲି । –ସେ ହାତରେ ଏବେବି ରକ୍ତର ଦାଗ ଲାଗିଛି ନା କ’ଣ !

 

‘‘ଦେଖ ବାପା, ଅଷ୍ଟ୍ରେଲିଆ ଛାଡ଼ି ଆସିବା ମୋ ପକ୍ଷରେ ସହଜ କଥା ନୁହେଁ; ନିରାପଦ ବି ନୁହେଁ । ସାରା ଜୀବନ ପାଇଁ ମତେ ସେଠାକୁ ପଠାଇ ଦିଆଯାଇଥିଲା । ଆଜି ଯଦି ଜଣାପଡ଼ିଯାଏ ଯେ ମୁଁ ସେଠାରୁ ଫଷରିଆସିଛି, ତେବେ ମତେ ଫାଶୀ ଦେଇଦେବେ । ତଥାପି–ତଥାପି ମୁଁ ଚାଲିଆସିଛି ବାପା !’’

 

ଟିକିଏ ଅପେକ୍ଷା କରି ସେ ପୁଣି କହିଲା, ‘‘ମୋର ରହିବା ପାଇଁ ତୁମେ କେଉଁଠି ବ୍ୟବସ୍ଥା କରିବ ? ଏଥର ମୁଁ ଟିକିଏ ଶୋଇବି । ଖୁବ୍‌ ନିଦ ମାଡ଼ିଆସୁଛି । ଜାଣ, ମାସ ମାସ ଧରି ସମୁଦ୍ରଲହରୀରେ ଜାହାଜ ଆମର ଝୁଲିଝୁଲି ଚାଲିଛି । ଦେହଟା ଖାଲି ଝାଙ୍କିହେଉଛି ।’’

 

ଭାବିଥିଲି ଲୋକଟା ଚାଲିଯିବ । କିନ୍ତୁ ଜଣାଗଲା ସେ ଆସିଛି ମୋ ପାଖରେ ରହିବାଲାଗି । ନିରୁପାୟ ହୋଇ କହିଲି, ‘‘ମୋ ସହିତ ରହୁଥିବା ବନ୍ଧୁ ଜଣକ ବାହାରକୁ ଯାଇଛନ୍ତି, ଆପଣ ତାରି ବଖରାରେ ରହନ୍ତୁ ।’’

 

‘‘ସେ ଆଜିକାଲି ପହଞ୍ଚି ଯିବନାହିଁ ତ ?’’

 

‘‘ନା, କାଲି ଆସିବ ନାହିଁ ।’’

 

‘‘ଦେଖ ବାପା, ଖୁବ୍‌ ସାବଧାନ । ଜଣାପଡ଼ିଗଲା ତ ଫାଶୀ ।’’

 

ମୁଁ ଚଉକିରୁ ଉଠି ତର ତର ହୋଇ ଘରର ଦୁଆର ଝରକା ସବୁ ଭଲକରି ବନ୍ଦ କରିଦେଲି । ଏତେ ରାତିରେ ଘରେ ଆଲୁଅ ଜଳୁଛି ଦେଖିଲେ କିଏସେ ଯଦି କିଛି ସନ୍ଦେହ କରେ !! ଲୋକଟା କିଛି ବିସ୍କୁଟ ଓ ପାନୀୟ ଖାଇ ବସିଲା । ତା’ର ସେ ଖାଇବା ଚେହେରା ଦେଖି ଅତୀତର ସେହି ରୂପଟା ଆଖିଆଗରେ ନାଚିଉଠିଲା–ସନ୍ତସନ୍ତିଆ ଗହୀରମାଳରେ ସେହି କଇଦୀଟା ବସି ଏକଧ୍ୟାନରେ ଗାଉଁ ଗାଉଁ କରି ଖାଇଚାଲିଛି ।

 

ଖିଆପିଆ ପରେ ତାକୁ ନେଇ ହାର୍ବର୍ଟର ବଖରାରେ ଛାଡ଼ିଦେଇ ଆସିଲି । ଫେରିବାବେଳେ ସେ ମୋର ଦୁଇ ହାତ ପାପୁଲିରେ ପୁଣି ଚୁମ୍ୱନ ଦେଇ କହିଲା, ‘‘ଗୁଡ଼୍‌ ନାଇଟ୍‌ !’’

 

ଗୋଟାଏ ଦୌଡ଼ରେ ଆସି ମୁଁ ମୋ ଚଉକି ଉପରେ ବସିଗଲି । ଆଗରେ ଜଳୁଥିଲା ନିଆଁ । ବହୁ ସମୟ ଧରି ଆଖିକୁ ନିଦଆସିଲା ନାହିଁ । ମନଭିତରେ ଲାଗିରହିଥିଲା ଚିନ୍ତାର ଝଡ଼ । ଏଷ୍ଟେଲା ଓ ମତେ ନେଇ ମିସ୍‌ ହାବିସମ ଯେଉଁ ଯୋଜନା ଗଢ଼ିଛନ୍ତି, ତାହା ଏକ ଅଳିକ ସ୍ୱପ୍ନରେ ପରିଣତ ହୋଇଯିବ । ଏଷ୍ଟେଲା ତାହାହେଲେ ମୋର ବା କାହିଁକି ହେବ ? ସବୁଠାରୁ ବଡ଼ ଦୁଃଖର କଥା ହେଲା, ଗୋଟାଏ ଅପରିଚିତ କଇଦୀ ପାଇଁ ମୁଁ ମୋର ପିତୃବ୍ୟ ତୁଲ୍ୟ ଜୋ ଭିଣୋଇଙ୍କୁ ବି ଭୁଲିଗଲି । ଜୀବନରେ ଏ କି ବିପର୍ଯ୍ୟୟ ଘଟିଲା ମୋର !!

 

ରାତି ସେତେବେଳକୁ ଖୁବ୍‌ ଡେରି । ମହମବତୀଟା ନେଇ ହାର୍ବର୍ଟର ବଖରାକୁ ଗଲି । ଲୋକଟି ନିଘୋଡ଼ ନିଦରେ ଶୋଇଥାଏ । ମୁଣ୍ଡଉପରେ ପଡ଼ିଥାଏ ଖଣ୍ଡିଏ ରୁମାଲ । ମୁହଁରେ ଭରିହୋଇ ରହିଥାଏ ଶାନ୍ତି । ତକିଆ ପାଖରେ ଥୁଆହୋଇଥାଏ ଗୋଟିଏ ପିସ୍ତଲ ।

 

ଚୁପ୍‍ଚାପ୍‌ ଦୁଆର ବନ୍ଦ କରି ଫେରିଆସିଲି । କ୍ଳାନ୍ତ ମନ ଓ ଅବଶ ଦେହଟାକୁ ଲମ୍ୱାଇଦେଲି ଚଉକିଉପରେ ।

 

ସକାଳେ ନିଦ ଭାଙ୍ଗିବାବେଳକୁ ଗୀର୍ଜା ଘଣ୍ଟାରେ ଟଂ ଟଂ କରି ବାଜିଲା ପାଞ୍ଚ । ମହମବତୀଟା ପୋଡ଼ି ଶେଷ ହୋଇଯାଇଥାଏ । ଚୁଲିର ନିଆଁବି ଲିଭି ଯାଇଥାଏ । ସକାଳର ଆକାଶଟାରେ ଭରିହୋଇ ରହିଥାଏ ମେଘ । ଚତୁର୍ଦ୍ଦିଗରେ ଘେରି ରହିଥାଏ ଅନ୍ଧାର । ଫାଟକ ପହରାବାଲାଠାରୁ ବତୀଟାଏ ଆଣିଲେ ଅନ୍ତତଃ କାମ ଚଳିବ ଭାବି ମୁଁ ତଳକୁ ଓହ୍ଲାଇ ଗଲାବେଳକୁ ପାହାଚକୋଣରେ କିଏସେ ଗୋଟାଏ ବସିଥିଲା, ତାକୁ ଝୁଣ୍ଟି ପକାଇଲି । ଲୋକଟା ଚଟ୍‌ କରି କେଉଁଆଡ଼େ ଦୌଡ଼ି ଚାଲିଗଲା, ଦେଖିପାରିଲି ନାହିଁ । ଫାଟକ ପହରାବାଲାକୁ ଡାକପକାଇଲି । ଦିହେଁ ବତୀ ନେଇ ଏଣେତେଣେ ଚାହିଁଲୁ । କାହାକୁ କେଉଁଠି ଦେଖିବାକୁ ପାଇଲୁ ନାହିଁ । ପହରାବାଲା କହିଲା, ‘‘କାଲି ରାତିରେ ଆପଣଙ୍କର ସେ କିଏସେ... ।’’

 

‘‘ମୋ, ....ମୋ ଦାଦା । କ’ଣ ହେଲା ?’’

 

‘‘ଆପଣଙ୍କ ଦାଦାଙ୍କ ପଛେ ପଛେ କିଏସେ ଗୋଟାଏ ଲୋକ ଏ ଭିତରକୁ ଆସିଲା । ମୁଁ ଆଉ ବେଶି ନଜର ରଖିନାହିଁ । କୁଲି ଭଳିଆ ଦେଖାଯାଉଥିଲା ତ ।’’

 

ମନଟା ଅସ୍ଥିର ହେବାକୁ ଲାଗିଲା । ବଖରାରେ ବତୀ ଲଗାଇ ଚୁଲିରେ ନିଆଁ ଧରାଇଲି-। ବସି ଢୁଳୋଉ ଢୁଳୋଉ ବେଳ ଗଡ଼ିଗଲା । ସେ ଲୋକଟି ଉଠିଲେ ସକାଳ ଜଳଖିଆାର ବ୍ୟବସ୍ଥା କରିବା ଲାଗି ମୁଁ ଅପେକ୍ଷା କରିଛି, ଏତିକିବେଳେ ସେ ଆସି ପହଞ୍ଚିଗଲା ।

 

ରାତିକଥା ଅଲଗା, ଦିନ ଆଲୁଅରେ ମୁଁ ତା’ ମୁହଁକୁ ମୋଟେ ଚାହିଁପାରିଲି ନାହିଁ । କହିଲି, ‘‘ମୁଁ ତ ଆପଣଙ୍କ ନାଁ ବି ଜାଣେନା । ପହରାବାଲାକୁ କହିଲି ଆପଣ ମୋର ଦାଦା ହେବେ । ଆପଣଙ୍କୁ କ’ଣ ବୋଲି ଡାକିବି ?’’

 

‘‘ଠିକ୍‌ ଅଛି ବାପା, ତୁମେ ମୋତେ ଦାଦା ବୋଲି ହିଁ ଡାକ ।’’

 

‘‘ଜାହାଜରେ ଚଢ଼ିବାବେଳେ ଆପଣଙ୍କର ନାଁ ଗାଁ ତ ଲେଖା ହୋଇଥିବ ?’’

 

‘‘ଓଃ, ସେତେବେଳେ ମୁଁ କହିଦେଇଥିଲି ମୋ ନାଁ ପ୍ରୋଭିସ୍‌ ।’’

 

‘‘କହିଦେଇଥିଲେ ମାନେ ? ଅସଲ ନାଁଟା କ’ଣ ?’’

 

ଲୋକଟା ଚୁପ୍‌ ଚୁପ୍‌ କରି କହିଲା, ‘‘ମୋର ଅସଲ ନାଁ ହେଲା ମ୍ୟାଗ୍‌ଉଇଚ ।’’

 

‘‘ଆପଣ ଯେତେବେଳେ କାଲି ରାତିରେ ଏଠିକି ଆସିଲେ, ସେତେବେଳେ ସାଙ୍ଗରେ ଆଉ କାହାକୁ ଆଣିଥିଲେ କି ?’’

 

‘‘ମୋ ସାଙ୍ଗରେ ? ନାହିଁ ତ ବାପା । ତେବେ ମୁଁ ଆସିବା ପରେ ପରେ ଆଉ ଜଣେ କେହି ବି ଫାଟକ ଭିତରକୁ ଆସିଥିଲା ।’’

 

‘‘ଲଣ୍ଡନରେ ଆପଣଙ୍କୁ ଅନ୍ୟ କେହି ଚିହ୍ନେ ?’’

 

‘‘ନ ଚିହ୍ନିବା ହିଁ ଭଲ ।’’

 

‘‘ପୂର୍ବରୁ କେବେ ଆପଣ ଲଣ୍ଡନ ଆସିଥିଲେ ?

 

‘‘କେବେ କେମିତି ଆସିଥିବି । ସାଧାରଣତଃ ମୁଁ ମଫସଲରେ ହିଁ ରହିଥାଏ ।’’

 

‘‘ଆଚ୍ଛା....ଲଣ୍ଡନରେ ତ ଆପଣଙ୍କର ମକଦ୍ଦମା ବିଚାର ହୋଇଥିଲା ?’’

 

‘‘କେଉଁଥର ?’’

 

‘‘ଶେଷଥର ।’’

 

ଲୋକଟା ମୁଣ୍ଡ ଟୁଙ୍ଗାରି ହଁ ଭରିଲା । କହିଲା, ‘‘ସେତିକିବେଳେ ମିଷ୍ଟର ଜ୍ୟାଗର୍ସଙ୍କ ସହିତ ମୋର ପରିଚୟ ହୋଇଥିଲା; ସେ ମୋର ଓକିଲ ଥିଲେ ।’’

 

ମୁଁ ପଚାରିଆସୁଥିଲି; ‘କି ଅପରାଧରେ ଆପଣଙ୍କୁ ଧରାଯାଇଥିଲା, କିନ୍ତୁ ଠିକ୍‌ ସେତିକିବେଳେ ପ୍ରୋଭିସ୍‌ ଖାଇବାଲାଗି ପ୍ରସ୍ତୁତ ହୋଇ ଛୁରି ବାହାର କରୁ କରୁ କହି ପକାଇଲା, ‘‘ଯେପରି କାମ କରିଥିଲି, ସେପରି ଦଣ୍ଡ ବି ପାଇଗଲି ।’’

 

ସକାଳ ଜଳଖିଆ ପରେ ଟିକିଏ ଧୂମପାନ କରି ସେ ପୁଣି ମୋ ଆଡ଼କୁ ଦୁଇହାତ ବଢ଼ାଇଦେଲା । ମୋର ଦୁଇହାତ ଧରି ଝୁଲାଇ ଝୁଲାଇ ସେ କହିଲା, ‘‘ଏହି ମଣିଷଟିକୁ ମୁଁ ଗଢ଼ିଛି । ମଣିଷ ଯାହାକୁ କହନ୍ତି ସେମିତି ମଣିଷ । ସତରେ ପିପ୍‌, ତୁମକୁ ଦେଖି ମୁଁ ପରମ ଆନନ୍ଦ ପାଉଛି-।’’

 

ତା’ପରେ ସେ ପକେଟରୁ ଗୋଟାଏ ମୋଟା ନୋଟ୍‌ ବହି ବାହାରକରି ଟେବୁଲ ଉପରେ ମେଲାଇଦେଲା । କହିଲା, ‘‘ଦେଖ, ଏ ଭିତରେ ଅନେକ ଟଙ୍କାର ନୋଟ ରହିଛି । ଏ ସବୁ ତୁମର । ତୁମେ ବଡ଼ଲୋକଙ୍କ ପରି ଖର୍ଚ୍ଚ କର । ମୁଁ ଦେଖି ଆଉରି ଆନନ୍ଦ ପାଏ । ନିଅ ।’’

 

ମୁଁ ବିରକ୍ତ ହୋଇ କହିଉଠିଲି, ‘‘ରଖନ୍ତୁ ସେସବୁ । ମୁଁ ଜାଣିବାକୁ ଚାହେଁ ଆପଣ ବର୍ତ୍ତମାନ କ’ଣ କରିବେ ? କ’ଣ କଲେ ଆପଣଙ୍କୁ ନିରାପଦରେ ରଖିହେବ ? ....କେତେ.... ?’’

 

‘‘ଦେଖ ବାପା, ଏଠି ସେଭଳି କିଛି ବିପଦ ଅଛି କି ? ଯେତେଦିନ ପର୍ଯ୍ୟନ୍ତ ପୋଲିସ୍‌ରେ ଖବର ଦିଆଯାଇନାହିଁ, ସେତେଦିନ ପର୍ଯ୍ୟନ୍ତ ତ କୌଣସି ଭୟର କାରଣ ନାହିଁ । ମତେ ଜାଣିଛନ୍ତି ଜ୍ୟାଗର୍ସ, ତାଙ୍କ କିରାଣି ଓଏମିକ୍‌ ଏବଂ ତୁମେ । ଏ ତିନିଙ୍କୁ ଛାଡ଼ିଦେଲେ ଆଉ କିଏ ମତେ ଜାଣେ ଯେ ପୋଲିସକୁ ଖବର ଦେବ ?’’

 

‘‘ରାସ୍ତାରେ ଗଲାବେଳେ ହଠାତ୍‌ ଯଦି କେହି ଆପଣଙ୍କୁ ଚିହ୍ନିପକାଏ ?’’

 

‘‘ନା । ଶୁଣ କହୁଛି, ଏହାର ଶହେଗୁଣ ବିପଦ ଥିଲେ ବି ମୁଁ ତୁମକୁ ଦେଖିବାକୁ ଆସନ୍ତି-।’’

 

‘‘ଆପଣ ଏଠାରେ କେତେଦିନ ରହିବେ ?’’

 

ପାଟିରୁ ପାଇପଟା ବାହାର କରିଆଣି ସେ ଏକଧ୍ୟାନରେ ମୋ ମୁହଁକୁ ଚାହିଁ ରହିଲା । କହିଲା, ‘‘କେତେଦିନ ମାନେ ? ମୁଁ ତ ଆଉ ଫେରିଯିବି ନାହିଁ । ମୁଁ ଏଠାରେ ରହିବାଲାଗି ଚାଲିଆସିଛି ।’’

 

‘‘କିନ୍ତୁ ଆପଣ ରହିବେ କେଉଁଠି ? କେଉଁଠି ରହିଲେ ଆପଣ ନିରାପଦରେ ରହିପାରିବେ ?’’

 

‘‘ଦେଖ ବାପା, ଟଙ୍କା ଦେଲେ ମଣିଷର ବେଶ ବଦଳାଇବାକୁ ନାନାପ୍ରକାର ଜିନିଷ ମିଳୁଛି । ମୁଁ ସେସବୁ ଭାବୁନାହିଁ । ତେବେ କେଉଁଠି କିଭଳି ଭାବରେ ମତେ ରଖିବ, ତାହା ତୁମେ ହିଁ ଠିକ୍‌ କରିବ ।’’

 

କହିଲି, ‘‘ଏଇନେ ତ ଖୁବ୍‌ ନିଶ୍ଚିନ୍ତରେ କଥାଭାଷା କରୁଛନ୍ତି । କିନ୍ତୁ କାଲି ରାତିରେ କହୁଥିଲେ ଯେ ଟିକିଏ ଅସାବଧାନ ହେଲେ ଫାଶୀ ହୋଇଯିବ ?’’

 

‘‘ସେଥିରେ କ’ଣ କିଛି ସନ୍ଦେହ ଅଛି ? ନିଶ୍ଚୟ ଫାଶୀ ହୋଇଯିବ । କିନ୍ତୁ ଥରେ ଯେତେବଳେ ଚାଲିଆସିଛି, ଆଉ ଉପାୟ କ’ଣ ? ଫେରିଯିବା ଅସମ୍ଭବ । ତା’ ଛଡ଼ା, ବର୍ଷ ବର୍ଷ ଧରି ମୁଁ ତୁମ ପାଖକୁ ଆସିବି, ଏହି ସ୍ୱପ୍ନ ହିଁ ଦେଖିଆସିଛି । ତେଣୁ ମରଣ ଯଦି ଆସିବ, ତେବେ ଆସୁ । ମରଣ ଆଗରେ ସିଧା ହୋଇ ଠିଆହେବି; ସେ ଆସିଲେ ତାକୁ ନିଶ୍ଚୟ ସ୍ୱୀକାର କରିବି; କିନ୍ତୁ ତା’ ପୂର୍ବରୁ ନୁହେଁ ।’’ ସେ ପୁଣି ମୋର ହାତ ଦୁଇଟି ଧରି ବିସ୍ମୟରେ ମତେ ଚାହିଁ ରହିଲା ।

 

କହିଲି, ‘‘ଆପଣ ଏ ନାଉରୀପୋଷାକ ଛାଡ଼ି ଜଣେ ଧନୀ ଚାଷୀର ପୋଷାକ ପିନ୍ଧନ୍ତୁ । ମୁଁ ଲୁଗାପଟା ପାଇଁ ଆଜି ବରାଦ କରିଦେଉଛି । ଆଉ ଗୋଟାଏ କଥା, ହାର୍ବର୍ଟ ଫେରିଆସିବା ମାତ୍ରେ ଆପଣଙ୍କୁ ଅନ୍ୟତ୍ର ଘୁଞ୍ଚିଯିବାକୁ ପଡ଼ିବ । ସେଥିପଇଁ ଏ ଆଖପାଖରେ ମୁଁ ଅନ୍ୟ ଗୋଟାଏ ଘରଭଡ଼ା ନେବାର ବ୍ୟବସ୍ଥା କରୁଛି । ଆପଣ ସେଠାରେ ରହିବେ । ହାର୍ବର୍ଟ ଆସିଲେ ତାକୁ ସବୁ କଥା କହି, ତାରି ପରାମର୍ଶରେ ଯାହା କିଛି– ।’’

 

ସେ ଆପତ୍ତି କରି କହିଲେ, ‘‘ନା, ନା, ମୁଁ ଆଗ ହାର୍ବର୍ଟକୁ ଦେଖିସାରେ । ସେ କିଭଳି ଲୋକ ତାହା ନ ଜାଣି, ନ କରି କୌଣସି ପରାମର୍ଶ ନେବା ଉଚିତ ହେବ ନାହିଁ ।’’

 

ସେହିଦିନ ଉପରବେଳା ନିକଟରେ ଖଣ୍ଡେ ଘରଭଡ଼ା ନେଇନେଲି । ପ୍ରୋଭିସ୍‌ ପାଇଁ ଲୁଗାପଟା ନୂଆ ବି ବରାଦ କରିଦେଲି । ତାପରେ ଗଲି ମିଷ୍ଟର ଜ୍ୟାଗର୍ସଙ୍କ ଅଫିସକୁ ।

 

ମୋତେ ଦେଖିବାମାତ୍ରେ ମିଷ୍ଟର ଜ୍ୟାଗର୍ସ ମୁହଁ ବୁଲାଇ ଠିଆହୋଇପଡ଼ିଲେ । କହିଲେ, ‘‘ଖୁବ୍‌ ସାବଧାନରେ ରହିବ ପିପ୍‌ ।’’

 

‘‘ଆଜ୍ଞା, ନିଶ୍ଚୟ ରହିବି ।’’

 

‘‘ଆଉ ଦେଖ, ଏଠି କାହାର ନାମ ପର୍ଯ୍ୟନ୍ତ ତୁମେ ଉଚ୍ଚାରଣ କରିବା ଆବଶ୍ୟକ ନାହିଁ । କାହାରି ନାଁ ଧରିନି । ମୁଁ କୌଣସି ବିଷୟ ଶୁଣିବାକୁ ବି ଚାହେଁନା ।’’

 

ବୁଝିଗଲି । ସେ ସବୁ ଜାଣନ୍ତି । ପଚାରିଲି, ‘‘ମି. ଜ୍ୟାଗର୍ସ, ମୁଁ କେବଳ ଏତିକି ଜାଣିବାକୁ ଚାହେଁ ଯେ ମତେ ଯାହାସବୁ କୁହାଗଲା, ସେସବୁ କ’ଣ ସତ୍ୟ ?’’

 

‘‘ସମ୍ପୂର୍ଣ୍ଣ ସତ୍ୟ ।’’

 

‘‘ମୋର କିନ୍ତୁ ଆଗରୁ ଧାରଣା ଥିଲା ଯେ, ମୁଁ ଏ ଯେଉଁ ବିଷୟ ସମ୍ପତ୍ତି ସବୁ ଭୋଗ କରୁଛି, ସେ ସବୁ ମିସ୍‌ ହାବିସାମ୍‌ଙ୍କଠାରୁ ହିଁ ପାଉଛି ।’’

 

‘‘ଗୋଟାଏ ନୀତିବାକ୍ୟ ମନେରଖ–ଉପରଠଉରିଆ ହେଲେ ଅସଲ ସତ୍ୟକୁ ଧରିହୁଏନା ।’’

 

ଗୋଟାଏ ଦୀର୍ଘନିଃଶ୍ୱାସ ପକାଇ କହିଲି, ‘‘ମୋର ଆଉ କିଛି କହିବାର ନାହିଁ । ଯାହା ଜାଣିବାର ଥିଲା, ଜାଣିଗଲି । ଯାଉଛି ।’’

☆☆☆

 

ଅକୁହା କାହାଣୀ

 

ଦୁଃଖ ଓ ମନସ୍ତାପ ଭିତରେ କେତୋଟି ଦିନ କଟିଗଲା । ପ୍ରୋଭିସ୍‌ ଯେତେପ୍ରକାର ନୂଆ ପୋଷାକ ପିନ୍ଧାଇଲେ ବି ମୋର ମନେହେଲା ତା’ର ଅସଲ ପରିଚୟଟା ଲୁଚିପାରିବ ନାହିଁ ।

 

ବହୁତ ଖାଟେଣି ପରେ ସେଦିନ ସନ୍ଧ୍ୟାରେ ମୁଁ ଚଉକିରେ ବସି ଢୁଳୋଉଛି, ଏତିକିବେଳେ ପାହାଚରେ କାହାର ପାଦଶବ୍ଦ ଶୁଭିଲା । ପ୍ରୋଭିସ୍‌ ସଙ୍ଗେ ସଙ୍ଗେ ଗୋଟାଏ ଚକ୍‌ଚକିଆ ଧାରୁଆ ଛୁରି ଆଣି ଠିଆ ହୋଇପଡ଼ିଲା । ପାଦଶବ୍ଦ ବାରି ମୁଁ କହିଲି, ‘‘ଭୟ ନାହିଁ; ହାର୍ବର୍ଟ ଆସୁଛି ।’’

 

ସତକୁ ସତ ହାର୍ବର୍ଟ ଆସି ପହଞ୍ଚିଗଲା । ଘରେ ପାଦ ନ ଦେଉଣୁ ପାଟି କରିଉଠିଲା, ‘‘ହାଲୋ ପିପ୍‌, କେମିତି ଅଛୁ ? ...ଆରେ, ଇଏ କ’ଣ ? ତୋ ଚେହେରା କ’ଣ ବିଲକୁଲ୍‌ ବଦଳିଯାଇଛି ? ଦେହ ଖରାପ ଥିଲା ନା କ’ଣ ? ...କଥା... ?’’

 

ପ୍ରୋଭିସ୍‌ ଉପରେ ନଜର ପଡ଼ିଯିବା ମାତ୍ରେ ତା’ର କଥା ବନ୍ଦ ହୋଇଗଲା । ଆଖିରେ ତା’ର ଫୁଟିଉଠିଲା ପ୍ରଶ୍ନ ।

 

କହିଲି, ‘‘ଏ ଭିତରେ ଭାଇ, ଅନେକ ବଦଳିଯାଇଛି । ଇଏ ମୋର ଜଣେ ଅତିଥି ଆସିଛନ୍ତି ।’’

 

ପ୍ରୋଭିସ୍‌ ଚଟ୍‌କରି ନିଜ ପକେଟ୍‌ରୁ ଖଣ୍ଡେ ପୁରୁଣା ମସିଆ ବାଇବେଲ ବାହାର କରି ହାର୍ବର୍ଟ ଆଡ଼କୁ ବଢ଼ାଇଦେଲା । କହିଲା, ‘‘ଦେଖ, ଏ ବାଇବେଲ ଧର୍ମଗ୍ରନ୍ଥ ଛୁଇଁ ଶପଥ କର ଯେ ମୋ ବିଷୟ କାହାରିକୁ କହିବ ନାହିଁ ।’’

 

ହାର୍ବର୍ଟ ବିସ୍ମିତ ହୋଇଗଲା । ମୁଁ କହିଲି, ‘‘ସେ ଯାହା କହୁଛନ୍ତି, କର ।’’

 

ବାଇବେଲ ଛୁଇଁ ହାର୍ବର୍ଟ ଶପଥପାଠ କରିସାରିବା ପରେ ମୁଁ ସବୁ ବିଷୟ ଖୋଲି କହିଦେଲି । ପ୍ରୋଭିସ ଗୋଟାଏ କୋଣରେ ବସି ପାଇପ ଟାଣିଚାଲିଥାଏ । କ୍ରମଶଃ ରାତି ବଢ଼ିଚାଲିଲା । ପ୍ରୋଭିସ୍‌କୁ ନେଇ ତା’ର ନୂଆ ବସାଘରେ ଛାଡ଼ି ଆସିଲି । ତାପରେ ଭବିଷ୍ୟତ କର୍ତ୍ତବ୍ୟ ସ୍ଥିର କରିବା ଲାଗି ଦୁଇବନ୍ଧୁ ବସିଗଲୁ ।

 

ହାର୍ବର୍ଟ କହିଲା, ‘‘ଦେଖ ପିପ୍‌, ଘଟଣାଟା ଏତେ ଆକସ୍ମିକ ଯେ, ଭଲକରି କିଛି ଭାବି ହେଉନାହିଁ ।’’

 

‘‘ପ୍ରଥମେ ମୁଁ ବି ସେହି ଅବସ୍ଥାରେ ପଡ଼ିଥିଲି । କିନ୍ତୁ ଯାହାହେଲେ ବି କିଛି ଗୋଟାଏ କରିବାକୁ ତ ହେବ ! ଏମିତିରେ କେତେଦିନ ଚଳିବ ? ମତେ ଏଥର ନିଜ ଗୋଡ଼ରେ ଠିଆହେବାକୁ ପଡ଼ିବ ।’’

 

‘‘ଅର୍ଥାତ୍‌ ତୁ କହିବାକୁ ଚାହୁଁ ଯେ ତା’ ପାଖରୁ ତୁ ଆଉ ଟଙ୍କାପଇସା ନେବୁନାହିଁ ?’’

 

‘‘କେମିତି ନେବି କହୁନୁ ? ଭାବି ଦେଖ, ଲୋକଟା କ’ଣ ? ଅବଶ୍ୟ ସେ ମତେ ଖୁବ୍‌ ଭଲପାଏ । ......ଆଉ ଗୋଟାଏ କଥା, ତାଠାରୁ ମୁଁ କ’ଣ କମ୍‌ ଟଙ୍କା ନେଲିଣି ? ଖର୍ଚ୍ଚ କରିବାରେ ଏଭଳି ଅଭ୍ୟସ୍ତ ହୋଇଯାଇଛି ଯେ, ବର୍ତ୍ତମାନ ବାହାରରେ କିଛିଟା ଦେଣା ବି ହୋଇଗଲାଣି । ଉପାର୍ଜନର କୌଣସି ପନ୍ଥା ନାହିଁ; କୌଣସି ବିଦ୍ୟା ବି ମୁଁ ଶିଖିପାରିନାହିଁ ।’’

 

ବାଧାଦେଇ ହାର୍ବର୍ଟ କହିଲା, ‘‘ଆରେ, ସେସବୁ କଥା ଥାଉ, ଦରକାର ହେଲେ ତୁ ଆମ ବ୍ୟବସାୟ ପ୍ରତିଷ୍ଠାନରେ କାମ କରିପାରିବୁ; ସେତିକି କ’ଣ ବଳେଇଯିବ ? କିନ୍ତୁ ମୋର ପ୍ରସ୍ତାବ ହେଉଛି, କୌଣସି ପ୍ରକାରରେ ପ୍ରୋଭିସକୁ ଇଂଲଣ୍ଡରୁ ବାହାରକୁ ପଠାଇଦେବାକୁ ପଡ଼ିବ । ତୁ ଯଦି ତା’ ସହିତ ଯାଆନ୍ତୁ, ଭାବୁଛି ସେଥିରେ ସେ ରାଜି ହୁଅନ୍ତା ।’’

 

ହତାଶ ହୋଇ କହିଲି, ‘‘ବାଧ୍ୟହୋଇ ସେହି କଥା କରିବାକୁ ପଡ଼ିବ । କିନ୍ତୁ ବିଶ୍ୱାସ କର ହାର୍ବର୍ଟ, ଲୋକଟା ମୋର ସମ୍ପୂର୍ଣ୍ଣ ଅପରିଚିତ, ଅଥଚ ସେ ଆଜି ମୋର ଭାଗ୍ୟ ଓ ଦୁର୍ଭାଗ୍ୟ ଉଭୟ ସହିତ ଘନିଷ୍ଠ ଭାବରେ ଜଡ଼ିତ । ମୁଁ କିପରି କ’ଣ କରିବି ?’’

 

‘‘କିନ୍ତୁ ଭୁଲିଯାଅନା ପିପ୍‌, ଲୋକଟା କେବଳ ତୋହରି ପାଇଁ ନିଜ ଜୀବନକୁ ଏତେ ବିପନ୍ନ କରି ବି ଏଠାକୁ ଦୌଡ଼ି ଆସିଛି । ତା’ର ଜୀବନରକ୍ଷା କରିବା ତୋର କର୍ତ୍ତବ୍ୟ । ତୁ ଯଦି ତା’ ବିଷୟରେ ଅଧିକ ଜାଣିବାକୁ ଚାହୁଁ, ତା’ହେଲେ କାଲି ସକାଳେ ଜଳଖିଆବେଳେ ତାକୁ ତା’ର ଇତିହାସ କଥା ପଚରାଯାଉ । ସବୁ ଶୁଣିବା ପରେ ଇଂଲଣ୍ଡରୁ କିପରି କେଉଁଠିକି ପଠାଇବା, ତା’ର ବ୍ୟବସ୍ଥା କରିବା ।’’

 

‘‘ଠିକ୍‌ ଅଛି । ପଚାରିବି ।’’

ତା’ ପରଦିନ ସକାଳେ ଯଥାସମୟରେ ପ୍ରୋଭିସ୍‌ ଆସି ପହଞ୍ଚିଲା ! ମୁଁ ସିଧାସଳଖ ଆରମ୍ଭ କରିଦେଲି, ‘‘ଦେଖନ୍ତୁ, କାଲି ରାତିରେ ଆପଣ ଯିବାପରେ ଆମେ ଦୁଇବନ୍ଧୁ ଆପଣଙ୍କ ବିଷୟରେ ଚର୍ଚ୍ଚା କରୁଥିଲୁ । ମୁଁ ତ ଆପଣଙ୍କର ଅତୀତ ବିଷୟରେ କୌଣସି କଥା ଜାଣେନା । ଆଚ୍ଛା, ଆପଣଙ୍କର ମନେଅଛି ନା, ସେହି ଗହୀରମାଳରେ ଆପଣଙ୍କ ସହିତ ଜଣଙ୍କର ଝଗଡ଼ା ଲାଗିଥିଲା ?’’

‘‘ଖୁବ୍‌ ମନେଅଛି ।’’

‘‘ସେହି ଯେଉଁ ଲୋକଟା, ସେ କିଏ ? ଆପଣଙ୍କର ଅତୀତ ସହିତ ତାହାର କି ସମ୍ପର୍କ-? –ଏସବୁ ବିଷୟ ଟିକିଏ ଖୋଲି କହିବାକୁ ଆପଣଙ୍କର କିଛି ଆପତ୍ତି ଅଛି କି ?’’

ଟିକିଏ ଭାବିବା ପରେ ପ୍ରୋଭିସ କହିଲା, ‘‘ନା ଆପତ୍ତି ଆଉ କ’ଣ ! ତେବେ, ଶୁଣୁଛ ପିପ୍‍ର ବନ୍ଧୁ ? କାଲି ତୁମେ ଯେଉଁ ଶପଥ କରିଥିଲ, ତାହା ମନେଅଛି ତ ?’’

‘‘ଆଜ୍ଞା, ନିଶ୍ଚୟ ମନେରଖିଛି ।’’

‘‘ବେଶ୍‌ ଶୁଣ ତାହାହେଲେ; ମୋ ଜୀବନର ଅକୁହା କାହାଣୀ ।’’

ପାଇପ୍‌ଟାକୁ କୋଟର ବୋତାମ କାଜାରେ ଖୋସିଦେଇ ପ୍ରୋଭିସ କିଛି ସମୟ ଚଉକିରେ ଝୁଲିବାକୁ ଲାଗିଲା । ଦୁଇ ଆଣ୍ଠୁରେ ଦୁଇହାତ ଭରାଦେଇ ଆଗରେ ଜଳୁଥିବା ନିଆଁଟାକୁ କିଛି ସମୟ କ୍ରୋଧରେ ଚାହିଁବାକୁ ଲାଗିଲା । ତା’ପରେ ଆରମ୍ଭ କଲା–

 

‘‘ଶୁଣ, ମୋ ଜୀବନର କାହାଣୀ, କିଛି ଗୀତ ନୁହଁ କି ଗପ ନୁହଁ । ଟିକିନିଖି କରି କହି ହେଉନାହିଁ । ଠିକେ ଠିକେ କହିଦେଲେ; କିଛିଦିନ ଜେଲଖାନାରେ କଟିଛି ତ, କିଛିଦିନ ଜେଲଖାନା ବାହାରେ । ପୁଣି ଜେଲଖାନାରେ ତ, ପୁଣି ବାହାରେ । –ଏଇଆ ତ !! ପିପକୁ ସେହି ପିଲାଦିନେ ଦେଖିବା ପୂର୍ବରୁ ଜୀବନଟା ମୋର ଏହିଭଳି ହିଁ କଟିଥିଲା ।

 

‘‘କେଉଁଠି ମୁଁ ଜନ୍ମ ହୋଇଥିଲି, ଜାଣେନା; କେବଳ ଏତିକି ଜାଣିଥିଲି ଯେ ମୋ ନାମ ମ୍ୟାଗ୍‌ଉଇଚ । ଆଉ ମନେପଡ଼ୁଛି, ଖୁବ୍‌ ଛୋଟ ହୋଇଥିବାବେଳେ ପେଟବିକଳରେ ଏଠୁସେଠୁ ଚୋରି କରି ଖାଏ । ଏହିଭଳି ଭାବରେ ଏଇଠି ସେଇଠି ଭିକ ମାଗି, ଚୋରି କରି, କେତେବେଳେ କେମିତି ଛୋଟକାଟର କାମଦାମ କରି କ୍ରମଶଃ ବଡ଼ ହେଲି ।

 

‘‘ତାପରେ-କୋଡ଼ିଏ ବର୍ଷ ତଳର କଥା–ଏପ୍‌ସମ୍‌ର ଘୋଡ଼ାଦୌଡ଼ ପଡ଼ିଆରେ ଜଣେ ଲୋକ ସହିତ ମୋର ପରିଚୟ ହୁଏ । ଆଜି ଯଦି ସେ ଲୋକଟାକୁ ଦେଖନ୍ତି, ତା’ ମୁଣ୍ଡ ଗଣ୍ଡି ଦୁଇଭାଗ କରିଦିଅନ୍ତି; ତା’ ଦହି ଖାଇଯାଆନ୍ତି । ଛାଡ଼–ସେ ଲୋକଟାର ନାଁ ହେଲା କମ୍ପେସନ୍‌ । କାଲି ରାତିରେ ମୋ ବିଷୟ କହୁ କହୁ ପିପ୍‌ ଯେଉଁ ଲୋକଟା କଥା କହୁନଥିଲା–ସେହି ମ, ଯାହା ସହିତ ଗହୀରମାଳରେ ମୋର ଲଢ଼େଇ ହୋଇଥିଲା, ସେହି ଲୋକଟା । ତା’ରି ନାଁ କମ୍ପେସନ୍‌ । ଲୋକଟା ଗୋଟାଏ ଆବାସୀ ବିଦ୍ୟାଳୟରେ ପାଠ ପଢ଼ିଥିଲା । ବେଶ୍‌ କିଛି ଲେଖାପଢ଼ା ଜାଣେ । ଚାଲିଚଳଣ କ’ଣ, କଥାଭାଷା କ’ଣ ସବୁଥିରେ ଲୋକଟା ଓସ୍ତାଦ । ଆଉ ଚେହେରା ଖଣ୍ଡିକ ବି ସୁନ୍ଦର ।

 

‘‘ସକାଳେ ଘୋଡ଼ାଦୌଡ଼ ହେବ । ଏପ୍‌ସମ୍‌ରେ ବଡ଼ ବଡ଼ ଲୋକଙ୍କର ଜଳଖିଆ ଦୋକାନରେ ଭିଡ଼ । ତା’ ପୂର୍ବ ରାତିରେ ଗୋଟାଏ ବଡ଼ ଜଳଖିଆ ଦୋକାନରେ ଲୋକଟା ସହିତ ମୋର ସାକ୍ଷାତ ହୁଏ । ତା’ ଛାତିରେ ପକେଟ ଘଣ୍ଟା; ଚେନ୍‌ଟା ଚକ୍‌ ଚକ୍‌ ହୋଇ ଝୁଲୁଥାଏ । ହାତରେ ଦାମିକା ସୁନାମୁଦି । ଚମତ୍କାର ଜାମାପଟା । ଜାଣ ଗୋଟାଏ ପୂରା ବାବୁ–ଭଦର ଲୋକ ଯାହାକୁ କହନ୍ତି ।

 

‘‘ମତେ ସେ କେତେବେଳୁ ଠଉରେଇଥିବ ନିଶ୍ଚୟ । ଦେଖିଦେବା ମାତ୍ରକେ ମତେ ପଚାରିଲା, ‘ଦିନକାଳ ବଡ଼ ଖରାପରେ କଟୁଛି ବୋଧହୁଏ ?’

 

‘‘କହିଲି, ‘ଆଜ୍ଞା, ଆଉ ସେକଥା କାହିଁକି ପଚାରୁଛନ୍ତି ? ଭାରି ଖରାପ ବେଳ ପଡ଼ିଛି ।’

 

‘ବ୍ୟସ୍ତ ହ’ନା, ବ୍ୟସ୍ତ ହ’ନା । ଆରେ କପାଳ ଖୋଲିବାକୁ ଚାହିଁଲେ କେତେ ସମୟ ଲାଗିବ ? ତୋ ଦେଇ କି କି କାମ ହୋଇପାରିବ ?’

 

‘‘କହିଲି, ‘ଆଜ୍ଞା, ଖାଇପାରିବି–ହଁ, ଅବଶ୍ୟ ଯଦି ଜୁଟେ ।’

 

‘‘କମ୍ପେସନ୍‌ ହସିଲା । ତାପରେ ଚୁପ୍‌ କରି ମୋ ହାତରେ ପାଞ୍ଚଟା ଶିଲିଂ ଗୁଞ୍ଜିଦେଇ କହିଲା, ‘କାଲି ରାତିରେ, ଏଇଠି ମୋ ସହିତ ଦେଖାହେବ, ବୁଝିଲୁ ?’

 

‘ଠିକ୍‌ ଅଛି, ହଜୁର ।’

 

‘‘ଦେଖାକଲି । ସେ ମତେ ନେଇଗଲା ତା’ର ଭାଗୁଆଳି ପାଖକୁ । କି ବ୍ୟବସାୟ ତାଙ୍କର ଜାଣ ? ଜୁଆଚୋରି, ଜାଲିଆତି, ଚୋରା ନୋଟ ଚାଲାଣ–ଏହିସବୁ କାରବାର । କମ୍ପେସନ ଥିଲା ଭାରି ଧୂର୍ତ୍ତ । ସେ ସବୁ ଫାନ୍ଦ ପକାଇପାରେ–କିନ୍ତୁ ସବୁବେଳେ ହୁସିଆର; ତା’ ଗୋଡ଼ରେ ଯେମିତି କାଦୁଅ ନ ଲାଗେ ।

 

‘‘କମ୍ପେସନ୍‌ର ଦଳରେ ଆଉ ଗୋଟାଏ ଲୋକ ବି ଥିଲା । ତା’ ନାଁ ଆର୍ଥର । ଅସଲି ନାଁ ତ ନୁହେଁ, ନକଲି । ତା’ ଅବସ୍ଥା ସେତେବେଳକୁ ଖୁବ୍‌ ଖରାପ । ଶୁଣିଲି ସେ ଓ କମ୍ପେସନ୍‌ ମିଶି ଜଣେ ଧନୀଘର ଝିଅଠାରୁ ବହୁତ ଟଙ୍କାପଇସା ମାରିଆଣିଥିଲେ–ଏଣୁତେଣୁ ଲୋଭ ଦେଖେଇ; ଆଉ କ’ଣ ? କମ୍ପେସନ ସେ ଟଙ୍କା ବଳରେ ଆହୁରି ଗୁଡ଼ାଏ ବି ଟଙ୍କା ରୋଜଗାର କରିପକେଇଲା-। ଆର୍ଥର ବିଚରା ରୋଗରେ ସଢ଼ି ସଢ଼ି ମଲା; କେହି ତା’ ପିଛା ଅଧଲାଟାଏ ଖର୍ଚ୍ଚ କଲେନି, ଆହା ବୋଲି ବି ପଦଟାଏ କାହା ପାଟିରୁ ବାହାରି ନାହିଁ । ଏତେ ଦେଖିଶୁଣି ବି ଆମେ କେତେଟା ସେ ଦଳ ଛାଡ଼ି ଯାଇପାରିଲୁ ନାହିଁ । ମୁଁ ଥିଲି ସମସ୍ତଙ୍କଠାରୁ ବେଶି ଗରିବ । ମୁଁ ତ କମ୍ପେସନଠାରୁ ଖରାପ କାମ, ସବୁ ସେ ମୋରି ହାତରେ କରାଏ । ସେ ସବୁବେଳେ ଭଦ୍ରଲୋକ, ମୁଁ ତ...ବୁଝୁଥିବ-। ଅଧେଦିନ ଜେଲଖାନାରେ ଜାଣ ।

 

‘‘ବିରାଡ଼ି ଏମିତି କେତେଦିନ ଆଖି ବୁଜିବୁଜି ଦୁଧ ପିଇବ ? ଦିନେ ଦିହେଁଯାକ ପୋଲିସ ହାତରେ ଧରାପଡ଼ିଲୁ । ବିଚାର ପରେ ରାୟ ବାହାରିଲା । ତା’ର ସାତ ବର୍ଷ, ମୋର ଚଉଦ ବର୍ଷ । ମାମୁଁଘର ସଜା । ଏକା କଇଦୀଜାହାଜରେ ଦୁହିଙ୍କି ନେଇ ବାନ୍ଧିଲେ । ମନ ମୋର ଚିଡ଼ି ଯାଇଥାଏ-। ସୁବିଧା ଖୋଜୁଥାଏ, କମ୍ପେସନ୍‌କୁ ପାଇବି ତ ଛେଚିବି । ଦିନେ ସୁବିଧା ଜୁଟିଗଲା-। ପଛପଟୁଆ କରିଦେଲି ଗୋଟାଏ ଠେଙ୍ଗା । ମୁଣ୍ଡ ଫାଟି ତଳେ ପଡ଼ିଗଲା । କିନ୍ତୁ ଜାହାଜର ସିପାହୀମାନେ ମତେ ଧରିନେଇ ଜାହାଜ ତଳର ଗୁପ୍ତ ସୁଡ଼ଙ୍ଗ ଭିତରେ ବାନ୍ଧି ରଖିଲେ । ବହୁ ଚେଷ୍ଟା ପରେ ସେ ଭିତରେ ଗୋଟାଏ କଣା କରି ବାହାରକୁ ଚାଲିଆସିଲି । ପ୍ରାଣ ନେଇ ପହଁରି ପହଁରି ଚୁପ୍‌ଚାପ୍‌ କୂଳକୁ ଉଠିଲି-। ଯାଇ ଲୁଚିଲି ଗୀର୍ଜା ଭିତରେ–କବରଖାନାରେ । ସେଇଠି ତ ମୋ ବାପା ସଙ୍ଗରେ ଦେଖା–ନୁହଁ ପିପ୍‌ ?’’

 

ପଚାରିଦେଇ ଏକାନ୍ତ ସ୍ନେହଭରା ଦୃଷ୍ଟିରେ ପ୍ରୋଭିସ୍‌ ମତେ ଚାହିଁ ରହିଲା । ଆହା ବିଚରା ! ସତରେ ତାକୁ ଦେଖି ମନରେ ବଡ଼ ଦୟା ଆସିଲା । କିନ୍ତୁ ସଙ୍ଗେ ସଙ୍ଗେ ଆସିଗଲା ଘୃଣ୍ୟ-। ପ୍ରୋଭିସ୍‌ ପୁଣି ଆରମ୍ଭ କଲା–

 

‘‘ତୁମେ ହିଁ ତ ମତେ ପ୍ରଥମେ କହିଲ ଯେ, ସେ ବି ଗଭୀରମାଳକୁ ଖସି ଚାଲିଆସିଛି । ମୁଁ ଠିକ୍‌ ଜାଣେ, କେବଳ ମୋରି ଭୟରେ ସେ ଜାହାଜରୁ ଖସି ଚାଲିଯାଇଥିଲା । ସିଏ ତ ଆଉ ଜାଣେନା ଯେ ମୁଁ ବି ଖସିଆସିଛି । ବହୁତ ଖୋଜି ଖୋଜି ତାକୁ ଗହୀର ଭିତରୁ ଧରିଲି । ମନଇଚ୍ଛା ଛେଚିଲି । ତାପରେ ଚୁଟି ଧରି ଟାଣି ଟାଣି ଆଣି ସୈନ୍ୟମାନଙ୍କୁ ହାତରେ ଦେଇଦେଲି । ଅବଶ୍ୟ ମୁଁ ବି ଧରାପଡ଼ିଲି ।’’

 

‘‘ହାୟରେ କପାଳ, ଏଥର ବି ତା’ର ଜିତ୍‌ ହେଲା । ନିଜ ଭଲପଣିଆର ଦ୍ୱାହିଦେଇ ହାକିମ ଆଗରେ ସେ ପ୍ରମାଣ କଲା ଯେ, ମୋରି ଭୟରେ ପାଗଳ ହୋଇ ସେ ଜାହାଜରୁ ଖସି ଚାଲିଯାଇଥିଲା । ଫଳରେ ତାକୁ ସାମାନ୍ୟ କେତେଟା ମାସ ସଜା ହେଲା । ମତେ ହେଲା ଆଜୀବନ ନିର୍ବାସନ । କିନ୍ତୁ ପ୍ରାଣଦଣ୍ଡ ଭୟ ଥିଲେ ବି ମୁଁ ସେଠାରେ ନ ରହି, ହେଇଟି ଚାଲିଆସିଛି ତୁମରି ପାଖକୁ ।’’

 

କହିସାରିବା ବେଳକୁ ପ୍ରୋଭିସ୍‌ର ମୁହଁଟା ଝାଳରେ ଓଦା ହୋଇଯାଇଥାଏ । କପାଳରୁ ଝାଳ ପୋଛି ସେ ପାଇପ୍‌ ଧରିଲା ।

 

କିଛି ସମୟ ପରେ ମୁଁ ପଚାରିଲି, ‘‘ସେ କ’ଣ ମରିଗଲାଣି ?’’

 

‘‘କାହା କଥା ପଚାରୁଛ ବାପା ? ’

 

‘‘କମ୍ପେସନ୍‌ ।’’

 

‘‘ତା’ ବିଷୟ ମୁଁ ଆଉ ଶୁଣିବାକୁ ପାଇନାହିଁ ।’’

 

ଏଯାବତ୍‌ ହାର୍ବର୍ଟ ଗୋଟାଏ ବହି ମେଲାଇ, ବହିପୃଷ୍ଠାକୁ ଚାହିଁ ସବୁ ଶୁଣୁଥିଲା । ସେ ବହିମଲାଟରେ କ’ଣ ଗୋଟାଏ ଲେଖେଇଦେଇ ମୋ ହାତକୁ ବଢ଼ାଇଦେଲା ।

 

ପଢ଼ିଦିଏ ତ ବିସ୍ମିତ ହୋଇଉଠିଲି । ସେ ଲେଖିଥିଲା–

 

‘‘ମିସ୍‌ ହ୍ୟାବିସାମ୍‌ଙ୍କର ସାବତ ଭାଇର ନାଁ ଆର୍ଥର । ଯେଉଁ ଠକ ଯୁବକଟି ସହିତ ମିସ୍‌ ହ୍ୟାବିସାମ୍‌ଙ୍କର ବିବାହପ୍ରସ୍ତାବ ହୋଇଥିଲା, ସେ ଲୋକଟିର ନାମ କମ୍ପେସନ !’’

 

ପ୍ରୋଭିସଠାରୁ ଏତକ ଶୁଣିବା ପରେ ଆମ ମନରେ ଗୋଟାଏ ନୂତନ ଭୟ ଦେଖାଦେଲା–ଯଦି କମ୍ପେସନ୍‌ ଏ ପର୍ଯ୍ୟନ୍ତ ନ ମରି ବଞ୍ଚିଥାଏ, ତେବେ ? ସେଦିନ ପାହାଚତଳେ ସେ ଛପି ରହିଥିଲା ନା କ’ଣ ?

 

ଭୟରେ ଭୟରେ ସାରାଦିନଟା କଟିଗଲା । ସନ୍ଧ୍ୟା ପରେ ପ୍ରୋଭିସ୍‌କୁ ନେଇ ତା’ ବସାଘରେ ଛାଡ଼ିଦେଇ ଆସିଲି । ତା’ପରେ ଦୁଇବନ୍ଧୁ ବସି ଅନେକ ସମୟ ଯାଏ ଆଲୋଚନା କଲୁ-। ପ୍ରୋଭିସ୍‌କୁ ଇଂଲଣ୍ଡରୁ ବାହାରକୁ ପଠାଇ ନ ଦେଲେ ବିପଦ ଅବଶ୍ୟମ୍ଭାବୀ । ବିପଦକୁ ଡରି ତ ସେ ଯିବ ନାହିଁ; କିନ୍ତୁ ମୁଁ ଯଦି ତା’ ସାଙ୍ଗରେ ଯାଏ, ତେବେ ଦେଶଭ୍ରମଣ ନାଆଁରେ ଇଂଲଣ୍ଡ ଛାଡ଼ିପାରେ ।

 

ନିଜର ଅବସ୍ଥା ବିଷୟ ସମ୍ପୂର୍ଣ୍ଣ ଉପଲବ୍‌ଧି କରିବା ପରେ ମନେହେଲା ଥରେ ଯାଇ ମିସ୍‌ ହ୍ୟାବିସାମ୍‌ଙ୍କ ସହିତ ସାକ୍ଷାତ କରି ଆସନ୍ତି । ଆଉ ବିଳମ୍ୱ ନ କରି ପରଦିନ ସକାଳେ ତାଙ୍କୁ ଦେଖାକରିବା ଲାଗି ଚାଲିଗଲି ।

 

କୋଠିଫାଟକ ମୁହଁରେ ହିଁ ଡ୍ରମେଲ୍‌ ସହିତ ଦେଖାହେଲା । ମନେଥିବ, ଶିକ୍ଷକ ମିଷ୍ଟର ପକେଟ୍‌ଙ୍କ ପାଖରେ ଡ୍ରମେଲ ପଢ଼ୁଥିଲା, ମୋର ସହପାଠୀ ଥିଲା । ପୂର୍ବରୁ ମୁଁ ଲକ୍ଷ୍ୟ କରିଛି, ଏଷ୍ଟେଲା ସହିତ ମିଶିବା ଲାଗି ସେ ବହୁ ଚେଷ୍ଟା କରିଛି–ସେ ଏକପ୍ରକାର ମୋର ପ୍ରତିଦ୍ୱନ୍ଦୀ ହୋଇ ରହିଥିଲା କହିଲେ ଚଳେ । ମୋତେ ଦେଖି ସେ ନ ଦେଖିଲା ପରି ବ୍ୟବହାର କଲା । ମୁଁ ବା କାହିଁକି ମୁହଁ ଖୋଲନ୍ତି । ଅଗତ୍ୟା ସାମାନ୍ୟ ପଦେଅଧେ କଥାଭାଷା ହେବାପରେ ସେ ଦେଖାଇହୋଇ ଗୋଟିଏ ଚାକରକୁ ହୁକୁମ ଦେଲା–

 

‘‘କିରେ, ମୋ ଘୋଡ଼ା ପ୍ରସ୍ତୁତ କଲୁଣି ଟି ?’’

 

‘‘ହେଇଟି, ଫାଟକ ମୁହଁକୁ ଆଣିଲିଣି ପରା, ହଜୁର ।’’

 

‘‘ଶୁଣ, ଏଷ୍ଟେଲା ଆଜି ମୋ ସହିତ ଘୋଡ଼ାରେ ଯିବେ ନାହିଁ, ପାଗଟା ଭଲ ନାହିଁ । ଆଉ ମୋ ପାଇଁ ଏଣେ ଖିଆପିଆାରେ ବ୍ୟବସ୍ଥା କରିବୁନି । ମୁଁ ଆଜି ଏଷ୍ଟେଲାଙ୍କ ଘରେ ଖାଇବି, ବୁଝିଲୁ ?’’ ମତେ ଶୁଣାଇବାଲାଗି ସେ କଥାଟାକୁ ଆଉ ଥରେ କହିଦେଇ ଗୋଟାଏ ପାଇପ୍‌ ଟାଣି ଘୋଡ଼ାରେ ଚଢ଼ିଗଲା । ମୋ ହୃଦୟଟା କରତି ହୋଇଗଲା ।

 

ଭିତରକୁ ଗଲି । ଏଷ୍ଟେଲା ବସି କ’ଣ ଗୋଟାଏ ବୁଣୁଥିଲା । ମିସ୍‌ ହ୍ୟାବିସାମ୍‌ ବସି ସେ ଛୁଞ୍ଚି ସୂତାଆଡ଼େ ଚାହିଁଥିଲେ ।

 

ମତେ ଦେଖି ସେ ପଚାରିଲେ, ‘‘କିହୋ ପିପ୍‌, ଆଜି କେମିତି ଆମ କୋଠିକୁ ପବନ ବହିଲା ?’’

 

କହିଲି, ‘‘ଏଷ୍ଟେଲାକୁ ପଦେ ଦୁଇପଦ କଥା କହିବାର ଅଛି । ଆପଣଙ୍କ ଆଗରେ କହିଦେଇ ଯିବି ।’’

 

ମିସ୍‌ ହ୍ୟାବିସାମ୍‌ ମୋ ମୁହଁକୁ ନିରେଖି ଚାହିଁଲେ ।

 

କହିଲି, ‘‘ମୁଁ କେଉଁ ସୂତ୍ରରୁ ସମ୍ପତ୍ତିବାଡ଼ି ପାଇଛି, ତାହା ଜାଣିବା ପରେ ମୋର କାନ ମୋଟେ ଭଲ ନାହିଁ । ଅନ୍ୟର ଗୁପ୍ତକଥା ମୁଁ ଏଠାରେ ଅବଶ୍ୟ ପ୍ରକାଶ କରିବି ନାହିଁ ।’’

 

କ’ଣ କହିବି ଆଉ ଭାଷା ନ ପାଇ ଅଟକିଗଲି । ପୁଣି ପାଟିରୁ ବାହାରିଲା, ‘‘ଯଦି ପୂର୍ବରୁ, ମୁଁ ଏଠାକୁ ଆସିବା ବେଳୁ ମିଷ୍ଟର ଜ୍ୟାଗର୍ସ ଏ କଥା... ।’’

 

ମିସ୍‌ ହ୍ୟାବିସାମ୍‌ କଥାର ସୂତ୍ର ଧରିପାରି କହିଲେ, ‘‘ତୁମ ସହିତ ତାଙ୍କର ଅକସ୍ମାତ୍‌ ଏଠାରେ ସାକ୍ଷାତ ହୋଇଥିଲା । ସେ ମୋର ଯେପରି ଓକିଲ, ତୁମ ଟଙ୍କା ଯେଉଁଠୁ ଆସୁଥିବ ସେଠାର ବି ସେପରି ଓକିଲ । ସେଥିରେ ତାଙ୍କର.... ।’’

 

‘‘କିନ୍ତୁ ମୁଁ ଯେତେବେଳେ ଭୁଲ୍ କରିବସିଲି, ଆପଣ ସେତେବେଳେ ମତେ ପ୍ରଶୟ ଦେଲେ ।’’

 

‘‘ଏଁ,.... ମୁଁ ପ୍ରଶୟ ଦେଲି ? ...ବେଶ୍‌, ବେଶ୍‌ !’’

 

‘‘ଏବଂ ଏପରି କରିବା ଫଳରେ ଆପଣ ଆପଣଙ୍କର ହିତାକାଙ୍‌କ୍ଷୀ ବନ୍ଧୁବାନ୍ଧବଙ୍କର ବି କ୍ଷତି କଲେ ।’’

 

‘‘ହୁଁ, ତା’ପରେ ?’’

 

‘‘ମୁଁ ଜାଣେ ମିସ୍‌ ହ୍ୟାବିସାମ୍‌, ମିଷ୍ଟର ମ୍ୟାଥ୍ୟୁ ପକେଟ୍‌ ବା ତାଙ୍କ ପୁଅ କୌଣସି ହୀନ ମନୋବୃତ୍ତିର ଲୋକ ନୁହନ୍ତି । ମୁଁ ହାର୍ବର୍ଟର ଆସନ ଅଧିକାର କରିଥିଲେ ବି ସେମାନେ ମତେ ବନ୍ଧୁ ଭାବରେ ଭଲପାଆନ୍ତି ।’’

 

ମିସ୍‌ ହ୍ୟାବିସାମ୍‌ଙ୍କ ହୃଦୟ ତରଳିଲା । ସେ ପଚାରିଲେ, ‘‘ତୁମେ ସେମାନଙ୍କ ପାଇଁ କ’ଣ ଚାହଁ ?’’

 

‘‘ଆପଣ ଯଦି ଟଙ୍କାପଇସା ଦେବାର ଅଭିପ୍ରାୟ କରନ୍ତି, ତେବେ ହାର୍ବର୍ଟର ଅଜ୍ଞାତସାରରେ ଆପଣ ତାକୁ କିଛି ଟଙ୍କାପଇସା ଦିଅନ୍ତୁ ବୋଲି ମୋର ଅନୁରୋଧ ।’’

 

‘‘ଅଜ୍ଞାତସାରରେ କାହିଁକି ?’’

 

‘‘କାରଣ ତା’ର ଅଜ୍ଞାତସାରରେ ଗତ ଦୁଇବର୍ଷ ଧରି ମୁଁ ତାକୁ ତା’ର ଭାବୀ ଅଂଶୀଦାର ହୋଇ ସାହାଯ୍ୟ କରିଆସିଛି । ତେଣୁ... ।’’

 

‘‘ବେଶ୍‌ ଆଉ କ’ଣ ?’’

 

କଣ୍ଠ ମୋର ଥରିଆସୁଥିଲା । ନିଜକୁ ସଂଯତ କରି କହିଲି, ‘‘ଶୁଣ ଏଷ୍ଟେଲା ତୁମେ ନିଶ୍ଚୟ ଜାଣ ଯେ ବହୁଦିନ ଧରି ମୁଁ ତୁମକୁ ଭଲପାଇଆସିଛି । ଏ ଅକୁହା କଥା ମୋର କହିବାର ନ ଥିଲା । କାରଣ ମୋର ଆଶା ଥିଲା ଯେ ମିସ୍ ହ୍ୟାବିସାମ୍‌ ଆମ ଦୁଇଜଣଙ୍କର ଦାମ୍ପତ୍ୟ ବନ୍ଧନ ଇଚ୍ଛାକରନ୍ତି । କିନ୍ତୁ ମୋର ସେ ଆଶା ଚୂରମାର ହୋଇଯାଇଛି । ତଥାପି ମୁଁ ତୁମକୁ ଭଲପାଏ ।’’

 

ଏଷ୍ଟେଲା ମତେ ଚାହିଁଲା ସେ ଚାହାଣିରେ ଦରଦ ନ ଥିଲା । କହିଲା, ‘‘ମୁଁ ଏସବୁର କିଛି ଧାର ଧାରେନା । ଭଲପାଇବା କ’ଣ ମୁଁ ଜାଣେନା ।’’

 

କ୍ଷୁବ୍‌ଧ ହୋଇ ମୁଁ କହିଲି, ‘‘ତାହାହେଲେ, ଡ୍ରମଲେ କାହିଁକି ଆସି ଏଠାରେ ପଡ଼ିଛି ? ତୁମେ ତା’ ସହିତ ଘୋଡ଼ା ଚଢ଼ି ବିହାର କରୁଛ । ସେ ତୁମ ସହିତ ଆଜି ଖିଆପିଆ କରିବେ । ଏ ସବୁର ଅର୍ଥ କ’ଣ ତୁମେ ଜାଣନା ?’’

 

ମୁଁ ଏତେ ଖବର ରଖିଛି ଦେଖି ସେ ବିସ୍ମିତ ହୋଇଗଲା ।

 

‘‘ଶୁଣ ଏଷ୍ଟେଲା । କୌଣସି ଭଲଲୋକ ଦେଖି, ସୁପୁରୁଷ ଦେଖି ବିବାହ କର । ଡ୍ରମଲେ ପରି ଗୋଟାଏ ଅଥର୍ବକୁ ବାଛ ନାହିଁ । ମୁଁ ତୁମକୁ ତା’ ସହିତ ଦେଖି ସୁଖୀ ହୋଇପାରିବି ନାହିଁ ।’’

 

ସେ ସ୍ଥିର ହୋଇ ଚାହିଁଲା । ନମ୍ର ଭାବରେ କହିଲା, ‘‘ନିକଟରେ ତାଙ୍କ ସହିତ ମୋର ବିବାହ ହେବ । କିଛି ଚିନ୍ତା କର ନାହିଁ–ମୁଁ ତାଙ୍କ ଜୀବନରେ ବି ଆଶୀର୍ବାଦ ହୋଇନପାରେ ।’’

 

ହା ହୁତାଶ ମନରେ ସନ୍ତୋଷ ଭବନରୁ ଫେରିଆସିଲି ।

 

ରାତି ସେତେବେଳକୁ ବାରଟା । ଲଣ୍ଡନ ସହର ଜନବିରଳ, ଚାରିଆଡ଼ ଅନ୍ଧାର-ଭିତରେ ଓ ବାହାରେ । ବସାଘର ଫାଟକ ପାଖରେ ପହଞ୍ଚିବା କ୍ଷଣି ଫାଟକବାଲା ମୋ ହାତକୁ ଗୋଟାଏ ଚିଠି ବଢ଼ାଇଦେଇ କହିଲା, ‘‘ଜଣେ ବାବୁ ଆସିଥିଲେ, ଆପଣଙ୍କୁ ଏ ଚିଠିଟା ଦେଇଛନ୍ତି । କହିଛନ୍ତି ଏଇଠି ଚିଠି ପଢ଼ିବେ ।’’

 

ବିସ୍ମିତ ହୋଇ ଚିଠିଟା ଖୋଲିଲି । ଫାଟକବାଲାର ଆଲୁଅରେ ପଢ଼ିଲି । ଲେଖା ଥିଲା, ‘‘ବସାକୁ ଯିବେନି । ଓଏମିକ୍‌ ।’’

 

କଥା କ’ଣ ! ଭାବିବା ପାଇଁ ସମୟ ନ ଥିଲା । ସିଧା ଚାଲିଲି କଭେଣ୍ଟ ଗାର୍ଡ଼େନ । ସେଠାରେ ଗୋଟାଏ ହୋଟେଲ୍‌ରେ ରାତିଟା ଶୋଇବାର ବ୍ୟବସ୍ଥା କଲି । ଏ ଭାରାକ୍ରାନ୍ତ ହୃଦୟ ନେଇକି କେହି ଶାନ୍ତିରେ ଶୋଇପାରେ ?

☆☆☆

 

ଅନୁତାପର ନିଆଁ

 

କୌଣସି ପ୍ରକାରେ ରାତିଟା କଟାଇ ସକାଳୁ ସକାଳୁ ଓଏମିକ୍‌ ପାଖକୁ ଚାଲିଲି । ଜ୍ୟାଗର୍ସଙ୍କ ଅଫିସର ତାଙ୍କ ସହିତ ଦେଖାହେଲା । ମତେ ଦେଖୁଦେଖୁ ସେ କହିଉଠିଲେ, ‘‘ତାହାହେଲେ ତୁମେ କାଲିହିଁ ଚାଲିଆସିଲ ?’’

 

‘‘ହଁ । କିନ୍ତୁ ଚିଠି ପାଇ ମୁଁ ଆଉ ବସାକୁ ଗଲିନାହିଁ ।’’

 

‘‘ଖୁବ୍‌ ଭଲ କରିଛ । ଦେଖ ମୁଁ ବର୍ତ୍ତମାନ ଯାହା କହିବି, ସବୁ ଅନ୍‌ଅଫିସାଲ୍‌ କଥା । ତୁମେ ସେଥିରୁ ଯାହା ବୁଝିବ ବୁଝ । ..ହଁ, ମୁଁ ଶୁଣିବାକୁ ପାଇଲି କୌଣସି ଜଣେ ଲୋକ... ତା’ ନାଁ ମୁଁ ଧରୁନି, ନାଆଁରେ କିବା ଯାଏଆସେ–କାଳେ ଏ ଦେଶରୁ ବହୁତ ଦୂରରୁ ପୃଥିବୀର ଅନ୍ୟ ଏକ ଦେଶରୁ ଏଠିକି ପଳାଇଆସିଛି । ପୁଣି କେହି କେହି ଲୋକ କାଳେ ଆପଣଙ୍କ ବସାରେ, ସେ ପାଖରେ ଆପଣଙ୍କୁ ଲୁଚିଛପି ଖୋଜୁଛନ୍ତି; ଭବିଷ୍ୟତରେ ବି ଖୋଜିପାରନ୍ତି ।’’

 

ସେମାନେ କିଏସେ ?’’

 

‘‘ଦେଖନ୍ତୁ, ସେ ସବୁ ଅଫିସ୍ କଥା; ମୁଁ କହିଲେ ଚଳିବ ନାହିଁ ।’’

 

ଟିକିଏ ଭାବିଚିନ୍ତି କହିଲି, ‘‘ଆଚ୍ଛା, ଆପଣଙ୍କୁ କେତେଟା ପ୍ରଶ୍ନ ପଚାରିବି, କହିବେ କି ?’’

 

‘‘ବେଶ୍‌ ପଚାର ।’’

 

‘‘କମ୍ପେସନ୍‌ ନାମରେ କୌଣସି ଖରାପ ଲୋକକୁ ଆପଣ ଜାଣନ୍ତି କି ?’’

 

ସେ ମୁଣ୍ଡ ଟୁଙ୍ଗାରି ହଁ ଭରିଲେ ।

 

‘‘ସେ ଲୋକଟା କ’ଣ ବଞ୍ଚିଛି ?’’

 

ସେ ପୁଣି ମୁଣ୍ଡ ଟୁଙ୍ଗାରି ହଁ ଭରିଲେ ।

 

‘‘ସେ କ’ଣ ଏହି ଲଣ୍ଡନରେ ରହୁଛି ?’’

 

ପୁଣି ମୁଣ୍ଡ ଟୁଙ୍ଗାରି ଓଏମିକ୍ କହିଲେ, ‘‘ଆପଣଙ୍କ ପ୍ରଶ୍ନ ତ ଶେଷ ହେଲା । ଏଥର ମୁଁ କହୁଛି ଶୁଣନ୍ତୁ । ଏସବୁ ବିଷୟ ଜାଣିବାକୁ ପାଇ ହିଁ ମୁଁ ଆପଣଙ୍କ ବସାକୁ ଗଲି । ସେଠାରେ ଆପଣମାନଙ୍କୁ ନପାଇ ହାର୍ବର୍ଟର ଅଫିସକୁ ଗଲି ।’’

 

‘‘ଦେଖା ପାଇଲେ ?’’

 

‘‘ହଁ । ତାକୁ ମୁଁ ସ୍ପଷ୍ଟ ଜଣାଇ ଦେଇଛି ଯେ ସେ ଜାଣିଥିବା କୌଣସି ଟମ୍‌, ଡିକ୍‌, ହ୍ୟାରି, ରିଚାର୍ଡ଼ ଯେ କେହି ହେଉ–କୌଣସି ତୃତୀୟ ବ୍ୟକ୍ତି ଯଦି ଆପଣଦୁହେଁ ବସାରେ କିମ୍ୱା ସେ ଆଖପାଖରେ ରହୁଥାନ୍ତି, ତେବେ ତାଙ୍କୁ ଅନ୍ୟତ୍ର ନେଇଯାଆନ୍ତୁ ।’’

 

‘‘ସେ କ’ଣ କହିଲା ?’’

 

‘‘ପ୍ରଥମେ ହାର୍ବର୍ଟ ଟିକିଏ ଘାବରେଇ ଗଲା । ଶେଷରେ ଅବଶ୍ୟ ସେ ହିଁ ଗୋଟାଏ ଚମତ୍କାର ଉପାୟ ବାହାର କଲା । ତୁମେ ବୋଧହୁଏ ଜାଣ ଯେ ହାର୍ବର୍ଟର ଗୋଟାଏ ସ୍ଥାନରେ ବିବାହ ପ୍ରସଙ୍ଗ ପଡ଼ିଛି । ସେ ଝିଅଟିର ବାପା ରୋଗୀ ମଣିଷ, ସବୁବେଳେ ଶଯ୍ୟାଶାୟୀ । ତାଙ୍କ ବସାଟା ଠିକ୍‌ ନଈକୂଳରେ– ।’’

 

ମୁଁ ବୁଝିଗଲି । ଓଏମିକ୍‌ ହାର୍ବର୍ଟର ଭାବୀ ବଧୂ ମିସ୍‌ କ୍ଳାରା କଥା କହୁଥିଲେ । ଓଏମିକ୍‌ କହିଲେ, ‘‘ସେହି ଟମ୍‌-ଡିକ୍‌...ଯାହା କହ ତୃତୀୟ ଲୋକଟାକୁ ସେହି ନଈକୂଳରେ ଘରେ ନେଇ ରଖିବାକୁ ହାର୍ବର୍ଟ ପ୍ରସ୍ତାବ କଲା । ମୁଁ ବି ସେଥିରେ ସମ୍ମତି ଦେଲି । କାରଣ ସ୍ଥାନଟା ତୁମ ବସାଠାରୁ ଦୂର । ଦ୍ୱିତୀୟରେ ତୁମ ଉପରେ ଯେତେବେଳେ ଲୋକେ ନଜର ରଖିଛନ୍ତି, ତୁମେ ନିଜେ ସେଠାକୁ ନ ଯାଇ ବି ହାର୍ବର୍ଟ ଦେଇ ସବୁ ଖବର ଅନ୍ତର ବୁଝିପାରୁଥିବ । ତୃତୀୟରେ ଯେତେବେଳେ କୌଣସି ବିଦେଶୀ ଜାହାଜ ଜୁଟିବ, ସେତେବେଳେ ସେ ଟମ୍‌, ଜ୍ୟାକ ବା ରିଚାର୍ଡ଼କୁ ଅତି ସୁବିଧାରେ ଡଙ୍ଗାରେ ନେଇ ଜାହାଜରେ ଚଢ଼ାଇ ଦେଇପାରିବ ।’’

 

ଖବରଟା ଶୁଣି ବାସ୍ତବିକ ଖୁସି ହେଲି । ଓଏମିକ୍‌ ପୁଣି ଜଣାଇଦେଲେ ଯେ, ସେ ଟମ୍‌, ଜ୍ୟାକ୍‌ ବା ରିଚାର୍ଡ଼କୁ ଏ ଭିତରେ ଉକ୍ତ ନଈକୂଳିଆ ବସାକୁ ସ୍ଥାନାନ୍ତର କରାଗଲାଣି । ମୁଁ ଯାଇ ଦେଖାକରିପାରେ, କିନ୍ତୁ ସନ୍ଧ୍ୟାପୂର୍ବରୁ ନୁହେଁ ।

 

ସେହି ଉପଦେଶ ଅନୁଯାୟୀ ରାତି ଆଠଟା ବେଳେ ମୁଁ ମିସ୍‌ କ୍ଳାରାଙ୍କ ବସାରେ ଯାଇ ଉପସ୍ଥିତ ହେଲି । ହାର୍ବର୍ଟ ଆସି ଦୁଆର ଖୋଲିଲା । ଉପର ତାଲାକୁ ଯାଉ ଯାଉ ପଚାରିଲି, ‘‘ଖବର କ’ଣ, ସବୁ ଭଲ ତ ?’’

 

‘‘ସବୁ ଭଲ ପିପ୍‌ । ଏଠିକି ଆସି ସେ ଖୁବ୍‌ ଭଲ ଅଛି । କିନ୍ତୁ ତୋ ସହିତ ଦେଖାକରିବାକୁ ବ୍ୟସ୍ତ ହୋଇପଡ଼ୁଛି ।’’

 

ଭିତରକୁ ଯାଇ ଦେଖିଲି ପ୍ରୋଭିସ୍‌ ଚୁପ୍‌ ହୋଇ ବସିଛି । ମତେ ଦେଖି ବି କୌଣସି ଚଞ୍ଚଳତା ପ୍ରକାଶ କଲା ନାହିଁ । ମନରେ ଗୋଟାଏ ଗଭୀର ଶାନ୍ତି ଆସିଯାଇଛି ।

 

ପଚାରିଲି, ‘‘ମିଷ୍ଟର ଓଏମିକଙ୍କର ବିଚାର ବିବେଚନା ଉପରେ ଆପଣଙ୍କର ଆସ୍ଥା ଅଛି ତ-?’’

 

‘‘ନିଶ୍ଚୟ ଅଛି ବାପା, ଖୁବ୍‌ ଅଛି । ମିଷ୍ଟର ଜ୍ୟାଗର୍ସ ଓ ଓଏମିକ୍‌ ତ ସବୁକଥା ଜାଣନ୍ତି । ସେମାନେ ଭଲକଥା ହିଁ ଉପଦେଶ ଦେବେ’’

 

‘‘ଦେଖନ୍ତୁ, ଆଜି ମି. ଓଏମିକ୍‌ଙ୍କ ସହିତ ମୋର ସାକ୍ଷାତ ହୋଇଥିଲା । ସେ କହିଛନ୍ତି, ବିଶେଷ ସତର୍କ ରହିବାକୁ ପଡ଼ିବ । ମୋ ବସାଉପରେ କାଳେ କିଏ ସବୁ ନଜର ରଖିଛନ୍ତି । ତେଣୁ ଆପଣଙ୍କଠାରୁ ଦୂରରେ ରହିବା ହିଁ ବାଞ୍ଛନୀୟ । ଏଠାରେ ରହନ୍ତୁ, ସୁବିଧା ମିଳିବା ସଙ୍ଗେ ସଙ୍ଗେ ଆପଣଙ୍କୁ ବିଦେଶ ପଠାଇଦେବା ।

 

ପ୍ରୋଭିସ୍‌ କହିଲା, ‘‘ସେ ଯେତେବେଳେ କହିଛନ୍ତି, ଅନ୍ୟଥା କରି କହିହେବ ନାହିଁ । କିନ୍ତୁ ତୁମେ....’’

 

‘‘ନା, ନା, ମୁଁ ବି ଆପଣଙ୍କ ସହିତ ଚାଲିଯିବାକୁ ଚେଷ୍ଟା କରୁଛି ।’’

 

ହାର୍ବର୍ଟ କହିଲା, ‘‘ତା’ହେଲେ ତୁ ଶୀଘ୍ର ଖଣ୍ଡେ ଡଙ୍ଗା କିଣିପକା । ଆମ ସେପଟ ଘାଟରେ ଡଙ୍ଗାଟା ରହିବ । ମଝି ମଝିରେ ତୁ ଡଙ୍ଗା ନେଇ ନଈରେ ଏଣେତେଣେ ଟିକିଏ ବୁଲୁଥିବୁ । କୋଡ଼ିଏ ପଚିଶଥର ଏପଟେ ସେପଟେ ଯାଆଆସ କଲେ ଲୋକେ ଚିହ୍ନିଯିବେ, ଲୋକଙ୍କ ମନରୁ ସନ୍ଦେହ ବି ତୁଟିଯିବ । ତାପରେ ଯେଉଁ ମୁହୂର୍ତ୍ତରେ ସୁବିଧା ମିଳିବ, ସେହି ମୁହୂର୍ତ୍ତରେ ଆମେ ପ୍ରୋଭିସ୍‌ ଦାଦାଙ୍କୁ ଡଙ୍ଗାରେ ନେଇ ଜାହାଜରେ ଉଠାଇଦେବା ।’’

 

ସୁନ୍ଦର ପରାମର୍ଶଟାଏ । ଶୁଣି ପ୍ରୋଭିସ ବି ଖୁସିହେଲା । ପ୍ରୋଭିସ୍‌କୁ କହିଲି, ‘‘ଆପଣଙ୍କୁ ଏଠାରେ ଛାଡ଼ିଯିବାକୁ ଇଚ୍ଛା ହେଉନାହିଁ । ତଥାପି ମୋ ପାଖରେ ରହିବା ଅପେକ୍ଷା ଏଠାରେ ରହିବା ହିଁ ଆପଣଙ୍କ ପକ୍ଷରେ ଅଧିକ ନିରାପଦ । ଆସୁଛି ତା’ହେଲେ, ଗୁଡ଼୍ ବାଇ ।’’

 

ମୋ ହାତଦୁଇଟା ଧରିପକାଇ ଛଳ ଛଳ ଆଖିରେ ପ୍ରୋଭିସ୍‌ କହିଲା, ‘‘ବାପା, ଆଉ ଥରେ କେବେ ସାକ୍ଷାତ ହେବ ଜାଣେନା । ତେବେ ଗୁଡ଼୍‌ବାଇ କହିବ ନାହିଁ । କହ ଗୁଡ଼୍‌ ନାଇଟ୍‌–ଗୁଡ଼୍‌ ବାଇଟା ଭଲ ଲାଗୁନାହିଁ ।’’

 

‘‘ଗୁଡ଼୍‌ ନାଇଟ୍‌ । ସମୟ ହେଲେ ମୁଁ ପୁଣି ଆସିବି । ଗୁଡ଼୍‌ ନାଇଟ୍‌ ।’’

 

ତା’ ପରଦିନ ଡଙ୍ଗା କିଣା ହୋଇଗଲା । ହାର୍ବର୍ଟକୁ ସଙ୍ଗରେ ନେଇ କିଛିଦିନ ଏଣେତେଣେ ଡଙ୍ଗା ଚଳାଇ ବୁଲିଲି । ପ୍ରଥମେ ପ୍ରଥମେ ପାଖଆଖରେ ଅଭ୍ୟାସ କରି ପ୍ରୋଭିସ୍‌ ରହୁଥିବା ସ୍ଥାନ ଯାଏ ଡଙ୍ଗା ଚଳାଇବା ଶିଖିଗଲି ।

 

ଏପରି ଭାବରେ କେତୋଟି ସପ୍ତାହ କଟିଗଲା, କିନ୍ତୁ ଓଏମିକ୍‌ଠାରୁ କୌଣସି ସୂଚନା ମିଳିଲା ନାହିଁ । ମନରେ ବରାବର ଭୟ ଲାଗିରହିଥାଏ, କାଳେ ଯଦି କମ୍ପେସନ୍‌ ଆମର ସବୁ ରହସ୍ୟ ଜାଣିପାରି ପୋଲିସକୁ ଖବର ଦେଇଦିଏ, ତେବେ ସର୍ବନାଶ । ଏଣେ ମୋର ଆର୍ଥକ ଅବସ୍ଥା ବି ଟଳମଳ । ମୁଁ ଠିକ୍‌ କରିନେଲି ଯେ ଆଉ ପ୍ରୋଭିସ୍‌ଠାରୁ କୌଣସି ଟଙ୍କାପଇସା ନେବି ନାହିଁ । ବଜାରରେ ଦେଣା ବଢ଼ିଚାଲିଲା । ଏଭଳି ଅବସ୍ଥାରେ ହଠାତ୍‌ ଦିନେ ମିଷ୍ଟର ଜ୍ୟାଗର୍ସ ସହିତ ସାକ୍ଷାତ୍‌ ହୋଇଗଲା । ସାମାନ୍ୟ ଆଳାପ ପରେ ସେ କହିଲେ, ‘‘ଚାଲ, ଆଜି ତୁମେ ଆମ ଘରେ ଖାଇବ ।’’

 

ମୁଁ ଟିକିଏ ଦୋଦୋ ପାଞ୍ଚ କରୁଥିଲି । କିନ୍ତୁ ସେ କହିଲେ, ‘‘ଓଏମିକ୍‌ ବି ଆଜି ମୋ ଘରେ ଅତିଥି ହେଉଛନ୍ତି । ଏକାଠି ବସି ଖାଇବା ।’’

 

ବାଧ୍ୟହୋଇ ଖାଇବାକୁ ଗଲି । ଖିଆପିଆବେଳେ ଓଏମିକ୍‌ ଚୁପ୍‌ଚାପ୍‌ ହୋଇ ରହିଲେ । ପଦଟାଏ କଥା ବି କହିଲେ ନାହିଁ । ମନ ମାରି ବସି ଖାଉଥାଏ, ଏତିକିବେଳେ ଜ୍ୟାଗର୍ସଙ୍କର ଚାକରାଣୀର ହାତ ଉପରେ ମୋର ନଜର ପଡ଼ିଗଲା । ପରଷିବା ବେଳେ ସେ ହାତର ଆକାର ପ୍ରକାର ଓ ଚଳପ୍ରଚଳନ ଦେଖି ମୁଁ ବିସ୍ମିତ ହୋଇଗଲି । ଏଷ୍ଟେଲାର ହାତ ସହିତ ସେ ହାତ ସମ୍ପୂର୍ଣ୍ଣ ମେଳ ଖାଉଥାଏ । ତା’ର ଆଖି, ବାଳ ମୁହଁ ସବୁ ଏଷ୍ଟେଲା ସହିତ ଖାପ ଖାଉଥାଏ । ଏ କ’ଣ ତାହେଲେ ଏଷ୍ଟେଲାର ମାଆ !!

 

ଖିଆପିଆ ଶେଷରେ ଜ୍ୟାଗର୍ସ କହିଲେ, ‘‘ଓଏମିକ୍‌, ମିସ୍‌ ହ୍ୟାବିସାମ୍‌ଙ୍କର ଚିଠିଟା ପିପ୍‌କୁ ଦେଇଦେଇଛ ?’’

 

‘‘ନା ସାର୍‌, ଆଜି ତ ଯାଉଥିଲି ଦେବାକୁ,’’ କହି ସେ ମୋ ହାତକୁ ମିସ୍‌ ହ୍ୟାବିସାମ୍‌ଙ୍କର ଚିଠିଟାଏ ବଢ଼ାଇଦେଲେ । ବାହାରକୁ ଆସିବା ପରେ ଓଏମିକ୍‌ କହିଲେ, ‘‘ଓକିଲବାବୁଙ୍କ ସାମନାରେ କଥାଭାଷା କରିବାକୁ ମୋର ଭାରି ଭୟ ହୁଏ । –ସେ କିନ୍ତୁ ଭଲଲୋକ, ନୁହେଁ ?’’

 

ପଚାରିଲି, ‘‘ଆଜ୍ଞା, ତାଙ୍କର ଏ ଚାକରାଣୀଟାକୁ ସେ କିପରି ପାଇଲେ ଜାଣନ୍ତି କି ?’’

 

ସେ ଆରମ୍ଭ କଲେ, ‘‘ପୂରାପୂରି ଜାଣେନା । ତେବେ ପ୍ରାୟ କୋଡ଼ିଏ ବର୍ଷ ତଳେ ମୋଲି–ସେହି ଚାକରାଣୀଟି, ଆଉ ଜଣେ ମାଇପୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ୍‌ ହେଲା । ତା’ ନିଜ ସ୍ୱାମୀ ଗୋଟାଏ ଛୋଟକାଟିଆ ଚୋର । ଯାହାହେଉ ଦୁଇ ମାଇପୀଙ୍କ ଭିତରେ ପୂର୍ବରୁ କଳହ ଥିଲା । କଳିରୁ କଳିରୁ ମୋଲି ଆର ମାଇପୀର ତୋଟି ଚିପିଦେଲା । ଏତେ ଶକତ ତା’ ହାତ, ଆରଟା ୟାଠୁ ମଜବୁତ ହେଲେ ବି ଶ୍ୱାସରୁଦ୍ଧ ହୋଇ ମରିଗଲା । କିନ୍ତୁ ଆମ ଓକିଲବାବୁ ନାନା ଯୁକ୍ତିତର୍କ ଦେଖାଇ ବିଚାରୀକୁ ଖଲାସ କରିଦେଲେ । –ଭାରି ରାଗିଟା ଯେ । ଥରେ ପରା କାଳେ ତାଙ୍କ ସ୍ୱାମୀସ୍ତ୍ରୀଙ୍କ ଭିତରେ କଳି କଲେ ଯେ, ଇଏ କାଳେ ତା’ର ଗୋଟିଏ ବୋଲି ଝିଅକୁ ସେମିତି ତୋଟି ଚିପି ମାରିଦେଲା କି କ’ଣ ! !’’

 

‘‘ଓଃ; ଝିଏଟିଏ ଥିଲା ନା ?’’

 

‘‘ହଁ, ଝିଅଟେ ପରା । ଯାହା ହେଉ, ଖଲାସ ହେବାଦିନୁ ଓକିଲବାବୁଙ୍କ ଘରେ କାମଦାମ କରି ପଡ଼ିଛି । ସ୍ୱାମୀଟା ଛତରାଟାଏ, କୁଆଡ଼େ ଗଲା ତା’ର ପତ୍ତା ନାହିଁ ।’’

 

ମୋର ମନର ସନ୍ଦେହଟା ଘନୀଭୂତ ହେବାକୁ ଲାଗିଲା । ମୋଲି ହିଁ ତାହାହେଲେ ଏଷ୍ଟେଲାର ମାଆ ?

 

ଦେଖାକରିବା ଲାଗି ମିସ୍‌ ହ୍ୟାବିସାମ୍‌ ଲେଖିଥିଲେ । ତେଣୁ ତାଙ୍କ ଘରକୁ ଗଲି । ଘରଦ୍ୱାର ନିର୍ଜନ । ପୂର୍ବର ସେ ଚଞ୍ଚଳତା ଦେଖିବାକୁ ମିଳିଲା ନାହିଁ । ବୁଢ଼ୀ ଏକାଟିଆ ବସିଥିଲେ । ଦେଖି ମନରେ ଦୟା ଆସିଲା । ବୁଢ଼ୀ କିନ୍ତୁ ମତେ ଦେଖି ଟିକିଏ ଭୀତ ହୋଇ କହିଲେ, ‘‘ବୁଝିଲ ପିପ୍‌, ମୁଁ ଏବେବି ପଥର ପାଲଟି ଯାଇନି । ତୁମେ ସେଦିନ କହିଲ, ମୁଁ ତୁମ ବନ୍ଧୁ ହାର୍ବର୍ଟକୁ ସାହାଯ୍ୟ କରିବା ଉଚିତ । ମୁଁ କି ସାହାଯ୍ୟ ଦେଇପାରେ ?’’

 

ହାର୍ବର୍ଟ କିପରି ଏକ ବ୍ୟବସାୟ ପ୍ରତିଷ୍ଠାନର ଅଂଶୀଦାର ହେବାକୁ ଚାହେଁ, ସେ ବିଷୟ ମୁଁ ବର୍ଣ୍ଣନା କଲି । କହିଲି, ‘‘ମୁଁ ତାହାର ଦେୟ ବାବଦକୁ କିଛି କିଛି ଟଙ୍କା ଦେଇଆସିଛି; କିନ୍ତୁ ବର୍ତ୍ତମାନ ମୋର ପରିସ୍ଥିତି ଆଉ ଟଙ୍କା ଦେବା ପାଇଁ ଅନୁକୂଳ ନୁହେଁ ।’’

 

ସେ ମୋ କଥାପ୍ରତି ବିଶେଷ ନଜର ନଦେଇ ଏକ ଦୃଷ୍ଟିରେ ମୋ ମୁହଁକୁ ଚାହିଁ ରହିଥିଲେ । କହିଲେ, ‘‘ବୁଝିଲି, ଆଉ କେତେ ଟଙ୍କା ଦରକାର ?’’

 

‘‘ନ’ଶହ ପାଉଣ୍ଡ ।’’ –ଏତେଗୁଡ଼ାଏ ଟଙ୍କା କଥା ଶୁଣିଲେ ବୁଢ଼ୀ ଖରାପ ଭାବିବେ ବୋଲି ଭୟ କରୁଥିଲି । କିନ୍ତୁ ସେ ସଙ୍ଗେ ସଙ୍ଗେ ରାଜି ହୋଇଗଲେ । ତାପରେ ପଚାରିଲେ, ‘‘ଆଚ୍ଛା ବାପା, ତୁମେ ଆଜିକାଲି କ’ଣ ଖୁବ୍‌ ଦୁଃଖରେ ଦିନ କାଟୁଛ ?’’

 

ତାଙ୍କ ପ୍ରଶ୍ନ ପଚାରିବାରେ ଗଭୀର ଦରଦ ଥିଲା । ମୋ ପାଟିରୁ କଥା ବାହାରିଲା ନାହିଁ । ଶେଷରେ କହିଲି, ‘‘ଖୁବ୍‌ ଦୁଃଖରେ ମା’, ଖୁବ୍‌ ଦୁଃଖରେ । କିନ୍ତୁ ଆପଣ ଯାହାସବୁ ଜାଣିଛନ୍ତି, ସେସବୁ କାରଣରୁ ନୁହେଁ ?’’

 

‘‘ଧନ୍ୟବାଦ, ତୁମ କଥାହିଁ ତୁମ ମହତ୍‌ ଗୁଣର ପରିଚୟ ଦେଉଛି । ଆଚ୍ଛା, ମୁଁ କ’ଣ ତୁମ ବନ୍ଧୁ ଦେଇ ହିଁ ତୁମକୁ ସାହାଯ୍ୟ କରିପାରେ ?’’

 

‘‘ହଁ ମା’, କେବଳ ସେତିକି ।’’

 

ସେ ନିଜ ନୋଟଖାତା ବାହାର କରି ସେଥିରେ ମିଃ ଜ୍ୟାଗର୍ସଙ୍କ ପାଖକୁ ନ’ଶହ ପାଉଣ୍ଡ ମୋ ହାତରେ ଦେବାଲାଗି ଗୋଟିଏ ଚିଠି ଲେଖିଲେ । ତାପରେ ମୋ ଆଡ଼କୁ ନ ଚାହିଁ ସେ ନୋଟଖାତା ଓ ପେନ୍‌ସିଲ୍‌ଟି ମୋ ହାତରେ ଗୁଞ୍ଜିଦେଇ କହିଲେ, ‘‘ଖାତାର ପ୍ରଥମ ପୃଷ୍ଠାରେ ମୋର ନାମ ଲେଖାଯାଇଛି । ଯଦି ତୁମେ କୌଣସି ଦିନ ପାରିବ, ତେବେ ସେହି ନାମ ତଳେ ଲେଖିଦେବ ‘‘ମୁଁ ତାଙ୍କୁ କ୍ଷମା କଲି’’ ।

 

‘‘ଆହା ମା’, ମୁଁ ତ ବର୍ତ୍ତମାନ ହିଁ ସେ ବିଷୟ ଲେଖିଦେଇପାରିବି । ବରଂ ମୁଁ ଛାର, ଅକୃତଜ୍ଞ, ଆପଣଙ୍କ ସହିତ ରୁକ୍ଷ ବ୍ୟବହାର କରିଛି, ଆପଣଙ୍କ ନିକଟରେ ମୁଁ କ୍ଷମା ମାଗୁଛି ।’’

 

ଆଶ୍ଚର୍ଯ୍ୟର ବିଷୟ, ଚାହୁଁ ଚାହୁଁ ସେ ତଳେ ଲୋଟିପଡ଼ି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲେ । ମୁଁ କୌଣସି ଦିନ ତାଙ୍କୁ କାନ୍ଦିବାର ଦେଖିନଥିଲି । କ’ଣ କହିବି କିଛି ବୁଝିନପାରି ମୁଁ ତାଙ୍କ ପାଖରେ ଆଣ୍ଠୁମାଡ଼ି ବସିଗଲି ।

 

ସେ କାନ୍ଦିବାକୁ ଲାଗିଲେ, ‘‘ହାୟ ମୁଁ କ’ଣ ନ କଲି, ହାୟ ମୁଁ କ’ଣ ନ କଲି !’’

 

ଆପଣ ତ ମୋ ମନରେ ସେପରି କିଛି ଆଘାତ ଦେଇନାହାନ୍ତି ମାଆ; ଆପଣ ପ୍ରଶୟ ଦେଇନଥିଲେ ବି ମୁଁ ଏଷ୍ଟେଲାକୁ ଭଲପାଇଥାନ୍ତି । ଆପଣଙ୍କର କି ଦୋଷ ।’’

 

କିନ୍ତୁ ସେ ଚୁପ୍‌ ହେଲେ ନାହିଁ । କେବଳ କାନ୍ଦିବାକୁ ଲାଗିଲେ, ‘‘ହାୟ, ମୁଁ କ’ଣ ନ କଲି-? ହାୟ ମୁଁ କ’ଣ ନ କଲି ?’’

 

କ’ଣ କହି ମୁଁ ସାନ୍ତ୍ୱନା ଦିଅନ୍ତି ? ତାଙ୍କର ଭୁଲ୍ ହେଲା ଏହି ଯେ, ସେ ଏଷ୍ଟେଲାକୁ ନିଜ ପରି କରି ଗଢ଼ିଲେ । ତାକୁ ସଂସାରର ଆଲୋକଠାରୁ ଦୂରେଇ ରଖି ତା’ର ଅନ୍ତର୍ବେଦନାର ଉପଶମ ପାଇଁ ସୁଯୋଗ ଦେଲେ ନାହିଁ ।

 

କହିଲି, ‘‘ଆପଣ ଏଷ୍ଟେଲା ପ୍ରତି ଯଦି କିଛି ଅନ୍ୟାୟ କରିଥାନ୍ତି, ତା’ର ପ୍ରତିକାର କରନ୍ତୁ-। ଦୁଃଖ କରି କିଛି ଲାଭ ନାହିଁ ।’’

 

ସେ କହିଲେ, ‘‘ବୁଝୁଛି ବୁଝୁଛି ବାପା ପିପ୍‌ । କିନ୍ତୁ ବିଶ୍ୱାସ କର, ସେ ଯେତେବେଳେ ପ୍ରଥମେ ଏଠାକୁ ଆସିଲା, ମୁଁ ତାକୁ ଦୁଃଖୀରଙ୍କୀ ପିଲାଟାଏ, ଖାଇପିଇ ବଞ୍ଚିଯାଉ ବୋଲି ପାଳିଥିଲି-। କିନ୍ତୁ–କିନ୍ତୁ ସେ ବଡ଼ ହେବା ସଙ୍ଗେ ସଙ୍ଗେ ସୁନ୍ଦରୀ ହେଲା । ମୁଁ–ମୁଁ ତାକୁ ଅଯଥା ପ୍ରଶଂସା କରି କରି ଗର୍ବୀ କରାଇଦେଲି-। ତାକୁ ଏମିତି ତାଲିମ ଦେଲି ଯେ, ତା’ର ହୃଦୟ ବୋଲି କିଛି ରହିଲା ନାହିଁ–ମୁଁ ତାକୁ ପଥର କରି ଗଢ଼ିଲି । ହାୟ, ମୁଁ କ’ଣ ନ କଲି, ମୁଁ କ’ଣ ନ କଲି ।’’

 

‘‘ଆଚ୍ଛା ମା’; ମୁଁ ଏଷ୍ଟେଲା ବିଷୟରେ ଗୋଟିଏ ପ୍ରଶ୍ନ ପଚାରିବି ?’’

 

‘‘ପଚାର ବାପା ।’’

 

‘‘ତାକୁ ମିଷ୍ଟର ଜ୍ୟାଗର୍ସ ଏଠାକୁ ଆଣିଦେଇଥିଲେ, ନୁହେଁ ?’’

 

‘‘ହଁ ।’’

 

‘‘ସେ କାହା ଝିଅ ? ତା’ ବାପାମାଆ କିଏସେ ?’’

 

‘‘ମୁଁ ଜାଣେନାହିଁ, ବାପା । ଥରେ କଥାପ୍ରସଙ୍ଗରେ ମିଷ୍ଟର ଜ୍ୟାଗର୍ସଙ୍କୁ କହିଥିଲି ଯଦି ପିଲାଟିଏ ଆଣିଦିଅନ୍ତେ, ତେବେ ଏଠି ରହି ସେ ଟିକିଏ ଖେଳବୁଲ କରନ୍ତା । ମୋ ଜୀବନଟା ତ ଜଳି ପୋଡ଼ିଗଲା, ପିଲାଟିଏ ପାଇଲେ ଅବା ଟିକିଏ ଗେଲ ଆଦର କରନ୍ତି । ତାଙ୍କର ମନେଥିଲା । କେଉଁଠୁ କେଜାଣି, ସେ ଏ ପିଲାଟିକୁ ଆଣିଦେଲେ । ଆସିବା ବେଳକୁ ରାତି; ବିଚାରୀ ନିଘୋଡ଼ ନିଦରେ ଶୋଇଥାଏ ।’’

 

‘‘ସେତେବେଳକୁ ତା’ର ବୟସ ?’’

 

‘‘ଦୁଇ ତିନି ବର୍ଷର ଝିଅଟିଏ ହୋଇଥାଏ । ଭାବିଲି, ବାପ-ମାଆଛେଉଣ୍ଡ ହୋଇଥିବ । ଏଠି ରହୁ, ବଞ୍ଚିଯିବ । ରଖୁ ରଖୁ ପାଳିଲି ।’’

 

ଏଷ୍ଟେଲାର ମାଆ ଯେ କିଏ ସେ, ତାହା ସ୍ପଷ୍ଟ ଭାବରେ ବୁଝିପାରିଲି । ଏଷ୍ଟେଲା ତାହାହେଲେ ମୋଲିର ଝିଅ ।

 

କିଛି ସମୟ କୋଠିର ଏଣେତେଣେ ବୁଲି ଶେଷଥର ଲାଗି ଜାଗାଟା ଦେଖିସାରି ଫେରିବାକୁ ବସିଛି ହଠାତ୍‌ ଦେଖିବାକୁ ପାଇଲି ମିସ୍‌ ହ୍ୟାବିସାମ୍‌ଙ୍କ ଲୁଗାରେ ନିଆଁ ଲାଗିଗଲା । ଲୁଗାପଟା ଧୁ ଧୁ ହୋଇ ଜଳୁଛି, ସେ କଲବଲ ହୋଇ ମୋ ଆଡ଼କୁ ଦୌଡ଼ିଆସିଲେ । ମୁଁ ଦୌଡ଼ିଯାଇ ତାଙ୍କ ଉପରେ ମୋର କୋଟ୍‌ଟା ଘୋଡ଼ାଇଦେଲି । ମାଡ଼ିବସି ନିଆଁ ଲିଭାଇବାକୁ ମୁଁ ଚେଷ୍ଟା କରୁଥାଏ, ସେ ନିଆଁକୁ ନ ଡରି କେବଳ ପାଟି କରୁଥାନ୍ତି, ‘‘ହାୟ, ମୁଁ କ’ଣ ନ କଲି । ହାୟ-!’’ ଚାକରବାକର ଦୌଡ଼ିଆସିଲେ । ସେ ନିଜର ଅନ୍ୟାୟ ଲାଗି ଅନୁତାପ କରି କରି କାନ୍ଦୁଥାନ୍ତି-। ସମସ୍ତେ ମିଶି ନିଆଁ ଲିଭାଇଲୁ । ଦେଖାଗଲା ତାଙ୍କ ଦେହର ଅନେକ ଅଂଶ ପୋଡ଼ିଯାଇଛି, ମୋର ଦୁଇହାତ ବି ପୋଡ଼ି ଫୋଟକା ହୋଇଯାଇଛି ।

 

ଡାକ୍ତର ଆସି ପହଞ୍ଚିଲେ, ଚିକିତ୍ସା ଆରମ୍ଭ ହୋଇଗଲା । ଏଷ୍ଟେଲା ତା’ର ସ୍ୱାମୀଘରେ ଥିଲା । ତା’ ପାଖକୁ ଖବର ପଠାଇବା ବ୍ୟବସ୍ଥା କରି ଲଣ୍ଡନ ଫେରିଲି । ବିଦାୟ ନେଇ ଫେରିବାବେଳେ ମିସ୍‌ ହ୍ୟାବିସାମ୍‌ କାନ୍ଦି କାନ୍ଦି କହିଲେ, ‘‘ହାୟ, ମୁଁ କ’ଣ ନ କଲି । ବାପ, ମତେ କ୍ଷମାକଲୁ ବୋଲି ଅନ୍ତତଃ ଖାତାରେ ଲେଖିଦେବୁ ।’’

 

ଲଣ୍ଡନରେ ପହଞ୍ଚି ହାର୍ବର୍ଟଠାରୁ ପ୍ରୋଭିସ୍‌ର ଖବର ଶୁଣିଲି । ପ୍ରୋଭିସ୍‌ କାଳେ ତା’ ଭାର୍ଯ୍ୟାକଥା କହୁଥିଲା । ସବୁ ଶୁଣିସାରିବା ପରେ ମୋର ଆଉ ସନ୍ଦେହ ରହିଲାନାହିଁ ଯେ ପ୍ରୋଭିସ୍‌ ଏଷ୍ଟେଲାର ବାପା ଏବଂ ମୋଲିର ସ୍ୱାମୀ । ପ୍ରୋଭିସ୍‌ କାଳେ କହିଥିଲା ଯେ ଗୀର୍ଜାର କବରଖାନାରେ ମୋ ପରି ଗୋଟିଏ ନିରୀହ ପିଲାକୁ ଦେଖି ତା’ର ହୃଦୟ ବାତ୍ସଲ୍ୟ ମମତାରେ ଭରିଯାଇଥିଲା, ଶିଶୁ ଅବସ୍ଥାରେ ସେ ଏଷ୍ଟେଲାକୁ ହରାଇଥିଲା; ତେଣୁ ତା’ର ସମସ୍ତ ସ୍ନେହ ମମତା ସେ ମୋ ଉପରେ ଢାଳିଦେଲା ।

 

ମିଷ୍ଟର ଜ୍ୟାଗର୍ସଙ୍କ ସହିତ ଏ ବିଷୟ ନେଇ କିଛିଟା ଆଲୋଚନା ପରେ ଆମେ ସ୍ଥିର କଲୁ ଯେ ଏ କ୍ଷେତ୍ରରେ ପ୍ରୋଭିସ୍‌, ମୋଲି ଏବଂ ଏଷ୍ଟେଲାକୁ ପରସ୍ପର ସହିତ ପରିଚୟ କରାଇ ନ ଦେଇ ଚୁପ୍‌ ରହିବା ହିଁ ଭଲ ।

☆☆☆

 

ଅଶାନ୍ତ ଗ୍ରହ

 

ମିସ୍‌ ହ୍ୟାବିସାମ୍‌ ଦେଇଥିବା ଚିଠିଟି ଦେଖାଇ ଜ୍ୟାଗର୍ସଙ୍କଠାରୁ ନଅଶହ ପାଉଣ୍ଡ ନେଇଆସିଲି । ହାର୍ବର୍ଟ କାମ କରୁଥିବା ବୀମା କମ୍ପାନୀର ମାଲିକଙ୍କୁ ଟଙ୍କାଟା ଧରାଇଦେଇ ହାର୍ବର୍ଟକୁ ଜଣେ ଅଂଶୀଦାର କରିନେବା ପରେ ଟିକିଏ ଆଶ୍ୱସ୍ତି ବୋଧ କଲି । କିନ୍ତୁ ସୋମବାରଦିନ ସକାଳୁ ସକାଳୁ ମିଷ୍ଟର ଓଏମିକ୍‌ଙ୍କଠାରୁ ଗୋଟାଏ ଚିଠି ଆସି ପହଞ୍ଚିଗଲା । ସେ ଲେଖିଛନ୍ତି ।

 

‘‘ଓ୍ୱେଲ୍‌ଓ୍ୱାର୍ଥ । ପଢ଼ିସାରିବା ସଙ୍ଗେ ସଙ୍ଗେ ଏ ଚିଠିଟା ପୋଡ଼ିଦେବ । ଏ ସପ୍ତାହର ପ୍ରଥମ ଭାଗରେ, ଧର ବୁଧବାରଦିନ, ଇଚ୍ଛାକଲେ ଆପଣମାନେ ଯାହା କରିବାକୁ ସ୍ଥିର କରିଛନ୍ତି, ତାହା କରିପାରିବେ । ଏଥର ପୋଡ଼ିଦିଅ ଚିଠିଟା ।’’

 

ହାର୍ବର୍ଟକୁ ଦେଖାଇବା ପରେ ଚିଠିଟା ପୋଡ଼ିଦେଲି ।

 

କ’ଣ କରାଯାଏ ବର୍ତ୍ତମାନ ?

 

ହାର୍ବର୍ଟ କହିଲା, ‘‘ଦେଖ, ଆଉଜଣେ ଲୋକର ସାହାଯ୍ୟ ଲୋଡ଼ା ହେବ । ମୁଁ ଭାବୁଛି ଷ୍ଟାରଟୋପ୍‌କୁ ନେଲେ ଭଲହୁଅନ୍ତା । ସେ ତ ବାପାଙ୍କ ପାଖରେ ତୋ ସହିତ ପଢ଼ୁଥିଲା । ତୁ ଜାଣୁ । ଲୋକଟା ଖୁବ୍‌ ଭଲ, ନିର୍ଭରଯୋଗ୍ୟ । କ’ଣ ଚଳିବ ?’’

 

‘‘ଚଳିବ । କିନ୍ତୁ ତାକୁ କ’ଣ ସବୁ କଥା ଖୋଲି କହିବା ?’’

 

‘‘ଦରକାର ନାହିଁ, କହିବା କାହିଁକି ? କେବଳ ଏତିକି କହିବା ଯେ, ଆମେ ନଦୀରେ ଦିନେ ଦୁଇଦିନ ନୌକାବିହାର କରିବା । ତା’ ପରେ ବୁଧବାର ଦିନ ସକାଳେ କହିବା, ବିଶେଷ ଦରକାର ଥିବାରୁ ପ୍ରୋଭିସ୍‌କୁ ଇଂଲଣ୍ଡ ବାହାରକୁ ପଠାଇବାକୁ ପଡ଼ୁଛି । ଆଚ୍ଛା ପିପ୍‌, ତୁ ପ୍ରୋଭିସ୍‌ ସହିତ ଯିବୁ ତ ?’’

 

‘‘ନିଶ୍ଚୟ ଯିବି ।’’

 

‘‘ଯେଉଁଠିକି ଯିବି ?’’

 

‘‘ଯେକୌଣସି ଗୋଟାଏ ଦେଶକୁ–ଯେକୌଣସି ବିଦେଶୀ ଜାହାଜ ମିଳୁନା କାହିଁକି, ସେଥିରେ ଚଢ଼ିଯିବୁ । ତା’ପରେ ଦେଖାଯିବ ।’’

 

‘‘ତା’ ତ ନିଶ୍ଚୟ କରିବାକୁ ପଡ଼ିବ ।’’

 

ଚାହା ଜଳଖିଆ ଖାଇ ଜାହାଜ ବିଷୟରେ ଅନୁସନ୍ଧାନ କରିବା ଲାଗି ଦିହେଁ ବାହାରିପଡ଼ିଲା । ବୁଝୁ, ବୁଝୁ, ଜଣାଗଲା ଯେ ହାମ୍‌ବର୍ଗଗାମୀ ଗୋଟାଏ ଜାହାଜ ଆମ ପକ୍ଷରେ ଯଥେଷ୍ଟ ସୁବିଧାଜନକ ହେବ । ଅନ୍ୟଗୁଡ଼ାଏ ଜାହାଜ ବି ସେହି ବୁଧବାର ଦିନ ଲଣ୍ଡନରୁ ବାହାରିଥିବାର ଥାଏ ।

 

ଜାହାଜ ବିଷୟ ତୁଟାଇ ଷ୍ଟାରଟୋପ୍‌ ପାଖକୁ ଗଲୁ । ସେ ଶୁଣୁଶୁଣୁ ରାଜି ହୋଇଗଲା । ଠିକ୍‌ କରାଗଲା ଯେ ସେ ଓ ହାର୍ବର୍ଟ ଆହୁଲା ମାରିବେ ଏବଂ ମୁଁ ମଙ୍ଗ ଧରିବି । ସବୁ ବ୍ୟବସ୍ଥା ପକ୍‌କା ହୋଇଗଲା । ହାର୍ବର୍ଟ ସେହିଦିନ ରାତିରେ ପ୍ରୋଭିସ୍‌ ପାଖକୁ ଯାଇ ବ୍ୟବସ୍ଥାଟା ଜଣାଇଦେବ । ବୁଧବାର ଦିନ ଝରକା ପାଖରେ ବସି ସେ ନଦୀଆଡ଼େ ନଜର ରଖିଥିବ; ଆମ ଡଙ୍ଗା ଦେଖିବା ମାତ୍ରେ ଘାଟକୁ ଚାଲିଆସିବ ।

 

କଥାଭାଷା ଶେଷ କରି ହାର୍ବର୍ଟ ଅଫିସ ଚାଲିଗଲା ଏବଂ ମୁଁ ଫେରିଲି ବସାକୁ ।

 

ତାଲା ଖୋଲି ଘରଭିତରେ ପାଦ ଦେଉ ଦେଉ ଦେଖିଲି ମୋ ନାଆଁରେ ଗୋଟାଏ ଚିଠି ଆସି ପଡ଼ିଛି । ନିତାନ୍ତ ମଇଳା କାଗଜରେ ଲେଖା, ହସ୍ତାକ୍ଷର କିନ୍ତୁ ସେତେଟା ଖରାପ ନୁହେଁ । ଲେଖାଅଛି, ‘‘ତୁମ ଦାଦା ପ୍ରୋଭିସ୍‌ ବିଷୟରେ ଯଦି ଜାଣିବାର ଇଚ୍ଛାଥାଏ ତେବେ ଆଜି ରାତିରେ ବା କାଲି ରାତି ନ’ଟା ବେଳେ ପୁରୁଣା ଗହୀର ପାଖକୁ ଆସିବ । ଯଦି ଭୟ ନ କର, ତେବେ ଇଟାଭାଟି ପାଖ ଛୋଟ ଘରକୁ ଆସିବ । ଏ ବିଷୟ ଅନ୍ୟ କାହାକୁ ନ କହି ଏକାଟିଆ ଆସିବ । ହଁ, ଏ ଚିଠିଖଣ୍ଡିକ ସାଥିରେ ନେଇ ଆସିଥିବ ।’’

 

ଚିଠି ପଢ଼ି ମୁଣ୍ଡ ବୁଲେଇଗଲା । କ’ଣ କରିବି, ଠିକ୍‌ କରି ଭାବିପାରିଲି ନାହିଁ । ଭାବିବାକୁ ବା ସମୟ କାହିଁ ? ଯାହା କିଛି ଏହି ମୁହୂର୍ତ୍ତରେ ହିଁ ସ୍ଥିର କରିବାକୁ ପଡ଼ିବ । ଦେଖିଲି ଉପରବେଳା ଗାଡ଼ିରେ ଯଦି ନ ବାହାରୁଛି, ତେବେ ରାତିକି ସେଠାରେ ପହଞ୍ଚି ହେବ ନାହିଁ । କାଲି ରାତି କଥା ଉଠୁନାହିଁ, କାରଣ ପଅରଦିନ ଆମର ଲଣ୍ଡନ ଛାଡ଼ିବାର ଯୋଜନା ରହିଚି । ସେଠାକୁ ଗଲେ ପ୍ରୋଭିସ୍‌ ସମ୍ପର୍କରେ କିଛି ନୂତନ କଥା ଶୁଣିବାକୁ ମିଳିପାରେ ଅବା ।

 

ଅବଶେଷରେ ଯିବା ପାଇଁ ସ୍ଥିର କଲି । ହାର୍ବର୍ଟକୁ ଖଣ୍ଡେ ଚିଠି ଲେଖି ଜଣାଇଦେଲି ଯେ ମିସ୍‌ ହ୍ୟାବିସାମ୍‌ଙ୍କ ଠାରୁ ବିଦାୟ ନେବାକୁ ଯାଉଛି । ତା’ ପରେ ବାହାରିପଡ଼ିଲି ।

 

ଗହୀରପାଖ ଗାଆଁରେ ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା ହୋଇଗଲା । ଗାଆଁ ହୋଟେଲରେ କ’ଣ ଦି’ଟା ଖାଇଦେଇ ଯଥାସମୟରେ ଇଟାଭାଟି ପାଖ ଛୋଟ ଘର ଆଡ଼କୁ ଚାଲିଲି ।

 

ଅନ୍ଧାର ରାତି, ଥଣ୍ଡା ପବନ ବହୁଥାଏ ଜୋର୍‌ରେ । ଚତୁର୍ଦ୍ଦିଗ ନିର୍ଜନ । ଗୁଡ଼ାଏ ବାଟ ଚାଲିବା ପରେ କୁଡ଼ିଆଟା ପାଖରେ ପହଞ୍ଚିଲି । ଭିତରେ ଆଲୁଅ ଜଳୁଥିଲା । ହାତ ମାରୁ ମାରୁ କବାଟ ଖୋଲିଗଲା । ଟେବୁଲ ଉପରେ ଜଳନ୍ତା ମହମବତୀ ପାଖରେ ଗୋଟିଏ ଛୋଟ ଖଟିଆ । କିନ୍ତୁ ଘରେ ଲୋକବାକ ବୋଲି କେହି ନାହିଁ ।

 

ଉପର ତାଲାରେ ବି ଛୋଟ ବଖରାଏ ଘର । ଉପରକୁ ଚାହିଁଲି । ଡାକିଲି, ‘‘କିଏସେ ଅଛ ?’’

 

କୌଣସି ଉତ୍ତର ଆସିଲା ନାହିଁ । ପକେଟଘଡ଼ିକୁ ଚାହିଁଲି । ସାଢ଼େ ନଅଟା ବାଜିସାରିଥାଏ । ପୁଣି ଥରେ ଡାକିଲି । ‘‘ଘରେ କିଏସେ ଅଛ ?’’

 

ଏଥର ବି କୌଣସି ଉତ୍ତର ପାଇଲି ନାହିଁ । କ’ଣ କରାଯାଏ ? ଦୁଆର ପାଖକୁ ଆସି ବହାରକୁ ଚାହିଁଲି । ବାହାରେ ବର୍ଷା ଆରମ୍ଭ ହୋଇଯାଇଥାଏ । ବାଧ୍ୟହୋଇ ଘରଭିତରକୁ ଆସିଲି । ଏ ଘରେ କ’ଣ କେହି ନାହିଁ ? ତାହେଲେ ମହମବତୀ ଜଳୁଛି କାହିଁକି ? ନିଶ୍ଚୟ କିଏସେ ଅଛି । ତା’ହେଲେ କ’ଣ ଉପର ଘରେ ଅଛି ? ମହମବତୀଟାକୁ ହାତରେ ଧରି ଉପରକୁ ଯିବାଲାଗି ପାହାଚରେ ପାଦ ଦେଲି ।

 

ଚଟକରି ବତୀଟା ଲିଭିଗଲା । ଏବଂ ହଠାତ୍‌ ଗୋଟାଏ ଶକ୍ତ ଦଉଡ଼ିରେ କେହି ଜଣେ ମତେ ବାନ୍ଧିପକାଇଲା । କାହା ପାଟିରୁ ଫୁସ୍‌ଫୁସ୍‌ ହୋଇ କଥା ବାହାରିପଡ଼ିଲା, ‘‘ଏଇଥର ତତେ ଠିକ୍‌ ବାଗରେ ଧରିଛି ।’’

 

ମୁଁ ଚିତ୍କାର କରିଉଠିଲି, ‘‘କିଏ, କିଏ ତୁ ? ....ରକ୍ଷାକର...ରକ୍ଷାକର....ରକ୍ଷାକର... ।’’

 

ଗୋଟାଏ ଖୁଣ୍ଟଦେହରେ ମତେ ଖୁବ୍‌ ଜୋର୍‌ରେ ବାନ୍ଧିପକାଇ ଲୋକଟା ମୋର ପାଟି ଚିପିଧରି ଧମକାଇଦେଲା, ‘‘ଆଉ ଯଦି ଥରଟାଏ ପାଟିକରିବୁନା, ତତେ ଏଠି ଖୁନ୍ କରିଦେବି ଜାଣିଥାଆ ।’’

 

ଲୋକଟା ମହମବତୀଟା ଜଳାଇବା ସଙ୍ଗେ ସଙ୍ଗେ ତାକୁ ଚିହ୍ନି ପକାଇଲି । ସେ ଅନ୍ୟ କେହି ନୁହେଁ, ଆର୍ଲିକ !!

 

ମୋ ମୁହଁକୁ ଚାହିଁ ଆର୍ଲିକ ପୁଣି କହିଲା, ‘‘ଏଇଥର ତତେ ଠିକ୍‌ ବାଗରେ ଧରିଛି ।’’

 

‘‘ମତେ ଛାଡ଼ିଦିଅ...ମତେ ଛାଡ଼ିଦିଅ ।’’

 

‘‘ଛାଡ଼ିଦେବି ? ହଁ, ହଁ, ତତେ ତ ଶେଷଥର ପାଇଁ ଛଡ଼େଇଦେବି । ତୁ ହେଲୁ ମୋର ଅସଲ ଶତ୍ରୁ ।’’

 

ଘରକୋଣରେ ଗୋଟାଏ ବନ୍ଧୁକ ଥୁଆ ହୋଇଥିଲା । ବନ୍ଧୁକଟାକୁ ଉଠାଇଆଣି ମୋରି ଆଡ଼କୁ ଲକ୍ଷ୍ୟ କରି ଧରିଲା ଆର୍ଲିକ । ପଚାରିଲା, ‘‘ଚିହ୍ନିପାରୁଛୁ ? କୋଉଠି ଏ ବନ୍ଧୁକ ଦେଖିଥିଲୁ ୟା ଆଗରୁ ?’’

 

‘‘ହଁ, ଚିହ୍ନିଛି । ମିସ୍‌ ହ୍ୟାବିସାମ୍‌ଙ୍କ ଘରେ ଥରେ ତୋ ହାତରେ ଏ ବନ୍ଧୁକଟା ଦେଖିଥିଲି-।’’

 

‘‘ଓକିଲ ଜ୍ୟାଗର୍ସକୁ କହି ମତେ ସେ ଘରୁ କିଏସେ ତଡ଼େଇଦେଲା ? ତୁ ନା ? କ’ଣ ? ପାଟି ବୁଜି ଠିଆହେଲୁ କ’ଣ ? କହୁନୁ ?’’

 

ମୁଁ ଦୃଢ଼ କଣ୍ଠରେ ଉତ୍ତର ଦେଲି, ‘‘ହଁ, ମୁଁ ହିଁ ତତେ ତଡ଼େଇଲି ।’’

 

‘‘ଆଉ ଆଜି ମୁଁ ତତେ ତଡ଼ି ତଡ଼ି ନେଇ ଯମପୁରରେ ଛାଡ଼ିଦେବି ।’’

 

‘‘ମାନେ ?’’

 

‘‘ମାନେ ମୁଁ ତତେ ଖୁନ୍‌ କରିବି । ପାଜି, ବଦମାସ୍‌, ପିଲାଦିନୁ ତୁ ମୋ ଜୀବନର ଶତ୍ରୁ, ମୋ ପଥର କଣ୍ଟା । ତୋରି ଯୋଗୁ ଜୋ ମୋତେ ମାରି ମାରି ଦରମରା କରିଦେଇଛି । ତୋରି ଯୋଗୁ ବିଡ଼ି ମତେ ଦି ଆଖିରେ ଦେଖିପାରେନା । ତୋରିପାଇଁ ମିସ୍‌ ହ୍ୟାବିସାମ୍‌ଙ୍କ ସମ୍ପତ୍ତି ପାଇବାରୁ ମୁଁ ବଞ୍ଚିତ ହେଲି । ତୁ ଟା ମୋର ଆଜନ୍ମଶତ୍ରୁ, କିନ୍ତୁ ଆଉ ନାହିଁ, ତୋର ଆଉ ନିସ୍ତାର ନାହିଁ । ଆଜି ରାତିରେ ହିଁ ତୋର ହିସାବ ନିକାଶ କରିଦେବି ।’’

 

ପାଟି କରୁଥାଏ, ମଝି ମଝିରେ ମଦ ପିଉଥାଏ । ଆଖିଦୁଇଟା ଖାଲି ନାଲି ଟହଟହ ଦିଶୁଥାଏ । ପୁଣି ଢୋକେ ମଦ ପିଇଦେଇ କହିଲା, ‘‘ମୋ ହାତରୁ କେହି ରକ୍ଷା ପାଇନାହିଁ । ଶୁଣରେ ହତଭାଗା, ତୋ ଭଉଣୀକୁ ମାରିବାବାଲା ହଉଛି ମୁଁ ।’’

 

ମୁଁ ଚିତ୍କାର କରିଉଠିଲି, ‘‘ତୁ ? ...ପାଷାଣ୍ଡ ତୁ ?’’

 

‘‘ମୁଁ ? ନା ନା, ତୁ । ପଛପଟୁ ତା’ର ତାଳୁ ଉପରେ ଠେଙ୍ଗାପାହାର ପକେଇଥିଲି ମୁଁ । କିନ୍ତୁ କାହିଁକି ? କେବଳ ତୋରି ହେତୁ । ତୋରି ହେତୁ ସେଦିନ କ’ଣ କମ୍‌ ଗାଳିମାଡ଼ ଖାଇଥିଲି ? ଆଜି ସବୁ ଶୁଝେଇଦେବି । ଆଜି ରାତିରେ ।’’

 

ସେ ପୁଣି ଥୋଡ଼ାଏ ମଦ ପିଇଲା । ବତୀଟା ଉଠାଇଆଣି ମୋ ମୁହଁପାଖରେ ଧରି ମୋତେ କିଛି ସମୟ ନିରେଖି ଚାହିଁଲା ତା’ପରେ କହିଲା, ‘‘ବହୁତଦିନ ଧରି ତତେ ଶେଷ କରିଦେବା ଲାଗି ମୁଁ ସୁବିଧା ଖୋଜୁଥିଲି । ଏତେଦିନ ଯାଏଁ ସୁଯୋଗ ମିଳିନଥିଲା । ମୁଁ ଚାରିଆଡ଼େ ନଜର ରଖିଛିରେ ଚାରିଆଡ଼େ । ସେଇଥିପାଇଁ ତ ତୋ ପୋଷିଆବାପ ପ୍ରୋଭିସ୍‌ରେ ଖବରଟା ପାଇଗଲି । କିନ୍ତୁ ତା’ର ବି ନିସ୍ତାର ନାହିଁ, ଧନମଣି ! ତୋର ଶତ୍ରୁ ମୁଁ, ଆଉ ତୋ ଦାଦା–ମହାଶୟ ମ୍ୟାଗଉଇଚ୍‌ର ଶତ୍ରୁ ହେଲା କମ୍ପେସନ୍‌ । ତୁମ ଦୁଇଟାକୁ ନ ମାରିବା ଯାଏଁ ଆମର ଶାନ୍ତି ନାହିଁ ।’’

 

ଆହୁରି କିଛି ମଦ ପିଇଦେଇ ଆର୍ଲିକ ଗୋଟାଏ ପଥର ହାତୁଡ଼ି ଉଠାଇଆଣି ମୋ ଆଡ଼କୁ ମାଡ଼ିଆସିଲା । ମୋର ଆଖି ବୁଜିହୋଇଗଲା । ମୋର ସମସ୍ତ ଶକ୍ତି ଦେଇ ମୁଁ ଚିତ୍କାର କରିଉଠିଲି ।

 

ଏ କ’ଣ ? ମୋ ନାଁ ଧରି ବାହାରେ କିଏ ଡାକୁଛି ! କ୍ଷଣକ ମଧ୍ୟରେ ଗୋଟାଏ ଆଲୁଅ ନେଇ ଘରଭିତରକୁ କେତେଗୁଡ଼ାଏ ଲୋକ ପଶିଆସିଲେ । ଆାର୍ଲିକ ସେମାନଙ୍କୁ ବାଧାଦେଲା । ଖୁବ୍‌ ଗୋଟାଏ ଧସ୍ତାଧସ୍ତି ଲାଗିଗଲା । କିନ୍ତୁ କୌଣସିମତେ ଆର୍ଲିକ ସେମାନଙ୍କ ହାତରୁ ଖସି ଅନ୍ଧାର ଭିତରେ କେଉଁଆଡ଼େ ଅଦୃଶ୍ୟ ହୋଇଗଲା ।

 

ତା’ପରେ କ’ଣ ହେଲା ଜାଣିନାହିଁ । ଯେତେବେଳେ ଜ୍ଞାନ ଫେରିପାଇଲି, ଦେଖିଲି ହାର୍ବର୍ଟ ଓ ଷ୍ଟାରଟୋପ୍‌ ବସି ମୋର ସେବାଶୁଶ୍ରୂଷା କରୁଛନ୍ତି । କ’ଣ କହିବାକୁ ଯାଉଥିଲି, କିନ୍ତୁ ହାର୍ବର୍ଟ ବାରଣ କଲା । କହିଲା, ‘‘ଚୁପ୍‌ ହୋଇ ଶୁଅ । ହାତରେ କେତେ ବଡ଼ କାମ ନେଇଥାଇଁ, ମନେଅଛି ଟି ?’’

 

ପ୍ରୋଭିସ୍‌ କଥା ମନେପଡ଼ିଲା । କିନ୍ତୁ ହାତରେ ଭୀଷଣ ଯନ୍ତ୍ରଣା ପାଇ ପୁଣି ଆଖି ବୁଜିଦେଲି । କିଛି ସମୟ ପରେ ବ୍ୟଗ୍ରହୋଇ ପଚାରିଲି, ‘‘ବେଳ ଗଡ଼ିଯାଇ ନାହିଁ ତ ? ଆଜି କି ବାର ? ମୁଁ ଏଠାରେ କେତେ ରାତି ହେଲା ଏମିତି ପଡ଼ିଛି ?’’

 

ହାର୍ବର୍ଟ ଜବାବ ଦେଲା, ‘‘ବେଳ ଗଡ଼ିନାହିଁ । ଆଜି ମାତ୍ର ସୋମବାର ।’’

 

‘‘ଭଗବାନଙ୍କୁ ଅଶେଷ ଧନ୍ୟବାଦ ।’’

 

‘‘କାଲି ମଙ୍ଗଳବାର । ତୁ ଦିନତମାମ ବିଶ୍ରାମ ନେ ।’’

 

ଟିକିଏ ଆଶ୍ୱସ୍ତ ହୋଇ ପଚାରିଲି, ‘‘ତୁମେ ମୋ ଖବର କିପରି ପାଇଲ ?’’

 

ହାର୍ବର୍ଟ କଥାରୁ ବୁଝିପାରିଲି ଯେ ତରତର ହୋଇ ବସାରୁ ଆସିବାବେଳେ ଆର୍ଲିକର ସେ ମଇଳା କାଗଜର ଚିଠିଖଣ୍ଡିକ ସେମିତି ଖୋଲା ଅବସ୍ଥାରେ ଘରେ ଛାଡ଼ିଦେଇ ଆସିଥିଲି । ମୁଁ ଘର ଛାଡ଼ିବାର ଠିକ୍‌ ପରେ ପରେ ହାର୍ବର୍ଟ ଓ ଷ୍ଟାରଟୋପ୍‌ ସେଠାରେ ପହଞ୍ଚି ଚିଠିଟାକୁ ଦେଖିବାକୁ ପାଇଲେ । ଚିଠି ପଢ଼ିବା ମାତ୍ରେ ହିଁ ସେମାନେ ସନ୍ଦେହ କରିଛନ୍ତି । ସଙ୍ଗେ ସଙ୍ଗେ ଖଣ୍ଡେ ଗାଡ଼ି ଭଡ଼ା କରି ସେମାନେ ମତେ ଖୋଜିବାକୁ ବାହାରିପଡ଼ିଲେ । ସେମାନେ ସେହି ଗାଁରେ ପହଞ୍ଚି ଗୋଟାଏ ଟୋକାଠାରୁ ଶୁଣିଲେ ଯେ ମୁଁ ଗହୀର ମାଳରେ ଥିବା ଇଟାଭାଟି ଆଡ଼କୁ ଯାଇଛି । ସେହି ଟୋକା ସେମାନଙ୍କୁ ବାଟ କଢ଼ାଇ ସେ ଘର ପାଖକୁ ନେଇଆସିଲା । ଠିକ୍‌ ସେତିକିବେଳେ ମୁଁ ସାହାଯ୍ୟ ଲାଗି ଚିତ୍କାର କରିଉଠିଛି । ପାଟିଶୁଣି ସେମାନେ ଘରଭିତରେ ପଶି ମୋର ଜୀବନ ରକ୍ଷା କରିଛନ୍ତି-

 

ଆର୍ଲିକ ପରି ଗୋଟାଏ ଦୁଷ୍ଟ ଗ୍ରହକୁ ଖୋଜିବାକୁ ଆମର ବେଳ କାହିଁ ? ସେହି ରାତିରେ ହିଁ ଆମେ ଲଣ୍ଡନ ଫେରିଆସିଲୁ ।

 

ମଙ୍ଗଳବାର ଦିନତମାମ ବିଶ୍ରାମ ନେବାକୁ ବାଧ୍ୟହେଲି ।

 

ବୁଧବାର ସକାଳ ।

 

ମାର୍ଚ୍ଚ ମାସର ଏହି ସମୟଟାରେ ଖରା ଓ ଶୀତର ପ୍ରତିଯୋଗିତା ଚାଲେ । ଖରାକୁ ଗଲେ ଦେହ ପୋଡ଼ିଯାଏ, କିନ୍ତୁ ଛାଇକୁ ଆସିଲେ ଶୀତ କାମୁଡ଼ିଗୋଡ଼ାଏ । ଓଭରକୋଟ୍‌ ମଡ଼ାଇ ତିନିହେଁ ବାହାରିପଡ଼ିଲୁ । ମୋ ହାତରେ ଗୋଟିଏ ଛୋଟ ବ୍ୟାଗର୍ ସେଥିରେ ସାମାନ୍ୟ କେତୋଟି ଦରକାରୀ ଜିନିଷ । କେଉଁଆଡ଼େ ଯିବି, କ’ଣ କରିବି–ମୁଁ କିଛି ଜାଣେନା । ଏ ସବୁ ବିଷୟରେ ମୁଁ ଭାବି ବି ନାହିଁ । ପ୍ରୋଭିସ୍‌କୁ ନିରାପଦରେ ରଖିବାର ଚିନ୍ତା ହିଁ ମନଟାକୁ ଆକ୍ରାନ୍ତ କରି ରଖିଛି ।

 

ତିନିହେଁ ଡଙ୍ଗାରେ ଚଢ଼ିଗଲୁ । ହାର୍ବର୍ଟ ଓ ଷ୍ଟାର୍‌ଟୋପ୍‌ ଆହୁଲା ଧରିଲେ । ମୁଁ ଧରିଲି ମଙ୍ଗ ।

 

ଦିନ ସେତେବେଳକୁ ନଅଟା । ଜୁଆର ଆସିବ ଉପରବେଳା ତିନିଟାରେ । ଠିକ୍‌ କଲୁ ଏ ଭିତରେ ଗୁଡ଼ାଏ ବାଟ ଚାଲିଯିବୁ । ଯେଉଁ ଶେଷମୁଣ୍ଡରେ ଅବକାରୀ ବିଭାଗ ଓ ପୋଲିସ ବିଭାଗ ପକ୍ଷରୁ ବିଦେଶଗାମୀ ଜାହାଜ ଖାନତଲାସ କରାଯାଏ, ତାକୁ ଡେଇଁ ଆଗକୁ ଚାଳିଯିବୁ । ରାତିରେ ଏପରି ଏକ ସ୍ଥାନରେ ଓହ୍ଲାଇବାକୁ ଯେଉଁଠି କୌଣସି ଜନବସତି ବା ଘରଦ୍ୱାର ନ ଥିବ । ହାମ୍‌ବର୍ଗ ଓ ରୋଟ୍‌ର୍‌ଡ଼ାମ୍‌ଗାମୀ ଜାହାଜ ସବୁ ଗୁରୁବାର ସକାଳ ନଅଟାରେ ଲଣ୍ଡନ ଛାଡ଼ିବ । ଠିକ୍‌ ସମୟରେ ଆମେ ଡଙ୍ଗା ନେଇ ଜାହାଜ ପାଖରେ ପହଞ୍ଚିଯିବୁ । ପ୍ରଥମ ଜାହାଜର କପ୍ତାନ ଯଦି ଜାହାଜ ନ ରୋକନ୍ତି, ତେବେ ତା’ ପର ଜାହାଜରେ ଚେଷ୍ଟା କରିବୁ ।

 

ଡଙ୍ଗା ବାହି କିଛି ଦୂର ଯିବା ପରେ ପ୍ରୋଭିସ୍‌ ଯେଉଁଠି ରହେ ସେଠାରେ ପହଞ୍ଚିଗଲୁ । ଘାଟରେ ଡଙ୍ଗା ଲାଗୁ ଲାଗୁ ପ୍ରୋଭିସ୍‌ ଆସି ପହଞ୍ଚିଗଲା । କାଳବିଳମ୍ୱ ନ କରି ଡଙ୍ଗାନେଇ ଆଗେଇ ଚାଲିଲୁ ।

 

ମୋ କାନ୍ଧରେ ହାତରଖି ପ୍ରୋଭିସ୍‌ କହିଲା, ‘‘ଭଲରେ ଭଲରେ କାମଟା ହାସଲ ହୋଇଗଲା ବାପା । ନିର୍ବିଘ୍ନରେ ପଳାଇ ଆସିଲେ । ଧନ୍ୟବାଦ, ଅଶେଷ ଧନ୍ୟବାଦ ।’’

 

ଦେଖିଲି ପ୍ରୋଭିସ୍‌ ମନରେ କୌଣସି ଉଦ୍‌ବେଗ ନାହିଁ । ବିପଦ ନ ଆସିବା ପର୍ଯ୍ୟନ୍ତ ସେ ଆରାମରେ ରହିବ ।

 

ନଦୀମଧ୍ୟରେ ନଙ୍ଗର ପକାଇ ଏଠିସେଠି ଗୁଡ଼ାଏ ଜାହାଜ ଅପେକ୍ଷା କରିଛନ୍ତି । ସେମାନଙ୍କୁ କଟାଇ କଟାଇ ଆମ ଡଙ୍ଗା ଆଗେଇ ଚାଲିଥାଏ । ମୋ ଆଡ଼କୁ ଚାହିଁ ପ୍ରୋଭିସ୍‌ ପୁଣି କହିଲା, ‘‘ଦେଖ ବାପା, ଦିନ ଦିନ ଧରି ଚାରିକାନ୍ଥ ଭିତରେ ଅଟକବନ୍ଦୀ ହୋଇ ରହିଥିଲି । ନା–ଆଜି ଏ ମୁକ୍ତ ଆକାଶ ତଳେ ତୁମ ପାଖରେ ବସି ଟିକିଏ ଚୁରୁଟ ଖାଇବାର ଯେଉଁ ସୁଯୋଗ ପାଇଛି, ତାହା ଯେ ମତେ କେତେ ଆନନ୍ଦ ଦେଉଛି, କଥାରେ କହିହେବ ନାହିଁ । ତୁମେ ବୁଝିପାରିବ ନାହିଁ ବାପା ।’’

 

କହିଲି, ‘‘ମୁକ୍ତି କାହାକୁ କହନ୍ତି, ତା’ ମୁଁ ଜାଣେ ।’’

 

ସେ ହସି ହସି କହିଲା, ‘‘କିନ୍ତୁ ମୋ ଭଳିଆ ଜାଣିନଥିବ । ମୋ ଭଳିଆ ଜାଣିବାକୁ ହେଲେ ରୀତିମତ ଜେଲ୍ ଭୋଗିବାକୁ ପଡ଼ିବ ।’’

 

ମୁଁ କହିଲି, ‘‘ଆଉ କେଇଟା ଘଣ୍ଟା ଯଦି ଭଲରେ କଟିଯାଏ, ତେବେ ଆପଣ ବି ସମ୍ପୂର୍ଣ୍ଣ ସ୍ୱାଧୀନ ଓ ନିରାପଦ ହୋଇପାରିବେ ।’’

 

ଗୋଟାଏ ଦୀର୍ଘ ନିଃଶ୍ୱାସ ମାରି ପ୍ରୋଭିସ୍‌ କହିଲା, ‘‘ଦେଖାଯାଉ, ସେହି ଆଶାନେଇ ତ ବାହାରିଥାଇଁ ।’’

 

ଦିନତମାମ ଡଙ୍ଗା ବାହି ଚାଲିଲୁ । ନଦୀ କ୍ରମଶଃ ପ୍ରଶସ୍ତ ହେବାକୁ ଲାଗିଲା । ଧୀରେ ଧୀରେ ମାଡ଼ି ଆସିଲା ରାତିର ଅନ୍ଧାର । ଅନ୍ଧାର ଭିତରେ ଯାଉ ଯାଉ ଆଗରେ କୂଳରେ ଠାଏ ଦେଖାଗଲା ଏକ କ୍ଷୀଣ ଆଲୋକ । ଆଲୁଅରେ କୂଳକୁ ଲାଗି ଦେଖାଗଲା କୋତୋଟି ପାହାଚ । ସେହି ପାଖରେ ଡଙ୍ଗା ଭିଡ଼ିଲୁ । ଅନ୍ୟମାନଙ୍କୁ ଡଙ୍ଗାରେ ରଖି ମୁଁ କୂଳକୁ ଗଲି । ଦେଖିଲି ନିକଟରେ ରହିଛି ଗୋଟିଏ ଛୋଟ ହୋଟେଲ । ବଡ଼ ଅସନା, ତଥାପି ଖାଦ୍ୟପେୟ ମନ୍ଦ ନୁହେଁ । ଶୋଇବା ପାଇଁ ବି ସ୍ଥାନର ଅଭାବ ନାହିଁ ।

 

ଖିଆପିଆ ପରେ ଚାରିହେଁ ବସି ଗପସପ କରୁଛୁ, ଶୁଣିଲୁ ହୋଟେଲରେ ଥିବା ଅନ୍ୟ ଦୁଇଜଣ ଲୋକ ସେଠାକୁ ଗୋଟାଏ ପୋଲିସ ଡଙ୍ଗା ଆସିଥିବା କଥା ଆଲୋଚନା କରୁଛନ୍ତି । କାଳେ ଖୁବ୍‌ ବଡ଼ ଡଙ୍ଗାଟାଏ; ସେଥିରେ ଛଅଜଣ ଲୋକ ଆସିଛନ୍ତି ।

 

ମନରେ ଛନକା ପଶିଗଲା । ପବନ ବହୁଥାଏ ଘୁ ଘୁ । ମତେ ଲାଗିଲା ଆମେ ଏହି ହୋଟେଲରେ ଅବରୁଦ୍ଧ ହୋଇ ରହିଯିବୁ । ପ୍ରୋଭିସ୍‌ ଶୋଇବା ପରେ ଆମେ ତିନିହେଁ ବସି ଆଲୋଚନା କଲୁ । ଜାହାଜ ଆସିବାର ଠିକ୍‌ ପୂର୍ବ ମୁହୂର୍ତ୍ତରେ ବାହାରିବାକୁ ପଡ଼ିବ । ରାତିରେ ନଦୀକୂଳକୁ ଚାହିଁ ଦେଖିଲି, କିଏସେ କେଜାଣି ଦୁଇଜଣ ଲୋକ ଯାଇ ଆମ ଡଙ୍ଗାଟାକୁ ଚାହିଁ କ’ଣ ପରୀକ୍ଷା କରୁଛନ୍ତି । ସକାଳୁ ହାର୍ବର୍ଟ ଓ ଷ୍ଟାରଟୋପ୍‌କୁ ଏ ସମ୍ୱାଦ ଦେବା ପରେ ଠିକ୍‌ ହେଲା, ପ୍ରୋଭିସ୍‌ ଓ ମୁଁ ନଈକୂଳରେ ଚାଲି ଚାଲି ଆଗକୁ ଚାଲିଯିବୁ । ହାର୍ବର୍ଟ ଓ ଷ୍ଟାରଟୋପ୍‌ ଡଙ୍ଗାନେଇ କିଛି ସମୟ ପରେ ଆମ ପଛରେ ଆସିବେ । ହୋଟେଲଠାରୁ ଦୂରରେ ଆମେ ଡଙ୍ଗାରେ ଚଢ଼ିବୁ ।

 

ତଦନୁଯାୟୀ ସାମାନ୍ୟ ଜଳଖିଆ ପରେ ପ୍ରୋଭିସ୍‌ ଓ ମୁଁ ବାହାରିପଡ଼ିଲୁ । ପ୍ରୋଭିସ୍‌ ଖୁସିମନରେ ଚାଲୁଥାଏ । ନିର୍ଦ୍ଦିଷ୍ଟ ଦୂରତା ଗଲାପରେ ଦେଖିଲୁ ପୋଲିସ୍‌ ଡଙ୍ଗାରେ ଚିହ୍ନବର୍ଣ୍ଣ ଦେଖାଯାଉ ନାହିଁ । ତେଣୁ ଆମେ ସେଠାରେ ଆମ ଡଙ୍ଗା ଆସିବା ଯାଏଁ ଅପେକ୍ଷା କଲୁ । କିଛି ସମୟ ପରେ ଆମ ଡଙ୍ଗା ଆସିଗଲା । ଦୂରରୁ ଜାହାଜର ଧୂଆଁ ବି ଦେଖାଗଲା । ବିଦାୟବେଳା ଆସି ପହଞ୍ଚିଗଲା । ଛାତିରେ ଛାତିଏ ଦୁଃଖ ନେଇ ଆମେ ଡଙ୍ଗାରେ ଚଢ଼ିଲୁ ।

 

ଜାହାଜ ଆସି ସେଠାରେ ପହଞ୍ଚିଯିବା ଉପରେ । ଆମ ଡଙ୍ଗା ଜାହାଜ ଆଡ଼କୁ ମୁହାଁଇଛି କି ନାହିଁ, ନଦୀର ଅନ୍ୟଦିଗରୁ ଗୋଟାଏ ପ୍ରକାଣ୍ଡ ଡଙ୍ଗା ମାଡ଼ିଆସିଲା । ଡଙ୍ଗାର ପଝାରୀମାନଙ୍କ ମଧ୍ୟରୁ ଜଣେ ଲୋକ ଗୋଟାଏ ପ୍ରକାଣ୍ଡ ଓଭର୍‌କୋଟରେ ଘୋଡ଼ାଇହୋଇ ନିଜକୁ ଲୁଚାଇ ରଖିଥାଏ, ଅନ୍ୟମାନେ କିନ୍ତୁ ଆମକୁ ଲକ୍ଷ୍ୟକରି ମାଡ଼ିଆସିଲେ, ବୋଧହୁଏ ଲୁଚିଥିବା ଲୋକଟିର ଇସାରା ପାଇ ।

 

ଦୁଇ ଡଙ୍ଗା ପାଖାପାଖି ହୋଇ ଆସିଲା, ଜାହାଜ ବି ପହଞ୍ଚିଗଲା । ଠିକ୍‌ ସେହି ମୁହୂର୍ତ୍ତରେ ଆର ଡଙ୍ଗାରୁ ଜଣେ ଗର୍ଜନ କରିଉଠିଲା, ‘‘ହେ...ତୁମ ସେ ଡଙ୍ଗାରେ ଜଣେ ପଳାତକ ଦାଗୀ ବସିଛି...ସେହି, ସେହି ଲୋକଟା-ମ୍ୟାଗଉଇଚ୍‌ ଓରଫ୍‌ ପ୍ରୋଭିସ୍‌ । ମୁଁ ତାକୁ ଆରେଷ୍ଟ କରୁଛି, ଆଇ ତୁମକୁ ଆଦେଶ ଦିଆଯାଉଛି, ତୁମେ ଏ କାର୍ଯ୍ୟରେ ସାହାଯ୍ୟ କର । ...ଶୁଣ...’’

 

ଲୋକଟା ପାଟିରୁ କଥା ଶେଷ ହୋଇନାହିଁ, ସେ ଡଙ୍ଗାଟା ଆସି ଆମ ଡଙ୍ଗାରେ ଘଷିହୋଇଗଲା ଏବଂ ଠିକ୍‌ ସେତିକିବେଳେ ଜାହାଜଟା ବି ଆସି ଆମର ଆରପାଖରେ ପହଞ୍ଚିଗଲା-। ଫଳତଃ ଆମ ଛୋଟ ଡଙ୍ଗାଟି ଜାହାଜ ଓ ପୋଲିସ ଡଙ୍ଗାର ମଝିରେ ଛନ୍ଦି ହୋଇଗଲା-। ଏ ଅବସ୍ଥାରେ ଡଙ୍ଗାଟା ଓଲଟି ନ ଯିବ ବା କିପରି ? ପୋଲିସ ଡଙ୍ଗାର ମଙ୍ଗ ଧରିଥିବା ଲୋକଟା ପ୍ରୋଭିସ ବେକରେ ହାତ ପକାଇବାକୁ ଯାଉଛି, ପ୍ରୋଭିସ୍‌ ପୋଲିସ ଡଙ୍ଗା ଉପରକୁ କୁଦିପଡ଼ି ବଡ଼ ଓଭର୍‌କୋଟ୍‌ ଘୋଡ଼ାଇ ହୋଇ ବସିଥିବା ଲୋକ ଉପରୁ କୋଟ୍‌ଟା ଟାଣିଆଣିଲା-। ଦେଖିଲି, ଲୁଚିବସିଥିବା ସେହି ଲୋକଟି ମୁଁ ପିଲାଦିନେ ଗହୀର ମଝିରେ ଦେଖିଥିବା ଦ୍ୱିତୀୟ କଇଦୀ ବ୍ୟତୀତ ଅନ୍ୟ କେହି ନୁହେଁ ।

 

ଅଶାନ୍ତ ଗ୍ରହ କମ୍ପେସନ୍‌ ତାହାହେଲେ ଏଇଠି !!

 

ଭୟ ଓ ଆଶଙ୍କାରେ ଆର୍ତ୍ତନାଦ କରିଉଠିଲା କମ୍ପେସନ୍‌ । ସେ ପଛକୁ ଘୁଞ୍ଚିଯିବା ମୁହୂର୍ତ୍ତରେ ପ୍ରୋଭିସ୍‌ ତା’ର ତୋଟି ଚିପି ଧରିଲା ଏବଂ ସେହିକ୍ଷଣି ଦୁହେଁ ଗବ୍‌ଗାବ୍‌ ହୋଇ ଲୋଟିପଡ଼ିଲେ ନଦୀର ଅତଳ ଜଳରାଶି ଭିତରେ । ଦୁର୍ଯୋଗ ସେତିକିରେ ଶେଷ ହେଲାନାହିଁ । ପ୍ରୋଭିସ୍‌ ଯେଉଁ ଧକ୍‌କା ଦେଇ ଡଙ୍ଗାରୁ ଡେଇଁପଡ଼ିଲା, ସେହି ଧକ୍‌କାରେ ମୋ ଡଙ୍ଗାଟି ବି ବୁଡ଼ିଗଲା ଆମ ତିନବନ୍ଧୁଙ୍କୁ ନେଇ !!

☆☆☆

 

ଅନନ୍ତଶୟନ

 

ଆମ ଡଙ୍ଗା ଓଲଟି ପଡ଼ିବା ସଙ୍ଗେ ସଙ୍ଗେ ପୋଲିସମାନେ ବୋଧହୁଏ ତତ୍ପର ହୋଇଉଠିଛନ୍ତି, ଫଳରେ ଅଳ୍ପ ସମୟ ମଧ୍ୟରେ ଆମକୁ ଉଦ୍ଧାର କରି ପୋଲିସଡଙ୍ଗାରେ ବସାଇଦିଆଗଲା ।

 

ଦେଖିଲି, ଆମ ଡଙ୍ଗାଟା ନାହିଁ ଏବଂ ନାହାନ୍ତି ଦୁଇଜଣ କଇଦୀ–ପ୍ରୋଭିସ୍‌ ଓ କମ୍ପେସନ୍‌-। ସମସ୍ତେ ଏକ ଦୃଷ୍ଟିରେ ନଦୀ ଜଳକୁ ଚାହିଁରହିଲୁ । କେଉଁଆଡ଼େ ଗଲେ ଲୋକ ଦୁଇଟା-?

 

ଏ ସମୟରେ ଦେଖାଗଲା, କ’ଣ ଗୋଟାଏ କଳା ହୋଇ ଜନ୍ତୁ ଭାସିଆସୁଛି । ଖୁବ୍‌ ନିକଟକୁ ଆସିବାରୁ ଦେଖାଗଲା ସେ ଅନ୍ୟ କେହି ନୁହେଁ...ପ୍ରୋଭିସ୍‌ । ଅତି କଷ୍ଟରେ ସେ ପହଁରି ଆସୁଛି । ହାୟରେ ବିଚରା ! ଆଉ ସେ ପ୍ରୋଭିସରୂପ ନାହିଁ । ସେ ବର୍ତ୍ତମାନ ସ୍ପଷ୍ଟ ମ୍ୟାଗଉଇଚ୍‌ ।

 

ପୋଲିସମାନେ ତାକୁ ଡଙ୍ଗାଉପରକୁ ଉଠାଇ ଆଣିଲେ । ସଙ୍ଗେ ସଙ୍ଗେ ହାତକଡ଼ି ପିନ୍ଧାଇ ଦିଆଗଲା ।

 

ପୁଣି ସମସ୍ତେ ଚାହିଁରହିଲୁ ନଦୀଜଳକୁ । ଜାହାଜ ଚାଲିଗଲାଣି । ତା’ ପଛର ଜାହାଜ ବି ଚାଲିଗଲା । ଢେଉରେ ଡଙ୍ଗା ଦୋହଲିବାକୁ ଲାଗିଲା । ବହୁ ସମୟ ଧରି ଅପେକ୍ଷା କରି ବି କମ୍ପେସନର କୌଣସି ସନ୍ଧାନ ମିଳିଲା ନାହିଁ । ନଦୀର ଅତଳ ଜଳରେ ତାହାର ଅନନ୍ତଶୟନ ଯେ ହୋଇଗଲା, ସେଥିରେ ଆଉ କାହାର ସନ୍ଦେହ ରହିଲା ନାହିଁ । ଶେଷରେ ପୋଲିସଡଙ୍ଗା ଆମ୍ଭମାନଙ୍କୁ ନେଇ ସେହି ହୋଟେଲ ପାଖକୁ ଚାଲିଲା ।

 

ହୋଟେଲରେ ମ୍ୟାଗଉଇଚର ସାମାନ୍ୟ ଆରାମର ବ୍ୟବସ୍ଥା କରାଗଲା । ତା’ର ଛାତିରେ ଖୁବ୍‌ ଜୋରରେ ମାଡ଼ ବାଜିଥାଏ । ମୁଣ୍ଡରେ ବି ମାଡ଼ ବାଜି ରକ୍ତ ବୋହୁଥାଏ । ସେ ମତେ କହିଲା, ପାଣିଭିତରେ ଦୁଇଜଣଙ୍କ ଭିତରେ ଖୁବ୍‌ ମରାମରି ହୋଇଛି । କମ୍ପେସନକୁ ମାରି ମାରି ବେଦମ କରିଦେବା ପରେ ମୁଁ ତା’ କବଳରୁ ଖସି ଉପରକୁ ଉଠିଆସିଲି । କିନ୍ତୁ ସୁଅମୁହଁରେ ପଡ଼ି ଆମେ କେତେବେଳେ ଜାହାଜ ତଳକୁ ଚାଲିଯାଇଥିଲୁ ମୁଁ ଜାଣେନା । ଉଠିବାବେଳେ ଜାହାଜର ପେଡ଼େଲ ଯନ୍ତ୍ରରେ ମୁଣ୍ଡ ବାଜି ମୁଣ୍ଡ ଖଣ୍ଡିଆ ହୋଇଗଲା ।’’

 

ଜୁଆର ଆସିବାଯାଏ ଆମେ ହୋଟେଲରେ ଅପେକ୍ଷା କଲୁ । ପୋଲିସ ଅଫିସରଙ୍କ ଠାରୁ ଅନୁମତି ନେଇ ମ୍ୟାଗଉଇଚର ଓଦା ଜାମାପଟା ବଦଳାଇଦେଲି । ତା’ ଜାମାପଟା ଖାନତଲାସ କରି ଯାହା କିଛି ଥିଲା ପୋଲିସ୍‌ ଜବତ୍‌ କରିନେଲା । ଯେଉଁ ନେଟ୍‌ ବହିଟାରେ ସେ ଗୁଡ଼ାଏ ନୋଟପତ୍ର ରଖି ମତେ ଦେଇଥିଲା, ମୁଁ ତାହା ବହୁଦିନତଳୁ ତାକୁ ଫେରାଇ ଦେଇଥିଲି । ପୋଲିସ୍‌ ସେ ନୋଟ ବହି ଓ ଟଙ୍କାପଇସା ସବୁ ଜବତ କରିନେଇ କେବଳ ମତେ ତା’ ସହିତ ଡଙ୍ଗାରେ ବସାଇ ଲଣ୍ଡନ ପର୍ଯ୍ୟନ୍ତ ନେଇଯିବାର ବ୍ୟବସ୍ଥା କଲେ । ହାର୍ବର୍ଟ ଓ ଷ୍ଟାରଟୋପ୍‌ଙ୍କୁ ଡଙ୍ଗାରେ ଯିବାକୁ ଅନୁମତି ନ ମିଳିବାରୁ ଦୁହେଁ ଚାଲି ଚାଲି ଲଣ୍ଡନ ଆସିଲେ ।

 

ଡଙ୍ଗା ଚାଲିଲା । ପ୍ରୋଭିସ୍‌ ପାଖରେ ଯାଇ ବସିଲି । ମନେହେଲା ତା’ର ଜୀବିତକାଳ ପର୍ଯ୍ୟନ୍ତ ତା’ର ପାଖ ହିଁ ମୋର ଏକମାତ୍ର ସ୍ଥାନ । ତା’ ପ୍ରତି ମୋ ମନରେ ଯେଉଁ ବିତୃଷ୍ଣା ଥିଲା, ତାହା ତରଳି ଉଭେଇଗଲା । ଶରୀର ଆହତ, ହାତରେ ବନ୍ଧନବେଢ଼ି; ତଥାପି ମୋର ହାତଧରି ବସି ରହିଲା ମ୍ୟାଗଉଇଚ୍‌ । ତା’ ଭିତରେ ମୁଁ ଦେଖିବାକୁ ପାଇଲି ସେହି ମଣିଷଟି, ଯେଉଁ ମଣିଷ କି ମୋର ଅଶେଷ ଶୁଭକାମନା କରେ, ଯେଉଁ ମଣିଷ ଦୀର୍ଘଦିନ ଧରି ଏକାନ୍ତ ସ୍ନେହ, କୃତଜ୍ଞତା, ଓ ଉଦାରତା ସହକାରେ ମୋ ପ୍ରତି ଅନୁରକ୍ତ ହୋଇ ରହିଛି । କେଡ଼େ ସହଜ, କେଡ଼େ ଉଚ୍ଚ ନୁହଁ ସେ ମଣିଷ !!

 

ରାତି ହେଉ ହେଉ ତା’ର ଶ୍ୱାସକଷ୍ଟ ବଢ଼ିଚାଲିଲା । ମଝି ମଝିରେ ଗୋଟାଏ ରୁଦ୍ଧ ଆର୍ତ୍ତନାଦ ବି ତା’ ପାଟିରୁ ବାହାରିଲା । ମୋ ଉପରକୁ ଆଉଜାଇ ତାକୁ ଟିକିଏ ଆରାମରେ ଶୁଆଇଦେଲି ।

 

ତା’ର ସେ ଗୁରୁତର ଆହତ ଅବସ୍ଥା ପାଇଁ ମୋ ମନରେ ଦୁଃଖ ଆସୁନଥିଲା । ମୁଁ ମନେମନେ ଭାବୁଥିଲି, ବର୍ତ୍ତମାନ ତା’ ପକ୍ଷରେ ମୃତ୍ୟୁ ହିଁ ଭଲ । ଯେଉଁ ଲୋକ ଜେଲ୍ ଭାଙ୍ଗି ଚାଲିଯାଇଛି, ବିଚାରରେ ଥରେ ଯାହାକୁ ନିର୍ବାସନ ଦଣ୍ଡ ହୋଇଥିଲା, ଯେ ନିର୍ବାସନ ଦଣ୍ଡ ଭୋଗ କରୁଥିବା ବେଳେ ଅନ୍ୟମାନଙ୍କ ଆଖିରେ ଧୂଳିଦେଇ ଖସି ଚାଲିଆସିଛି ଏବଂ ବର୍ତ୍ତମାନ ତାକୁ ଗିରଫ କରିବାରେ ଯେ ସାହାଯ୍ୟ କରିଥିଲା ତାକୁ ହତ୍ୟା କରିଛି, ତାକୁ ଆଉ ଥରେ ବିଚାରରେ ଯେ କ୍ଷମା ମିଳିବ, ତାହା ଭାବିବା ମୂର୍ଖତା ମାତ୍ର । ତା’ର ତ ନିଶ୍ଚୟ ମୃତ୍ୟୁଦଣ୍ଡ ହେବ ହିଁ ହେବ, ତା’ ପୂର୍ବରୁ ମରିଯିବା କ’ଣ ଭଲ ନୁହେଁ ?

 

କିଛି ସମୟ ପରେ ପ୍ରୋଭିସ୍‌କୁ କହିଲି, ‘‘କେବଳ ମୋରି ପାଇଁ ଆପଣ ଦେଶକୁ ଫେରିଆସିଲେ, ଏ କଥା ଭାବିଲେ ମନରେ ଦୁଃଖ ଆସୁଛି ।’’

 

ସେ କହିଲା, ‘‘ଦେଖ ବାପା, ମୋ ମନରେ କୌଣସି ଦୁଃଖ ନାହିଁ । ମୋ ପୁଅ ସହିତ ଦେଖାହେଲା । ବର୍ତ୍ତମାନ ସେ ମୋ ବିନା ବି ମଣିଷ ହୋଇପାରିବ ।’’

ହାୟରେ ବିଚରା !! ପ୍ରୋଭିସ୍‌ ତ ଜାଣେନା ଯେ ବିଚାରରେ ଦଣ୍ଡିତ ହେବା ସଙ୍ଗେ ସଙ୍ଗେ ତା’ର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି ହୋଇଯିବ ।

ସେ ପୁଣି କହିଲା, ‘‘ଦେଖ ବାପା, ଏ ଅବସ୍ଥାରେ ଜଣେ ଭଦ୍ରଲୋକର ମୋ ସହିତ ସମ୍ପର୍କ ରହିବା ଠିକ୍‌ ହେବନାହିଁ । ତେଣୁ ତୁମେ ମୋପାଖକୁ ଏଭଳି ଭାବରେ ଆସିବ ଯେ, ଲୋକେ ଭାବିବେ ତୁମେ ବୋଧହୁଏ ଓକିଲଙ୍କ ଗୁମାସ୍ତା ସହିତ ଆସିଛ । ଆଉ, ଯେତେବେଳେ ମୋର ବିଚାର ହେବ, ସେତେବେଳେ ଏଭଳି ଗୋଟିଏ ଜାଗା ଦେଖି ବସିଥିବ ଯେଉଁଠି କି ମୁଁ ତୁମକୁ ସ୍ପଷ୍ଟ ଦେଖିପାରିବି । ବାସ୍ ଏତିକି ମୁଁ ଆଉ କିଛି ଚାହେଁନା ।’’

କହିଲି, ‘‘ଏମାନେ ଯେତେବେଳ ଯାଏଁ ଆପଣଙ୍କ ପାଖରେ ରହିବାକୁ ମତେ ଅନୁମତି ଦେବେ, ସେତେବେଳ ଯାଏଁ ଗୋଟାଏ ମୁହୂର୍ତ୍ତ ବି ମୁଁ ଆପଣଙ୍କ ପାଖ ଛାଡ଼ି ଯିବିନାହିଁ । ଭଗବାନ୍‌ କରନ୍ତୁ, ଆପଣ ଯେପରି ମୋତେ ସ୍ନେହ ଆଦର କରିଛନ୍ତି, ମୁଁ ସେହିପରି ଆପଣଙ୍କର ସ୍ନେହର ଯୋଗ୍ୟହୋଇ ସେବା କରିପାରେ ।’’

ବୁଝିପାରିଲି, ତା’ ହାତ ଦୁଇଟା ଥରଥର ହୋଇ କମ୍ପିବାକୁ ଲାଗିଲା । ଆଖିର ଲୁହ ଲୁଚାଇବାଲାଗି ସେ ମୁହଁ ବୁଲାଇଦେଲା ।

ଲଣ୍ଡନରେ ମ୍ୟାଗଉଇଚକୁ ପୋଲିସ ହାଜତରେ ବନ୍ଦୀ କରାଗଲା । ମିଷ୍ଟର ଜ୍ୟାଗର୍ସ ତା’ ପାଇଁ ବହୁତ ଲଢ଼ିଲେ । କିନ୍ତୁ ପୋଲିସ୍‌ କୌଣସି ଯୁକ୍ତି ଗ୍ରହଣ ନ କରି ତାକୁ ବିଚାରାଳୟକୁ ପଠାଇବା ଲାଗି ଧରିବସିଲେ । ମୁଁ ତା’ର ସମ୍ପତ୍ତିବାଡ଼ି ଉପରେ କୌଣସି ପ୍ରକାର ଦାବି କଲି ନାହିଁ, କାରଣ ତା’ ସହିତ ମୋର କୌଣସି ରକ୍ତସମ୍ପର୍କ ନଥିଲା ।

ମୋ ଜୀବନର ଏହି ଚରମ ସୁଃସମୟ ବେଳେ ଦିନେ ସନ୍ଧ୍ୟାରେ ହାର୍ବର୍ଟ ଅଫିସରୁ ଫେରି ମଳିନ ବଦନରେ ମୋ ପାଖରେ ଆସି ବସିଲା । କହିଲା, ‘‘ଭାଇ ପିପ୍‌, ମତେ ବୋଧହୁଏ ଶୀଘ୍ର ଦୂରକୁ ଚାଲିଯିବାକୁ ପଡ଼ିବ ।’’

‘‘ତା’ ମାନେ ?’’

‘‘ଆମ କମ୍ପାନୀ ଇଜିପ୍‌ଟର ରାଜଧାନୀ କାୟରୋଠାରେ ଗୋଟାଏ ଶାଖା ଅଫିସ ଖୋଲୁଛି । ମତେ ତା’ର କାର୍ଯ୍ୟଭାର ଗ୍ରହଣ କରିବାକୁ ପଡ଼ିବ । ଅଥଚ ଏ ସମୟରେ ମୋର ଉପସ୍ଥିତି ତୋ ପକ୍ଷରେ ନିତାନ୍ତ ଦରକାର ।’’

‘‘ହାର୍ବର୍ଟ, ତୋର ବନ୍ଧୁତା ମୋର ସବୁଦିନ ଦରକାର, କେବଳ ବର୍ତ୍ତମାନ କାହିଁକି ?’’

‘‘କିନ୍ତୁ ବର୍ତ୍ତମାନ ତୁ ବଡ଼ ଏକାଟିଆ ବଡ଼ ନିଃସହାୟ ବୋଲି ଅନୁଭବ କରିବୁ । ସେଇଟା ହିଁ ମୋର ଦୁଃଖ ।’’

‘‘ସେ କଥା ଭାବିବା ପାଇଁ ମୋର ବେଳ କାହିଁ । ତୁ ତ ଜାଣୁ, ଯେତେ ସମୟ ପାରୁଛି ସେତେ ସମୟ ମୁଁ ପ୍ରୋଭିସ୍‌ ପାଖରେ ହିଁ କଟାଇଦେଉଛି । ଯଦି ସୁଯୋଗ ମିଳନ୍ତା, ତେବେ ସାରାଦିନ ମୁଁ ତୋ ପାଖରେ କଟାଇଦିଅନ୍ତି । ତା’ ପାଖରୁ ଯେତେବେଳେ ଚାଲିଆସେ, ସେତେବେଳେ ତାହାରି କଥା ହିଁ ମନେପଡ଼େ ।’’

ହାର୍ବର୍ଟ କହିଲା, ‘‘ଦେଖ ଭାଇ, ଦୂରକୁ ଚାଲିଯାଉଛି ବୋଲି, ଏ ଅବସ୍ଥାରେ ବି ମୁଁ ତତେ ଗୋଟାଏ କଥା ପଚାରିବାକୁ ବାଧ୍ୟ ହେଉଛି । ନିଜ ଭବିଷ୍ୟତ ବିଷୟରେ ତୁ କ’ଣ ଭାବୁଛୁ ନା ନାହିଁ-?’’

‘‘ନା ଭବିଷ୍ୟତ ବିଷୟରେ ଭାବିବାକୁ ମୋର ଭୟ ହୁଏ ।’’

‘‘କିନ୍ତୁ ନିଜର ଭବିଷ୍ୟତଟାକୁ ତ ମଣିଷ ଏଡ଼ାଇପାରିବ ନାହିଁ । ଏଡ଼ାଇ ଚାଲିବା ବି ଉଚିତ ନୁହେଁ । ମୁଁ କ’ଣ କହୁଥିଲିକି, ତୁ ଆମ ବ୍ୟବସାୟରେ ଯୋଗଦେ ।’’

‘‘ଦେବି ।’’

‘‘ଆମର ଏହି ଶାଖା ଅଫିସରେ ଜଣେ... ।’’ ସେ କହୁ କହୁ ଅଟକିଗଲା ।

ମୁଁ ତା’ର ମନକଥା ଠଉରେଇନେଲି । ବିଷୟଟା କହିବାକୁ ସେ ସଂକୋଚବୋଧ କରୁଛି-। ତେଣୁ ମୁଁ ତା’ର ବାକ୍ୟ ପୂରଣ କରି କହିଲି, ‘‘ଜଣେ କିରାଣି ଦରକାର ?’’

‘‘ହଁ, କିରାଣି । କିନ୍ତୁ ମୋର ଆଶା ଏବଂ ବିଶ୍ୱାସ ଯେ, ସେ କିରାଣି ଖୁବ୍‌ ଶୀଘ୍ର ଜଣେ ଅଂଶୀଦାର ହୋଇପାରିବ ତେଣୁ ମୋର ଅନୁରୋଧ, ତୁ ମୋ ପାଖକୁ ଚାଲିଆସେ । କ୍ଳାରା ସହିତ ମୁଁ ଏ ବିଷୟ ନେଇ ବହୁତ ଆଲୋଚନା କରିଚି । ତୁ ଯଦି ଆମ ପାଖରେ ରହୁ, ଆମେ ଅତ୍ୟନ୍ତ ଆନନ୍ଦିତ ହେବୁ ।’’

‘‘ଭାଇ ହାର୍ବର୍ଟ, ତୋର ଏ ପ୍ରସ୍ତାବ ଲାଗି ଅଶେଷ ଧନ୍ୟବାଦ । କିନ୍ତୁ ତୋ ପାଖକୁ ଯାଇପାରିବି କି ନାହିଁ, ତାହା ବର୍ତ୍ତମାନ ନିଶ୍ଚିତ ଭାବରେ କହିପାରୁ ନାହିଁ । ମନ ବର୍ତ୍ତମାନ ଏତେ ଭାରାକ୍ରାନ୍ତ ଯେ, ଏ ବିଷୟ ନେଇ କିଛି ଭାବିପାରୁ ନାହିଁ । ତୁମ ବ୍ୟବସାୟର କୌଣସି କ୍ଷତି ନ କରି ଯଦି ଚାକିରିଟାକୁ ଦୁଇ ତିନିମାସ ଖାଲି ରଖିପାରନ୍ତୁ... ।’’

ଅତ୍ୟନ୍ତ ଆନନ୍ଦରେ ହାର୍ବର୍ଟ କହିଉଠିଲା, ‘‘ତିନିମାସ କାହିଁକି ଛଅମାସ ନେ, ବର୍ଷେ ନେ, ତୋ ଖୁସି । ତୋ ମୁହଁରୁ ଏତକ ଶୁଣିବା ପରେ ତତେ ସତକଥାଟା କହିଦେଉଛି । ଏ ସପ୍ତାହର ଶେଷଆଡ଼କୁ ମୁଁ କାୟରୋ ଚାଲିଯିବି ।’’

ଶନିବାର ଦିନ ବନ୍ଦରଗାମୀ ଡାକଗାଡ଼ିରେ ହାର୍ବର୍ଟକୁ ବିଦାୟଦେଲି । ତା’ ମନ ଆଶାରେ ଉଜ୍ଜ୍ୱଳ, କିନ୍ତୁ ମୋତେ ଛାଡ଼ିଯାଉଥିବାରୁ ବେଦନାରେ ମ୍ଳାନ ପଡ଼ିଯାଇଥାଏ ।

ଘରକୁ ଫେରିଆସିଲି । ନିର୍ଜନ ଘର । ସେ ଘର ଆଉ ମୋ ପାଖରେ ଘର ନୁହେଁ । ମନେହେଲା ସଂସାରରେ ମୋ ପାଇଁ କୌଣସି ସ୍ଥାନରେ ବି ଘର ନାହିଁ ।

ଓଏମିକ୍‌ ଆସି ପହଞ୍ଚିଲେ । ବଡ଼ ଦୁଃଖପ୍ରକାଶ କଲେ ଘଟିଯାଇଥିବା ଦୁର୍ଘଟଣା ଲାଗି । ତାଙ୍କର ବା ଦୋଷ କ’ଣ ? କମ୍ପେସନ୍‌ର ଗୋଟାଏ ଦଲାଲଠାରୁ ସେ ବିଶ୍ୱସ୍ତ ସମ୍ୱାଦ ପାଇଲେ ଯେ ବୁଧବାର ଦିନ କମ୍ପେସନ୍‌ ଲଣ୍ଡନ ଛାଡ଼ି ଅନ୍ୟତ୍ର ଚାଲିଯିବ । ତେଣୁ ସେ ଖବରଟା ମୋ ପାଖକୁ ପଠାଇ ଦେଇଥିଲେ । କିନ୍ତୁ କମ୍ପେସନ୍‌ ତାନ ନିଜ ଦଲାଲମାନଙ୍କୁ ବି ମିଛ କହିଥିଲା । ଫଳରେ ସବୁ ଓଲଟପାଲଟ ହୋଇଗଲା ।

ଦୁଃଖ, ଅଭାବ ଓ ବେଦନା ଭିତରେ ଦିନ ଗଡ଼ି ଚାଲିଲା । କେତେ ଆଶା ଚୂରମାର ହୋଇ ନ ଗଲା !

ଜୀବନର ଶେଷ ବିଚାର ଲାଗି ମ୍ୟାଗଉଇଚ କାରାଗାରରେ ବନ୍ଦୀ । ତା’ ଛାତିର ଦୁଇଖଣ୍ଡ ପିଞ୍ଜରାହାଡ଼ ଭାଙ୍ଗି ଯାଇଥାଏ । ଭଙ୍ଗା ହାଡ଼ର ଧକ୍‌କାରେ ଗୋଟାଏ ଫୁସ୍‌ଫୁସ୍‌ ବି ଖରାପ ହୋଇଯାଇଛି । ଦିନକୁଦିନ ଶ୍ୱାସକଷ୍ଟ ବଢ଼ିଚାଲିଛି । ଫଳରେ ସେ ଏତେ କ୍ଷୀଣ କଣ୍ଠରେ ଏତେ ଧୀରେ ଧୀରେ କଥା କହୁଛି ଯେ ମୁଁ ଅନେକ ସମୟରେ ଶୁଣିପାରୁନାହିଁ, ବେଶି ବି କହେନି । ତା’ର ବଡ଼ ଆଶା, ମୋ ମୁହଁରୁ କଥା କେଇପଦ ଶୁଣିବ, ଉତ୍ସୁକ ହୋଇ ଚାହିଁ ରହେ ମୋ ମୁହଁକୁ । ତେଣୁ ମୋର ପ୍ରଧାନ କାମ ହେଲା ପ୍ରତିଦିନ ତାକୁ କିଛି କହିବା ଏବଂ କିଛି ପଢ଼ି ଶୁଣାଇବା । କୌଣସି ଦିନ ତା’ ମୁହଁରୁ ପଦଟାଏ ବି ଅଭିଯୋଗ ଶୁଣିନି ।

ରୋଗ ବଢ଼ିଯିବାରୁ ତାକୁ କାରଗାରରୁ ନେଇ ଚିକିତ୍ସାଳୟରେ ରଖାଗଲା । ଫଳରେ ତା’ ପାଖରେ ଆହୁରି ବେଶି ସମୟ ରହିବାର ସୁଯୋଗ ମିଳିଲା ।

ବିଚାରର ଦିନ ଆସିଗଲା । ମିଷ୍ଟର ଜ୍ୟାଗର୍ସଙ୍କର ସବୁ ଚେଷ୍ଟା ବ୍ୟର୍ଥ ହେଲା । ମ୍ୟାଗ୍‌ଉଇଚକୁ ବିଚାରାଳୟକୁ ନିଆଗଲା ।

ସେଦିନର ସମସ୍ତ ଘଟଣା ଗୋଟି ଗୋଟି ହୋଇ ଆଖିଆଗରେ ନାଚିଯାଉଛି; ସେ ସମୟର ପ୍ରଥା ଅନୁଯାୟୀ ସେତେବେଳକୁ ଅଭିଯୁକ୍ତ ହୋଇଥିବା ବତିଶ ଜଣ ଅପରାଧୀଙ୍କୁ ଏକ ସମୟରେ ବିଚାରକଙ୍କ ଆଗକୁ ଅଣାଗଲା । ବତିଶ ଜଣଙ୍କ ମଧ୍ୟରେ ପହିଲା ନମ୍ୱରରେ ରହିଥିଲା ମ୍ୟାଗ୍‌ଉଇଚ୍‌ । ତା’ର ରୁଗ୍‌ଣ ଅବସ୍ଥା ଦୃଷ୍ଟିରୁ ତାକୁ ବସିବା ପାଇଁ ଆସନ ଦିଆଯାଇଥିଲା, ଯାହାଫଳରେ କି ଅନ୍ତତଃ ବିଚାର ଶେଷ ପର୍ଯ୍ୟନ୍ତ ସେ କୌଣସି ମତେ ବଞ୍ଚି ରହିବ ।

ସେ ଦୃଶ୍ୟଟା ସ୍ପଷ୍ଟଭାବରେ ଆଖିଆଗରେ ନାଚିଯାଉଛି । ଏପ୍ରିଲ ମାସ । ଅଦାଲତରେ ଝରକା କାଚଉପରେ ଟୋପା ଟୋପା ବର୍ଷା ପଡ଼ି ଖରାରେ ଝଲମଲ କରୁଥାଏ । ତା’ ହାତଟିକୁ ମୋ ହାତରେ ଧରି କାଠଗଡ଼ାରେ ଗୋଟିଏ କୋଣରେ ମୁଁ ଠିଆ ହୋଇଥାଏ । ତା’ ପଛରେ ଧାଡ଼ିବାନ୍ଧି ଠିଆହୋଇଥାନ୍ତି ଏକତିରିଶ ଜଣ ଅପରାଧୀ । ସେ ଭିତରୁ କେହି ଉଦ୍ଧତ ତ କେହି ଭୀତ; କାହା ଚକ୍ଷୁରୁ ବୋହିଚାଲିଛି ଅଶ୍ରୁର ଧାରା ଓ କାହାର ମୁହଁରେ ଘୋଟି ଯାଇଛି ଲଜ୍ଜା ଓ ଅପମାନର କାଳିମା, କିଏ ସେ ମୁହଁ ଚାହିଁବାର ଚେଷ୍ଟା କରୁଛି ତ କେହି ବିଷଣ୍ଣ ବଦନରେ ଚାହିଁରହିଛି ଆଁ କରି ।

ବିଚାରକ ସବୁ ଅପରାଧୀଙ୍କ ବିଷୟ ପର୍ଯ୍ୟାଲୋଚନା କରିବା ପରେ ସେ କାଳର ପ୍ରଥା ଅନୁଯାୟୀ ସମସ୍ତଙ୍କ ପାଇଁ ଏକକାଳୀନ ରାୟ ପଢ଼ିବାକୁ ଆରମ୍ଭ କଲେ । ବତିଶଜଣ ହତଭାଗାଙ୍କ ମଧ୍ୟରୁ ରାୟରେ ଜଣକ ବିଷୟରେ ହିଁ ବିଶେଷ କରି କୁହାଗଲା । –ପିଲାଟିଦିନରୁ ସେ ଆଇନ ଆଖିରେ ଅପରାଧୀ । ବାରମ୍ୱାର ତାକୁ ଜେଲଦଣ୍ଡ ଦିଆଯାଇଛି । ଜେଲ୍ ଶାସ୍ତି ପରେ ବି ତା’ ଚରିତ୍ରର ସଂଶୋଧନ ନ ହେବାରୁ ତାକୁ କିଛିଦିନ ଲାଗି ନିର୍ବାସନ ଦଣ୍ଡ ଦିଆଗଲା । କିନ୍ତୁ ନିର୍ବାସନ ଲାଗି ନିଆଯାଉଥିବାବେଳେ ସେ ବାଟରୁ ଖସି ଚାଲିଗଲା । ଫଳରେ ତାକୁ ଆଜୀବନ ନିର୍ବାସନ ଦଣ୍ଡ ଦିଆଗଲା । ସେ ହତଭାଗା ଲାଗି ଚେଷ୍ଟା କଲା । କିଛିଦିନ ସେ ବେଶ୍‌ ସତ୍‌ ଓ ଶାନ୍ତପୂର୍ଣ୍ଣ ଭାବରେ ଜୀବନଯାପନ କଲା । କିନ୍ତୁ ଏକ ଚରମ ମୁହୂର୍ତ୍ତରେ ତା’ର ମନର ପଶୁପ୍ରବୃତ୍ତି ପୁଣି ଚେଇଁଉଠିଲା । ଶାନ୍ତିର ପଥ ଛାଡ଼ି ସେ ଗୁପ୍ତ ବେଶରେ ଫେରିଆସିଲା ସେହି ଦେଶକୁ, ଯେଉଁଠାରୁ ତାକୁ ନିର୍ବାସନ କରାଯାଇଥିଲା । କିଛିଦିନ ଲୁଚିଛପି ରହିଲା । ଦେଶ ଛାଡ଼ି ପଳାଇବାକୁ ଚେଷ୍ଟା କରୁଥିବାବେଳେ ସେ ଧରାପଡ଼ିଲା, କିନ୍ତୁ ଯେଉଁମାନେ ତାକୁ ଧରିବାକୁ ଯାଉଥିଲେ, ସେମାନଙ୍କୁ ବାଧା ଦେବାବେଳେ ଏଭଳି ଜଣେ ଲୋକକୁ ସେ ପ୍ରାଣରେ ମାରିଦେଲା, ଯେ କି ତା’ ଜୀବନର ସମସ୍ତ ଖବର ଜାଣେ । ମୃତ୍ୟୁ ହିଁ ଏଭଳି ଅପରାଧୀର ଯୋଗ୍ୟ ଶାସ୍ତି । ତେଣୁ ମୃତ୍ୟୁଦଣ୍ଡ ଲାଗି ସେ ପ୍ରସ୍ତୁତ ହୋଇ ରହୁ । ସେ ଅପରାଧୀ ଜଣକ କିଏ, ତାହା ଅନୁମାନ କରିପାରୁଥିବେ । ରାୟ ପଢ଼ା ଶେଷ ହେବା ପରେ ମ୍ୟାଗ୍‌ଉଇଚ୍‌ କ୍ଷଣକ ଲାଗି ଠିଆ ହୋଇପଡ଼ିଲା । କହିଲା, ‘‘ହଜୁର, ସର୍ବଶକ୍ତିମାନ୍‌ ଈଶ୍ୱରଙ୍କ ଠାରୁ ହିଁ ମୁଁ ମୃତ୍ୟୁଦଣ୍ଡ ମାଗିନେଇଛି, ତଥାପି ଆପଣଙ୍କ ଦଣ୍ଡ ବି ମୁଣ୍ଡ ନୁଆଁଇ ଗ୍ରହଣ କରୁଛି ।’’

ଏତିକି କହି ସେ ବସିପଡ଼ିଲା ।

ଅଦାଲତ ଭିତରକୁ ଝରକାକାଚ ଦେଇ ଲମ୍ୱିଯାଇଥାଏ ଏପ୍ରିଲ୍‌ ମାସର ସୂର୍ଯ୍ୟକିରଣ । ଗୋଟିଏ ପାଖରେ ବତିଶ ଜଣ ଅପରାଧୀ, ଅନ୍ୟପାଖରେ ବିଚାରକ । ଦୁହିଁଙ୍କ ମଝିରେ ଉଜ୍ଜ୍ୱଳ ସୂର୍ଯ୍ୟକିରଣର ଏକ ପ୍ରଶସ୍ତ ରେଖା । ଦେଖିଲେ ଯେ କେହି ମନେକରିବ ତାହା ଏକ ନିଷ୍ପାପ, ନିର୍ମଳ, ଅନନ୍ତ ପଥ, ଏବଂ ବିଚାରକ ଓ ଅପରାଧୀ ଉଭୟ ଦଳକୁ ସେ ପଥରେ ଆଗେଇଯିବାକୁ ପଡ଼ିବ ଭଗବାନ୍‌ଙ୍କର ଅଦାଲତକୁ, ସେମାନଙ୍କର ଶେଷ ବିଚାର ଲାଗି ।

ଦିନ ରହେନି । ପ୍ରାଣଦଣ୍ଡ ଦିଆଯିବାର ଦିନ ପାଖେଇ ଆସିଲା ।

ଧୀରେ ଧୀରେ ବନ୍ଦୀମାନଙ୍କୁ ଦେଖାକରିବାର ସମୟ କମାଇ ଦିଆଗଲା । ଦେଖା କରିବାକୁ ଗଲାବେଳେ ବରାବର ସାଙ୍ଗରେ ଜଣେ ପୋଲିସ ଅଫିସର୍‌ ରହିଲେ । କିନ୍ତୁ ତା’ ପ୍ରତି ବା ମୋ ପ୍ରତି କୌଣସି ଅଫିସର୍‌ କଠୋର ବ୍ୟବହାର ଦେଖାନ୍ତି ନାହିଁ । ପ୍ରୋଭିସ୍‌ ପ୍ରାୟ ଶୂନ୍ୟ ଛାତକୁ ଚାହିଁ ଚୁପ୍‌ଚାପ୍‌ ହୋଇ ଶୋଇରହିଥାଏ । ମୁହଁଟା ରକ୍ତଶୂନ୍ୟ ହୋଇପଡ଼ିଥାଏ । ବେଳେବେଳେ ମୋର କଥା ଶୁଣିଲେ କ୍ଷଣକ ପାଇଁ ମୁହଁଟା ରକ୍ତିମ ହୋଇଉଠେ, କିନ୍ତୁ ପୁଣି ନିରକ୍ତ ହୋଇଯାଏ । ଅନେକ ସମୟରେ ତା’ ମୁହଁରୁ କଥା ହିଁ ବାହାରେ ନାହିଁ । ମୋ ହାତରେ ଗୋଟାଏ ମୃଦୁ ଚାପ ଦେଇ ସେ ମୋ କଥାର ଉତ୍ତର ଦିଏ । କ୍ରମେ କ୍ରମେ ମୁଁ ସେ ଚାପର ଅର୍ଥ ବେଶ୍‌ ବୁଝିପାରିଲି ।

ପ୍ରାୟ ଦଶଦିନ ଖଣ୍ଡେ ପରେ ଦିନେ ସକାଳେ ତାଠାରେ ଏପରି ଗୋଟିଏ ପରିବର୍ତ୍ତନ ଦେଖିଲି, ଯାହା ମୁଁ ପୂର୍ବରୁ ଦେଖିନଥିଲି । ସେ ମୋର ଆସିବା ବାଟକୁ ଚାହିଁ ରହିଥିଲା । ମୁଁ ଘର ଭିତରେ ପାଦ ଦେବାମାତ୍ରେ ତା’ର ଆଖିଦୁଇଟି ଉଜ୍ଜ୍ୱଳ ହୋଇଉଠିଲା ।

ବିଛଣା ପାଖରେ ଯାଇ ବସିଲି । ସେ କହିଲା, ‘‘ଦେଖ ବାପା, ମୁଁ ଭାବୁଥିଲି ତୁମର ଆଜି ଡେରି ହୋଇଯିବ । କିନ୍ତୁ ମୁଁ ଜାଣେ, ଡେରି ତୁମେ କରିପାରିବ ନାହିଁ ।

ମୁଁ କହିଲି, ‘‘ଏହି ତ ଦେଖାକରିବା ପାଇଁ ସମୟ ହେଲା । ଏ ପର୍ଯ୍ୟନ୍ତ ମୁଁ ଫାଟକପାଖରେ ଅପେକ୍ଷା କରିଥିଲି ।’’

‘‘ତୁମେ ସବୁଦିନ ଫାଟକ ପାଖରେ ଅପେକ୍ଷା କରନା ବାପା ?’’

‘‘ହଁ, ମୁଁ ମୁହୂର୍ତ୍ତଟାଏ ବି ନଷ୍ଟ କରିବାକୁ ଚାହେଁନା ।’’

‘‘ଧନ୍ୟବାଦ, ତୁମକୁ ଅଶେଷ ଧନ୍ୟବାଦ । ଈଶ୍ୱର ତୁମର ମଙ୍ଗଳ କରନ୍ତୁ । ତୁମେ ମୋତେ କୌଣସି ଦିନ ଦୂରେଇଦେଇ ନାହଁ ।’’

ପାଟିରୁ କଥା ବାହାରିଲା ନାହିଁ । ନିଃଶବ୍ଦରେ ମୁଁ ତା’ ହାତ ଚିପି ଧରିଲି । ମନେପଡ଼ିଗଲା, ଦିନେ ତାକୁ ମୁଁ ଦୂରେଇ ଦେବାପାଇଁ ହିଁ ବସିଥିଲି ।

ସେ ପୁଣି କହିଲା, ‘‘ତା’ଠାରୁ ବଡ଼ କଥା ହେଉଛି, ମୋ ଜୀବନରେ ଯେତେବେଳେ ସୂର୍ଯ୍ୟର ଆଲୋକ ଖେଳୁଥିଲା, ସେତେବେଳ ଅପେକ୍ଷା ତୁମେ–ମୋ ଜୀବନରେ ଯେତେବେଳେ ଘନ ଅନ୍ଧକାର ଘୋଟିଯାଇଛି, ସେତେବେଳା ଯଥେଷ୍ଟ ଅଧିକ ଆନନ୍ଦ ଦେଇଛ । ୟାଠାରୁ ବଡ଼ କଥା ଆଉ କ’ଣ ଥାଇପାରେ ?’’

ଏଇ ଦୁଇପଦ କଥାରେ ସେ କ୍ଳାନ୍ତ ହୋଇଗଲା । ଚିତ୍‌ ହୋଇ ଶୋଇପଡ଼ି ଧଇଁସଇଁ ହେଲା । ତା’ ମୁଖମଣ୍ଡଳର ସ୍ଥିରତା ଉଭେଇଯିବାକୁ ବସିଲା ।

ପଚାରିଲି, ‘‘ଆଜି ବୋଧହୁଏ ଆପଣଙ୍କୁ ଖୁବ୍‌ କଷ୍ଟ ହେଉଛି ?’’

‘‘କାହିଁକି ବାପା, ମୁଁ କ’ଣ କଷ୍ଟକଥା କିଛି କହିଲି ?’’

‘‘ଆପଣ ତ କୌଣସି ଦିନ ନିଜର କଷ୍ଟକଥା କହନ୍ତିନି ।’’

ସେ ନୀରବ ରହିଲା । ବୋଧହୁଏ ଆଉ କହିବାର କିଛି ନ ଥିଲା । ବନ୍ଦୀମାନଙ୍କୁ ଦେଖା କରିବାର ସମୟ ଅତିବାହିତ ହୋଇଗଲା; କିନ୍ତୁ ଦେଖିଲି ଜେଲଖାନାର ଅଧ୍ୟକ୍ଷ ଆସି ମୋ ପଛରେ ଠିଆ ହୋଇଛନ୍ତି । ସେ ଚୁପ୍‌ ଚୁପ୍‌ କହିଲେ, ‘‘ତୁମେ ବସ, ବେଳ ହୋଇଗଲା ବୋଲି ବ୍ୟସ୍ତ ହୁଅନି-।’’

ତାଙ୍କ ପ୍ରତି କୃତଜ୍ଞତାରେ ମୋର ଆଖି ଛଳ ଛଳ ହୋଇଗଲା । ଧନ୍ୟବାଦ ଦେଇ ପଚାରିଲି, ‘‘ଆହୁରି କଥାଭାଷା କରିପାରିବି ?’’

ଅଧ୍ୟକ୍ଷ ଓ ପୋଲିସ୍‌ ଅଫିସର୍‌ ସମ୍ମତି ଜଣାଇ ସେଠାରୁ ଚାଲିଗଲେ ।

‘‘ଦାଦା, ମୋ କଥା ବୁଝିପାରୁଛ ?’’–ମୁଁ ତା’ ଛାତିଉପରେ ହାତ ରଖିଲି । ମୋ ହାତରେ ମୃଦୁ ଚାପ ଦେଇ ସ୍ନେହଭରା ନୟନରେ ସେ ମୋ ମୁହଁକୁ ଚାହିଁ ରହିଲା ।

‘‘ଦିନ ଥିଲା ଯେତେବେଳେ ଆପଣଙ୍କର ଝିଅଟିଏ ଥିଲା । ଆପଣ ତାକୁ ଖୁବ୍‌ ଭଲପାଉଥିଲେ । କିନ୍ତୁ ପିଲାଦିନରୁ ସେ କେଉଁଆଡ଼େ ହଜିଗଲା ।

ମୋ ହାତଟିକୁ ଦୁଇହାତରେ ଟିକିଏ ଜୋର୍‌ରେ ଚାପିଧରିଲା ।

‘ସେ ଝିଅଟି କିନ୍ତୁ ବଞ୍ଚିଛି । ଅଗାଧ ଧନ-ସମ୍ପତ୍ତି ଓ ଭୋଗ-ବିଳାସ ଭିତରେ ସେ ବଡ଼ ହୋଇଚି । ସେ ବର୍ତ୍ତମାନ ବିବାହିତା, ମୋ ଆଖିରେ ସେ ଅତି ସୁନ୍ଦରୀ... ମୁଁ ତାକୁ ଭଲପାଏ ।’’

ଧୀରେ ମୋ ହାତଟି ଉଠାଇନେଇ ନିଜର ଅଧର ପାଖରେ ଛୁଆଁଇଦେଲା । ତା’ପରେ ପୁଣି ଛାତି ଉପରେ ଚାପିଧରିଲା ।

ମୁଖର ଚଞ୍ଚଳତା ଉଭେଇଗଲା । ଫେରିଆସିଲା ସ୍ଥିର ପ୍ରଶାନ୍ତି । ଧୀରେ ଧୀରେ ମୁଣ୍ଡଟା ଢଳିପଡ଼ିଲା ଛାତି ଉପରକୁ ।

ସେହି ହିଁ ତାହାର ଅନନ୍ତଶୟନ ।

ମନେମନେ ଭଗବାନ୍‌ଙ୍କୁ ପ୍ରାର୍ଥନା କଲି, ‘‘ହେ ଈଶ୍ୱର, ଗୋଟିଏ ପାପୀକୁ ତୁମେ କରୁଣା କର !’’

ଅବଶେଷରେ

ଏଥର ମୁଁ ଏକା । ହାର୍ବର୍ଟ ଚାଲିଯାଇଥିଲା ବିଦେଶ । ପ୍ରୋଭିସ୍‌ ଚିରଦିନ ଲାଗି ଛାଡ଼ି ଚାଲିଗଲା । ଠିକ୍‌ କଲି ବସାଟା ଛାଡ଼ିଦେବି । ଏଣେ ଋଣ ହୋଇଛି ଅନେକ । ହାତରେ ଟଙ୍କାପଇସା ବୋଲି ମୋଟେ ନାହିଁ । କେଉଁଠୁ ଯେ ଟଙ୍କା ପାଇବି, ତାହା ବି ଜାଣିନି ।

ଅଭାବ, ଦୁଃଖ ଓ ଚିନ୍ତା ଆସି ଚାରିଆଡ଼ୁ ମାଡ଼ି ବସିଲା । ଧୀରେ ଧୀରେ ଖୁବ୍‌ ଅସୁସ୍ଥ ହୋଇପଡ଼ିଲି । ଦିନରାତି ଯେ କିପରି କଟିଗଲା, ତାହା ଜାଣେନି । ଜ୍ୱରବାଉଳାରେ କେତେବେଳେ ଚାଲିଗଲି ନଈକୂଳକୁ ଡଙ୍ଗା ଖୋଜିବାକୁ । ଅନ୍ଧାର ରାତିରେ କେତେବେଳେ ଆଲୁଅ ନେଇ ସିଡ଼ି ପାଖକୁ ଯାଇ ଅପେକ୍ଷା କଲି–କାଳେ ସେ ଆସୁଥିବ । କେତେ ପ୍ରଳାପ କରିଛି, କେତେ ହସିଛି, କେତେ କାନ୍ଦିଛି, ତା’ର ଠିକ୍‌ ନାହିଁ ।

ଜ୍ୱରବିକାର କଟିଯିବା ପରେ ଦେଖିଲି ଦିନରାତି ଏକାଦିକ୍ରମେ ଗୋଟିଏ ସ୍ନେହପୂର୍ଣ୍ଣ ମୁହଁ ମୋତେ ଚାହିଁ ରହିଛି । ଚିହ୍ନିଲି, ସେ ମୁହଁ ଜୋ ଭିଣୋଇଙ୍କର । ରାତିରେ ଉଠି ଦେଖିଲି ସେ ମୋ ପାଖରେ ଚଉକିରେ ବସିଛନ୍ତି । ଦିନବେଳେ ଚାହିଁ ଦେଖେ ସେ ଝରକା ପାଖେ ବସି ଧୂମପାନ କରୁଛନ୍ତି ।

ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଲି ।

ଦିନେ ପଚାରିଲି, ‘‘ଆଚ୍ଛା ଭିଣୋଇ, ତୁମେ କ’ଣ ମୋ ଦେହ ଖରାପ ହେବା ଆରମ୍ଭରୁ ମୋ ପାଖରେ ଅଛ ?’’

ସେ କହିଲେ, ‘‘ହଁ, ପ୍ରାୟ ଆରମ୍ଭରୁ । ଚିଠିରେ ତୁମ ଦେହ ଖରାପ ଥିବା କଥା ପଢ଼ି ବିଡ଼ିକି କହିଲି, ଅଚିହ୍ନା ଜାଗା । ପିପ୍ ଏକୁଟିଆ, ମୁଁ ଯାଏ ଟିକିଏ ଦେଖିଆସେ । ବିଡ଼ି ସଙ୍ଗେ ସଙ୍ଗେ ରାଜି ହୋଇଗଲା । କହିଲା, ଆଜି ହିଁ ଯାଅ, ଦେଖି କ’ଣ ଆସିବ, ଦେହ ଭଲ ନହେଲେ ଛାଡ଼ି ଆସିବ କିପରି ?’’

ଆଉ ଦିନେ କଥା ପଡ଼ୁ ପଡ଼ୁ ଭିଣୋଇ କହିଲେ, ‘‘ଜାଣ ପିପ୍‌, ତୁମ ଦେହ ଖରାପ ହେବାର ସପ୍ତାହକ ପରେ ମିସ୍‌ ହ୍ୟାବିସାମ୍‌ ମରିଗଲେ ।’’

‘‘ସତେନା କ’ଣ ? ହାୟରେ ବିଚାରୀ ! ଆଚ୍ଛା, ତାଙ୍କର ସମ୍ପତ୍ତିବାଡ଼ି ସବୁ କ’ଣ ହେଲା ଜାଣିଛ ?’’

‘‘ସମ୍ପତ୍ତି ସବୁ ପ୍ରାୟ ଏଷ୍ଟେଲାକୁ ଦେଇଯାଇଛନ୍ତି । ତେବେ ତୁମ ଶିକ୍ଷକ ମ୍ୟାଥୁ ପକେଟଙ୍କୁ କ’ଣ ଚାରି ହଜାର ପାଉଣ୍ଡ ଦେଇଛନ୍ତି, ତାଙ୍କ ଉଇଲରେ କାଳେ ଲେଖିଛନ୍ତି ଯେ, ପିପ୍‌ର କହିବା ପ୍ରକାରେ ସେ ଏ ଟଙ୍କା ଦେଇଛନ୍ତି ।’’

ଶୁଣି ଖୁବ୍‌ ଆନନ୍ଦିତ ହେଲି । ଯାହାହେଉ ଅନ୍ତତଃ ଗୋଟାଏ ଭଲକାମ କରିପାରିଛି ।

ଜୋ ଭିଣୋଇ କହିଲେ, ‘‘ଆଉ ଗୋଟାଏ ଖୁସିଖବର ଶୁଣିବ । ଆର୍ଲିକ ଦିନେ ରାତିରେ ପାମ୍ୱଲସୁଲଙ୍କ ଘରେ ଚୋରି କରିବା ଲାଗି ପଶିଥିଲା । ଧରାପଡ଼ି ଏଇନେ ଜେଲ୍ ଭୋଗୁଛି ।

କ୍ରମଶଃ ସୁସ୍ଥ ହୋଇ ଚଲାବୁଲା କରିପାରିଲି । ମୁଁ ଚାଲିପାରୁଥିବା ଦେଖି ଭିଣୋଇ ଭାରି ଖୁସିହେଲେ । ତା’ ପରଦିନ ସକାଳୁ ଜଳଖିଆ ଟେବୁଲ ପାଖକୁ ଯାଇ ଦେଖେ ତ ଭିଣୋଇ ନାହାନ୍ତି, ପଡ଼ିଛି ଖଣ୍ଡେ ଚିଠି । ପଢ଼ିଲି, ଲେଖାଅଛି–

 

ପ୍ରିୟ ପିପ୍‌,

ତୁମେ ଏଥର ସୁସ୍ଥ ହେଲଣି, ଆଉ ତୁମ ଉପରେ ବୋଝହୋଇ ରହିବା ଉଚିତ ମନେ ନ କରି ଗାଁକୁ ଯାଉଛି । ଆଶାକରେ ଏଥର ମୋ ବିନା ତୁମର ଚଳିବ । ଇତି ।

ତୁମ

ଜୋ ଭିଣୋଇ ।

 

ଯାହା ଜିନିଷପତ୍ର ଥିଲା ସବୁ ବିକିଦେଲି । ସବୁ ଧାର ପରିଶୋଧ ହୋଇଗଲା । ତାପରେ ଚାଲିଗଲି କାୟରୋ, ହାର୍ବର୍ଟ ପାଖକୁ । ସେଠାରେ ପୂର୍ବପ୍ରତିଶ୍ରୁତି କିରାଣି କାମଟା ମୋ ପାଇଁ ଖାଲି ରଖାଯାଇଥିଲା । କ୍ରମେ କ୍ରମେ କମ୍ପାନୀର ଅଂଶୀଦାର ହୋଇଗଲି । ଦେଖୁ ଦେଖୁ ହାର୍ବର୍ଟ ଓ ତା’ ସ୍ତ୍ରୀଙ୍କର ମଧୁର ସାନ୍ନିଧ୍ୟରେ ଏଗାରଟି ବର୍ଷ ବିତିଗଲା ।

 

ଦୀର୍ଘ ଏଗାର ବର୍ଷପରେ ଫେରିଲି ଲଣ୍ଡନ ।

 

ପ୍ରଥମେ ଭିଣୋଇଙ୍କ ଗାଁକୁ ଗଲି । ଡିସେମ୍ୱର ମାସର ଶୀତଳ ସନ୍ଧ୍ୟା । ଅନ୍ଧାର ହୋଇଆସୁଥାଏ । ଆସ୍ତେ ଆସ୍ତେ ଦ୍ୱାର ଖୋଲି ଘରଭିତରେ ପଶିଲି । ଜୋ ଭିଣୋଇ ବସି ପାଇପ୍‌ ଖାଉଛନ୍ତି । ସେମିତି ଶକ୍ତ ସମର୍ଥ ଚେହେରା, ମୁଣ୍ଡବାଳ ଅବଶ୍ୟ ପାଚି ଆସିଲାଣି । ତାଙ୍କ ଆଗରେ ମୁଁ ବସୁଥିବା ସେହି ଛୋଟ ଟୁଲଟା ଉପରେ ବସିଛି ଛୁଆଟିଏ । ଇଏ ଫେରେ କିଏସେ ?

 

‘‘ନମସ୍କାର ଭିଣୋଇ । ଏ ବାବୁ କିଏସେ ?’’

 

‘‘ଆରେ, ପିପ୍‌ ବାବୁଜୀ, କେତେବେଳେ ଆସିଲ ? ...ଇଏ ମୋ ପୁଅ । ମୁଁ ଏ ଭିତରେ ବିଡ଼ିକୁ ବିବାହ କରିଛି । ତୁମର କଥା ମନେପକାଇ ୟାକୁ ବି ନାମଦେଇଛି ପିପ୍‌ ।’’

 

‘‘ବାଃ-କାହିଁ, କାହିଁ ଛୋଟ ପିପ୍‌ ଆସିଲ’’ କହି କୋଳକୁ ଟାଣିଆଣିଲି ଛୁଆଟିକୁ ।

 

ଆନନ୍ଦ ପରିବେଶ ଭିତରେ ସନ୍ଧ୍ୟା ଅବସାନ ହେଲା । ସେଇଠି ଶୁଣିଲି ଏଷ୍ଟଲାର ଗର୍ବୀ ଅହଂକାରୀ ସ୍ୱାମୀ ଦୁଇବର୍ଷ ତଳେ ଘୋଡ଼ାରୁ ଖସିପଡ଼ି ମରିଗଲେ । ବିଧବା ଏଷ୍ଟେଲା ବର୍ତ୍ତମାନ ସନ୍ତୋଷ ଭବନରେ ରହୁଛି ।

 

ସନ୍ଧ୍ୟା ପରେ ଗଲି ମିସ୍‌ ହ୍ୟାବିସାମଙ୍କର ପୁରୁଣା କୋଠିଟା ଦେଖିବା ଲାଗି । କେତେ ମାୟା, କେତେ ବନ୍ଧନ ଲୁଚି ନ ରହିଛି ସେ କୋଠିର କନ୍ଦିବିକନ୍ଦିରେ !

 

କୋଠିରେ ପହଞ୍ଚିଲି । ଚାରିଆଡ଼େ କୁହୁଡ଼ିର ଆଚ୍ଛାଦନ । ଚନ୍ଦ୍ର ଉଠିନଥାନ୍ତି । ଅସ୍ପଷ୍ଟ ଆଲୋକରେ ସବୁ ଝାପ୍‌ସା ଦେଖାଯାଉଥାଏ । ଆକାଶରେ କିନ୍ତୁ ବସିଥାଏ ଅଗଣିତ ତାରାଙ୍କର ମେଳା । ପୁରୁଣାଦିନର ସେହି ବଗିଚାଟିକୁ ଚାହିଁଲି । ତା’ର ଛତ୍ରେ ଭରିହୋଇ ରହିଥିଲା ଗୋଟାଏ ଅବ୍ୟକ୍ତ ଆକର୍ଷଣ ।

 

କୋଠି ଭିତରୁ ଜଣେ କେହି ସ୍ତ୍ରୀଲୋକ ବାହାରି ଆସିଲେ । ସିଧା ମୋ ପାଖକୁ ଚାଲିଆସିଲେ ସେ ।

 

ମୁଁ ପାଟିକରି ଉଠିଲି, ‘‘କିଏସେ, ଏଷ୍ଟେଲା ଯେ ।’’

 

ସେ କହିଲା, ‘‘ଆଶ୍ଚର୍ଯ୍ୟ ! ତୁମେ ମତେ ଚିହ୍ନିପାରୁଛ ? ମୁଁ ଏ ଭିତରେ ବଦଳିଯାଇଛି ।’’

 

ଦେଖିଲି ଶରୀର ସୌନ୍ଦର୍ଯ୍ୟ ହ୍ରାସ ପାଇନି । ଆଖିରେ କିନ୍ତୁ ଦୁଃଖ ଓ ବିଷାଦର ଛାୟା ।

 

ଦୁହେଁ ବଗିଚାରେ ବସିଲୁ । କହିଲି, ‘‘ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏଇଠି ଆମ ଦୁହିଙ୍କର ପ୍ରଥମ ସାକ୍ଷାତ ହୋଇଥିଲା ଏବଂ ଦୀର୍ଘଦିନ ପରେ ଆଜି ବି ଏଇଠି ସାକ୍ଷାତ ହେଲା-

 

‘‘ବର୍ଷ ବର୍ଷ ହୋଇ ମୋର ଦୁଃଖମୟ ଜୀବନ ଗଡ଼ି ଚାଲିଛି । ହେଲେ ଏହି ପୁରୁଣା ଜାଗାଟିକୁ ମୁଁ ପାସୋରି ପାରିନାହିଁ । ତୁମେ ଆହୁରି ବିଦେଶରେ ରହୁଛ ?’’

 

‘‘ଏଯାଏଁ ରହିଛି ।’’

 

‘‘ସୁଖରେ କାଳ କଟିଯାଉଛି ? ଭଲରେ ଅଛ ତ ?’’

 

‘‘ହଁ । ପରିଶ୍ରମ କରୁଛି । କାମ ଭିତରେ ନିଜକୁ ଭୁଲିଯାଉଛି ।’’ ଏଷ୍ଟେଲା କହିଲା, ‘‘କିନ୍ତୁ ତୁମକୁ ମୁଁ କୌଣସି ଦିନ ଭୁଲିନାହିଁ । ଦୁଃଖରେ ପଡ଼ିବା ପରେ ମୁଁ ଠିକ୍‌ ଉପଲବ୍‌ଧି କଲି ତୁମେ କେତେ ଭଲ ଓ ମହତ୍‌ । ଆମ ଭିତରେ ଆଉ ଭୁଲ୍ ବୁଝାମଣା ନ ରହୁ । ଏଥର ବନ୍ଧୁଭାବରେ ବିଦାୟ ନେବା ।’’

 

ଆକାଶରେ ଚନ୍ଦ୍ର ଉଠିଲା । ଜ୍ୟୋତ୍ସ୍ନାରେ ଝଲମଲ କରିଉଠିଲା ଏଷ୍ଟେଲାର ନୟନର ଲୁହ । ଆମର ଚାରିହାତ ଯାଇ କେତେବେଳେ ମିଶିଯାଇଥିଲା ଜାଣେନା ।

 

କହିଲି, ‘‘ନା, ଏଷ୍ଟେଲା । ବିଦାୟ କଥା କୁହନା । ଆମେ ବନ୍ଧୁହୋଇ ହିଁ ରହିବା ଚିରଦିନ-।’’

 

ଆକାଶରୁ କୁହୁଡ଼ି ଉଭେଇଗଲା । ଚନ୍ଦ୍ରର ବିମଳ ସ୍ନିଗ୍‌ଧ ଆଲୋକରେ ଦେଖିଲି ଆମ ଭିତରେ ଆଉ ବିଚ୍ଛେଦର ଛାୟା ନାହିଁ ।

Image